Unknown

 

 

 

 

 

 

 

 

 

 

 

ତେରେଛା ଗପ

ହେମକାନ୍ତ ମିଶ୍ର

 

 

 

 

 

 

 

 

 

 

ଉତ୍ସର୍ଗ

 

ମୋ ବୋଉ ପାଦତଳେ

 

–ବେବି

Image

 

ବହି ନେଇ ପଦେ

 

ହାସ୍ୟରସ ମାଧ୍ୟମରେ ଗଠନମୂଳକ ସାମାଜିକ ସମାଲୋଚନା ହେଲା ‘Satire’ ନାମକ ରଚନାର ମୂଳ ତତ୍ତ୍ଵ । ହାସ୍ୟରସ ନ ଥିଲେ ଏହା ନିଛକ ଉପଦେଶ, ଏବଂ ସଂସ୍କାର ମୂଳକ ନ ହେଲେ ଏହା କେବଳ ଥଟ୍ଟା ତାମସା । ଏହି ଦୁଇ ବିପରୀତ ଚରମ-ସ୍ଥିତ ମଝିରେ ରହିଛି Satire । ହାସ୍ୟ ଉଦ୍ରେକ କରିବାରେ ଏହା କେବଳ ଆଂଶିକ ସଫଳତା ପାଇପାରେ,ଯେହେତୁ ହାସ୍ୟରସ କେବଳ ମାଧ୍ୟମ । ଏହା ପଢ଼ି ‘ହସରେ ଫାଟିପଡ଼ିବା’ ‘ହସି ହସି ଗଡ଼ିଯିବା’ ବା ‘ହସି ହସି ପେଟ ପରାଶ ହେବା’ ସମ୍ଭବ ନୁହେଁ । ଖୁବ୍ ହେଲେ ଏହା କିଛି ମୃଦୁ ହାସ୍ୟ ଉଦ୍ରେକ କରେ ।

 

ପ୍ରଥମରୁ ବ୍ୟକ୍ତିଗତ ଆକ୍ଷେପ ଉପରେ ଆଧାରିତ ଥିଲେହେଁ, ବିକାଶକ୍ରମର ପରବର୍ତ୍ତୀ ଯୁଗରେ, ଏହି ଧରଣର ରଚନା ସାମାଜିକ ଓ ନୈତିକ ସ୍ତରକୁ ବିସ୍ତୃତ ହୋଇଥିଲା । ପରମ୍ପରା, ସାମାଜିକ ମୂଲ୍ୟବୋଧ ଓ ଗଡ୍ଡ଼ାଳିକା ପ୍ରବାହ ପ୍ରତି ଆକ୍ଷେପ ସତ୍ତ୍ୱେ ଏ ଧରଣର ରଚନା ପଛରେ ଏକପ୍ରକାର ମାନସିକ ସମ୍ବେଦନଶୀଳତା କାର୍ଯ୍ୟକାରୀ ହୁଏ । ଏକ ଆଦର୍ଶ ଅବସ୍ଥା ଲାଗି ପ୍ରବଳ ଅନୁରାଗ, ତାହାର ଅଭାବ ଦେଖି ବିଫଳତାର ଅନୁଭୂତି ଏବଂ ସ୍ଵୟଂସଂସ୍କାରର ଇଚ୍ଛା ଏହି କଟାକ୍ଷ ଓ ଉପହାସ ପଛରେ ରହିଛି ।

 

Satireଲାଗି ଉପଯୁକ୍ତ ଶବ୍ଦ ଏଯାକେ ଦେଖିବାକୁ ମିଳେନା ଭାରତୀୟ ଭାଷାମାନଙ୍କରେ । ‘ବ୍ୟଙ୍ଗ ରଚନା’ (ବଙ୍ଗଳା),‘ବ୍ୟଙ୍ଗ୍ୟ’ (ହିନ୍ଦୀ, ତେଲୁଗୁ, କନ୍ନଡ଼) ଓ ‘ଉପରୋଧ’ (ମରାଠୀ) ଆଦି ବିଭିନ୍ନ ନାମର ବ୍ୟବହାର ଭାରତରେ ପ୍ରଚଳିତ । ଓଡ଼ିଆରେ ବ୍ୟଙ୍ଗୋକ୍ତି, ବକ୍ରୋକ୍ତି, ଛଳୋକ୍ତି, ମଜାଗପ, ରମ୍ୟରଚନା, ବିଦ୍ରୂପ ତୀର୍ଯକ୍, ରଙ୍ଗବ୍ୟଙ୍ଗ ଆଦି ନାମର ପ୍ରଚଳନ ଅଛି ।

 

ସଂସ୍କୃତରେ କୌଣସି ପୂର୍ଣ୍ଣାଙ୍ଗ ରଚନା ଏହି ସଂଜ୍ଞାର ନାହିଁ । ତେବେ ‘ବ୍ୟାଜୋକ୍ତି’ ନାମକ ଆଳଙ୍କାରିକ ପ୍ରୟୋଗ ଏହାର ନିକଟବର୍ତ୍ତୀ । ଯାହା ଉଦ୍ଦିଷ୍ଟ, ତାହାର ବିପରୀତ ରୀତିରେ କଥନ ଏହାର ଶିଳ୍ପକଳା । ଖୁବ୍ ଅଳ୍ପ ଦିନରେ, ଅତ୍ୟଳ୍ପ ସାଧନାରେ ପଣ୍ଡିତ ଓ ବିଶେଷଜ୍ଞ ବୋଲାଇ ସମ୍ମାନ ଦାବୀ କରୁଥିବା ଲୋକମାନଙ୍କୁ ଲକ୍ଷ୍ୟ କରି କୁହାଯାଇଛି :

 

“ଗୁରୋର୍ଗିରଃ ପଞ୍ଚଦିନାନ୍ୟଧିତ୍ୟ

ବେଦାନ୍ତ ଶାସ୍ତ୍ରାଣି ଦିନ ତ୍ରୟଂଚ ।

ଅମୀ ସମସ୍ଵାଦିତ ତର୍କବାଦା

ସମାଗତା କୁକ୍‍କୁଟ ମିଶ୍ର ପାଦାଃ’

 

–କାବ୍ୟ ପ୍ରକାଶ (ମମ୍ମଟ)

 

(ପାଞ୍ଚ ଦିନ କାଳ ଗୁରୁବଚନ ଶ୍ରବଣ କରି, ତିନିଦିନ ଧରି ବେଦାନ୍ତ ଶାସ୍ତ୍ରମାନ ଅଧ୍ୟୟନ କରି, ଅଧିକନ୍ତୁ କିଛି ତର୍କଶାସ୍ତ୍ର ମଧ୍ୟ ଆସ୍ଵାଦନ କରିସାରି, ଆସିଗଲେ କୁକ୍‍କୁଟ ମିଶ୍ର ମହାପଣ୍ଡିତ ! )

 

ସେହିପରି ଅଯୋଗ୍ୟ ଲୋକମାନଙ୍କର ପରସ୍ପର ଲୋକମାନଙ୍କର ପରସ୍ପର ପିଠିଚାପୁଡ଼ାକୁ ଆକ୍ଷେପ କରି କୁହାଯାଇଛି ।

 

“ଉଷ୍ଟ୍ରାନାଂ ଲଗ୍ନବେଳାୟାଂ ଗର୍ଦ୍ଦଭାଃ ଶାନ୍ତି ପାଠକାଃ ।

ପରସ୍ପରଂ ପ୍ରଶଂସନ୍ତି ଅହୋ ରୂପଂ ! ଅହୋ ଧ୍ୱନି !”

 

(ଓଟଙ୍କ ବିବାହ ବାସରେ ଗଧ ହେଲେ ପୁରୋହିତ । ପରସ୍ପର ପ୍ରଶଂସା କରନ୍ତି : ଓହୋ କି ରୂପ ! ଓହୋ କି କଣ୍ଠ !)

 

‘ମତ୍ତବିଳାସ’ ଓ ମୃଚ୍ଛକଟିକ ପରି ପ୍ରହସନ ଏବଂ ପଞ୍ଚତନ୍ତ୍ରର କେତେକ ଗଳ୍ପରେ ମଧ୍ୟ ସମସାମୟିକ ସମାଜ ପ୍ରତି କଟାକ୍ଷ ଦେଖିବାକୁ ମିଳେ । ସଂସ୍କୃତ ସାହିତ୍ୟ ଏହି ଦୃଷ୍ଟିରୁ satireର ମୂଳତତ୍ଵରେ ଦରିଦ୍ର ନୁହେଁ । ତଥାପି ସମଗ୍ର ରଚନା କେବଳ ଏହି ଉଦ୍ଦେଶ୍ୟରେ ଲେଖା ଯାଇଥିବ, ଏପରି କିଛି ଦେଖିବାକୁ ମିଳୁନାହିଁ । ଏହାହିଁ ବୋଧହୁଏ satireଲାଗି ପ୍ରତିଶବ୍ଦର ଅଭାବର କାରଣ-

 

ଆମ ଦେଶକୁ ଏହି ରୀତି ଇଂରାଜୀ ସାହିତ୍ୟରୁ ଆସିଛି । ‘ଇଂରାଜୀ’ ଏଇଥିପାଇଁ ଯେ, ଅନ୍ୟାନ୍ୟ ୟୁରୋପୀୟ ଭାଷା ସଙ୍ଗେ ଆମର ସଂଯୋଗ କମ୍ । ଯେହେତୁ satire ର ବିକାଶକ୍ରମର ବେଶ୍ କିଛି ଉନ୍ନତ ସ୍ତରରେ ଆମେ ପ୍ରଭାବିତ ହୋଇଛୁ, ପ୍ରଥମ ଲେଖକମାନଙ୍କର ପ୍ରଭାବ ଆମ ରଚନାର ସମାଲୋଚନାରେ ସ୍ଥାନ ପାଇବ କି ନା ସନ୍ଦେହ । ମୁଖ୍ୟତଃ ସାମାଜିକ, ସାମୟିକ ଏବଂ ଛଦ୍ମବେଶୀ ହୋଇଥିବାରୁ ଏହା ଏପରି ଏକ ଆଞ୍ଚଳିକ ପ୍ରକୃତି ଆହରଣ କରେ ଯେ, ଦେଶ ଭିତ୍ତିକ ତୁଳନା ଏପରି ଏକ ଆଞ୍ଚଳିକ ପ୍ରକୃତି ଆହରଣ କରେ ଯେ, ଦେଶ ଭିତ୍ତିକ ତୁଳନା ଏପରି ରଚନାରେ ଦୁଷ୍କର ହୋଇପଡ଼େ । ତା ଛଡ଼ା ଇଂରାଜୀ ସାହିତ୍ୟର ପ୍ରଭାବ ବାଚନଭଙ୍ଗୀ ଗତ ବିଦ୍ରୁପମାନଙ୍କରେ ଖୋଜିବା ବୃଥା ।

 

ଅପେକ୍ଷାକୃତ ଆଧୁନିକ satirist ହେଲେ Jonathon swift (Gullivers Travels) Will Cuppy (Decline and Fall of Practically Everybody) Stephen Leacock (Literary Lapses) James Thurber (Is Sex Necessary) ମୁଖ୍ୟତଃ ଏମାନେ ଗଦ୍ୟ (ନିବନ୍ଧ ବା ଗଳ୍ପ) ମାଧ୍ୟମରେ ଲେଖିଛନ୍ତି । ନାଟକରେ ବିଖ୍ୟାତ George Bernard Shaw ଓ Oscar Wilde ଏବଂ କବିତାରେ Lewis Carroll ଙ୍କୁ ଉଦାହରଣ ରୂପେ ନେଇ ହେବ । ଏତେ କମ୍ ସମୟରେ ଏତେ ବେଶି ଲୋକପ୍ରିୟତା ଅର୍ଜନ କରିଥିବାରୁ ପୃଥିବୀର ବହୁ ଲେଖକ ଏହି ପର୍ଯ୍ୟାୟରେ ରଚନା କରୁଛନ୍ତି । ମୋ ପକ୍ଷରେ ସେହିସବୁ ରଚନାର ତାଲିକା ଦେବା ବା ତାହା ଉପରେ ମନ୍ତବ୍ୟ କରିବା ଛୋଟ ମୁହଁରେ ବଡ଼କଥା । Cerventes ଙ୍କ ପରି ପ୍ରତିଭାଶାଳୀ ଆମର ଲେଖକ Satire କୁ ବାଛି ନେଇଛନ୍ତି । ଆମେ ଜାଣୁ ଯେ ଏହି ସବୁ ରଚନା କିଛି ଦ୍ଵିତୀୟ ଶ୍ରେଣୀର ପ୍ରତିଭାରୁ ସମ୍ଭବ ନୁହେଁ । ଅଥଚ କେଉଁ ମୂଲ୍ୟବୋଧର ଖାତିରରେ କେଜାଣି, ଆମ ସାହିତ୍ୟରେ ଏହି ରଚନା ବିଭାଗ ଯଥେଷ୍ଟ ସମ୍ମାନର ଅଧିକାରୀ ହୋଇନାହିଁ ।

 

ଯେଉଁ କେତେକ ପ୍ରଥମ ଶ୍ରେଣୀର ପ୍ରତିଭା ଓଡ଼ିଆ ସାହିତ୍ୟରେ ଏହି ପର୍ଯ୍ୟାୟରେ ରଚନା କରିଛନ୍ତି, ସେମାନଙ୍କ ମଧ୍ୟରୁ ଫକୀରମୋହନ, ଗୋପାଳ ଚନ୍ଦ୍ର ପ୍ରହରାଜ, କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର, ଗୋଦାବରୀଶ ମହାପାତ୍ର, ଗୋବିନ୍ଦ ତ୍ରିପାଠୀ, ଫୁତୁରାନନ୍ଦ ଓ ମହାପାତ୍ର ନୀଳମଣି ସାହୁଙ୍କ ନାମ ଉଲ୍ଲେଖଯୋଗ୍ୟ । ବଙ୍ଗଳାରେ ‘ବନଫୁଲ’ ‘ପର୍ଶୁରାମ’ ଏବଂ ମରାଠୀରେ ‘ପାରାଞ୍ଜପେ’ ଓ ‘ୱାର୍ହାଡ୍‍ପାଣ୍ଡେ’ ଏହି ପର୍ଯ୍ୟାୟର ଲେଖକ । ବଙ୍ଗଳା ଓ ମାରାଠୀରେ Satires ଅତି ଦ୍ରୁତ ଏବଂ ଉଚ୍ଚ ପ୍ରଗତି କରିଛି । କନ୍ନଡ଼ ସାହିତ୍ୟରେ ମଧ୍ୟ ଏହା ଲୋକପ୍ରିୟ ।

 

‘ତେରେଛା ଗପ’ ସଂକଳିତ ସବୁତକ ଗପ ବିଭିନ୍ନ ପତ୍ରିକାରେ ପ୍ରକାଶିତ । କିଛି ଲେଖା ଏଠାରେ ସାମାନ୍ୟ ପରିମାର୍ଜିତ ଓ ସଂବର୍ଦ୍ଧିତ । ସାହିତ୍ୟିକ ମୂଲ୍ୟନିରୂପଣର ଯୋଗ୍ୟତା ଏମାନଙ୍କର ଅଛି କି ନାହିଁ ମୁଁ ଜାଣେନା, ତେବେ ଏମାନେ ମୋର ପାଠକମାନଙ୍କଦ୍ଵାରା ପ୍ରଶଂସିତ ହୋଇଛନ୍ତି । ଏ ବହି ମୋର ଦ୍ଵିତୀୟ ଉଦ୍ୟମ । ପ୍ରଥମ ‘ଭଲ୍ଲୁକର ପୁରାପେଣ୍ଟ ଓ ଅନ୍ୟାନ୍ୟ ମଜାଗପ’ ମଧ୍ୟରେ ପରୀକ୍ଷାସୂତ୍ରେ ଏଧରଣର ରଚନା କିଛି ଦେଇ ଥିଲି । ସେମାନଙ୍କର ସାହିତ୍ୟରେ ସ୍ଥାନ ନେଇ, ମୁଖ୍ୟତଃ ଓଡ଼ିଶା ବାହାରେ ସବୁଦିନ ରହିଥିବାରୁ, ମୁଁ କିଛି ଜାଣେନା, ସେହି ବହିଟି ଅଜସ୍ର ଭୁଲ୍ ତ୍ରୁଟିରେ ଭରା (ଯଥା ‘ଗ୍ଲାଅମୋର୍ ବୟ ଚରିତ’ ଲେଖାଟି ପୁରା ଛପା ହୋଇ ନାହିଁ), ପ୍ରଧାନତଃ ମୋର ଅନୁପସ୍ଥିତିରେ ମୁଦ୍ରିତ ହୋଇଥିବାରୁ । ତଥାପି ମୋର ସହୃଦୟ ପାଠକମାନଙ୍କଠାରୁ ବହିଟିରେ ସନ୍ନିବିଷ୍ଟ ସେହି ପରୀକ୍ଷାମୂଳକ ଗଳ୍ପମାନ ପ୍ରଶଂସା ଅର୍ଜନ କରିଛି ବୋଲି ମୁଁ ଉତ୍ସାହିତ ହୋଇଛି ।

 

ଉପସ୍ଥିତ ବହିରେ ଥିବା ଗଳ୍ପଗୁଡ଼ିକ ବିଷୟରେ କେତେକ ସାଧାରଣ ବିଭାବ ପ୍ରତି ଆପଣଙ୍କର ଦୃଷ୍ଟି ଆକର୍ଷଣ କରୁଛି । ସବୁ ଗପରେ ସବୁତକ ବିଭାବ ନ ଥିଲେ ବି ‘ତେରେଛା ଗପ’ ବିଷୟରେ ଏଇତକ ନିୟମ ମୋଟାମୋଟି ପ୍ରଯୁଜ୍ୟ :

 

(୧)

ଆପାତ ଦୃଷ୍ଟିରେ ଯାହାସବୁ କ୍ଷୁଦ୍ର ଓ ଅର୍ଥହୀନ, ସେ ସବୁକୁ ମୁଁ ପୁଞ୍ଜି କରିଛି ।

(୨)

ବାଚନଭଙ୍ଗୀ ଓ ତାହାଠୁ ବେଶି ଦୃଷ୍ଟି ଭଙ୍ଗୀର ବକ୍ରତା ନେଇ ଅସଙ୍ଗତି ସୃଷ୍ଟି କରିଛି ।

(୩)

ବର୍ଣ୍ଣନା ଭଙ୍ଗୀରେ ଗାମ୍ଭୀର୍ଯ୍ୟ ରକ୍ଷା କରି ହାସ୍ୟରସ ସୃଷ୍ଟି କରିଛି (ଇଂରାଜୀ ‘mock–heroic’ ରୀତି ଭଳି)

(୪)

ଯେତେ ଦୂର ସମ୍ଭବ, ଚରିତ୍ରଗୁଡ଼ିକୁ ସମସାମୟିକ ସାମାଜିକ ପ୍ରବାହର ପ୍ରତୀକ କରି ପରିବେଷଣ କରିଛି ।

(୫)

ଯୁକ୍ତିର ଅପପ୍ରୟୋଗ ଓ ଅତିଶୟୋକ୍ତି ଦ୍ଵାରା ଅସଙ୍ଗତି ସୃଷ୍ଟି କରିଛି ।

(୬)

ପ୍ରଚଳିତ ସମ୍ବାଦପତ୍ରର ଭାଷା ପ୍ରୟୋଗ କରି ତାହା ପ୍ରତି ଆକ୍ଷେପ କରିଛି ।

(୭)

କୌଣସି ଜୀବିତ ବା ମୃତ ବ୍ୟକ୍ତି ବା ଦଳ ପ୍ରତି ଲକ୍ଷ୍ୟକରି କୌଣସି ଲେଖା ଲେଖିନାହିଁ ।

 

‘ତେରେଛା ଗପ’ ମୁଖ୍ୟତଃ ମୋର ପ୍ରିୟ ବନ୍ଧୁ ଅଧ୍ୟାପକ ମଦନମୋହନ ମିଶ୍ରଙ୍କର ଉତ୍ସାହ ଓ ଉଦ୍ୟମ ଫଳରେ ସମ୍ଭବ ହୋଇଛି । ମଦନବାବୁ ସ୍ଵେଚ୍ଛାରେ ଏହାର ସମସ୍ତ କାର୍ଯ୍ୟଭାର ନେଇଛନ୍ତି । ମୋର ସହଧର୍ମିଣୀ ଜ୍ୟୋତ୍ସ୍ନା ଦେବୀଙ୍କର ସାହାଯ୍ୟ ବିନା ଏହି ପାଂଡୁଲିପି ନିର୍ମାଣ ସମ୍ଭବ ହୋଇପାରି ନ ଥାନ୍ତା । ଏମାନଙ୍କଠାରେ ମୁଁ ଚିରକୃତଜ୍ଞ ।

 

ଦିଲ୍ଲୀ

–ଚଉଧୁରୀ ହେମକାନ୍ତ ମିଶ୍ର

ମାର୍ଚ୍ଚ, ୧୯୬୬

 

Image

 

ସୂଚୀପତ୍ର

 

୧.

ନିମ୍ନଲିଖିତ ଗଳ୍ପ

୨.

ସମ୍ପାଦକ ଓ ଚୁରୁଟ୍ ଉପାଖ୍ୟାନମ୍

୩.

ପ୍ରେମ ଚାପୋଡ଼ି

୪.

ପ୍ରିୟାପ୍ରୀତି ତୋଷଣାୟ

୫.

ବିଜ୍ଞାପନ ସାହିତ୍ୟର ପ୍ରକୃତି ଓ ସ୍ଵୀକୃତି

୬.

ରକା

୭.

ଆମ ପତ୍ରିକା

୮.

ଅଭିନବ ପାକ ପ୍ରକରଣ

୯.

ବର୍ଣ୍ଣବୋଧ ସମୀକ୍ଷା

୧୦.

ନିଶୋପାଖ୍ୟାନମ୍

୧୧.

ଜାତୀୟ ବଦଭ୍ୟାସ

୧୨.

କେବଳ ପ୍ରାପ୍ତବୟସ୍କଙ୍କ ପାଇଁ

୧୩.

ନିମ୍ନଲିଖିତ ଗଳ୍ପ

Image

 

ନିମ୍ନଲିଖିତ ଗଳ୍ପ

 

ଅନେକ ଦିନରୁ କଳ୍ପନା କରିଛି କାହାକୁ ହେଲେ, କେଉଁଠି ହେଲେ, ନିମ୍ନଲିଖିତ ଗଳ୍ପଟି ଶୁଣାଇବି । ନାନା କାରଣରୁ ସୁବିଧା ହୁଏନା । ଘରେ ସ୍ତ୍ରୀର ସର୍ଦିଜ୍ଵରଯୁକ୍ତ ଦାନ୍ତବିନ୍ଧା, ପିଲାଟିର ବି କାଶ ସର୍ଦି, ଆଉ ଖୋଦ୍‍ଙ୍କର ତ ଜାଣନ୍ତି ବେମାରୀର ଅନ୍ତ ନାଇଁ ।

 

–ଗଳ୍ପଟି ଏଥର ଆରମ୍ଭ ହେଉ ।

 

ମନଦେଇ ଶୁଣିବେ ସଭାଜନେ । ସଂକ୍ଷେପରେ ଆଗେ କହିବି । ପାଣି ଗିଲାସେ ଆସୁ ।

 

–ଗଳ୍ପଟି ଏଥର ଆରମ୍ଭ ହେଉ ।

 

ଆରମ୍ଭ କରୁଛି । କିନ୍ତୁ ଏଇ ଗଳ୍ପଟି ଶୁଣାଇବାର ଉଦ୍ଦେଶ୍ୟଟି ଆଗ କହିଦିଏ ।

 

–କହନ୍ତୁ ।

 

ଉଦ୍ଦେଶ୍ୟ ଏତିକି ଯେ ମୁଁ ବିଖ୍ୟାତ ହେବାକୁ ଚାହେଁ ।

 

–ବିଖ୍ୟାତ ହେଲେ ଲାଭ କଅଣ ?

 

ଶୁଣିଛି ବିଖ୍ୟାତ ହେଲେ ଖୁବ୍ ପଇସା ମିଳେ । ଏବଂ ପଇସା ମୋର ଖୁବ୍ ଦରକାର । ମୁଁ ବଡ଼ ଋଣଗ୍ରସ୍ତ ଲୋକ କି ନା ?

 

–ଶୁଣାଇବା ଛଡ଼ା କ’ଣ ଅନ୍ୟ ଉପାୟ ନଥିଲା ?

 

ଯଥା ?

 

–ଆପଣ ଛପାଇ ପାରିଥାନ୍ତେ । ହେଉ ଆପଣ ପଚାରିଛନ୍ତି କିନ୍ତୁ । ତେଣୁ ମୋତେ ଦାୟୀ କରିବେ ନାହିଁ । ଉତ୍ତର ଦୀର୍ଘ ହୋଇପାରେ । ଛପାଇବା କଥା, ନା ? ଆପଣ ମନେରଖିବେ, ଯୁଗ ବଦଳିଛି । ଛପାଇବା ଆଉ ଯଥେଷ୍ଟ ନୁହେଁ । ଛପାଇବା ଜରିଆରେ ଲୋକେ ଆଗେ ବିଖ୍ୟାତ ହେଉଥିଲେ । ବର୍ତ୍ତମାନ ଯୁଗରେ ଆଉ ହେଉନାହାନ୍ତି । କାରଣ ଅଗା–ବଗା–ଖଗା ଯେ–ପାରି–ସେ ଛପାଇବାକୁ ଆରମ୍ଭ କଲେଣି ଯା–ନାଇଁ–ତା । ଦୁଇରେ–

 

–ଗଳ୍ପଟି ଏଥର ଆରମ୍ଭ ହେଉ :

 

ଥୟ ଧରନ୍ତୁ । ପ୍ରଥମେ ପ୍ରଶ୍ନର ଉତ୍ତର ଦେଇଦିଏଁ । ଆପଣ ଟିକିଏ ଧୈର୍ଯ୍ୟ ଧରନ୍ତୁ । ଜଣେ ପଚାରିଛନ୍ତି ଯେତେବେଳେ– । ଯାହା କହୁଥିଲି, ଦୁଇରେ, ଲେଖକଙ୍କୁ ପଇସା ମିଳେ ନାହିଁ । ବିଦେଶ କଥା ମଧ୍ୟ ଠିକ୍ ସେଇଆ । ସେମାନେ ନିଜର ପ୍ରଚାର ସକାଶେ ଏଠି ସବୁ ଫୋପଡ଼ା ମାରିଛନ୍ତି ସତ ଯେ ସେମାନଙ୍କ ଲେଖକମାନେ ସମସ୍ତେ ବଡ଼ଲୋକ । ପ୍ରକୃତରେ ପଇସା ଖାଲି ପ୍ରକାଶକ ବା ବ୍ୟବସାୟୀଙ୍କର । ଲେଖକ କେଉଟ । ଧରେ ମାଛ, ଖାଏ କଙ୍କଡ଼ା ।

 

–ବାହା ବାହାରେ ଧୀବର–ସାହିତ୍ୟ–କାର ।

 

ଧନ୍ୟବାଦ । ବାକୀ ଗୋଟିଏ ମାତ୍ର କଥା । ଛପାଇବା ନେଇ । ଛପାଇଲେ କେତେ ଲୋକଙ୍କ ମର୍ଜି ନିର୍ଭର କରିବାକୁ ପଡ଼ିବ ଦେଖନ୍ତୁ । ଛପା ହବ କି ନ ହବ, ସେ ହେଲା ପତ୍ରିକା ସଂପାଦକ ଓ/କିମ୍ବା ପ୍ରକାଶକଙ୍କର ମରଜି, ଏଣେ, ଛପା ହେଲେବି, ସମସ୍ତେ ଯେ ପଢ଼ିବେ, ୟାର କୁ’ ମାନେ ଅଛି ? ସେଠି ମଧ୍ୟ, ଆପଣ କହିପାରନ୍ତି, ସମ୍ଭାବ୍ୟ ପାଠକର ମରଜି ।

 

–ଠିକ୍ ଠିକ୍ । ଘୋଡ଼ାକୁ ପାଣି ପାଖକୁ ନେଇ ହୁଏ, କିନ୍ତୁ ପିଆଇ ହୁଏନା–

 

ଯଦି ଘୋଡ଼ା ରାଜି ନହୁଏ, ଠିକ୍ । ଏବଂ ଏଠାରେ ମଧ୍ୟ କଥାଟା ସମ୍ପୂର୍ଣ୍ଣରୂପେ ଶରୀରତାତ୍ତ୍ଵିକ । ଆଖିକୁ ଇଚ୍ଛାକରେ ସହଜରେ ବନ୍ଦ କରିଦେଇ ହୁଏ । କିନ୍ତୁ କାନକୁ ଏତେ ସହଜରେ ବନ୍ଦ କରି ହୁଏ ନାହିଁ । ଆଖି–ଦେଖା ଛପା ଅକ୍ଷରର ପଠନ, ପାଠକର ମରଜି । ଶୁଣାକଥା କଥକର ମରଜି ।

 

–ଗଳ୍ପଟି ଏଥରକ ଆରମ୍ଭ କରନ୍ତୁ ।

 

କରୁଛି । ଏଠାରେ ପ୍ରାୟ ଦୁଇଶହ ସଭାଜନ ଉପସ୍ଥିତ ଅଛନ୍ତି । ସେମାନଙ୍କ ଭିତରୁ ଶହେଜଣ ଏହି ମୁହୂର୍ତ୍ତରେ ଢୁଳାଉଛନ୍ତି । ବାକୀ ଧରନ୍ତୁ ପଚାଶ ଜଣ ଗପ ଆରମ୍ଭ ହେଲେ ତୁଲେଇବେ । ବାକୀ ପଚାଶରୁ ପଚିଶଜଣ ଗପ ଶେଷ ହେଲାବେଳକୁ ଢୁଳଉଥିବେ । ଏହି ଆଶାବାଦୀ କଳନାରୁ ଜଣାଯିବ ଯେ, ପଚିଶ ଜଣ ଗଳ୍ପଟିକୁ ଆଦି ଅନ୍ତ ନିଜର ଅନିଚ୍ଛା ସତ୍ତ୍ୱେ ଶୁଣିଯିବେ । ସେପରି ହେଲେ, ଆଜିକାର ଶ୍ରମ ସାର୍ଥକ ହେବ । କାହିଁକିନା, କାଲି ଆଉ ପଚିଶଜଣ ଶୁଣିବେ, ପହରଦିନ ଆଉ ପଚିଶି, ତା’ଆର୍ଣ୍ଣ ଆଉ ପଚିଶି । ସେଥିପାଇଁ ଦୁଇଶହ ନ ଜମିଲେ ମୁଁ ମୁହଁ ଫିଟାଏନା ।

 

ବେଶ୍ ତା ହେଲେ । ବର୍ତ୍ତମାନ ସାରାଂଶ, ଯେଉଁମାନେ ଢୁଳେଇ ପଡ଼ିବେ ସେମାନଙ୍କର ସୁବିଧା ସକାଶେ–

 

–ଗଳ୍ପଟି ଏଥରକ ଆରମ୍ଭ ହେଉ ।

 

ଛାପା ଅକ୍ଷର ଲେଖୁଥିବା ଲେଖକ ଏବଂ ମୋ ଭିତରେ ଫରକ୍ ଏତିକି । ଛାପା ଅକ୍ଷର ପଢ଼ୁ ପଢ଼ୁ ପ୍ରତ୍ୟେକ ପାଠକ ଢୁଳାଏ । ଢୁଳାଏ, କିନ୍ତୁ ଲେଖକଟି ଦେଖାପାରେ ନାହିଁ । ଦେଖୁଥିଲେ ଆଉ ଲେଖୁଥାନ୍ତା କି ?

 

–ସାରାଂଶଟି ଏଥର...

 

ହଁ, ସାରାଂଶ । ମୋର ଇଚ୍ଛା, ‘ନିମ୍ନଲିଖିତ ଗଳ୍ପ’ ‘ନିମ୍ନଲିଖିତ ଗଳ୍ପ’ କହି କହି ସମୁଦାୟ ଗଳ୍ପଟି ଶେଷ କରିନେବି । ଗପ ବୋଲି ଟିକିଏ । ସାରକଥା ଏତିକି : ଗୋଟିଏ ଭେଲ୍ ଭେଟ୍ ତକିଆ, ଡାକନାମ ‘ଭେଲ୍–ଭେଟିଆ’, ଯାହାକି ଜଣେ ମୋତେ ଉପହାର ଦେଇଥିଲେ । କେତେ ଜାଗା ବୁଲି ବୁଲି ତା’ର ବର୍ତ୍ତମାନ ଅବସ୍ଥା ଏଇ । ଏଇ ଦେଖନ୍ତୁ । ଏଇ ତକିଆଟି ହେଲା ମୋର ଗଳ୍ପର ନାୟକ । ଏଥକୁ ଆପଣଙ୍କର ଆଗ୍ରହ ଥାଇପାରେ, ନ ଥାଇପାରେ । ଏଇ ତ ଚାରିଜଣ ଉଠି ବାହାରି ଗଲେଣି । ଆଉ କିଏ କିଏ ଯିବାକୁ ଇଚ୍ଛା କରୁଛନ୍ତି, ଯାଆନ୍ତୁ । ଆପଣ–ହେଇଟି ସେ କଣରେ ଯିଏ ଉଠୁ–ଉଠୁ ହେଉଛନ୍ତି, ବାଇଗିଣି ବୁସ୍‍ସାର୍ଟ, ହଁ, ଆପଣ । ଯିବେ ? ଯାଆନ୍ତୁ । ବର୍ତ୍ତମାନ ପୂରାପୂରି ଗଳ୍ପଟି ଶୁଣନ୍ତୁ ।

 

–ହଁ ଗଳ୍ପଟି ଏଥର ଆରମ୍ଭ ହୋଇଯାଉ !

 

ଆପଣମାନେ ଲକ୍ଷ୍ୟ କରିଥିବେ, ରାସ୍ତାକଡ଼ରେ କୁହୁକ ଦେଖାଉଥିବା ଲୋକର ଅବସ୍ଥା କଅଣ ହୁଏ । ଆପଣ ମନଦେଇ ତା’ର କୁହୁକ ଦେଖନ୍ତି, ଆଶ୍ଚର୍ଯ୍ୟ ହୁଅନ୍ତି ଯେ, ମୁଁ ଦିନେ ଦେଖିଛି ଜଣେ ସ୍ୟୁଟ୍ ପିନ୍ଧା ଭଦ୍ରଲୋକଙ୍କ ପାଟିରୁ ଲାଳ ବୋହି ତାଙ୍କ ଟାଇ ଉପରେ ପଡ଼ିଗଲା ! କିନ୍ତୁ କୁହୁକ–କାରୀ ଯେବେ ଅଣ୍ଟି ପତେଇ ପଇସା ମାଗେ, ଯେ ଯୁଆଡ଼େ ଭାଗନ୍ତି ।

 

–ଠିକ୍ ଠିକ୍ ।

 

ମୂଳରୁ ହିଁ ଆପଣମାନେ ସେଇମିତି କଲେଣି । ମୁଁ ଏଠି ଆପଣଙ୍କୁ ପଇସା ମାଗୁନାହିଁ । ଆପଣମାନେ ଜାଣନ୍ତି, ଏ ହଲ୍‍ଟି ମୁଁ ନିଜେ ଭଡ଼ା ନେଇଛି । କେଉଁ ଆଶାରେ ! ନିଜର ପ୍ରତିଷ୍ଠା ପାଇଁ କେତେ ଲୋକ କେତେ ଯୋଗାଡ଼ କରୁ ନାହାନ୍ତି ! ମୁଁ ଖାଲି ଏ ହଲ୍‍ଟି ଭଡ଼ା ନେଇଛି ଆଉ ଖବର କାଗଜରେ କିଛି ବିଜ୍ଞାପନ ଦେଇଛି ।

 

କିନ୍ତୁ ବକ୍ତୃତା ଜିନିଷଟି ଆଉ ସମ୍ମାନସ୍ପଦ ହୋଇ ରହିନାହିଁ । ଚାରିଆଡ଼େ ଖାଲି ଚୋର ଚଣ୍ଡାଳ ଆପଣା ସ୍ଵାର୍ଥ ସକାଶେ ବକ୍ତୃତା ଦେଉଛନ୍ତି । ସେମାନେ ଚାନ୍ଦାର ଜାଲ ବିଛେଇ ରଖିଛନ୍ତି ଚାରିଆଡ଼େ । ଫଳରେ ମୋତେ ଦେଖିଲେଇ ଆପଣମାନଙ୍କର ସନ୍ଦେହ ଉପୁଜୁଛି । ମୁଁ ମୋର ମତଲବ ପରିଷ୍କାର କରି ଦେଉଛି । ସ୍ଵାର୍ଥ ମୋର ବି ଅଛି–କିନ୍ତୁ ସେ ବହୁତ ପରେ । ଯଦି ମୁଁ ବିଖ୍ୟାତ ହୁଏ, ମୋ ଜୀବନୀରେ ଲେଖା ହବ, “ସେ ଆପଣା ପକେଟରୁ ପଇସା ଖରଚ କରି କଥକତା କରୁଥିଲେ ।” ମାତ୍ର ଆଜି ଏହି ପକେଟରୁ ପଇସା ଖରଚ କରିବାଟାହିଁ ସନ୍ଦେହର ଅସଲ କାରଣ । ତା ମାନେ, ଏପରି ଅବ୍ୟାଜରେ ଖରଚ କରିବାକୁ, ଅଦାନ ଅବ୍ରାହ୍ମଣରେ ଢାଳିବାକୁ ମୋ ପକେଟରେ ପଇସା ଅଛି । ତା ମାନେ, ମୁଁ ଏମ୍. ଏଲ୍. ଏ. ହେବାପାଇଁ ଚେଷ୍ଟା କରୁଛି ପିରି ଲାଗିବ-। କି ମୁସ୍କିଲ, ଆପଣମାନଙ୍କୁ କିପରି ଯେ ବୁଝେଇବି !

 

ଅଥଚ ଦେଖନ୍ତୁ, ଆଇନ୍‍ଷ୍ଟାଇନ୍‍ଙ୍କ ପରି ବୈଜ୍ଞାନିକ–ଜ୍ୟୋତିଷ୍କ ଏକ ବିଶ୍ଵବିଦ୍ୟାଳୟରେ ‘ଅନରାରୀ’ ବା ମାଗଣା ବକ୍ତୃତା ଦେଉଥିଲେ । ଖାଲି ସେତିକି ନୁହେଁ, ତାଙ୍କ ବକ୍ତୃତା ଶୁଣିବାକୁ ଛାତ୍ରମାନଙ୍କୁ ପଇସା ବି ଘୁଷ୍ ଦେଉଥିଲେ, ଶୁଣାଯାଏ । ତାଙ୍କ ବେଳକୁ ଆପଣ କହିବେ, “ଦେଖତ କେତେ ଡେରିରେ ପ୍ରତିଭା ଚିହ୍ନାପଡ଼େ ?” ଆଉ ମୋ ବେଳକୁ ? ମୋ ବେଳକୁ ଆପଣ କହିବେ କୁ’ଠୁ ଗୋଟେ ଛତରା ବେହିଆ ଆପଣା ଢୋଲ ପିଟି ଚାଲିଛି, କି ମତଲବରେ କିଜାଣି । ଏମିତି କେତେ ଭୁଲ୍ ବୁଝାମଣା ସମ୍ଭବ । ଗାଁ କନିଆଁ, ସିଙ୍ଘାଣିନାକୀ ।

 

–କଥକ ମହାଶୟ ! ବର୍ତ୍ତମାନ ଗପଟି ହୋଇଯାଉ !

 

–ଆପଣଙ୍କ ସଫେଇ ଏତିକି ଥାଉ !

 

–ଗପ ଶୁଣେଇବେ ପରା !

 

–ସ୍ ସ୍ ସ୍ ସ୍ । ଚୁପ୍ ଚୁପ୍ ।

 

ଉପସ୍ଥିତ ଭଦ୍ର ମହୋଦୟ ଓ ଭଦ୍ର ମହୋଦୟାଗଣ ! ସାମନାରେ ଦେଖୁଛନ୍ତି ଯେଉଁ ତକିଆଟିକି, ତାହାର ଏକ କାହାଣୀ ରହିଛି । ଆଗରୁ କହିଛି, ଏ ତକିଆଟି ଭେଲ୍‍ଭେଟ୍‍ରେ ତିଆରି ଏବଂ ମୋତେ ଏଇଟି ଜଣେ ଉପହାର ଦେଇଥିଲେ ।

 

–ସେ କିଏ ?

 

ସେ ଜଣେ ନାରୀ ।

 

–ନାରୀ ! ଭାରି ମଜା କଥା ତ !

 

ଆହୁରି ମଜା କଥା ରହିଛି । ନିମ୍ନଲିଖିତ ଗଳ୍ପରୁ ଆପଣମାନେ ଜାଣି ପାରିବେ ।

 

–କିନ୍ତୁ ସେ ନାରୀ କିଏ ସେ ?

 

–କଅଣ କରନ୍ତି ?

 

–ବିବାହିତା ନା ଅବିବାହିତା ?

 

–ତାଙ୍କର ବର୍ତ୍ତମାନ ଠିକଣା କଅଣ ?

 

–ବୟସ କେତେ ?

 

ଆଜ୍ଞା ସଭାସ୍ଥ ଭଦ୍ର ମହୋଦୟଗଣ । ଆପଣମାନେ ଟିକିଏ ଧୈର୍ଯ୍ୟ ଧରନ୍ତୁ । ଆପଣମାନେ ଖାଲି ‘ନାରୀ’ ଶୁଣି ବ୍ୟସ୍ତ ହୋଇପଡ଼ିଲେଣି । ମୁଁ କିନ୍ତୁ ଚାହେଁ ଆପଣମାନଙ୍କର ଆଗ୍ରହ ଏହି ତକିଆଟି ଉପରେ ରହୁ । ଆହୁରି ପରିଷ୍କାର କରି କହେଁ– ମୁଁ ଚାହେଁ ଆପଣମାନଙ୍କର ଆଗ୍ରହ ମୋ ଉପରେ ରହୁ ।

 

–ରହିବି ରହିବି । ଆପଣ ଆଗ କହନ୍ତୁ ସେ ନାରୀ କିଏ ?

 

–କ’ଣ କରନ୍ତି ?

 

–ବିବାହିତା ନା ଅବିବାହିତା ?

 

ପୁଣି ! ପୁଣି ! ! ଭଦ୍ର ମହୋଦୟଗଣ ! ମୁଁ ଯାହା କହିବି ଶୁଣିଲେ ଆପଣମାନଙ୍କର ପ୍ରଶ୍ନ ସେଇଠି ଶେଷ ହୋଇଯିବ । ଶୁଣିଲା ମାତ୍ରକେ ଶେଷ । ସେ ନାରୀ ହେଉଛନ୍ତି–ଭଲକରି ଶୁଣନ୍ତୁ–ଭ–ଲ–କ–ରି ଶୁଣନ୍ତୁ–ସେ ନାରୀ ହେଉଛନ୍ତି, ମୋର ବଡ଼ ଭଉଣୀ । ହେଲା ? ମୋର ବଡ଼ ଭଉଣୀ । ଏଣିକି ଆଉ କିଛି ପ୍ରଶ୍ନ ଅଛି ?

 

–ନା ।

 

ତେବେ ଶୁଣନ୍ତୁ । ପ୍ରଶ୍ନ ଆସିବା ଉଚିତ ଥିଲା । ଆପଣଙ୍କ ଭିତରୁ ଜଣେ ପଚାରିବା ଉଚିତ ଥିଲା, ମୋ ବଡ଼ ଭଉଣୀ, ପୃଥିବୀରେ ଏତେ ଜିନିଷ ଥାଉଁ ଥାଉଁ ଗୋଟିଏ ଭେଲ୍‍ଭେଟ୍ ତକିଆ ବା ମୋତେ ଦେଲେ କାହିଁକି ? ଯଦି କେହି ପଚାରନ୍ତି–

 

–ମୁଁ ପଚାରୁଛି କଥକ ମହାଶୟ ।

 

ଏ ପ୍ରଶ୍ନର ଉତ୍ତର ହେଉଛି, ଏହା ତାଙ୍କର ଏକ ଅନ୍ଦାଜ୍‍ରେ ଭୁଲ୍ କଲେ ଆଉ ଜଣଙ୍କର ଲାଭ ହୁଏ । ଶିକାରୀ ଅନ୍ଦାଜ୍‍ରେ ଭୁଲ୍ କଲେ ଜନ୍ତୁର ଲାଭ ହୁଏ । ସେଇମିତି ଦେଖନ୍ତୁ–ଆପଣମାନେ ପ୍ରତ୍ୟେକେ କିଛି କାମ କରନ୍ତି । ଆଜି ସନ୍ଧ୍ୟାରେ ଅନ୍ୟ ଅନେକ କିଛି କରି ପାରିଥାନ୍ତେ । ତେବେ ଏଠିକି ଆସିବା ଏକ ଅନ୍ଦାଜ୍‍ର ଭୁଲ୍ । ସେଥିରେ କାହାର ଲାଭ ହୋଇଛି ?

 

–ଆପଣଙ୍କର ।

 

ଠିକ୍ । ମୋର । ସେହିପରି ଅଫିସ୍‍ରେ ଅଳସୁଆମୀ କରି ସମୟ ବିତାଉଥିବା ଅଫିସର, ତିନୋଟି ମାତ୍ର ଫାଇଲ୍‍ପୂର୍ଣ୍ଣ ଏକ ବିରାଟ ଆଲମାରୀ ସମ୍ମୁଖରେ ପ୍ରେମପତ୍ର ଲିଖନରତ କିରାଣି, ବାଇଶିବର୍ଷ ତଳର ପାଠ୍ୟପୁସ୍ତକରୁ ସଂଗୃହୀତ ଅଚଳ ଜ୍ଞାନ ଦାନରତ ମାଷ୍ଟର, ଆପଣା ଆପଣା ଜଣାରେ ଅନ୍ୟର ଭୁଲ୍ ଅନ୍ଦାଜ୍‍ରୁ ଫାଇଦା ଉଠାଇ ଚାଲିଛନ୍ତି ।

 

ମୋ ଭଉଣୀ ନିଜର ବ୍ଳାଉଜ୍ ସକାଶେ ଭେଲ୍‍ଭେଟ୍ କନା କିଣିଥିଲେ । ଅନ୍ଦାଜ୍‍ର ଭୁଲ୍ ସକାଶେ ଯେତିକି କନା ବଳି ପଡ଼ିଥିଲା, ସେତକ ଆଉ ଏକ ବ୍ଳାଉଜ୍ ଲାଗି ନିଅଣ୍ଟ ହେଲା । ଫଳରେ ସେ ସ୍ଥିର କଲେ, ତହିଁରୁ ଗୋଟିଏ ତକିଆ ତିଆରି କରିବେ । ଏହି ତକିଆ, ବା ଯେ କୌଣସି ତକିଆର ସର୍ବାଧିକ ଚାହିଦା କାହାର ଅଛି ? ଯାହାର ବିଛଣାଟିଏ ପର୍ଯ୍ୟନ୍ତ ନ ଥିଲା ବୋଲି ଏବେ ଶସ୍ତା ଦେଖି ସେ ନିଜେ କିଣି ଦେଇଛନ୍ତି ତୋଷକଟିଏ । ସେ କିଏ ?

 

–ଆପଣ ?

 

କରେକ୍ଟ । ଏଇ ହେଲା ଭେଲ୍ ଭେଟିଆର ଜନ୍ମବୃତ୍ତନ୍ତ । ଯେଉଁଦିନ ୟେ ମୋର ହେଲା, ଅର୍ଥାତ୍ ଯେଉଁଦିନ ଏହା ସଙ୍ଗେ ମଧୁ ଯାମିନୀ ବିତାଇଲି, ସେଦିନ ସାରା ରାତି ନିଦ ଆସିଲା ନାହିଁ ।

 

–ଆପଣ ଏକା ଥିଲେ, ନା ଆପଣଙ୍କର ସ୍ତ୍ରୀ ମଧ୍ୟ... ।

 

ମୁଁ ଅବିବାହିତ ଥିଲି । ଫଳରେ ଭେଲ୍‍ଭେଟିଆ ମୋର ପ୍ରକୃତ ସାଥୀ ହୋଇ ପାରିଥିଲା-। ସେଦିନ ସାଉଁଳେଇ ସାଉଁଳେଇ ତା’ର ଇଞ୍ଚ–ଇଞ୍ଚ ମୁଁ ଅନୁଭବକରି ଲାଗିଲି । ଦୟାକରି, ଦୟାକରି ହସନ୍ତୁ ନାହିଁ ।

 

–ସ୍ ସ୍ ସ୍ ସ୍ । ଚୁପ୍ ଚୁପ୍ ।

 

ପ୍ରତ୍ୟେକ ଅବିବାହିତର ଜଣେ ଜଣେ ପ୍ରେମିକା ଥାଆନ୍ତି । ମୋର ବି ଜଣେ ଥିଲେ ।

 

–ତାଙ୍କ ନାଁ କ’ଣ ?

 

–ସେ କ’ଣ କରନ୍ତି ?

 

–ବିବାହିତା ନା ଅବିବାହିତା ?

 

ସେ କ’ଣ ଟେଲିଫୋନ୍ ଅପରେଟର୍ ?

 

–ତାଙ୍କର ବୟସ କେତେ ଥିଲା ?

 

ଧୈର୍ଯ୍ୟ ଧରନ୍ତୁ । ସେ ଜଣେ ପ୍ରେମିକା । ମାନେ ସେ ଜଣେ, ଏଇ ଏଇମିତି । ତାଙ୍କ କଥା, ପରେ ଆହୁରି ।

 

–ବର୍ତ୍ତମାନ ତାଙ୍କ କଥାରୁ ଅଧା ହେଇଯାଉ ।

 

–ହଁ ହେଇଯାଉ ।

 

–ପ୍ରେମିକା କଥା ଆଗେ, ତକିଆ କଥା ପରେ ।

 

–ସ୍ ସ୍ ସ୍ ସ୍ । ଚୁପ୍ ଚୁପ୍ !

 

ତାହାହିଁ କରିଥାନ୍ତି । କିନ୍ତୁ ମୋର ଭୟ, ତା’ କଲେ ଆପଣମାନେ କେହି ଆଉ ତକିଆ କଥା ଶୁଣିବାକୁ ରହିବେ ନାହିଁ । ଆପଣମାନେ ଖାଲି ‘ପ୍ରେମିକା’ ଶୁଣି ବ୍ୟସ୍ତ ହୋଇ ପଡ଼ୁଛନ୍ତି । କିନ୍ତୁ ମୋର ଇଚ୍ଛା, ଆପଣଙ୍କର ଆଗ୍ରହ ତକିଆ ଉପରେ ରହୁ । ଆହୁରି ପରିଷ୍କାର କରି କହିଲେ, ମୋ ଉପରେ ରହୁ ।

 

–ରହିବ ରହିବ । ଆଗ ପ୍ରେମିକାଙ୍କ କଥା ହେଉ ।

 

–ହଁ ଆଗେ ପ୍ରେମିକା ।

 

–ଆଗେ ପ୍ରେମିକା ।

 

–ପ୍ରେମିକା ।

 

–ତାଙ୍କ ବୟସ କେତେ ?

 

–ସେ କ’ଣ କରନ୍ତି ?

 

–ତାଙ୍କର ବର୍ତ୍ତମାନ ଠିକଣା କ’ଣ ?

 

–ବିବାହିତା ନା ଅବିବାହିତା ?

 

–ସେ କ’ଣ ଟେଲିଫୋନ୍ ଅପରେଟର୍ ?

 

ପୁଣି ! ପୁଣି ! ! ଭଦ୍ର ମହୋଦୟଗଣ ! ଆପଣମାନେ ଏତେ ଅଧୈର୍ଯ୍ୟ ହେଉଛନ୍ତି ଯେପରି ଆପଣମାନେ ଟିକଟ୍ କିଣି ମୋର ଗଳ୍ପ ଶୁଣିବାକୁ ଆସିଛନ୍ତି । ମୁଁ କାହାରି ହୁକୁମ୍ ତାମିଲ୍ କରିବାକୁ ଏଠି ଠିଆ ହୋଇ ନାହିଁ ଏତିକି ପଇସା ଖର୍ଚ୍ଚ କରି । ଗପ ଯେପରି ମୋର ଇଚ୍ଛା, ସେହିପରି କହିବି । କାହାରି ଉପରେ ବାଧ୍ୟବାଧକତା କିଛି ନାହିଁ । ଯାହାର ଇଚ୍ଛା ସେ ବର୍ତ୍ତମାନ ଏଠାରୁ ଚାଲିଯାଇପାରେ ।

 

–କଥକ ମହାଶୟ ! ଆମର ଅନୁରୋଧ । ଏଣିକି ଗପଟି ଆରମ୍ଭ ହେଉ ।

 

–ଆମକୁ ଗାଳିଦେବା ବନ୍ଦ ହେଉ ।

 

–ଆପଣ ଆମର ମୁଣ୍ଡ କିଣି ନାହାନ୍ତି ।

 

–ଆପଣ ପ୍ରେମିକା କଥା କୁହନ୍ତୁ ।

 

–ହଁ ହଁ ଆଗ ପ୍ରେମିକା କଥା ।

 

–ପ୍ରେମିକା କଥା ।

 

–ବିବାହିତା ନା ଅବିବାହିତା ?

 

–ବୟସ କେତେ ?

 

–ସେ କ’ଣ ଟେଲିଫୋନ୍ ଅପରେଟର୍ ?

 

ପୁଣି ! ଆପଣମାନଙ୍କର ହେଇଚି କ’ଣ ? ଆପଣମାନେ ପାଗଳ ହେଇଗଲେ କି ? ଆପଣମାନେ କ’ଣ ବିଚାରିଛନ୍ତି, ଗପମାତ୍ରେ ମାଇକିନିଆ ଝିଅଙ୍କ କଥା, ନହେଲେ ନାହିଁ ?

 

–ଠିକ୍ ଠିକ୍ । ମାଈକିନା ନେହେଲେ ଫେର୍ ଗପ ଗୋଟାଏ କ’ଣ ?

 

–ଠିକ୍ ଠିକ୍ । କଥକ ମହାଶୟ ! ଆଗ ପ୍ରେମିକା କଥା । ଚୋଓଓଓପ୍ ! ! କ୍ଷମା କରିବେ । ଆପଣମାନେ ଆଗ ଭଦ୍ରତାର ସୀମା ଲଙ୍ଘନ କରିଛନ୍ତି । ମାଈକିନା ନ ଥାଇ ଗପ ସମ୍ଭବ, ଏ କଥା ମୁଁ ପ୍ରମାଣ କରିବାକୁ ଯାଉନାହିଁ । କିନ୍ତୁ ଆପଣମାନେ ଯେ ଏତେ ବିକଳ କାହିଁକି ହେଉଛନ୍ତି, ମୁଁ ବୁଝି ପାରୁନାହିଁ । ନିମ୍ନଲିଖିତ ଗଳ୍ପ ବି ମାଈକିନା ରହିତ ନୁହେଁ । ସମୟ ମୁତାବକ ମାଈକିନା ଆସିବେ, ମୁଁ ଜବାବ୍ ଦେଉଛି । ଗୋଟିଏ ନୁହେ, ଅନେକ ।

 

–ଆଉ କିଏ କିଏ ?

 

–ସେମାନଙ୍କର ନାଁ କ’ଣ ?

 

–କେତେଜଣ ବିବାହିତ, କେତେ ଜଣ ଅବିବାହିତା ?

 

–ବୟସମାନ କେତେ କେତେ ?

 

–କେତେ ଜଣ ଟେଲିଫୋନ୍ ଅପରେଟର୍ ?

 

କି ମୁଷ୍କିଲ୍ ? ଆପଣମାନେ ଶୁଣିବେନି ଗପଟା ? କହିବାକୁ ଫେର୍ ସମୟ ଲାଗିବ, ନା ନାଇଁ ? ସବୁକଥା ଏକା ନିଃଶ୍ଵାସକେ କହିଯିବି ? ହୁଃ । ଶୁଣନ୍ତୁ ଏଥରକ ପୂରାପୂରି ଗପ ।

 

–ପ୍ରେମିକା...

 

–ହଁ ହଁ ପ୍ରେମିକା ।

 

ଆଚ୍ଛା । ପ୍ରେମିକା ପ୍ରଥମଥର ପାଇଁ ତହିଁ ଆରଦିନ ଦେଖିଲେ ଭେଲ୍‍ଭେଟିଆଟିକି । ସେ କହିଲେ, ମୁଁ ୟା ପାଇଁ ଖୋଳଟିଏ କରିଦିଏଁ ।

 

–ସେତେବେଳେ ଆପଣ ଦୁହେଁ ବିଛଣା ଉପରେ ଥିଲେ ?

 

– ସେ ଆପଣଙ୍କ ତକିଆ ଦେଖିଲେ କିମିତି ?

 

–ତାଙ୍କର ବୟସ କେତେ ?

 

–ସେ କ’ଣ ଟେଲିଫୋନ୍...

 

ଶୁଣନ୍ତୁ ଶୁଣନ୍ତୁ ! ତାଙ୍କରି କଥା କହିବାକୁ ଯାଉଛି ।

 

–ସ୍ ସ୍ ସ୍ ସ୍ । ଚୁପ୍ ଚୁପ୍ !

 

ସେତେବେଳେ ଆଉ କେହି ପାଖ ଆଖରେ ନ ଥିଲେ ।

 

–କେତେଟା ବାଜିଥିଲା ?

 

ଗୋଟାଏ

 

–ଦିନ ନା ରାତି ?

 

ଦିନ ।

 

–ସ୍ ସ୍ ସ୍ ସ୍ ...

 

ଦିନ ଦି’ପହର । ଏତିକିବେଳେ ଆମେ ଦେଖାକରୁଥିଲୁ । ଏଥିରେ ସୁବିଧା ଥିଲା ବହୁତ-। କେହି ସନ୍ଦେହ କରେନାହିଁ ।

 

–ଠିକ୍ ଠିକ୍ । ଭଲ ଉପାୟ ।

 

–ସ୍ ସ୍ ସ୍ ସ୍....

 

ସେ ଭେଲ୍‍ଭେଟିଆ ଉପରେ ହାତ ବୁଲାଇ ବୁଲାଇ କହିଲେ,‘ବାଃ !’ କିନ୍ତୁ ମୁଁ ତାଙ୍କ ପ୍ରସ୍ତାବରେ ରାଜି ହୋଇନଥିଲି । ମୁଁ କହିଥିଲି, ଧନ୍ୟବାଦ ପ୍ରିୟତମେ, କିନ୍ତୁ ୟା ଉପରେ ଖୋଳ ଦିଅ ନାହିଁ । ମୁଁ ତା’ର ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବାକୁ ଚାହେଁ । କିନ୍ତୁ ଆପଣମାନେ ଜାଣନ୍ତିତ, ନାରୀର ପ୍ରକୃତି ହେଲା ସୁନ୍ଦର ଜିନିଷକୁ ଘୋଡ଼ାଇ ରଖିବା ।

 

–ସେ’ମ୍, ସେ’ମ୍ !

 

ସେ କହିଲେ, ମୁଁ ତ ଖୋଳକରି ଦେବିଇ, ତମେ ବ୍ୟବହାର କଲାବେଳକୁ ଖୋଲିଦେବ ପଛେ ।

 

–କଥକ ମହାଶୟ ! ଅଶ୍ଳୀଳ, ଅଶ୍ଳୀଳ !

 

ନା । ଅଶ୍ଳୀଳ ନୁହେଁ । ଏଠି ତକିଆ କଥା ପଡ଼ିଚି ।

 

–ନା ନା । ଆଗେ ପ୍ରେମିକା କଥା ।

 

–ହଁ ହଁ । ଆଗେ ପ୍ରେମିକା କଥା ।

 

ଆଃହାଃ । ଶୁଣନ୍ତୁନା, ପ୍ରେମିକାଙ୍କ କଥାହିଁ ପଡ଼ୁଛି ।

 

ବେଶ୍ ବେଶ୍ ।

 

–ବେଶ୍ ପଡ଼ୁ ।

 

–ସ୍ ସ୍ ସ୍ ସ୍ । ଚୁପ୍ ଚୁପ୍ !

 

ହଁ ସେ ଖୋଳ କରିଦେଲେ । ସିପ ବୋତାମଲଗା, ଫୁଲଫୁଲେରି ଏମ୍ବ୍ରୟଡ଼ରିରେ ‘ଗୁଡ୍ ଲକ୍’ ଲେଖା ଝାଳିରିଶୋଭିତ ଖୋଳଟିଏ । ସେ କହିଲେ, ରାତିରେ ଶୋଇଲାବେଳେ ମୋ କଥା ଭାବୁଥିବ ।

 

–ୟା ନାଁ ସିନା କଥା । “ରାତିରେ ଶୋଇଲା ବେଳେ...” ସାବାସ୍ ସାବାସ୍ । ଇୟେ ତ କବିତା !

 

ସେ ଏ କଥା କହିଲେ, କାରଣ ତହିଁ ଆରଦିନ ମୁଁ ଦୂରକୁ ଖୁବ୍ ଦୂରକୁ ଚାଲି ଯାଉଥିଲି । ତାଙ୍କର ସ୍ମୃତି ହିସାବରେ ତକିଆ ଖୋଳଟିକି ଅବଶ୍ୟ ଗ୍ରହଣ କଲି, କିନ୍ତୁ ଥରେ ଖୋଲା, ଗଲାପରେ, ଆଉ ତକିଆ ସେ ଖୋଳକୁ ପିନ୍ଧିଲା ନାହିଁ । ସେ ଖୋଳଟି ଏଇ ।

 

–ସେଇଟାକୁ କାହିଁକି ବୋହି ଆଣିଛନ୍ତି ?

 

ଏ ଜିନିଷଗୁଡ଼ିକ ବୋହି ବୋହି ମୁଁ କଥକତା କରେ । ଏହା ଫଳରେ ମୋର ଗଳ୍ପଗୁଡ଼ିକ ‘ସଚିତ୍ର’ ହୁଏ ।

 

–ହାଃ ହାଃ....

 

–ସେ ଖୋଳରେ–କଥକ ମହାଶୟ ! ସେ ଖୋଳରେ ଆପଣଙ୍କ ପ୍ରେମିକାଙ୍କ ନାଁ ଅଛି-?

 

ହାଃ ! ପାଗଳ ହେଲେ ? ପ୍ରେମିକାମାନେ କେଉଁଠି ନିଜର ନାଁ ଲେଖନ୍ତି ? ଚୋରା ପ୍ରେମ ପରା ! ଚିଠି ତଳେ ‘ତୁମରି ମୁଁ’ ଏବଂ ଉପରେ ‘ପ୍ରାଣର ପ୍ରିୟ ମୋର’ । କେବେ କେଉଁଠି ପ୍ରେମର ଦଲିଲ୍ ଦସ୍ତାବିଜ୍ ରହିଲାଣି ଭଲା ? ଭଲା କିଏ ଟିପଚିହ୍ନ ଦେଇ ରେଭିନ୍ୟୁ ଷ୍ଟାମ୍ପ୍ ଲଗାଇ ଲେଖି ପାରିବ ? ନିମ୍ନ ସ୍ୱାକ୍ଷରକାରୀ ଅମୁକ, ପୁତ୍ର ଅମୁକଙ୍କର ପ୍ରେମିକା, ଏ ନିମନ୍ତେ ଲେଖିଦେଲୁ କି, ଦରକାର ବେଳେ କର୍ମରେ ଆସିବ ଇତି ? ବନ୍ଧୁବର ! ଆପଣଙ୍କର ବୋଧହୁଏ ଅଭିଜ୍ଞତା ନାହିଁ-

 

–ଠିକ୍ ଠିକ୍ ! ଅଭିଜ୍ଞତା ନାହିଁ ।

 

–ହାଃ ହାଃ ହାଃ !

 

–ବାଃ ଆପଣ ତ ବେଶ୍ ରସିକ ଲୋକ !

 

–ବାଃ ଆପଣ ତ ବେଶ୍ ମଜା ମଜା କଥା କହନ୍ତି !

 

–ହାଃ ହାଃ ହାଃ

 

ଦୟାକରି ହସିବେ ନାହିଁ । ଓ ସେଠି ଆପଣ ? ଦୟାକରି, ଦୟାକରି ଦାନ୍ତଗୁଡ଼ିକ ବନ୍ଦକରି ରଖନ୍ତୁ । ଗଳ୍ପ ଶୁଣିବା ବେଳେ ଦାନ୍ତ ଖୋଲିଲେ ମୋତେ ବଡ଼ ଚିଡ଼ି ଲାଗେ । ଧନ୍ୟବାଦ । ଯାହା କହୁଥିଲି, ବହୁତ ଦୂରକୁ ମୁଁ ଚାଲି ଆଇଲି । ମୁଁ ଏକା ନୁହେଁ । ସଙ୍ଗରେ ସେହି ଶସ୍ତା ତୋଷକଟି ଏବଂ ଏ ଭେଲ୍‍ଭେଟିଆଟି । ଯୋଉ ଜାଗାକୁ ଆଇଲି, ସେଠି ଏକ ପରିବାର ସଙ୍ଗେ ରହିବାକୁ ପଡ଼ିଲା ।

 

–କାହିଁକି ?

 

ଶସ୍ତାହେବ ବୋଲି ।

 

–ପେୟିଙ୍ଗ ଗେଷ୍ଟ ?

 

ହଁ ।

 

–ବାଃ ବେଶ୍ ମଜା କଥା ତ !

 

–ସେଠି ଝିଅ ଥିଲେ ?

 

–କେତେ ଜଣ ?

 

–ବୟସ କେତେ ?

 

–କେତେ ଜଣ ବିବାହିତା, କେତେ ଜଣ ଅବିବାହିତା ?

 

–କେହି ଟେଲିଫୋନ୍ ଅପରେଟର୍...

 

ଆପଣମାନଙ୍କର ପ୍ରଶ୍ନ, ଆଶାକରେ ଶେଷ ହେଲା । ଏଣିକି ମୋ କଥା । ମୁଁ ଏକ ଅଲଗା ରୁମ୍‍ରେ ରହୁଥିଲି । ତାଙ୍କ ପରିବାରର ଅନ୍ୟମାନଙ୍କ ସହିତ ପରିଚୟ ବି ହୋଇ ନ ଥାଏ । କିନ୍ତୁ ଦିନକର କାମରୁ ଫେରି ଦେଖିଲି, ଝିଅଟିଏ ମୋର ଖଟ ଉପରେ ଶୋଇଛି !

 

–ବାଃ, ବାଃ–ଗପ ଆରମ୍ଭ ହେଲା ।

 

–ରହ, କହିବାକୁ ଦିଅ ।

 

–ତୁ’ ଗୋଟା କାହିଁକି ଭଡ଼ ଭଡ଼ ହଉଚୁ ?

 

–ତୋ’ର କ’ଣ ଗଲା ?

 

–କ’ଣ, ତୋ’ର କ’ଣ ଗଲା ? ତୁ ଗପ ଶୁଣିବାକୁ ଆଇଚୁ ନା ଏଠି ଝଗଡ଼ା କରିବାକୁ ଆଇଚୁ ? ଆଁ ?

 

–କିଏ ଝଗଡ଼ା କରୁଚି କି ?

 

–ତମେ ସେଇଟା କଥା କାଇଁ ଶୁଣୁଚ ବା ? ସେଇଟା ପା ପୁରା ଗର୍ଦ୍ଦ ଗୁମାନୀଟାଏ !

 

– ଏ କଅଁ ଙ୍କଇଲୁ ! ଗର୍ଦ୍ଦଗୁମାନୀ ତୋ ଚଉଦିପୁରୁଷ ।

 

–ଏ ରାବେଣାଟା କୁଆଡ଼ୁ ଅଇଲା କ୍ୟୋ ?

 

–ଶେଉଳିଆ, ଶେଉଳିଆ ।

 

–ଚୁପ୍ ବେଃ ! ମୁଁ ତତେ କିଛି କହୁନେଇ ।

 

–ତୁ ମତେ ରାବେଣା କହିଚୁ ।

 

–ହଁ ହଁ ତୁ ରାବେଣା । ବକ୍ ବକ୍ ବନ୍ଦ କର୍ ।

 

–ତୁତୁତୁ ବକ୍ ବକ୍ ବନ୍ଦ୍ କର୍ । ୟାହାଳ୍ପ ଉପପଚାରି ବୋବୋବୋଓପା ନାନାନାଆଁ ଆସିବନେଇଁ ତୁତୁତୁଟା କ୍ୟେରେ ?

 

–ଆଁ ତୁ ମତେ ଗାଳି ଦଉଚୁ କ୍ୟାଂ ?

 

–ଗାଳି ଦଉଚୁ କ୍ୟାଂ; ତୋ ଚୁଟ୍ଟୀ ଧରି ଚିଡ଼େଇ ଦଉଁଚି ର’ । ମହୋଦୟଗଣ ! ଭଦ୍ର ମହୋଦୟାଗଣ !!

 

–ଆ’ ପଦାକୁ ଚା’ରିଆ, ଦେଖିବା କେମିତ୍ୟା କାଢୁ ମର୍ଦ୍ଦନୁଟାଏ ତୁ !

 

–ଭଦ୍ର ମହୋଦୟଗଣ !

 

–ହଁ ଅଁ ବେ–କେତେ ଦେଖିଚି ତୋ ପରି ବସ୍ତିବୁଆଲା... ।

 

ଭଦ୍ର ମହୋଦୟଗଣ ! ଆପଣମାନେ ଚୁପ୍ କରନ୍ତୁ । ଚୁପ–ଚୋଓଓଓପ ! କ୍ଷମା କରିବେ । ମନଦେଇ ଶୁଣନ୍ତୁ । ଏହାପରେ ଯାହା ହେଲା, ଶୁଣିଲେ ଆପଣମାନେ ସ୍ତମ୍ଭିତ ହୋଇଯିବେ । ନିମ୍ନଲିଖିତ ଗଳ୍ପର ନାଟକୀୟ ଚରମ ପରିଣତି ଆଗତ ପ୍ରାୟ ! ଆପଣମାନେ ଅପେକ୍ଷା କରନ୍ତୁ ଦଣ୍ଡେ ! ଅସଲ ଗପଟା ଆରମ୍ଭ ହେଉଛି ଟିକିଏ ପରେ ।

 

–ପୁଣି ଥରେ ପ୍ରଥମ ଅଂଶଟା ହେଇଯାଉ !

 

–ହଁ ପୁଣିଥରେ !

 

ଆଚ୍ଛା, ଦିନେ କାମରୁ ଫେରି ଦେଖେଁତ ଜଣେ ଝିଅ ମୋ ଖଟ ଉପରେ ଶୋଇଛି ।

 

–ସ୍‍ସ୍‍ସ୍‍ସ୍‍ ! ଚୁପ୍, ଚୁପ୍ !!

 

ମୁଁ ଭିତରକୁ ଯାଇ ତାକୁ ନିଦରୁ ଉଠାଇଲି । ଉଠାଇ ପଚାରିଲି, ମୋ ଅନୁପସ୍ଥିତିରେ, ଅର୍ଥାତ୍ କିନା, ମୁଁ ନଥିଲାବେଳେ, ସେ କେମିତି ଆସିଲା ଏଠିକି, ତା’ଘର କୋଉଠି, ଇତ୍ୟାଦି । ସେ କାନ୍ଦିଲା । ମୁଁ ତାକୁ ବୋଧଶୋଧ କଲି । କହିଲି, କାନ୍ଦିବାର ଏଥିରେ କଅଣ ଅଛି ? ସଫାସଫା କହିଦେଲେ କଥା ଶେଷ–

 

–କଥକ ମହାଶୟ ! ଆପଣ ପାଣି ପିଇ ନିଅନ୍ତୁ । ଗଳା ପରିଷ୍କାର କରି ନିଅନ୍ତୁ । ଭଲ କରି କହନ୍ତୁ ।

 

ଆଚ୍ଛା ଆଚ୍ଛା । ପାଣି । ତା’ପରେ ଶୁଣନ୍ତୁ । ସେ ପୁଣି କାନ୍ଦିଲା । ମୁଁ ବୋଧଶୋଧ କରିବାରେ ଲାଗିଲି । ମୁଁ ଆସ୍ତେ ଆସ୍ତେ ତା ପିଠିରେ ହାତ ବୁଲାଉଥାଏ ।

 

–ପିଠିରେ ?

 

–ଚୁପ୍ ଚୁପ୍ !

 

ମୁଁ ଆସ୍ତେ ଆସ୍ତେ ତା ପିଠିରେ

 

–ମାଇକ୍ !

 

ହାତ ବୁଲାଉଥାଏ । ସେ କହିଲା, ସେ ପ୍ରାୟ ଆସି ମୋ ରୁମ୍‍ରେ ଭେଲ୍‍ଭେଟିଆରେ ହାତ ବୁଲାଏ । ଆଜି ତାକୁ ନିଦ ଲାଗି ଯାଇଥିଲା । ସେ ଘରବାଲାର ଝିଅ ।

 

–ତା’ର ବୟସ କେତେ ?

 

–ତା’ର ବୟସ କେତେ ?

 

ତା ବୟସ–

 

–ମାଇକ୍ !!

 

ଚାରି କି ପାଞ୍ଚ ହବ ।

 

–ଏଃ ହେ !!

 

–କଥକ ମହାଶୟ ! ଆପଣ ଆମକୁ ଠକୁଛନ୍ତି !

 

ମୁଁ ସତକଥା ହିଁ କହୁଛି ।

 

ସତକଥା କହିବା ବନ୍ଦ ହେଉ ।

 

–ଝିଅର ବୟସ ବଢ଼ାନ୍ତୁ ।

 

–ସେଠି ଆଉ ବଡ଼ ଝିଅ ଥିବେ, ମନେପକାନ୍ତୁ ।

 

ଥିଲେ, ଥିଲେ ତାଙ୍କ କଥା ଟିକିଏ ପରେ ।

 

–ନା ନା, ତାଙ୍କ କଥା ଆଗ ପଡ଼ିଯାଉ ।

 

–ହଁ ହଁ, ତାଙ୍କ କଥା ଆଗ ।

 

–ସେମାନଙ୍କର ବୟସ କେତେ ଆଗ କହିନେବେ ।

 

–ସେମାନଙ୍କର ବୟସ କେତେ ?

 

–ସେମାନେ କେତେ ଜଣ ?

 

–ବିବାହିତା ନା ଅବିବାହିତା ?

 

–କେତେଜଣ ଟେଲିଫୋନ୍...

 

ଶୁଣନ୍ତୁ । ଧୈର୍ଯ୍ୟ ଧରନ୍ତୁ । ଗପ ତ ମୋଟେ ଆରମ୍ଭ ହୋଇ ପାରୁନାହିଁ ।

 

–ଆପଣ ଗୋଟେ ଏଣୁ ତେଣୁ ବାଜେ କଥା କହୁଛନ୍ତି ।

 

–ଅସଲ କଥାଟିତ ଆରମ୍ଭ କରିଦେଲେ ହୁଅନ୍ତା ।

 

–କଥକ ମହାଶୟ ! ଗପ ଆରମ୍ଭ କରନ୍ତୁ । ମୋତେ ନିଦ ମାଡ଼ିଲାଣି ।

 

–ଆପଣଙ୍କର ଅବତରଣିକା ଏଇଠି ଥାଉ ।

 

–ଏଣିକି ବଡ଼ ବଡ଼ ଝିଅଙ୍କୁ ଆଣନ୍ତୁ ।

 

–ଇଏ କି ଧପ୍‍ପାବାଜି !

 

–ଗଳ୍ପଟି ଏଥର ଆରମ୍ଭ ହୋଇଯାଉ !

 

କହୁଚି, କହୁଚି । ଆପଣମାନେ ଜାଣନ୍ତି, ଛୋଟ ଛୋଟ ଝିଅଙ୍କ ବାଟରେ ହିଁ ସମସ୍ତେ ବଡ଼ ବଡ଼ ଝିଅଙ୍କ ପାଖୁ ଯାଇପାରନ୍ତି । ଫଳରେ ଏମାନଙ୍କର ପ୍ରାଧାନ୍ୟ ରହିଛି । ହୁ’ ପିନି ବଡ଼ ଝିଅଙ୍କ ପାଖୁ ଯାଇ ପାରନ୍ତି କେଇଜଣ ?

 

–ଠିକ୍ ଠିକ୍ । ଠିକ୍ କଥା ।

 

ଅତଏବ ଏଇଠୁ ଜାଣି ଆରମ୍ଭ ହେଲା । ଛୋଟ ଝିଅଟିର ନାଁ ଡୋରିସ୍ ।

 

–ଡୋରିସ୍ ଡ଼େ’ ?

 

ହଁ ।

 

–ସିଏତ ଜଣେ ବିଖ୍ୟାତ ଆକ୍‍ଟ୍ରେସ୍‍ ।

 

–ତୁ କ’ଣ ଜାଣିଚୁ ? ଗପରେ ସେମିତି ହୁଏ ।

 

ହଁ ସେଇ ବିଖ୍ୟାତ ଆକ୍‍ଟ୍ରେସ୍ ଙ୍କ ନାଁରେ ତା ନାଁ ଦିଆ ହୋଇଥିଲା ।

 

–ଛିଆଲୋ ! ଇୟେ ଫେର୍ କେମିତି ବାପ ମା’ମ ! ଠିକ୍ କହିଛନ୍ତି ଭଦ୍ରାମହିଳା ଜଣକ ଏବଂ ଏଇଠି ନିମ୍ନଲିଖିତ ଗଳ୍ପର ଏକ ମୁଖ୍ୟ ତଥ୍ୟ ଆବିଷ୍କୃତ ହେବ । ସେହି ଝିଅ ଡୋରିସ୍‍ର ବାପା ମା’ ଆଂଙ୍ଗ୍ଲୋଇଣ୍ଡିଆନ୍‍ ।

 

ବାଃ ବାଃ, ଏତ ବଡ଼ ଜମିଲାରେ ।

 

–ଆଂଙ୍ଗ୍ଲୋ...ଆହା ହା–ଟୁଲୁ କଥକ ମହାଶୟ ।

 

–ମୁଁ ତ ପେୟିଂଗେଷ୍ଟ କଥାରୁଇ ଠଉରେଇ ନେଇଥିଲି ।

 

ହଁ ଶୁଣନ୍ତୁ । ପ୍ରଥମେ ଡୋରିସ୍‍କୁ ଡାକିବାକୁ ବଡ଼ ଝିଅ ଜଣକର ପ୍ରବେଶ ।

 

–ମାଇକ୍ ! ମାଇକ୍ !!

 

ସେ କହିଲେ, କ୍ଷମା କରିବେ । ଡୋରିସ୍ କାହାରିକି କିଛି ନ କହି...ବାଃ, ବଡ଼ ସୁନ୍ଦର ତକିଆଟିଏ ତ ! ଆପଣ ଯଦି କିଛି ମନେ ନ କରନ୍ତି, ମୁଁ ଟିକିଏ ହାତ ବୁଲାଇପାରେ କି ? ଅତି ଉତ୍କୃଷ୍ଟ ଭେଲ୍‍ଭେଟ୍...

 

–ନା ନା କଥକ ମହାଶୟ ! ତକିଆ କଥା ପଛେ ।

 

–ହଁ ହଁ କଥକ ମହାଶୟ ! ତକିଆ କଥା ପଛେ ।

 

–ଆଗ ଝିଅର ବର୍ଣ୍ଣନା ।

 

–ଆଗ ଝିଅର ବର୍ଣ୍ଣନା ।

 

ଆଚ୍ଛା ହଉ । କୁଞ୍ଚିତ କେଶ, ମୀନ ନୟନ, ବକ୍ରଗ୍ରୀବା, ଗୌରବର୍ଣ୍ଣ, କ୍ଷୀଣକଟି–

 

–ଆଉ ଉରଜ ବର୍ଣ୍ଣନା ?

 

–ହଁ । ପୀନ ଉରଜଦ୍ଵୟ, ଯାମଳ ଭୂଧରନିଭ । ପରିଧାନରେ ସ୍ମାର୍ଟ ଓ ଫୁଲ୍‍ଫୁଲିଆ ଜାମା ।

 

ଓଷ୍ଠାଧର !

 

ପକ୍ଵ–ବିମ୍ବାଧର ନିଭ ଆରକ୍ତ । ମୁଖ ଅଳକ୍ତକ ରାଗରଞ୍ଜିତ ।

 

–ଆହା ହା ! ସ୍ଥିର । ବିଦ୍ୟୁତ୍ କି ଆଉ !

 

–କଥକ ମହାଶୟ ! ଜାନୁ, ଜଘନ, ଚରଣ ?

 

ଓଲଟ କଦଳୀ ଜାନୁବେଶ । କିନ୍ତୁ ସେଇଠି ଶେଷ ।

 

–ଆଁ ?

 

କାରଣ ଚରଣ ନ ଥିଲା ।

 

–ମାନେ ?

 

ମାନେ ଥିଲା, କିନ୍ତୁ ସେ ବର୍ଣ୍ଣନୀୟ ନୁହେଁ ।

 

–ଓ ! ତଥାପି, କହନ୍ତୁ ।

 

ପିଲାଦିନୁ ପୋଲିଓରେ ଗୋଡ଼ ଦୁଇଟି ଯାଇଛି । ଗୋଟିକରେ କାଠପାଦ ଲାଗିଛି । ସେ କ୍ରଚ୍ ସାହାଯ୍ୟରେ ଚାଲେ । ଆର ପାଦଟି ବଙ୍କା ।

 

–ଇଏ କି ଧପ୍‍ପାବାଜି !

 

–କ’ଣ ଇୟେ !

 

–କଥକ ମହାଶୟ ! ଆପଣ ଆମକୁ ଠକୁଛନ୍ତି ।

 

ମୁଁ ସତକଥା ହିଁ କହୁଛି ।

 

–ସତକଥା କହିବା ବନ୍ଦ ହେଉ !

 

–ଆପଣ ତା ଗୋଡ଼ଟି ଭଲ କରି ପାରିଥାନ୍ତେ ।

 

–ସେଠି ଆଉ ଭଲ ଝିଅ ଥିବେ । ମନେ ପକାନ୍ତୁ ।

 

–ତାଙ୍କ କଥା ଆଗେ ପଡ଼ିଯାଉ ।

 

–ହଁ ତାଙ୍କ କଥା ଆଗ ।

 

–ପ୍ରଥମେ ସେମାନଙ୍କର ଚରଣ ବର୍ଣ୍ଣନା ।

 

–ସବୁ ସଫା ସଫା କହନ୍ତୁ । ସେଠି ଆଉ ଥିଲେ ?

 

ଥିଲେ, ଥିଲେ । ଶୁଣନ୍ତୁ । ପ୍ରଥମେ ଖରାପ ଝିଅଙ୍କ ବାଟରେ ଭଲ ଝିଅଙ୍କ ପାଖୁ ଯିବାକୁ ହୁଏ । ହୁ’ପିନି ଭଲ ଝିଅଙ୍କ ପାଖୁ ଯାଇପାରନ୍ତି କେତେଜଣ ।

 

–ଠିକ୍ ଠିକ୍ !

 

ମୋତେ କହିବାକୁ ଦିଅନ୍ତୁ । ଯାହା କୁହାଗଲା, ଉପରର ଝିଅଟି ଖଞ୍ଜ । ଏବଂ ସେହି ଖଞ୍ଜଟି ଜରିଆରେ ନିମ୍ନଲିଖିତ ଗଳ୍ପଟିର ଆରମ୍ଭ ହେବ । ଯାହା ମୁଁ ଅନୁମାନ କଲି, ଖଞ୍ଜଟି ଯାଇ ଘରେ କହିଛି କି କ’ଣ । ଫଳରେ ଦଳ ଦଳ ହୋଇ ଆସି ସମସ୍ତେ ନିଜ ନିଜର ପରିଚୟ ଦେଲେ ଏବଂ ପ୍ରତ୍ୟେକେ ଭେଲ୍‍ଭେଟିଆ ଉପରେ ହାତ ବୁଲାଇବାକୁ ଅନୁମତି ମାଗିଲେ । ସମସ୍ତେ ସମସ୍ଵରରେ କହିଲେ, ବାଃ, ବେଶ୍ ତକିଆଟିଏ ତ, ଅତି ଉତ୍କୃଷ୍ଟ ଭେଲ୍‍ଭେଟ୍ !

 

–କଥକ ମହାଶୟ ! କଥକ ମହାଶୟ ! ତକିଆ କଥା ପରେ ।

 

–ହଁ ତକିଆ କଥା ଏକ୍ଷଣି ଥାଉ ।

 

ତାହା ହିଁ କରିଥାନ୍ତି । କିନ୍ତୁ ମୋର ଭୟ, ତା କଲେ ଆଉ କେହି ତକିଆ କଥା ଶୁଣିବାକୁ ରହିବେ ନାହିଁ । ଆପଣମାନେ ଖାଲି ଝିଅଙ୍କ କଥା ଶୁଣିବାକୁ ବ୍ୟସ୍ତ ହୋଇ ପଡ଼ିଲେ ଚଳିବ ନାହିଁ । ମୋର ଇଚ୍ଛା, ଆପଣଙ୍କର ଆଗ୍ରହ ତକିଆ ଉପରେ ରହୁ । ଆହୁରି ପରିଷ୍କାର କରି କହିଲେ, ମୋ ଉପରେ ରହୁ ।

 

ରହିବ ରହିବ । ଆଗ ସେମାନଙ୍କ କଥା ।

 

ଆଚ୍ଛା, ଆଗ ସେଇମାନଙ୍କ କଥା ହିଁ କହେ । ଜଣେ ତ କାଳି ଅତଏବ ତା ଉପରେ ବୋଧେ ଆପଣମାନଙ୍କର ଆଗ୍ରହ ରହିବନି ।

 

–ହଁ ହଁ ରହିବ । କେତେ କଳା ? ଜାମୁକୋଳି ପରି !

 

–ହାଃ ହାଃ ହାଃ ।

 

–ବାଃ, ଆପଣ ତ ବେଶ୍ ରସିକ ଲୋକ ।

 

ବାଃ ଆପଣ ତ ବେଶ୍ ମଜା ମଜା କଥା କହନ୍ତି !

 

–ହାଃ ହାଃ, ଜାମୁକୋଳି, ହାଃ ହାଃ ହାଃ–

 

–ହେଉ ହେଉ, କାଳି ଝିଅର ବର୍ଣ୍ଣନା ହେଉ–

 

ସିଧା ସିଧା କେଶ, ଚଟକା ମୁହଁ, ଗେଡ଼ି ଝିଅଟି, ଦାନ୍ତଗୁଡ଼ିକ ଫାଙ୍କ୍ ଫାଙ୍କ୍...

 

–ବେଶ୍ । ବେଶ ବର୍ଣ୍ଣନା ହେଉ । ପରିଧାନ ଧଳା, ସାଧାରଣ ଫ୍ରକ୍‍ଟିଏ ।

 

–କହନ୍ତୁ କଥକ ମହାଶୟ । ଏଇଟି ଅନ୍ଧ ନୁହେଁ ତ ?

 

–ଚକ୍ଷୁ ବର୍ଣ୍ଣନା ହୋଇଯାଉ ।

 

ସୁନ୍ଦର ଆଖି ଯୋଡ଼ିଏ । ଅତି ସୁନ୍ଦର । ସେଥିରେ କଜଳ ଥିଲେ ଆହୁରି ସୁନ୍ଦର ଦିଶିଥାନ୍ତା ପରା ।

 

–କଜଳ କ’ଣ ନ ଥିଲା ?

 

–ଚୁପ୍ କାଇଁ ତୁ ଗୋଟା ଭଡ଼ ଭଡ଼ ହଉଚୁ ?

 

–ମୁଁ ଭଡ଼ ଭଡ଼ ହଉଚି । ମୁଁ ଗୋଟା କଥା ପଚାରୁଚି । ତୁ ୟା’ ବି କାଇଁ ମୋ ମୁହଁଟାରେ ହାତ ଦଉଚୁବେ, ତୋ’ର କ’ଣ ଯାଉଚି ?

 

–ଆବେ ଓଲୁ କାହାଙ୍କା, ତତେ ଜଣାନାଇଁ ସେ ଆଙ୍ଗ୍ଲୋଇଣ୍ଡିଆନ୍ ।

 

–ହଁ ତ, ତୁ କେମତି ଜାଇଁଲୁ ସେ କଜଳ ନାଏନା ? କେଇଟା ଆଗ୍ଲୋ ଦେଖିଚୁ ତୁ ?

 

ଭଦ୍ର ମହୋଦୟଗଣ ! ଭଦ୍ର ମହୋଦୟଗଣ !

 

–ଯାହାପ ଯେମ୍‍ତି ୟା ବାପ ପାଞ୍ଚଟା ଆଗ୍ଲୋ ପୋଇଲି ରଖିଥିଲା–

 

–ବାପ ନାଁ କାହିଁକି ନଉଚୁ ବେ ? ସମେତେ ତୋ ପରି ଅନ୍ଧ, ଓଲୁ ନୁହନ୍ତି ।

 

ଭଦ୍ର ମହୋଦୟଗଣ ! ମୋତେ କହିବାକୁ ଦିଅନ୍ତୁ । ତା ଆଖିରେ କଜଳ ନ ଥିଲା ।

 

–ହେଃ ହେଃ ହେଃ କଥକ ମହାଶୟ ! ତା ଜାମୁକୋଳିଆ ରଙ୍ଗରେ କଜଳ ବାରି ହେଇ ନ ଥାନ୍ତା ମୁଁ କହି ଦଉଚି ।

 

–ହେ ହେ ହେ ହେ !

 

ନା ନା । ତା ନୁହେଁ । ସେ କିଛି ହେଲେ ପ୍ରସାଧନ କରେ ନା !

 

ସେ ଏକ ବ୍ୟତିକ୍ରମ । ଅତି ସାଧାସିଧା ଝିଅଟିଏ । ସମସ୍ତେ ଯେତେବେଳେ ତକିଆଟିର ପ୍ରଶଂସା କରୁଥିଲେ, ସେ କିଛି କହୁ ନ ଥିଲା । ସମସ୍ତେ ତକିଆ ଆଡ଼କୁ ଚାହିଁଥିଲାବେଳେ ସେ ମୋର ଆଖିକି ଚାହିଁଥିଲା ।

 

–ବାଃ ବାଃ, ଏ ତ ବେଶ୍ ମଜା କଥା !

 

–ବାଃ ବାଃ, ଆପଣ ତ ବେଶ୍ ରସିକ ଲୋକ !

 

–ଆପଣ କେମିତି ଜାଣିଲେ ଆଗ କହନ୍ତୁ ।

 

ମୁଁ ଆବିଷ୍କାର କଲି, ସେ ଏକ ଦୃଷ୍ଟିରେ ମୋହରି ଆଡ଼କୁ ଚାହିଁ ରହିଛି ।

 

–ତା ମାନେ ଆପଣ ବି ତାହାରି ଆଡ଼େ ଚାହିଁଥିଲେ !

 

–ସ୍ ସ୍ ସ୍ ସ୍ ! ଚୁପ୍ ଚୁପ୍ ! ଗପ ଆରମ୍ଭ ହେଉ !

 

ସେ ଚାହିଁବାରେ ଏତେ ଅର୍ଥ, ଏତେ ଭବିଷ୍ୟତ ରହିଥିଲା, ଏତେ ହିନିମାନ ନ୍ୟସ୍ତ ଥିଲା, ସବୁ ପରେ ଜଣା ପଡ଼ିଲା । ପରେ ଜଣା ପଡ଼ିଲା, ସେ ମୋତେ ଭଲ ପାଇ ଯାଇଛି ।

 

–ଆହା ମୋ ଜାମୁକୋଳିଆ ଧନରେ !

 

–କି ସୁନ୍ଦର ଗୀତ ବାନ୍ଧୁଚି ମାହାନ୍ତି, ମୋ ଜାମୁଡ଼ାଳିରେ ?

 

–ଇଏ ତ ଆପେ କହିବା ଯୋଗାଏ !

 

–ଆରେ ମୁଁ କଥକ ହେଲି ବୋଲି ଥୟ ।

 

–ଯାହା ଫାବୁଚି !

 

ଭଦ୍ର ମହୋଦୟଗଣ ! ଆପଣମାନେ ମନେକରିବେ ନାହିଁ ଯେ ସେ ସୁନ୍ଦର ନୁହେଁ । ଆପଣାମାନେ ମନେକରିବେନି ଯେ ତା ଭିତରେ ଆକର୍ଷଣ କିଛି କମ୍ ରହିଥିଲା । ଏ କଥା ତ ମୁଁ କେଉଁଠି ହେଲେ କହି ନାହିଁ ! ବରଂ ଠିକ୍ ଏଇମିତି ଝିଅଟିଏ ମୁଁ ସାରାଜୀବନ ଖୋଜି ବୁଲୁଥିଲି । ତାକୁ ଚାହିଁଦେଲା ମାତ୍ରେ ମୁଁ ଜାଣିପାରିଲି ଯେ ଏଇ ମୋର ପ୍ରକୃତ ସାଥି ।

 

–କିନ୍ତୁ କଥକ ମହାଶୟ ! ତାର ଦାନ୍ତଗୁଡ଼ାକ ଫାଙ୍କା ଫାଙ୍କା ଆପଣ କହିଲେ ନା ?

 

–ଏବଂ କହିଲେନା ସେ ଗେଡ଼ି ?

 

–ଏବଂ ତା କେଶ ସିଧା ସିଧା ?

 

ସତ । ସବୁ ସତ ଏବଂ ଏଇମିତି ଝିଅଟିଏ ମୁଁ ସାରାଜୀବନ ଖୋଜି ବୁଲୁଥିଲି । ଏଇମିତି ସାଧାରଣ, ସାଧାସିଧା ଝିଅଟିଏ, ଭିତରେ ପ୍ରଚୁର ଆକର୍ଷଣ, ଆଖିରେ ପ୍ରଚୁର ଭଲପାଇବା, ପ୍ରଚୁର ବୁଝାମଣା–

 

–କଥକ ମହାଶୟ ! ଏଗୁଡ଼ା–ଏତେଗୁଡ଼ାଏ କଥା କ’ଣ ଏକା ମୁହୂର୍ତ୍ତରେ ଆପଣ ଜାଣି ପାରିଥିଲେ ?

 

କିଏ କହିଲା ଏକା ମୁହୂର୍ତ୍ତରେ ଜାଣି ପାରିଲି ? ବେଶ୍ କିଛିଦିନ ଲାଗିଥିଲା ଜାଣିବାକୁ ।

 

–କେତେ ଦିନ ?

 

ଅନେକ ଦିନ । ପ୍ରାୟ ବର୍ଷେ ।

 

–ତା’ର ବୟସ କେତେ ?

 

–ବିବାହିତା ନା ଅବିବାହିତା !

 

–ସେ କା’ଣ କରେ ?

 

–ସେ କ’ଣ ଟେଲିଫୋନ୍ ଅପରେଟର୍ ।

 

ହଁ ହଁ, ସେ ଟେଲିଫୋନ୍ ଅପରେଟର୍ । ସେତେବେଳେ ସେ ଅବିବାହିତା ଥିଲା । ବର୍ତ୍ତମାନ ବିବାହିତା ।

 

–କାହାକୁ ?

 

ମତେ । ସେ ମୋର ସ୍ତ୍ରୀ । ତାହାରି ସର୍ଦି ହୋଇଛି ।

 

–ଇୟେ କି ଧପ୍‍ପାବାଜି !

Image

 

ସମ୍ପାଦକ ଓ ଚୁରୁଟ୍ ଉପାଖ୍ୟାନମ୍

 

ଆପଣମାନେ ଜାଣି ନ ଥିବେ, କାରଣ କେହି ଜାଣି ନ ଥାନ୍ତି ଯେ, ସମ୍ପାଦକ ହେବା କିଛି ସହଜ କଥା ନୁହେଁ । ଯେତେ ଚରିତ୍ର ଅଛନ୍ତି ସଂସାରରେ, ସମ୍ପାଦକ ହିଁ ସବୁଠୁଁ ଅବହେଳିତ । ଏହି ଅବହେଳାର କାରଣ କ’ଣ ? କାରଣ ଲେଖକ ମାନେହିଁ ଚରିତ୍ରମାନ ବିଶ୍ଳେଷଣ କରି ଆପଣମାନଙ୍କ ସାମ୍ନାରେ ଉପସ୍ଥାପିତ କରନ୍ତି (ତାହା ନଚେତ କି ଆପଣ କୌଣସି ଚରିତ୍ର କେବେ ହେଲେ ଅନୁମାନ କରିଛନ୍ତି ?) ଏବଂ ଲେଖକମାନେ ଆଉ ଯାହା କରନ୍ତୁ, ସମ୍ପାଦକଙ୍କ ଉପରେ ଉଁ କି ଚୁଂ ପାଟିଫିଟେଇବେନି । ୟାର ଅସଲ କାରଣ ହେଲା, ଚରିତ୍ର ବିଶ୍ଳେଷଣଗୁଡ଼ିକର ଏକ ନିର୍ଦ୍ଦିଷ୍ଟ ଗତିପଥ ଅଛି । ଏମାନେ ଲେଖକମାନଙ୍କର ମୁଣ୍ଡରୁ ହାତକୁ ଗଡ଼ଯାନ୍ତି ଆସନ୍ତି କଲମ ମୁନକୁ, ସେଠାରୁ କାଗଜ ଉପରକୁ ଏବଂ ତା ପରେ ପୋଷ୍ଟ ଅଫିସ୍ ବାଟେ ସମ୍ପାଦକଙ୍କ ଟେବୁଲ ଉପରକୁ । ଏଠାରୁ ଚାପାଖାନାକୁ ଏବଂ ବିଭିନ୍ନ ବାଟରେ ଆପଣଙ୍କ ଆଖି ଆଗକୁ । ବୋଲିବା ବାହୁଲ୍ୟ ଯେ ସମ୍ପାଦକ ନିଜେ ଏହି ଗତିପଥର ଅନ୍ୟତମ ନିୟନ୍ତା । ଏପରି ସ୍ଥଳେ ସମ୍ପାଦକଙ୍କ ବିରୁଦ୍ଧରେ-(ନୋଟ୍-: ଶେଷୋକ୍ତ ‘ବିରୁଦ୍ଧରେ’ଟି ବିଶ୍ଳେଷଣର ଅସଲ ରୂପ) ଦୁଇପଦ ଲେଖିବାର ଆକ୍ଷରିକ ଅର୍ଥ ହେଉଛି, ସେହି ଲେଖାର ଗତିପଥକୁ ଛାପାଖାନା ପରିବର୍ତ୍ତେ ଆଳିମାଳିକା କାଗଜର ଝୁଡ଼ି ଆଡ଼କୁ ବୁଲାଇ ଆଣିବା । ଏ ପ୍ରକାର ପରିଣତି ଉଦ୍ଦେଶ୍ୟରେ ଖୁବ୍ କମ୍ ଲେଖକ କିଛି ଲେଖିଥାନ୍ତି । ସମାଲୋଚନା ଓ ବିଶ୍ଳେଷଣର ଫଳ ଏ ରୂପ । ପ୍ରଶଂସାକଲେ ଫଳ ଆହୁରି ଭୟଙ୍କର । ଏଥିରେ ସମ୍ପାଦକମାନେ ପ୍ରାୟଶଃ ରାଗିଯାନ୍ତି ଏବଂ ମନେକରନ୍ତି ଯେ ପ୍ରଶ୍ନଗତ ଲେଖକ ତାଙ୍କୁ ଖୋସାମଦ୍ କରୁଛନ୍ତି (ସମ୍ପାଦକମାନଙ୍କର ଖୋସାମଦ୍ ଉପରେ ରାଗ ଆଗେ ଥିଲା ନ ଥିଲା କହି ହେଉ ନାହିଁ, କିନ୍ତୁ ଏବେ କିଛି ଜଣାଯାଉଛି ଯେହେତୁ ଏ ନେଇ କିଛି ଲେଖା ଦୁଇଚାରି ପତ୍ରିକାରେ ପ୍ରକାଶ ପାଇଗଲାଣି ଏବେ ।) ଫଳରେ ବିଚରା, ବିଚରା ଲେଖକ ! ସମ୍ପାଦକଙ୍କ ପ୍ରଶଂସାଟି ଯିବ, ବାକୀ ଯା କିଛି ତା ପରେ ଲେଖାହବ ତାଇବି ଯିବାର ସମ୍ଭାବନା । ଅତଏବ ।

 

ଏଠାରେ ପ୍ରଶ୍ନ ହୋଇପାରେ, ଉପସ୍ଥିତ ଲେଖକ ବା କେଉଁ ଭରସାରେ ଏହି ଦୁଃସାହସିକ କାର୍ଯ୍ୟରେ ଅଗ୍ରସର ହେଉଅଛି । ପାଠକ–ପାଠିକା ଏବଂ ବିଶେଷକରି ସମ୍ପାଦକ ମହୋଦୟଙ୍କର ଅବଗତି ନିମନ୍ତେ ଏଠାରେ ପରିଷ୍କାର ଜଣାଇ ଦିଆଯାଉଛି କି, ଲେଖକ ଏପରି କୌଣସି କାର୍ଯ୍ୟ କରିବାକୁ ଯାଉ ନାହିଁ (ବିନୀତ, ଲେଖକ) । ପ୍ରସଙ୍ଗକ୍ରମେ କେବଳ ଏତିକି ସୂଚାଇ ଦିଆହେଲା ଯେ, ନାନା କାରଣରୁ ସମ୍ପାଦକ ଚରିତ୍ରର ବିଶ୍ଳେଷଣ ହୋଇ ପାରୁନାହିଁ, ପାରୁନାହିଁ, ପାରିବ ନାହିଁ ଏବଂ ଯଦି ହୁଏ ତାହା ଛାପା ହେବାର କୌଣସି ସମ୍ଭାବନା ନାହିଁ ।

 

ଜଣେ ବନ୍ଧୁ ସମ୍ପାଦକମାନଙ୍କର ଏକ ସାଧାରଣ ବର୍ଣନା ତିଆରି କରିଥିଲେ । ତାଙ୍କ ମତରେ ସାଧାରଣତଃ ବାହାରେ–ଦାନ୍ତନିକିଟା–ଭିତରେ–ଗମ୍ଭୀର, ଲୋଚାକଚା–ଅଥଚ–ପରିଷ୍କାର ପୋଷାକ ପରିହିତ; ତବଲା ବଜାଇବାର ସମ୍ଭାବନାରେ ଭରପୁର (ଟେବୁଲ ଉପରେ) ସାମାନ୍ୟ ସାଙ୍ଗିତିକ (ଗୁନୁଗୁଣୁ) ଧରଣର ବ୍ୟକ୍ତି । ସେ ଜୋର ଦେଇ କହିଲେ ଯେ ଶତକଡ଼ା ଅଶୀରୁ ଉର୍ଦ୍ଧ୍ଵ ସମ୍ପାଦକ ଏହି ବର୍ଣ୍ଣନାର ଗଣ୍ଡି ଭିତରେ ପଡ଼ିବେ । ସେମାନଙ୍କର ଶିକ୍ଷାର ସ୍ତର ନେଇ କହିବାକୁ ଯାଇ ସେ କହିଲେ ଯେ ସେମାନେ ଅଶିକ୍ଷିତ । ପରେ ଖବର ନେଇ ବୁଝିଲେ ଯେ ଏହି ବନ୍ଧୁଟି ବିଭିନ୍ନ ସମ୍ପାଦକଙ୍କଠାରୁ ନାନାପ୍ରକାରେ ବିଫଳମନୋରଥ ହୋଇ ଏ ପ୍ରକାର ଗୌଣ ମନୋଭାବ ପୋଷଣ କରିଥିଲେ । କାରଣ ସେ ମଧ୍ୟ କିଛିକାଳ ଲେଖକ ବନିବାର ଦିଲ୍ଲିକା ଲଡ଼ୁ ଆଶାରେ, ଅଧିକାଂଶ ଯୁବକଙ୍କ ପରି ଧାବମାନ ହୋଇଥିଲେ । ଅତଏବ ଏହି ବର୍ଣ୍ଣନାଟି ନିରପେକ୍ଷ କିମ୍ବା ବିଚାର୍ଯ୍ୟ ନୁହେ ।

 

ଯାହା ଦେଖାଯାଉଛି, ସମ୍ପାଦକ ହେବା କିଛି ସହଜ କଥା ନୁହେ । ଅନ୍ୟାନ୍ୟ ଦେଶ ବା ପ୍ରାନ୍ତ କଥା ମୁଁ କହି ପାରିବିନି । ଆମ ଏଇଠିକା କଥା ପଡ଼ିଚି । ଏଠି ସମ୍ପାଦକ ଏକାଧାରରେ ଜଣେ ସ୍ରଷ୍ଟା, କଳାକାର, ଲେଖକ, ପତ୍ରପ୍ରେରକ, ସମାଲୋଚକ ଏବଂ ଉଚ୍ଚଦରର ବ୍ୟବସାୟୀ ହେବା ଆବଶ୍ୟକ । ଏଠାରେ ଯେ ଏଯାବତ୍ କେତେକ ସମ୍ପାଦକ ବଞ୍ଚି ରହିଛନ୍ତି, ତାହା ଈଶ୍ୱରଙ୍କ ବିଚିତ୍ର ଲୀଳାର ଏକ ନିଦର୍ଶନ ବୋଲିବାକୁ ହେବ, କାରଣ ଏତେ ଅଳ୍ପ ବା ଅଧିକାଂଶ କ୍ଷେତ୍ରରେ ବିନା ପଇସାରେ ଏତେ ଦଉଡ଼ା–ଧାପଡ଼ା, ଖୋସାମଦ୍, ଦାନ୍ତନିକୁଟା ଆଦି ଲେଖକ, କବି ବ୍ୟବସାୟୀ ଏବଂ ଚୋରଚଣ୍ଡାଳ, ନିଆଁ ଗଳା ଦଲାଲଙ୍କ ଦୁଆରେ ଗୋଡ଼ଭାଙ୍ଗି ହରଦମ୍ ଠିଆ ହେବାର ଘରୁ ଖାଇ ଘୋଟକ ସମ୍ମୁଖରେ ନୃତ୍ୟ ଅନ୍ୟଥା ଦେଖାଯାନ୍ତା ନାହିଁ । ଜଣେ ବିଜ୍ଞ ବନ୍ଧୁଙ୍କ କଥାରେ ଏହା ‘ବାଇଗଣ ପରି ବିଚିତ୍ର’ (ବାଇଗଣ କ୍ଷୁଦ୍ର ଫଳ, କିନ୍ତୁ ଇସ୍ ଭଗବାନ୍ ! ଏତେ ମଞ୍ଜି, ଏତେ ମଞ୍ଜି, ବିଚିତ୍ର ।)

 

ସହଜ ଆଦୌ ନୁହେ, ଯାହା ପଡ଼ିଥିଲା । ସମ୍ପାଦକକୁ ସବୁଠୁଁ ବେଶି ହର୍କତ କରେ ନିଷ୍ପତ୍ତି ବା ସିଦ୍ଧାନ୍ତକରଣ । ଅନେକ ଅନେକ କଥା ତାଙ୍କୁ ଚଟାପଟ୍ ବିଚାର ସିଦ୍ଧାନ୍ତ କରି ନେବାକୁ ହୁଏ । ଏଥିପାଇଁ ସମୟ ସୀମିତ, କାରଣ କିଛି ହେଲେ ଗୋଟାଏ କାମ, ତା ନିଜର ସଂଜ୍ଞା ଅନୁସାରେ, ସେ ଏକ ସମୟରେ କରିପାରେନା କେତେବେଳେ । ରପଣ ଯଦି ଅତର୍କିତ କେଉଁ ସମ୍ପାଦକଙ୍କ ଅଫିସ୍ ଘରକୁ ପଶିଯିବେ, ଏକଥା ବଳେ ବଳେ ପରିଷ୍କାର ଦିଶିବ ।

 

ସେ ହୁଏତ କିଛି ଲେଖୁଥିଲେ । ଆପଣଙ୍କୁ ଦେଖି କହିଲେ “ଆରେ ଅପୁରୁବ ! କୁଆଡ଼େ ବାଟ ଭୁଲି...ବସନ୍ତୁ,, ବସନ୍ତୁ– “କହି, କୌଣସି ଏକ ଜାଗାର ସନ୍ଧାନରେ ଶୂନ୍ୟମଣ୍ଡଳରେ ଏକ ଗାଈଛବି ଆଙ୍କିବେ, ଯେହେତୁ ସେତେବେଳକୁ ତାଙ୍କ ଅଫିସରେ ଥିବା ସମସ୍ତ ଚଉକୀ ଏବଂ ଅନ୍ୟାନ୍ୟ ସମ୍ଭାବ୍ୟ ଆସନ ଭର୍ତ୍ତି ହୋଇସାରିଛି ଲେଖକ, ବ୍ୟବସାୟୀ, କମ୍ପୋଜିଟର ଏବଂ ବିଡ଼ିବାଲାଙ୍କ ଭିଡ଼ରେ । ଆପଣ ଟିକିଏ ଥତମତ କରିବେ, ଯାହା ଦେଖି ଉପସ୍ଥିତ କେହି କହିବେ; ହଉ, ମୁଁ ତେବେ ଆସୁଚି ।” ଏତିକିବେଳେ ସମ୍ପାଦକଙ୍କ ମୁଖରେ ଏକପ୍ରକାର ବିଦାୟ–କାଳୀନ ପ୍ରସନ୍ନତା ମଧ୍ୟ ଦେଖିବାକୁ ମିଳିବ ।

 

“ତା ପରେ ? ଆପଣଙ୍କର ଆଉ କ’ଣ ସବୁ ଖବର ?” ସେ ପଚାରିବେ । ‘କ’ଣ ଆଉ-? ଚାଲିଚି ?’ –ଆପଣ କହିବେ । ‘ବେଶ୍ ବେଶ୍’ ସେ କହିବେ । ‘ଏଇ ! କପେ ଚା’ । ‘ନାଇଁ, ନାଇଁ’, ଆପଣ କହିବେ, ‘ଥାଉ ଥାଉ’ ଆପଣ କହିବେ, ‘ଚା’ରୁ କି ମିଳିବ’–ଆପଣ କହିବେ, ‘ଥାଉ ଥାଉ’ ଆପଣ କହିବେ, ‘ଚା’ରୁ କି ମିଳିବ’– ଆପଣ କହିବେ । ‘ଗେଡ଼ ! ଏ ଗେଡ଼ି– ପରିଆ, ଟିକେ ଗେଡ଼କୁ ପଠେଇ ଦବୁଟି– ଏ ଗୋଟେ କଥାନା–ନା ମୁଁ କିଛି ଶୁଣିବିନି–ଦିନ ବାରଟା ? କ’ଣ ହେଇଗଲା ସେଠୁଁ ଏ’ନି ଟାଇମ୍–ନା କ’ଣ ? ହଃ ହଃ ! କପେ ଆଣିବୁ–ମୁଁ ଖାଇବିନି–ଏଇମାତ୍ର–ଆପଣ ପଚାରିପାରନ୍ତି ବଂଶୀଧର ବାବୁ, ନୁହେଁ ? ଆଚ୍ଛା ପରିଚୟ କରେଇ ଦିଏଁ– ବଂଶୀଧର ସମର୍ଥ । –ଆମର ବିଶିଷ୍ଟ କବି–ପଢ଼ିଥିବେ, ପଢ଼ିଥିବେ । ଆଉ ବଂଶୀଧର ବାବୁ ! ୟେ ହେଉଛନ୍ତି, କ୍ଷମା କରିବେ, କ’ଣ ପରିଆ ? ଆଚ୍ଛା ସେଇ ଟେବୁଲ ଉପରେ ରଖିଦେଇଆ, ଏଇଲା ଦେଖିନଉଚି-। ଓ ? ଆଉ ପାଠ ନାଇଁ, ଆଚ୍ଛା ଆଚ୍ଛା ଟିକିଏ ପରେ । ହଁ ତାରି ତଳେ ବିଜ୍ଞାପନଟା, ଜାଗା ହବଟି । ହଁ ପରିଆ ! ଶୁଣ୍ । ବିଡ଼ି କମ୍ପାନୀର ବ୍ଳକ୍‍ଟା ମିଳିଲା ? କ’ଣ ଆଉ ୟାଙ୍କୁ କହିବି– ସେଥିରୁ ଗୋଟେ ବ୍ଳକ୍ ଜାବୁଡ଼ି ବସିଚି ସେଠି । ବୁଝିଲେ ବଂଶୀଧର ବାବୁ ? ତାକୁ ଖୋସାମତ୍ କଲେ ଯାଇ...” ତା ପରେ ଉପସ୍ଥିତ ଭଦ୍ରବ୍ୟକ୍ତିମାନଙ୍କ ମଧ୍ୟରୁ ଜଣକୁ “ଆରେ, ଆପଣ କେତେବେଳେ ? ହଃ ହଃ ମୁଁ ତ ଆପଣଙ୍କୁଇ ଖୋଜୁଥିଲି– ଆପଣଙ୍କର ବ୍ଳକଟା–ବଂଶୀଧର ବାବୁ, ଆପଣ ଆଜି ସନ୍ଧ୍ୟାରେ ଫ୍ରି’ ତ ? ଟିକେ ଦୟାକରି, ମାନେ, ଜାଣନ୍ତି ତ...ହଃ ହଃ । ହଉ, ନମସ୍କାର– ପରେ ଦେଖାହବ–ଆଉ ଆମ ମେଞ୍ଜରବାବୁ ଆସିଲେ ଆପଣଙ୍କ କାମଟା... ନିଶ୍ଚୟ ନିଶ୍ଚୟ । ଆରେ କି ଆଶ୍ଚର୍ଯ୍ୟ ! ଆପଣଙ୍କର କଥା ଅଲଗା ! ହଉ । ଓ, ଆଚ୍ଛା ! ଏ ? ହଃ ହଃ । ଓ ହଃ ହଃ ହଃ । ହେ ହେ ହେ ହେ । ମଲା ! ନିଶ୍ଚୟ । କିନ୍ତୁ, ଅବଶ୍ୟ । ଆଉ ? ଆପଣ ବସିଥାନ୍ତୁ– ମୁଁ ଟିକ୍‍କେ.... ଗୋପନୀୟ, ମାନେ ହଃ ହଃ ଏଁ ? ପାଞ୍ଚ ମିନିଟ୍–ଗେଡ଼ । ଗୋଟେ ଟୁଲ୍ ପକେଇ ଦେ ଭିତର ଘରେ– ଆପଣଙ୍କୁ ନୁହ–ଆପଣ ଟିକେ ଭିତରକୁ ଆସନ୍ତୁ–କ’ଣ କହିଲେ ? ହଃ ହଃ ।

 

ଏହି ହଟ୍ଟଗୋଳ ଭିତରେ ଜଣେ ନୂତନ ଲେଖକ ଆସି ପଚାରି ପାରନ୍ତି ତାଙ୍କର ପାଞ୍ଚଜଣ ବନ୍ଧୁ ଏବଂ ଜଣେ ଅଧ୍ୟାପକ ଯେଉଁ ଲେଖାଟିକି ଉତ୍କୃଷ୍ଟ ବୋଲି ମନ୍ତବ୍ୟ କରିଥିଲେ, ସେଇଟା ଗତ ସଂଖ୍ୟାରେ କାହିଁକି ସ୍ଥାନ ପାଇନାହିଁ, ଯଦିଓ ଅପେକ୍ଷାକୃତ ଢେର ନିକୃଷ୍ଟ ଲେଖା ସେହି ସଂଖ୍ୟାର ପୃଷ୍ଠାଏ ପୃଷ୍ଠାଏ ଭରିରହିଛି ଏବଂ ଏହି କ’ଣ ନୂତନକୁ ଉତ୍ସାହ ଦେବାର ସଂପାଦକୀୟ ବିଧି ? ଜଣେ ପ୍ରଚ୍ଛଦପଟ କଳାକାର ସ୍ଵ–ଅଙ୍କିତ ଖଣ୍ଡିଏ ଚିତ୍ର ତାଙ୍କର ନାକ ସାମନାରେ ବାଗେଇ ଧରିଲେ । ଦୁଇଚାରି ପୃଷ୍ଠାର ପ୍ରୁଫ୍ ମଧ୍ୟ ଜମିଗଲା ଟେବୁଲ ଉପରେ । ଜଣେ ଗାୟକ ବନ୍ଧୁ ହୁଏତ ନିଜେ ସୁର୍ କରିଥିବା ଗୀତଟିଏ ତକ୍ଷଣେ ଶୁଣାଇବେ ବୋଲି ଅପେକ୍ଷା କରି ବସିଛନ୍ତି । ଜଣେ ନାଟକ ସମାଲୋଚକ, ଯେ କି ସେହି ପତ୍ରିକାର ଫ୍ରି ପାଶ୍ ଦ୍ଵାରା ନୂଆ ନାଟକଟିଏ ଦେଖି ଆସିଛନ୍ତି, ସେହିକ୍ଷଣି କେତେକ ଭୁଲ୍ ବଚନିକାର ଅନୁକରଣ କରି ଆଜିକାଲିର ରଙ୍ଗମଞ୍ଚର ମାନ କିପରି ରସାତଳମୁଖୀ ଏବଂ ଚିତ୍ରଜଗତର ଅଧୋଗାମୀ ଗତି ନେଇ ଏକ ପୂର୍ବପ୍ରସ୍ତୁତ ତିନିଘଣ୍ଟିଆ ବକ୍ତୃକ୍ତା ତାହା ସଙ୍ଗେ ସଜେଇ ରଖିଛନ୍ତି । ଏହା ବାଦ୍ କିଛି ଚିଠି, କିଛି କବିତା, ଆତ୍ମପରିଚୟ ଓ ଫଟୋ ଏବଂ ପାରିବାରିକ ଅନେକ କଥା ତ ଅଛି ।

 

ଯେକୌଣସି ମଧ୍ୟବିତ୍ତ ଗୃହିଣୀ ଏହି ବହୁମୂଖୀ କର୍ମ–ମୁଖର ମୂହୁର୍ତ୍ତଟି ସହଜେ ଅନୁମାନ କରିପାରିବେ । ଯେଉଁମାନେ ଗୃହିଣୀ ନୁହନ୍ତି (କାରଣ ସମସ୍ତେ ମଧ୍ୟବିତ୍ତ) ସେମାନେ ଗୃହିଣୀମାନଙ୍କ ପର୍ଯ୍ୟବେକ୍ଷଣ କଲେ ସମ୍ପାଦକର ଚିତ୍ର ପାଇପାରିବେ । ଯାହାକୁ କହନ୍ତି, “ବାଘ ନ ଦେଖିଲେ ବିଲେଇ ଦେଖ ।” ତଫାତ୍ ଖାଲି ଏତିକି ଯେ ମଧ୍ୟବିତ୍ତ ଗୃହିଣୀ ଯାହାସବୁ ସିଦ୍ଧାନ୍ତ କରନ୍ତି, ସେସବୁ କାହାରି ଜାଣିବାର ଉପାୟ ନାହିଁ– ସ୍ଵାମୀ ସମେତ କିନ୍ତୁ ଯେକୌଣସି ସମ୍ପାଦକ ଯାହା ସିଦ୍ଧାନ୍ତ କରନ୍ତୁ ଯେ ଇଚ୍ଛା କରିବ ଜାଣିପାରିବାର ସମସ୍ତ ସୁଯୋଗ ନିଜେ ସମ୍ପାଦକ ଦେଇଥାନ୍ତି । ଫଳରେ ଗୃହିଣୀଙ୍କର ଯେଉଁ ବ୍ୟକ୍ତିଗତ ସ୍ଵାତନ୍ତ୍ର୍ୟ ଅଛି, ବିଚରା ସମ୍ପାଦକର ନାହିଁ ।

 

ଏକ୍‍ରେ ସିଦ୍ଧାନ୍ତ ନେବା କଠିନ । ଦୁଇରେ, ସିଦ୍ଧାନ୍ତ ନେବା ସମ୍ପାଦକ ପକ୍ଷରେ ଅତି ଜରୁରୀ । ଏହାର ଏକମାତ୍ର ଫଳ ହୁଏ ଏହି ଯେ ସିଦ୍ଧାନ୍ତଗୁଡ଼ିକ ଖାଲି ଭୁଲ ହୁଏ । ଠିକ୍ ଭୁଲ୍ ନ ହେଲେ ବି, ଠିକ୍ ଭୁଲର ମଝିଆମଝି । ଯାହା ନିଷ୍ପତ୍ତି ନିଆଗଲା ତା ମାନେ, ତାକୁ ଅକ୍ଳେଶରେ ଭୁଲ୍ କୁହାଯାଇ ପାରନ୍ତା ଯଦି କିଞ୍ଚିତ୍ ଠିକତ ତହିଁରେ ନ ଥାନ୍ତା । ଅବହେଳିତ ହେଲେ ମଧ୍ୟ ୟେ ଗୋଟିଏ କଠିଣ ସମସ୍ୟା ଏବଂ ଯେହେତୁ ସମ୍ପାଦକମାନଙ୍କର ନିଷ୍ପତ୍ତି ଓ କାର୍ଯ୍ୟକାରିତା ଉପରେ ସମୁଦାୟ ସାହିତ୍ୟର ଭବିଷ୍ୟତ କେତେକାଂଶରେ ନିର୍ଭରଶୀଳ, ଏ ସମସ୍ୟାର ଆଶୁ ସମାଧାନ ଆବଶ୍ୟକ ।

 

ଏହି ସମାଧାନଟି ହେଲା ଚରୁଟ୍ । ଏ କଥାରେ ଆପଣମାନେ ଆଶ୍ଚର୍ଯ୍ୟ ହୋଇଯାଇ ପାରନ୍ତି ଏବଂ ପଚାରି ପାରନ୍ତି ‘କଥମେତତ୍ ?’ ଅର୍ଥାତ୍ ଚୁରୁଟ୍ ଜିନିଷଟି, ସମ୍ପୂର୍ଣ୍ଣ ସ୍ଵାଧୀନ ହୋଇଥିଲେ ମଧ୍ୟ, କିପରି ଯେ ଏତେ ବଡ଼ ସାହିତ୍ୟିକ ସମସ୍ୟାର ସମାଧାନ କରିବ । ? ପ୍ରଥମେ ଦେଖାଯାଉ ଚୁରୁଟ୍ ପଦାର୍ଥଟି କ’ଣ ଏବଂ ଏଥିରେ କି ପ୍ରକାର ଅନ୍ତର୍ନିହିତ ଶକ୍ତି ଅଛି ।

 

ଚୁରୁଟ୍ ଏକ ମୋଟା ଧରଣର ପିକା । ଏହା କାଠ ବାକ୍‍ସରେ, ଜରି କାଗଜ ଲଗାହୋଇ ଚଢ଼ା ଦାମରେ ବଜାରରେ ବିକ୍ରୀ ହୁଏ । ଖଣ୍ଡିଏ ଲେଖାଏ ଚୁରୁଟ୍ କମ୍‍ରେ ଅଧ ଘଣ୍ଟେ ଧରି କ୍ରମାନ୍ଵୟେ ଟଣାଯାଇ ପାରେ ଏବଂ ଟାଣିବାର ପାରିଶ୍ରମିକ ରୂପେ ପ୍ରଚୁର ଧୂଆଁ ପାଟିରୁ ବାହର କରାଯାଇପାରେ । ଚୁରୁଟ୍ ପ୍ରଚୁର ପୁଞ୍ଜିବାଦୀ ଶୋଷଣ ଆବଶ୍ୟକ କରେ ଏବଂ କିଞ୍ଚିତ୍ ମନଧ୍ୟାନ ମଧ୍ୟ ଦାବୀ କରେ । ଏହା ମୋଟା, ତେଣୁ ସୁଖବ୍ୟାଦାନ ପୂର୍ବକ ଗ୍ରହଣୀୟ ଏବଂ ଫଳରେ ଓଷ୍ଠାଧରରୁ ଅନେକାଂଶ ଶୋଷଣ କ୍ରିୟାରେ ବ୍ୟସ୍ତ ଥାଏ । ଏହାର ବାହାର ପାଖରେ ବେଶ୍ ବଡ଼ ଧରଣର ରଡ଼ ନିଆଁଟିଏ ଥାଏ (ଯଦିଓ ଶୁଣାଯାଏ ଯେ ମାଡ୍ରାସରେ ଏହି ନିଆଁ ମୁଖଗହ୍ଵର ମଧ୍ୟରେ ଅବସ୍ଥାନ କାଳରେ ଶୋଷିତ ହୁଏ ) ।

 

ମୋର ବନ୍ଧୁଜଣକ ଯେବେ ସମ୍ପାଦକ ହେଲେ, ଦିନେ ତାଙ୍କ ଅଫିସରେ ପଶି ତାଙ୍କୁ ଉପର ବର୍ଣ୍ଣିତ ଅବସ୍ଥାରେ ଦେଖିଲି । ଫେରିଆସି ଏହାର ସମାଧାନ ଚିନ୍ତାରେ ଲାଗିଲି । ଏକଥା ମୋର ମନରେ ଥାଏ ଏବଂ ମନରେଇ ଥାଏ । ମନରେ ଥାଏ, ଯେତେବେଳେ ଜଣେ ଅଧ୍ୟାପକଙ୍କ ପାଖୁ ଯାଇଥିଲି କାମରେ । ଏହାଙ୍କ ସଙ୍ଗେ ପୂର୍ବରୁ ପରିଚିତ ଏବଂ ଅନ୍ୟାନ୍ୟ ଅନେକ ଜାଣିବା ଶୁଣିବା ଲୋକଙ୍କଠୁଁ ଶୁଣିଚି, ଜ୍ଞାନ ଘରେ ତାଙ୍କର ଶୂନ୍ । ତାଙ୍କ ପାଖେ ବସିଛି, କଥା ହଉଚି, ଏତିକିବେଳେ ମୁଁ ଲକ୍ଷ୍ୟକଲି ଯେ ମୁଁ ବେଶି ବେଶି କ୍ଳାନ୍ତ ହୋଇପଡ଼ୁଚି । ଏହି କ୍ଳାନ୍ତିର କାରଣ ମୁଁ ଚଟ୍‍କରି ବିଶ୍ଳେଷଣ କରିନେଲି ଏହାର କାରଣ ହେଉଛି, ଚୁରୁଟ୍ । ଚୁରୁଟ୍‍ଟି ସେ ସବୁବେଳେ ଟାଣୁଥାନ୍ତି । ଚୁରୁଟ୍ ଟାଣୁଥିବାରୁ ସେ କମ୍ କଥା କହୁଛନ୍ତି ଏବଂ ମୁଁ ବେଶି କଥା କହୁଚି । ସେ ଖାଲି ହୁଁ ହାଁ କରି ଚଳେଇ ନେଉଚନ୍ତି । ମୁଁ ବି ଖାସ୍ ଚୁରୁଟ୍ ସକାଶେ ଏଇଟା ଉଚିତ ବୋଲି ଧରି ନେଇଚି-। ଠିକ୍ ଏଇ ଥିଓରି ନେଇ ମୁଁ ଅନ୍ୟମାନଙ୍କ ସଙ୍ଗେ ତାଙ୍କର କଥାବାର୍ତ୍ତା ଲକ୍ଷ୍ୟ କରିଗଲି ଜଣେ ଗବେଷକ ଆସିଲେ । ତଳେ ତାଙ୍କର ମୂର୍ଖ ଅଧ୍ୟାପକଙ୍କ ସଙ୍ଗେ କଥାବାର୍ତ୍ତାର ଓଡ଼ିଆ ଅନୁବାଦ ହେଉଛି :

 

‘ସାର୍–‘

 

‘(ବହିରୁ ମୁଣ୍ଡ ଟେକି) ଉଁ ? (ସ ଚୁରୁଟ୍)’

 

‘ସେଇ ରେଫରେନ୍‍ସଟା...’

 

‘ଆଁ ? (ବି ଚୁରୁଟ୍)’

 

“ସେମାନେ ହୁଏତ ପଚାରିବେ । ଦେଇଦେବା ଉଚିତ୍ ହେବ । ତା’ଛଡ଼ା ଆପଣ ମଧ୍ୟ ସେଇଟି ବ୍ୟବହାର କରୁଛନ୍ତି ।“

 

‘ହୁମ୍’ (ସ ଚୁରୁଟ୍)

 

‘ମୁଁ କ’ଣ ପରେ ଆସିବି ସାର୍ ?’

 

‘ହୁଁ’ ।

 

‘କାଲି ?’

 

‘ଉଁ ?’

 

‘ଦଶଟା ?’

 

‘ହୁମ୍’ ।

 

ଏଥିରେ ଲକ୍ଷ୍ୟ କରିବାର କଥା, କେବଳ ଚୁରୁଟ୍ ଥିବାରୁ ପ୍ରଶ୍ନକର୍ତ୍ତା କିପରି ଆବଶ୍ୟକମତେ ନିଜର ନିଷ୍ପତ୍ତିମାନ ନେଇ ନେଉଛନ୍ତି, ସଙ୍ଗେ ସଙ୍ଗେ ମୋର ସମାଧାନ ମିଳିଗଲା-। ଡେରି ନ କରି ମୁଁ ମୋର ସମ୍ପାଦକ ବନ୍ଧୁଙ୍କୁ ଭେଟିଲି ଏବଂ ଖବର ଦେଲି ସେ ଯେପରି ଚଟାପଟ୍ ଚୁରୁଟୁଟା ଅଭ୍ୟାସ କରିନିଅନ୍ତି । ସେ ଆପତ୍ତି କରୁଥିଲେ ପ୍ରଥମେ, କାରଣ ସେ ବିଶ୍ଵାସ କଲେନି ଯେ ଚୁରୁଟ୍‍ଟା ତାଙ୍କ ସମସ୍ୟାର ସମାଧାନ କରିପାରିବ, ତେବେ ମୁଁ ଯେତେବେଳେ ଖୁବ୍ ଲଗେଇଲି ସେ ରାଜିହେଲେ ଯେ ଅନ୍ତତଃ ପରୀକ୍ଷା କରି ଦେଖିବେ କଥାଟାକୁ ।

 

ଏ ମଧ୍ୟରେ ଅନେକଦିନ ଆମର ଦେଖା ହୋଇ ନାହିଁ । ଠିକ୍ ପର ଦେଖାଟିରେ ହିଁ ମୋ ସାମାନ୍ୟ କଥନଟିର ପ୍ରକୃତ ପରୀକ୍ଷା ହୋଇପାରିଲା । ଯେତେବେଳେ ତାଙ୍କୁ ଅଫିସ୍‍କୁ ପ୍ରଥମେ ପଶେ ତାଙ୍କୁ ଚିହ୍ନି ପାରିଲିନି ମୋଟେ । ଏ ମଧ୍ୟରେ ସେ ଟିକେ ମୋଟେଇଛନ୍ତି ଲକ୍ଷ୍ୟ କଲି ଏବଂ ତାଙ୍କର ଚିରାଚରିତ ଲୋଚାକୋଚା ପୋଷାକ ପରିବର୍ତ୍ତେ ଦେଖିଲି ଡେକରନ୍ ପ୍ୟାଣ୍ଟ ଏବଂ ସୁନ୍ଦର ଇସ୍ତ୍ରୀକରା ପାଲିସ୍ ସିଲକ୍ ଜାମା ମୁଣ୍ଡ ବାଳଗୁଡ଼ିକ ସୁନ୍ଦର କଟା ଯାଇଛି, ପୂର୍ବପରି ମେଞ୍ଚା ମେଞ୍ଚା ମୁଣ୍ଡରେ ପଡ଼ିଯାଉ ନାହିଁ, ଏବଂ ଆଗର ପ୍ରାୟଶଃ ତେଲିଆ ମୁଖଟି ବର୍ତ୍ତମାନ ସଯତ୍ନେ ରକ୍ଷିତ; ନିଶ ଦୁଇଟିର ଆକାର କମିଛି କିନ୍ତୁ ସୌନ୍ଦର୍ଯ୍ୟ ବଢ଼ିଛି । ଅଫିସ୍ ଘରର ମଧ୍ୟ ଚେହେରା ବଦଳିଛି । ଘରଟି ଏଣିକି ବେଶ୍ ପ୍ରଫୁଲ୍ଲ ଦେଖାଯାଉଛି । ସବୁ ଜିନିଷ ନିଜ ନିଜ ସ୍ଥାନରେ ଅଛନ୍ତି । କାନ୍ଥରେ ପ୍ଲାଷ୍ଟିକ୍ ରଙ୍ଗ ଲାଗିଛି ଏବଂ ବାର୍ ଲ୍ୟାମ୍ପ ମଧ୍ୟ ଜଳୁଛି ।

 

କଥା କ’ଣ କି, ଚୁରୁଟ୍ ଟାଣିବା ପରେ ସେ ସେହି ଅନୁସାରେ ନିଜକୁ ଗଢ଼ିନେଲେ । ଅର୍ଥାତ୍ ଯେଉଁ ପ୍ରକାର ସ୍ୱାସ୍ଥ୍ୟ, ବେଶପଟା ଏବଂ ପ୍ରସାଧନ ଓ ପରିପାର୍ଶ୍ଵ ଚୁରୁଟକୁ ଘେନେଇବ, ସେହିସବୁ ଅଭ୍ୟାସ କରି ପକାଇଲେ । ସେହି ଅନୁସାରେ ବଦଳିଲା ତାଙ୍କର ଆସବାବପତ୍ର ମଧ୍ୟ, ଏସବୁ ଦେଖି, ସେ ମୋତେ ପରେ କହୁଥିଲେ, ବିଜ୍ଞାପନଦାତାମାନେ ତାଙ୍କ ପତ୍ରିକାର କ୍ରମବର୍ଦ୍ଧିଷ୍ଣୁ କାଟତି ଠଉରେଇ ନେବାରୁ ତାଙ୍କ ବ୍ୟବସାୟର ସାମୂହିକ ଉନ୍ନତି ମଧ୍ୟ ସମ୍ଭବ ହେଲା । ଆଗର ଆଦରକାରୀ ଲୋକସଂଖ୍ୟା କମିଛି । ଆଜେବାଜେ କଥା ମଧ୍ୟ କମିଚି । କେହି ସେ ଧରଣର ପ୍ରଶ୍ନ ଆଉ କରୁନାହାନ୍ତି । କାରଣ କଥା ଭାଷାଟା ପ୍ରାୟ ଏକତରଫା ରହୁଚି । ଜଣେ କବିଙ୍କ ସଙ୍ଗେ ତାଙ୍କର କଥାବାର୍ତ୍ତା ଏଇଥର ଶୁଣିବାକୁ ପାଇଥିଲି । ଖାଲି ଉଦାହରଣ ସକାଶେ ସେଥିରୁ ଚେନାଏ ଏଠି ଦେଉଛି :

 

“ପ୍ରିୟାପ୍ରୀତି ତୋଷଣ ବୋଧହୁଏ ଆପଣଙ୍କର ନୀତି ।“

 

‘ଉଁ’ ?

 

“ତା ନହେଇଥିଲେ ତିନିଟି ସଂଖ୍ୟା ଗଲାଣି, ଆପଣ ମୋର ‘କବି କରୁଅଛି କଲମର ବେଙ୍ଗଳା’ କବିତାଟି ଛାପିଲେନି କାହିଁକି ?”

 

‘ଆଁ’ ?

 

“ସେଇଟା ଭଲ ହୋଇନାହିଁ ଯଦି ମତେ କହିଥିଲେ ଚାଲିଥାନ୍ତା । ମୁଁ ଏଣିକି ଭାବୁଚି ଆଉ ଏଠିକି କବିତା ଦେବିନି ।“

 

‘ହୁଁ’ ।

 

ଏବକାର ଚିଠିଗୁଡ଼ିକ ମଧ୍ୟ ଖୁବ୍ ସଂକ୍ଷିପ୍ତ । ହିସାବ କରି ଦେଖାଗଲା ଯେ ଚୁରୁଟ୍ ଯୁଗପରେ ପୋଷ୍ଟ କାର୍ଡ଼ ସଂଖ୍ୟା ବଢ଼ିଛି ଏବଂ ଲଫାପା, ନୀଳକାଗଜ, ଇନଲ୍ୟାଣ୍ଡ କଭରର ସଂଖ୍ୟା କମିଛି । କେତେକ ଲେଖିକା ଏକ ପ୍ରକାର ଛଦ୍ମବେଶୀ ପ୍ରେମପତ୍ର ହିଁ ଦେଉଥିଲେ, ସେଗୁଡ଼ିକ ବିଲ୍ କୁଲ୍ ବନ୍ଦ ହୋଇଛି । ସମ୍ପାଦକ କଥା ଯେପରି କମ୍ କହୁଛନ୍ତି, ଚିଠି ମଧ୍ୟ କମ୍ ଲେଖୁଛନ୍ତି । ସମ୍ପାଦକୀୟ ଅଗ୍ରଲେଖା ଆହୁରି ମୁନିଆଁ ଏବଂ ଦାଢ଼ୁଆ ହୋଇଅଛି ସଂକ୍ଷିପ୍ତ ହେବା ଫଳରେ । ପତ୍ରିକାର ପରିଚାଳନା ମଧ୍ୟ ଲୋକମାନଙ୍କର ଯେପରି ସମୟ ନଷ୍ଟ ନ ହୁଏ ସେଥିପ୍ରତି ସଜାଗ ରହିଲେଣି ସବୁବେଳେ ।

 

କିନ୍ତୁ ମୋର ସେହି ଅମାୟିକ ଅନ୍ତରଙ୍ଗ ବନ୍ଧୁଟି ଗଲେ କୁଆଡ଼େ ? ୟେ ତ ଜଣେ ପତ୍ରିକା ସମ୍ପାଦକ ଚୁରୁଟ୍ ଫାଙ୍କରେଇ ଏକପ୍ରକାର ହସି ଦେଇଛନ୍ତି, ସିନେମାର ଦୁଷ୍ଟବାଳକମାନଙ୍କ ପରି ତାଙ୍କ ପାଟିରେ ଚୁରୁଟ୍ ବଳକା ଅଂଶରୁ । ରୀତିମତ ‘ହସିଲେ ବୁଢ଼ା ପରପଞ୍ଚ ଦିଶେ’ ! ଦାନ୍ତଯାକ ହଳଦିଆ ହେବାକୁ ଆରମ୍ଭ କରିଛି ତମାଖୁ ବୋଳରେ ଏବଂ ମୁହଁରୁ ଏକପ୍ରକାର ମତେ–ଗନ୍ଧ–ତାଙ୍କୁ–ବାସନା ହାୱା ବାହାରୁଛି । ମୁଁ ଦେଖିଲି ଯେ ସେ ମୋ ସାଙ୍ଗରେ ବି ଅଜାଣତରେ ହୁଁ ହାଁ ଚଢ଼େଇ ପରି କଥା କହୁଛନ୍ତି ଏବଂ ଧୂଆଁ ଫାଙ୍କରେ କୌଣସି ହିନ୍ଦୀ ସିନେମାର ଭାଗା ପରି ଗାରଡ଼େଇ ଗାରଡ଼େଇ ଚାହୁଁଛନ୍ତି ।

 

ଏଣିକି ତାଙ୍କ ସ୍ତ୍ରୀଙ୍କୁ ଥରେ ପଚାରିବି, ଘରେ ଚୁରୁଟ୍ ଉତ୍ତର ଯୁଗରେ ହାବଭାବ କିପରି ବଦଳିଛି ।

Image

 

ପ୍ରେମ ଚାପୋଡ଼ି

 

ଆମେ, ମୁର୍ଖ ଭାରତୀୟମାନେ ଏ ପର୍ଯ୍ୟନ୍ତ ବୁଝିପାରୁନାହୁଁ ଯେ ପ୍ରେମ ସଙ୍ଗେ ଚାପୁଡ଼ାର ଏକ ଘନିଷ୍ଠ, ଅବିଚ୍ଛେଦ୍ୟ ସମ୍ପର୍କ ରହିଛି । ବୁଝିପାରିନାହୁଁ ବୋଲି ଦୀର୍ଘଶ୍ଵାସ, ଲୁହ, ବିବାହ, ଯୌତୁକ ଆଦି ନାନା ଅବାନ୍ତର ବିଷୟକୁ ପ୍ରେମ ସହିତ ସଂଯୋଗ କରିବା ଭାରତରେ ଦେଖାଯାଏ । ପୃଥିବୀର ଅନ୍ୟାନ୍ୟ ସଭ୍ୟ ଦେଶମାନଙ୍କରେ ପ୍ରେମ ଏବଂ ଚାପୁଡ଼ାର ସମ୍ପର୍କ ସମ୍ୱନ୍ଧରେ ବହୁକାଳରୁ ଗବେଷଣା ହୋଇଛି । ଫ୍ରାନ୍‍ସ ପରି ଦେଶରେ ଏପରି ଏକ ଗଭୀର ଦାର୍ଶନିକ ବିଷୟ ନେଇ ଜନସାଧାରଣ ମଧ୍ୟ ଚେତନଶୀଳ । କଥାଟା ଏତେ ସ୍ଵାଭାବିକ ଯେ ଭାରତବର୍ଷରେ ମଧ୍ୟ ପ୍ରେମ ଓ ଚାପୁଡ଼ା ଅଙ୍ଗାଳୀ ଭାବରେ ଜଡ଼ିତ । ଆମେ, ଭାରତୀୟ ପ୍ରେମିକ-ପ୍ରେମିକାମାନେ ଚାପୁଡ଼ା ଖାଉଁ, କିନ୍ତୁ ତଫାତ୍ ଏତିକି ଯେ ସେଇଟା ଆମେ ଅନୁଭବ କରି ପାରୁ ନାହିଁ ।

 

ଚାପୁଡ଼ାକୁ ନାନା ଭାଗରେ ବିଭକ୍ତ କରାଯାଇଥାଏ । ମୋଟାମୋଟି ଚାପୁଡ଼ାଟା ଦୁଇପ୍ରକାର । (୧) ବ୍ରହ୍ମ ଚାପୋଡ଼ି, (୨) ପ୍ରେମ ଚାପୋଡ଼ି । ବ୍ରହ୍ମ ଚାପୋଡ଼ି କହିଲେ ଖୁବ୍ ଜୋର୍ ଏକ ଚଟକଣା ବୁଝାଏ । ଏପରି ଚାପୁଡ଼ାର ପ୍ରୟୋଗ ବହୁବିଧ । ଇସ୍କୁଲ ମାଷ୍ଟର, ଗୋରୁଜଗା ଗଉଡ଼, କାଞ୍ଜି ହାଉସକୁ ଗାଈ ନେଇ ଯାଉଥିବା ଚାଷୀ ଏବଂ ଏପରିକି ରାଗିଥିବା ମୁନିବ ମଧ୍ୟ ସ୍ଥାନ ବିଶେଷମାନଙ୍କରେ ଏହାର ପ୍ରୟୋଗ କରିଥାନ୍ତି । ଗୋଟିଏ ଉଦାହରଣ ଦେଲେ ଯଥେଷ୍ଟ ହେବ । ଯେଉଁ ଗୁଣିଆମାନେ ସାପବିଷ ଝଡ଼ାଇ ପେଟ ପୋଷନ୍ତି ସେମାନଙ୍କର ନିୟମ ହେଲା, ଯିଏ ଆଗ ସାପ କାମୁଡ଼ା ସମ୍ବାଦ ଆଣିଦେବ, ତାକୁ ଏକ ‘ବ୍ରହ୍ମ ଚାପୁଡ଼ା’ ଦିଆଯିବ । ଗୋଟିଏ ବରଯାତ୍ରୀ ଦଳରେ ଜଣେ ‘ଭାଙ୍ଗୋଡ଼ି’ ଭଦ୍ରଲୋକ ସେ ଗାଆଁରେ ଭାଙ୍ଗ ନ ପାଇ କଲବଲ ହୋଇ ଯାଉଥିଲେ-। ଏ ସମୟରେ ଏକ ଥଟଲି ଲୋକ ତାଙ୍କୁ ଗ୍ରାମର ଗୁଣିଆ ପାଖୁ ପ୍ରେରଣ କଲେ, କହିଲେ, ତା ଦୁଆରେ କବାଟ ଖଡ଼ ଖଡ଼ କରି ଖାଲି ସେ ଆସିଲା ମାତ୍ରେ କହିବ–ମତେ ବଞ୍ଚା ଭାଇ, ବଡ଼ ବିପଦରେ ପଡ଼ିଛି । ଭଦ୍ରଲୋକ (ଭଙ୍ଗୋଡ଼ି) ତଦ୍ରୁପ କରନ୍ତେ ଯାହା ଲାଭ କଲେ, ତାହା କ’ଣ ? ତାହା ବ୍ରହ୍ମ ଚାପୋଡ଼ି ।

 

ଆମ୍ଭମାନଙ୍କ ବିଭାଗୀକରଣର ଦ୍ଵିତୀୟ ଧରଣ ହେଲା ପ୍ରେମଚାପୋଡ଼ି । ୟାରି କଥାଟାତ ମୂଳରୁ ପଡ଼ିଥିଲା । ଏରୂପ ଚାପୁଡ଼ି ଶାରୀରିକ ହୋଇପାରେ, ମାନସିକ ମଧ୍ୟ ହୋଇପାରେ, ନାଟକୀୟ ହୋଇପାରେ, ପ୍ରାବନ୍ଧିକ ହୋଇପାରେ । ପ୍ରାରମ୍ଭିକ ହୋଇପାରେ, ଆନ୍ତିକ ବା ମାଧ୍ୟମିକ ମଧ୍ୟ ହୋଇପାରେ । ଏକ ଡହଳ ବିକଳ ପ୍ରଥମ ବାର୍ଷିକ ଛାତ୍ର ଜଣେ ଝିଅକୁ ସତ୍ ସାହସର ପରିଚୟ ଦେବାପାଇଁ କହିଲେ, ତାଙ୍କର କଲେଜ ଲନ୍ ଉପରେ–

 

ସଖି !

 

ମୋର ସଙ୍ଗେ ନାହିଁ ତବ ପରିଚୟ

 

କହିବାକୁ କିନ୍ତୁ ନାହିଁ ମୋର ଭୟ

 

ଏହି ଦେଖ ନେଳିଆ ଏ କାଗଜ ଭିତରେ

 

ଲେଖା ମୋର ମନକଥା ସବୁଜ ଅକ୍ଷରେ ।

 

ଏହା କହି ଖଣ୍ଡିଏ ନେଳି କାଗଜ ଝିଅଙ୍କ ଆଡ଼କୁ ବଢ଼ାଇ ଦେଲେ । ଉତ୍ତରରେ ସେ ପାଇଲେ କ’ଣ ? ଏକ ଶାରୀରିକ ପ୍ରେମ ଚାପୋଡ଼ି । ଆଉ ଧରନ୍ତୁ, ଜଣେ ବେନାମୀ ଚିଠିସବୁ ନିଜର କଳ୍ପିତ ପ୍ରେମିକାଙ୍କ ପାଖୁ ପଠାଇଛି ଏବଂ ଧରିନେଇଛି ଯେ ସେଥିରେ ଯାହାସବୁ ଅଛି, ସେଥିରୁ (“ସେ ଯଦି ସତରେ ମୋତେ ଭଲପାଉଥାଏ”) ସେ ଜାଣିପାରିବ ମୋର ପରିଚୟ । ଅଥଚ ଚିଠି ତଳେ ନାମ ପରିବର୍ତ୍ତେ “ଚବାତୁହ” ବା ଏହିପରି କିଛି ଲେଖାଯାଇଛି । ଆହୁରି ଧରନ୍ତୁ ଚିଠିଟି ଝିଅଟିର କେହି ହିତାକାଂକ୍ଷୀ ମୁରବୀ ପାଇଛି ଏବଂ ଟିକିଏ ମୁରୁକି ହସି ଚିରିଦେଇଛି ଝିଅଟି ଦେଖିବା ଆଗରୁ । ସେଦିନ କଲେଜରେ ଆଶାଭରା ନିରବତା ଭିତରେ କ୍ଲାସ୍ ଚାଲିଥିଲାବେଳେ ଝିଅଟିର ଅର୍ଥହୀନ ବ୍ୟବହାରରୁ ବେନାମୀ ଦେଇଥିବା ତବାତୁହ କ’ଣ ପାଇବେ ? ମାନସିକ ପ୍ରେମ ଚାପୋଡ଼ି ।

 

କେହି କେହି ଆପତ୍ତି କରନ୍ତି, ଚାପୁଡ଼ାଟା କ’ଣ ସାହିତ୍ୟ ହେଇଛି ଯେ ନାଟକୀୟ ବା ପ୍ରାବନ୍ଧିକ ହେବ ? ସେମାନେ ନୀଚ ଶ୍ରେଣୀର ସମାଲୋଚକ । ନାଟକ ବା ପ୍ରବନ୍ଧର ସୀମା କେବଳ ସାହିତ୍ୟରେ ନ୍ୟସ୍ତ ହୋଇ ଆଉ ରହିନାହିଁ, ଏ ସମ୍ବାଦ ସେମାନେ ଜାଣିନାହାନ୍ତି । ନାଟକ ବା ପ୍ରବନ୍ଧର ଅନ୍ତର୍ନିହିତ ଗୁଢ଼ାର୍ଥ ନ ବୁଝି ସେ ଏ ତତ୍ଵ ଅନୁଭବ ଏବଂ ଅନୁସରଣ କରିପାରିବେ ନାହିଁ । ଅତଏବ ନାଟକୀୟ ଏବଂ ପ୍ରାବନ୍ଧିକ ପ୍ରେମ ଚାପୋଡ଼ିର ସମ୍ୟକ୍ ଉଦାହରଣ ପ୍ରୟୋଜନ ।

 

ଜଣେ ଭଦ୍ରଲୋକ ସିଆଡ଼ୁ ଖୁସିରେ ଫାଟିପଡ଼ି ଫେରୁଛନ୍ତି । ଏଇ କେତେ ଦିନ ଧରି ସେ ଖାଲି ତାଙ୍କର ପ୍ରେମିକାଙ୍କ କଥା ଭାବୁଥିଲେ । ଆଉ ତାଙ୍କର ମୁହଁ ଉପରେ ଶତଶତ ଶତାବ୍ଦୀର ତୁଷାର ପରି ବେଦନା ସବୁ ଜମାଟ ବାନ୍ଧି ରହିଥିଲା । ହଠାତ୍ ସେସବୁ ତରଳିଯାଇ ଭିତରର ପ୍ରସନ୍ନତ । ଦାନ୍ତ ଦେଖାଇ ପାରିଲା । ଏହାର କାରଣ ଜାଣିବାକୁ ସ୍ଵଭାବତଃ ଆପଣ ଆଗ୍ରହୀ । ସେ କହିଲେ ।

 

“ଆଜି ମୋର ତାଙ୍କ ସଙ୍ଗେ କଥାବାର୍ତ୍ତା ହେଲା ।“

 

‘ହୁଁ ? ଆଚ୍ଛା ?’ –ଆପଣଙ୍କର ଆଗ୍ରହ ଆହୁରି ବଢ଼ିଗଲା ।

 

‘ସେ କ’ଣ କହିଲେ ?’ –ଆପଣ ପଚାରିଲେ ।

 

‘ସେ ?’ ସେ କହିଲେ,‘ସେ’ କହିଲେ ‘ଚୋପ୍’ ।

 

ଏହି ଧରଣର ଘଟଣାରେ ‘ଚାପୁଡ଼ା’ (ଚୋପ୍ ଶବ୍ଦ ଚାପୁଡ଼ାରୁ ଆସିଥିବା ଅନୁମାନ କରାଯାଏ) ର ଶ୍ରେଣୀ ବିଭାଗ କରିବାକୁ ଆପଣ ବାଧ୍ୟ । ଏହାହିଁ ନାଟକୀୟ ଚାପୁଡ଼ା । ଏଥିରେ ନାୟକ ଅଛି, ନାୟିକା ଅଛି, ଦୁଷ୍ଟ ବାଳକ (ଆପଣ) ଅଛି ଏବଂ ପ୍ରେମ, ବିରହ, ରାଗ ରୋଷାଦି ନାନା ନାଟକୀୟ ଭାବ ବି ରହିଛନ୍ତି । ସବୁଠୁଁ ବଢ଼ିଆ ଏକ ନାଟକୀୟ ବ୍ୟଗ୍ରତା ରହିଛି ଏବଂ ଏକ ଚରମ ପରିଣତି ବି ରହିଛି । ବାଃ, ନାଟକରେ ଆଉ କିଛି ଥାଏ ନା କ’ଣ ?

 

ପ୍ରାବନ୍ଧିକ ଚାପୁଡ଼ା ସାମାନ୍ୟ କ୍ଳିଷ୍ଟତର । ଏହାକୁ ବୁଝିବାକୁ ହେଲେ ଆପଣଙ୍କର କଳ୍ପନାଶକ୍ତି ଯଥେଷ୍ଟ ଉଚ୍ଚକୁ ଉଠିଯିବା ଦରକାର । ତେବେ ଉଦାହରଣଟାଏ ଦେଇଦେଲେ ଅବା ଅଳ୍ପକେ ହେଇଯିବ । ଖବରକାଗଜ ଉପରେ ଆପଣଙ୍କ ପିଲାଦିନେ ଲେଖିଥିବା ପ୍ରବନ୍ଧଟିକି ମନେ ପକାନ୍ତୁ । ମନେ ପକାଇଲେ ଆପଣଙ୍କ ମନକୁ ଆସିବ । ଆଗେ ଖବରକାଗଜ କାହାକୁ କହନ୍ତି ସେକଥା ସହିତ ଏକ ପରିଚ୍ଛଦ । ଅସ୍ଵାର୍ଥଃ ଏପରି ଏକ କାଗଜ ଯେଉଁଥିରେ ଅମୁକ ସମୁକ ଥାଏ । କିମ୍ବା “ଈଶ୍ୱରଙ୍କ ସୃଷ୍ଟିରେ ଯେଉଁସବୁ ପଦାର୍ଥ ରହିଛି, ତା ମଧ୍ୟରେ ଖବରକାଗଜ ଗୋଟିଏ କିମ୍ବା ୟା’, ତା’ ଯା କିଛି । ଇତି ଉପକ୍ରମ । ତା ପରେ ବିଷୟବସ୍ତୁ ମଧ୍ୟରେ, ଖବରକାଗଜର ଉପକାରିତା ଯଥା ଏହା ଉପରେ ବସି ଖିଆପିଆ କରାଯାଇପାରେ, ଟ୍ରଙ୍କ୍‍ରେ ବିଛାଇ ଲୁଗାପଟା ରଖିଲେ ଆଉ ଜଙ୍କ ଲାଗେନାହିଁ, ବହିର ମଲାଟ ଲାଗି ଏହା ସୁବିଧା, ଠୁଙ୍ଗା ଇତ୍ୟାଦିରେ ଏହାର ଉପଯୋଗିତା ଏବଂ ଏହା ଥିବାରୁ କିଛି ପଢ଼ିବାକୁ ନ ଥିଲେ ବସି ପଢ଼ି ହୁଏ । ଏହି ପରିଚ୍ଛଦ ପରେ ଅପକାରିତା ନେଇ ଆପଣ ଲେଖିଲେ, ଏହା ଥିବାରୁ ଘରେ ମୂଷା ହୁଅନ୍ତି, ଘର ଅସନା ମସନା ହୁଏ, କାରଣ ଏହା ଚିରିବାକୁ ପିଲାମାନେ ଭଲପାଆନ୍ତି ଏବଂ ମନୁଷ୍ୟ ଶୋଇଥିଲାବେଳେ କେହି ଏହାକୁ ପଢ଼ିଲେ ଖଡ଼ ଖଡ଼ ଶବ୍ଦରେ ନିଦ ଭାଙ୍ଗି ଯାଏ ଇତ୍ୟାଦି । ତା ପରେ ଉପସଂହାର – “ସେ ଯାହା ହେଉ, ଖବରକାଗଜ ଯେ ଗୋଟିଏ ଉପକାରୀ ପଦାର୍ଥ, ଏଥିରେ ସନ୍ଦେହ ନାହିଁ ।’’

 

ଠିକ୍ ଏହି ତଥ୍ୟକୁ ଚାପୁଡ଼ା କ୍ଷେତ୍ରରେ ପ୍ରୟୋଗ କରନ୍ତୁ । ଅପପ୍ରୟୋଗ କଲେ ଆପଣ ପାଇବେ–ଯେଉଁ ଚାପୁଡ଼ା ପୂର୍ବରୁ ପ୍ରେମିକ–ପ୍ରେମିକା ଚାପୁଡ଼ାର ଅର୍ଥ, ବିଭାଗ, ଉପକାର, ଅପକାର ବିଷୟରେ କଥାବାର୍ତ୍ତା କରି ଚାପୁଡ଼ାର ଆଦାନ ପ୍ରଦାନରେ ଉପସଂହାର କରନ୍ତି । ତାହାହିଁ ପ୍ରେମଚାପୋଡ଼ିର ପ୍ରାବନ୍ଧିକ ସଂସ୍କରଣ । ଭୁଲ୍ । ହେଲା ନାହିଁ । ମନେରଖିବେ, ପ୍ରବନ୍ଧରେ ଅସଲ କଥା ହେଲା ତାହା କୌଣସି ନାୟକ–ନାୟିକା, ବିଷୟବସ୍ତୁ ବା ନାଟକୀୟ ବ୍ୟଗ୍ରତା ଏବଂ ଚରମ ପରିଣତି ଦେଖାଏ ନାହିଁ । ଏହା ଅନବରତ ଗୋଟିଏ କଥାକୁ ବଢ଼ାଇ ଚାଲିଥାଏ । ଅତଏବ ପ୍ରାବନ୍ଧିକ ପ୍ରେମଚାପୋଡ଼ି ହେଲା ସେଇ ରକମର ପ୍ରେମ ଚାପୋଡ଼ି, ଯାହାକି ବରାବର ନିଜକୁ, ନିଜର ସଂଖ୍ୟାକୁ, ବଢ଼ାଇ ଚାଲିଥାଏ, ନାୟକ–ନାୟିକା, ନାଟକୀୟ ଆବେଗ ବା ଚରମ ପରିଣତି ପ୍ରତି ଉଦାସୀନ ଭାବରେ । ଉଦାହରଣ ରାସ୍ତାରେ ଯାଉ ଯାଉ ଏକ ରିକ୍‍ସାଗାମିନୀ କଲେଜ ପ୍ରତ୍ୟାବର୍ତ୍ତିନୀ ସୁନ୍ଦରୀ, ବାଇକ୍ ଆରୁଢ଼ ଏକ ଭଦ୍ରସନ୍ତାନକୁ ଚଟିରେ ବହେ ପିଟିଲେ, ତାହାର ଆପତ୍ତି ଅଭିଯୋଗ ପ୍ରତି କାନ ନ ଦେଇ । ତାପରେ କାରଣ ଅନୁସନ୍ଧାନ କରିବାରେ ଦେଖାଗଲା ଯେ ପିଲାଟି ସାଇକ୍ଳିରିକ୍‍‍ସା ଭିତରକୁ ହାତ ବଢ଼ାଇବାର ଏହି ଉପସଂହାର ହୋଇଛି । ଇତି ପ୍ରାବନ୍ଧିକ ପ୍ରେମଚାପୋଡ଼ି କଥନ ସମାପ୍ତ ।

 

ଆଉ ଏକ ବିଭାଗ, ପ୍ରେମଚାପୋଡ଼ି ପ୍ରାରମ୍ଭିକ, ମାଧ୍ୟମିକ ଓ ଆନ୍ତିକ । ପ୍ରାରମ୍ଭିକ ପ୍ରେମଚାପୋଡ଼ିରୁ ପ୍ରେମ ଆରମ୍ଭ ହୁଏ (ଯଥା : ହିନ୍ଦୀ ସିନେମା ମାର୍କା ପ୍ରେମ) ସାଧାରଣତଃ ଭୁଲବୁଝା ମାଡ଼ ମାଧ୍ୟମିକ ବିଭାଗରେ ଆସିବ, ଯେଉଁଠି ପ୍ରେମ ଆରମ୍ଭ ହୋଇଛି କିନ୍ତୁ ସରିନାହିଁ । ଏପରି ସମୟରେ ଚାପୁଡ଼ା ପ୍ରେମକୁ ଶେଷ କରେନା, ବଢ଼ାଏ । ଆନ୍ତିକ ପ୍ରେମଚାପୋଡ଼ି ଦ୍ଵାରା ପ୍ରେମ ଶେଷ ହୁଏ । ଏ ଧରଣର ଚାପୁଡ଼ା ସଙ୍ଗେ ବ୍ରହ୍ମଚାପୋଡ଼ିର ଘନିଷ୍ଟ ଯୋଗ ରହିଛି । ଏଥିର ଉଦାହରଣ ନିଷ୍ପ୍ରୟୋଜନ ।

 

ବର୍ତ୍ତମାନ ଆମେ ବିଭାଗୀକରଣ ଶେଷକଲେ, ଯଦିଓ ଆଉ ଅନେକ ବିଭାଗ ଅନେକ ବିଜ୍ଞ ଲୋକଙ୍କ ମତରେ ରହିଛି । ଏମାନେ କହନ୍ତି, ନାଟକୀୟ ବିଭାଗଟା ‘ବିୟୋଗାନ୍ତକ ଏବଂ ‘ମିଳନାନ୍ତକ’ ଏହି ଦୁଇ ଧରଣରେ ବିଭକ୍ତ କରାହେଉ । ପୁଣି ପ୍ରାବନ୍ଧିକ ପ୍ରେମଚାପୋଡ଼ିର ସୂକ୍ଷ୍ମତର ବିଭାଗୀକରଣ ହେଉ, ଯଥା ବର୍ଣ୍ଣନାତ୍ମକ (ଚାପୁଡ଼ା ମାରୁ ମାରୁ ତାହାର ସାମ୍ଭାବ୍ୟ ଫଳ ସମ୍ବନ୍ଧରେ ବର୍ଣ୍ଣନା ଯେପରି–ତୋର ମୁହଁ ବଙ୍କା ହୋଇଯିବ, ଆଠଦିନ ଡାକ୍ତରଖାନାରେ ରହିବୁ ଆଦି) ତୁଳନାତ୍ମକ (ଚାପୁଡ଼ାର ପ୍ରୟୋଗ ସଙ୍ଗେ ସଙ୍ଗେ ନାୟକ ପ୍ରତି ନାନା ନୀଚ ପ୍ରାଣୀର ତୁଳନାର ପ୍ରୟୋଗ ‘ଦେଖୁଥାରେ ଘୋଡ଼ାମୁହାଁ’, ‘ଗଧ–ଘୁଷୁରି–ଘୋଡ଼ା’ ଆଦି ବା କୌଣସି ଅସମ୍ଭବ ପାରିବାରିକ ସମ୍ପର୍କ ସ୍ଥାପନ ଯଥା ‘ଶଳା’) ଇତ୍ୟାଦି । ସେହିପରି କେହି କେହି କହନ୍ତି ଯେ ଗାଣିତ୍ୟିକ ପ୍ରେମଚାପୋଡ଼ି ଏକ ଶ୍ରେଣୀ । ଏମାନଙ୍କୁ ମୋର ଉତ୍ତର ଏତିକି, ଖୁବ୍ ବିଶ୍ଳେଷଣ କଲେ ଜିନିଷଟା ନିରସ ହୋଇଯାଏ । କେତେଟା ମୋଟାମୋଟି ବିଭାଗ କରିଦେଇ ପ୍ରେମଚାପୋଡ଼ିକୁ ତା ବାଟରେ ଛାଡ଼ିଦେବା ଉଚିତ ।

 

କିନ୍ତୁ ବିଭାଗ ଛଡ଼ା ଆଉ ଏକ ମୂଳକଥା, ଚାପୁଡ଼ିର ଆଲୋଚନା ବେଳେ ମନକୁ ଆସେ-। ସେଇଟି ହେଲା, ପ୍ରେମଚାପୋଡ଼ିର ଜୀବନ-ଦର୍ଶନ କ’ଣ ? କେଉଁ ପଥରେ ମନୁଷ୍ୟ ସମାଜକୁ ପ୍ରେମଚାପୋଡ଼ି ନେଇ ଚାଲିଛି ? ତାହା କ’ଣ ଈଶ୍ୱରଙ୍କ ପ୍ରଦତ୍ତ ସତ୍‍ମାର୍ଗ, ନା ମନୁଷ୍ୟକୃତ ଅସତ୍‍ମାର୍ଗ ? ପୁଣି, ବିବର୍ତ୍ତନର ସ୍ତରେ ସ୍ତରେ ପ୍ରେମ ଚାପୋଡ଼ିର ମହତ୍ତ୍ଵ ଫୁଟି ଉଠିଛି ନା ନାହିଁ ? ଏସବୁ ପ୍ରଶ୍ନର ଉତ୍ତର ଦେବା ଅବଶ୍ୟ ସହଜ କଥା ନୁହେଁ, ତେବେ ପ୍ରଶ୍ନ ମନକୁ ଆସେ-

 

ଖୁବ୍ ସ୍ନେହଶୀଳ ପାଖରୁ ପ୍ରହାର ଖାଇବାଟା କିଛି ଅସାଧାରଣ ଘଟଣା ନୁହେଁ, ଏ ପ୍ରହାର କିନ୍ତୁ ଯେ ସେ ପ୍ରହାର ନୁହେଁ । ଏ କେବଳ ପ୍ରେମର ନିଦର୍ଶନ ସ୍ୱରୂପ, ପ୍ରେମ ପାଇଁ ଏବଂ ପ୍ରେମର ପ୍ରହାର । ଈଶ୍ୱରଙ୍କର ଏହି ବିଚିତ୍ର ସୃଷ୍ଟିରେ ସ୍ନେହ, ଦୟା, କ୍ଷମା ସହିତ ପୂରିରହିଛି ହିଂସା, ଦ୍ଵେଷ ଇତ୍ୟାଦି କଦର୍ଯ୍ୟ ଧ୍ଵଂସମୂଳକ ବିଭାବମାନ । ଏହି ତ ପୃଥିବୀ ! ସମସ୍ତ ବନ୍ଧୁତାର ସମାପ୍ତି ହେଉଛି ପ୍ରତ୍ୟକ୍ଷ ବା ପରୋକ୍ଷ ଶତ୍ରୁତାରେ । ଅର୍ଥାତ୍ ପ୍ରତ୍ୟେକ ବନ୍ଧୁତା ମଧ୍ୟରେ ଶତ୍ରୁତା ଅନ୍ତଃସଲୀଳ ଫଲ୍‍ଗୁପରି ପ୍ରବାହିତ । ଏହି ହେଲା ପ୍ରେମ ଚାପୋଡ଼ିର ଅନ୍ତର୍ନିହିତ ଜୀବନ–ଦର୍ଶନ । କେବଳ ଏହି ଉପଲବ୍‍ଧି ହିଁ ସୌନ୍ଦର୍ଯ୍ୟ ।

 

ବାକୀ ବିବର୍ତ୍ତନର ସ୍ତରେ ସ୍ତରେ କେବଳ ପ୍ରେମ ଚାପୋଡ଼ିର ନାନା ନିଦାନ ଭରପୁର । ଅନେକ ସ୍ତରରେ ପ୍ରେମର ନିଦର୍ଶନ ସ୍ୱରୂପ କାମୁଡ଼ା କାମୁଡ଼ିର ପ୍ରୟୋଗ ଦେଖାଯାଏ । ବିବର୍ତ୍ତନର ସର୍ବୋଚ୍ଚ ସ୍ତରରେ ଆଜିର ମଣିଷ ପ୍ରତ୍ୟେକ କଥାରେ, ନିଜର ପ୍ରତ୍ୟେକ ପ୍ରେମରେ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ପ୍ରେମଚାପୋଡ଼ି ପ୍ରୟୋଗ କରେ । ମଣିଷ ହସୁହସୁ ମରିବା ଆପଣମାନେ ଖବରକାଗଜରୁ ପଢ଼ିଥିବେ । ଦେଶର ଖବରକାଗଜବାଲାଏ ଯଦି ଏ ଆଡ଼କୁ ଦୃଷ୍ଟି ଦିଅନ୍ତେ, ତେବେ ଆପଣ ସମ୍ବାଦ ପାଇ ପାରନ୍ତେ କେଉଁଠି ପ୍ରେମର ଚିହ୍ନ ସ୍ୱରୂପ ପ୍ରେମିକା ଦେହରେ ଲୁହା ଖଡ଼ିକାର ଚିଆଁ ଦିଆହେଉଛି । ରାସ୍ତାରେ ଖବରକାଗଜର ହକର୍ ଡାକି ଡାକି ବୁଲନ୍ତେ “ପ୍ରେମର ବିସ୍ଫୋରଣରେ ଦୁଇଜଣ ମଲେ” ଏବଂ ପ୍ରେମର ନିରାକରଣ ଲାଗି ନାନା କମିଟି ବସନ୍ତା ଠିକ୍ ଯେପରି ଆଟମବୋମା ପାଇଁ ହେଉଛି (ହାୟ ! ମନୁଷ୍ୟ କେବେ ଜାଣିପାରିବ ଯେ ପ୍ରେମ ଆଟମ୍ ହୟୋମଧ୍ୟେ ପ୍ରେମ ଏବ ଭୟଙ୍କରୀ) । ହୁଏତ ଆମେରିକାରୁ ଏକ ପ୍ରଦର୍ଶନୀ ଆସନ୍ତା “ଶାନ୍ତିପାଇଁ ପ୍ରେମ” । ଆଉ କ’ଣ କ’ଣ ହୁଅନ୍ତା, ଆପଣ ହିଁ ଅନୁମାନ କରି ନିଅନ୍ତୁ ।

 

ତା ହେଲେ ପ୍ରେମ ଚାପୋଡ଼ିର ସମସ୍ତ କଥା ଚିପୁଡ଼ା ସରିଗଲା । ଅଳମତି ବିସ୍ତରେଣ । ଅତି ଲେମ୍ବୁ ଚିପୁଡ଼ିଲେ ପିତା । ତେବେ ଏହି ପ୍ରବନ୍ଧଟି ଯଦି ଜଗତରେ ଚାପୁଡ଼ା ସମ୍ବନ୍ଧରେ ଏକ ନୂତନ ଚେତନା ଆଣେ, ତେବେ ଯାଇଁ ଲେଖକର ପରିଶ୍ରମ ସାର୍ଥକ ହେବ, ନଚେତ୍ ନାହିଁ ।

Image

 

ପ୍ରିୟା-ପ୍ରୀତି ତୋଷଣାୟ

 

ଆଧୁନିକ ଭାରତର କେତେକ ଭ୍ରାନ୍ତ ଧାରଣା ଦୂର କରିବା ଉପସ୍ଥିତ ରଚନାଟିର ଉଦ୍ଦେଶ୍ୟ । ଯେହେତୁ ଆଧୁନିକ ଭାରତ ପ୍ରିୟା-ପ୍ରୀତି, ତୋଷଣ-ପପ୍ରୀତିତ, ଯେହେତୁ ଏଠି ଯୁଆଡ଼େ ଆଖି ଯାଏ ସିଆଡ଼େ ପ୍ରିୟାପ୍ରୀତିତୋଷଣ ନାମକ ଭୂତ ଦାନ୍ତ ନିକୁଟି ଝୁଲି ରହିଥାଏ । ଆମେ, ଆଧୁନିକ ଭାରତୀୟ ନାଗରିକମାନେ ମନେକରିଥାଉଁ ଯେ ଏ ଭୂତ ଆଟମ୍ ବୋମା, ନଳୀଗୋଡ଼ିଆ ପେଣ୍ଟ୍, ଟେରିଲିନ୍ ଓ କାରୋନାରୀ ଥ୍ରମ୍ବୋସିସ୍ ପରି କେବଳ ଆଧୁନିକ ସଭ୍ୟତାର ଦାନ ଏବଂ ଆଧୁନିକ କାଳର ସମ୍ପତ୍ତି; ଯେ ଆଗେ, ଯେବେ ଚାରିଆଡ଼େ ଘିଅ ମହୁ ଉତୁରୁ ଥିଲା ପୃଥିବୀରେ ଧର୍ମ ପ୍ରତିଷ୍ଠିତ ଥିଲା ସେତେବେଳେ ପ୍ରିୟାପ୍ରୀତିତୋଷଣର ନାମଗନ୍ଧ ନ ଥିଲା ।

 

ମାତ୍ର ଉପସ୍ଥିତ ଲେଖକ ପରି ସାମାନ୍ୟ ତଳେଇ ଆଲୋଚନା କଲେ ଜଣାଯିବ ଯେ ଏହା ଏକ ଅକାରଣ ଏବଂ ଉଭଟ ଧାରଣା । ଏହା କେବଳ ଆଘାତପ୍ରାପ୍ତ ଏବଂ ବିକାରଗ୍ରସ୍ତ ମନର ପ୍ରତିକ୍ରିୟା । ଆଘାତପ୍ରାପ୍ତ ଓ ବିକାରଗ୍ରସ୍ତ ବ୍ୟକ୍ତି ନିଜର ବର୍ତ୍ତମାନ ସଂଗେ ସର୍ବଦା ଲୁଚକାଳି ଖେଳୁଥାଏ । ତାହା ମତରେ ଯାହା ‘ଥିଲା’ ତାହାହିଁ ଭଲ, ଯାହା ‘ଅଛି’ ତାହା ଖରାପସ୍ୟଖରାପ୍ ଆଉ ଯାହା ‘ହେବାକୁ ଯାଉଛି’ ତାହା ଭଗବାନ ଜାଣନ୍ତି କେଉଁ ରସାତଳକୁ ରାସ୍ତା ।

 

ଅବଶ୍ୟ ଆପଣମାନଙ୍କ ପରି ବିଜ୍ଞବ୍ୟକ୍ତିଙ୍କ କଥା ଏଠାରେ ପଡ଼ିନାହିଁ । ତେବେ ଏକଥା ଖାଲି ଆପଣ ଓ ମୋ ଭିତରେ ପଡ଼ିଛି, ଖୁବ୍ ଦରକାର ମନେ ନ ହେଲେ କାହାରିକି କହିବେ ନାହିଁ । ହେ ବିଜ୍ଞ, ହେ ଧୀମାନ୍ ! ଆପଣଙ୍କୁ କିଛି ବୁଝାଇବାର ଧୃଷ୍ଟତା ନିଜଗୁଣେ ମାର୍ଜନା କରିବା ହେବେ-। କେବଳ କେତେକ ଛୋଟିଆ କଥା, ଯାହାକି ଆପଣଙ୍କର ବୃହତ୍ତର ଜୀବନର ବଡ଼ବଡ଼ କର୍ମର ଗୁରୁଚାପ ତଳେ ମାଡ଼ିମୁଡ଼ି ହୋଇ ରହିଯାଇଥିବାର ସମ୍ଭାବନା ରହିଛି, ଯେଉଁସବୁ କଥାକୁ ଆପଣ ଅଣହେଳାରେ ଆଳିମାଳିକା ଝୁଡ଼ି ଆଡ଼କୁ ଠେଲି ଦେଇଥିବା ବି ବିଚିତ୍ର ନୁହେଁ, ସେହି ସବୁ ଅକିଞ୍ଚିତ୍‍କର ବିଷୟବସ୍ତୁ ମଧ୍ୟରୁ ଗୋଟିଏ ଆପଣଙ୍କର ସୁବିଚାରାର୍ଥେ ସେବକ ଆପଣଙ୍କ ପାଦତଳେ ତୋଳି ଧରୁଅଛି !

 

ତୋଳି ଧରୁଛି ଏହି ଉଦ୍ଦେଶ୍ୟରେ ଯେ, ଦେଶରେ ପ୍ରିୟାପ୍ରୀତିତୋଷଣ ହେଉଥିବାର ସୁଯୋଗ ନେଇ କେତେକ ଧର୍ମଧ୍ଵଜୀ ଡିଣ୍ଡିମ ପିଟି ଚାଲିଛନ୍ତି ଯେ ଏହା କେଉଁ କାଳେ ଦେଖା ନ ଥିଲା କି ଶୁଣା ନ ଥିଲା । ସେମାନଙ୍କର ଅଳୀକ ଚିତ୍କାର ଫଳରେ ଦେଶର ଅକଳନ କ୍ଷତି ହେଉଛି । ଦେଶର ଜନସାଧାରଣ, ଯେ କି ଟିକେ କଥାରେ ବାଟହୁଡ଼ି ଅଙ୍କାବଙ୍କା ରାସ୍ତାରେ ଚାଲିଯାଆନ୍ତି, ତାଙ୍କ କଥା ବାଦ୍ ଦିଅନ୍ତୁ, ଜାଣିବା ଶୁଣିବା, ଜ୍ଞାନୀଗୁଣୀ ନେତୃସ୍ଥାନୀୟ ବ୍ୟକ୍ତି ମଧ୍ୟ ଏଥିରେ ବାଟବଣା ହୋଇଯାଉଛନ୍ତି । ଏପରି ଜଣଙ୍କୁ ଘାବରେଇ ଯିବାର ମୁଁ ସ୍ଵଚକ୍ଷୁରେ ଦେଖିଅଛି । ଏହି ବ୍ୟକ୍ତି ପ୍ରିୟାପ୍ରୀତିତୋଷଣର ଅଭିଯୋଗ ଶୁଣୁ ଶୁଣୁ ଦଶମିନିଟ୍ ମଧ୍ୟରେ ଅନ୍ୟୁନ ପନ୍ଦରଥର ପକେଟ୍‍ରୁ ରୁମାଲ୍ ବାହାରକରି ଶୀତଦିନରେ ହିଁ ମୁହଁ ପୋଛିଲେ । ଏପରି କର୍ମ ଦେଶ ପକ୍ଷରେ କେତେ କ୍ଷତିକର, ସାମାନ୍ୟ ହିସାବ କଲେ ଜଣାପଡ଼ିଯିବ । ଯେବେ ଦେଶର ପ୍ରତ୍ୟେକ ଜାଣିବା ଶୁଣିବା ନେତୃସ୍ଥାନୀୟ ବ୍ୟକ୍ତି ପ୍ରତ୍ୟେକ ଦଶମିନିଟରେ ପନ୍ଦରଥର କରି ରୁମାଲଦ୍ଵାରା ଯଥାକ୍ରମେ ନିଜ ନିଜର ମୁହଁ ପୋଛନ୍ତି, ତାହେଲେ ସାରା ଭାରତବର୍ଷରେ ପ୍ରତି ଦଶମିନିଟରେ ଅନ୍ତତଃ ପନ୍ଦରଟନ୍ ରୁମାଲ୍ ହାରାହାରି ଅଠରଇଞ୍ଚ ଉପରକୁ ଉଠିବ– ବିନା କେଉଁ ମେସିନାରି ସାହାଯ୍ୟରେ–ତୁଚ୍ଛା ପେଶୀୟ ଶକ୍ତି ଦ୍ଵାରା । ତାହା ପୁଣି ଶୀତଦିନରେ ! ଅର୍ଥାତ୍ ଯେଉଁ ମାନବିକ ପେଶୀୟ ଶକ୍ତିସମୂହ ଦେଶର ଗଠନମୂଳକ କାର୍ଯ୍ୟବିଧିରେ ଉପଯୋଗ ହୋଇପାରିଥାନ୍ତା ତାହା ଆଦାନ ଅବ୍ରାହ୍ମଣରେ ଗଲା । ସେ ପୁଣି ରାମା, ଦାମା, ଶାମାଙ୍କ ଶକ୍ତି ନୁହେଁ, ବିଜ୍ଞ ପାଠକବର ! ଏ ଯେଉଁ ଶକ୍ତି ନଷ୍ଟ ଗଲା, ଏହା ଆମର ଲୋକସଂଖ୍ୟାର ଉପରିଭାଗର ଶତକଡ଼ା ଏକ୍‍ର ଶକ୍ତି–ସେହି ଶକ୍ତି, ଯେ କି ଗୋରୁ ନୁହେଁ, ମଣିଷ ଚରାଏ, ସେହି ଶକ୍ତି, ଯେ କି ଆପଣ ଓ ମୋ ଭଳି କୋଟି କୋଟି ଅକିଞ୍ଚନ ଜନତାର ରୋଜିନା ଚଳାଚଳ ନିୟନ୍ତ୍ରଣ କରେ ! ତାହା ପୁଣି କାହିଁକି, ନା ଏକ ଅଳୀକ, ଅକାରଣ, ଅକିଞ୍ଚିତ୍‍କର ବିବେକ ଦଂଶନ ଫଳରେ !

 

ବିଜ୍ଞବର ! ଅନୁମାନ କରନ୍ତୁ ହଜୁରେ । ବୋଲିବା ବାହୁଲ୍ୟ ଯେ ଦେଶର ନେତୃସ୍ଥାନୀୟ ବ୍ୟକ୍ତିଗଣଙ୍କର ବୁଝିବା ଶକ୍ତି ଉପରେ, ମସ୍ତିସ୍କଚାଳନା ଉପରେ ଅଯଥା ସନ୍ଦେହ ଆରୋପ କରିବା ମୋର ଉଦ୍ଦେଶ୍ୟ ନୁହେଁ । କିନ୍ତୁ ଆପଣ ଯଦି ଅପେକ୍ଷାକୃତ କମ୍ ଗୁରୁତର କର୍ମର ଗୁରୁଭାର ଫଳରେ ଆଲୋଚ୍ୟ ବିଷୟବସ୍ତୁଟି ବିସ୍ତୃତ ହୋଇପାରୁଛନ୍ତି ସେମାନେ ତ ଆହୁରି, ଆହୁରି ଉପରେ, ଢେର୍ ଢେର୍ ଗୁଣ ଅଧିକ ଓଜନଦାର୍ କର୍ମର ଗୁରୁଭାର ସେଠି । ଏହା ସମ୍ଭବ ଯେ ସେମାନେ କଥାଟାକୁ ବିଲ୍‍କୁଲ୍ ଜାଣି ନାହାନ୍ତି ! ଏହା ହିଁ ଉପସ୍ଥିତ ରଚନାର ମୂଳ ଉଦ୍ଦେଶ୍ୟ । ଲେଖକ ମନେକରେ ଯେ ତାହାର ଏହି ରଚନା, ଅନ୍ୟାନ୍ୟ ସବୁ ରଚନା ପରି, ନେତୃସ୍ଥାନୀୟ ବ୍ୟକ୍ତିମାନେ ପଡ଼ିବେ ନାହିଁ । ତେବେ ଲେଖକ ଆଶା ହରାଇବ ନାହିଁ । ଆପଣଙ୍କ ସଙ୍ଗେ ତ ସେମାନଙ୍କର ପ୍ରତିଦିନର କାରବାର ଆପଣ ଇଚ୍ଛା କଲେଇ କଥାଟା ସେମାନଙ୍କର ଶ୍ରୁତିତଟଗୋଚର ହୋଇପାରିବ । ଆପଣ ଯଦି ଏହି ସତ୍‍କର୍ମ କରନ୍ତି ଉପସ୍ଥିତ ଲେଖକ, ଯେ କି ବରାବର ଆପଣଙ୍କ ପାଖରେ ଋଣୀ, ସେ କୃତଜ୍ଞତର ହେବା ସଙ୍ଗେ ସଙ୍ଗେ ଦେଶର ଏକ ବଡ଼ ଧରଣର ଉପକାର ସାଧିତ ହେବ । ସେପରି ସ୍ଥଳେ ଯତ୍‍କିଞ୍ଚିତ୍‍ ପରିଶ୍ରମ ସାର୍ଥକ ହେବ ।

 

ବର୍ତ୍ତମାନ ଆପଣଙ୍କର ଅନୁମତିକ୍ରମେ ଆଲୋଚ୍ୟ ଭ୍ରାନ୍ତଧାରଣା ସମୂହ ନିବେଦନ କରିବି । ଆଧୁନିକ ମନୁଷ୍ୟ ମନେକରେ, ପ୍ରିୟାପ୍ରୀତିତୋଷଣ କେବଳ ‘ଆମ ଦେଶରେ’ ହୁଏ । ଅର୍ଥାତ୍ ମନେକରୁଥିବା ବ୍ୟକ୍ତି ଯେବେ ଭାରତୀୟ ହୋଇଥାଏ; ତାହା ବିଚାରରେ ପ୍ରିୟାପ୍ରୀତିତୋଷଣ କେବଳ ଭାରତବର୍ଷରେ ହୁଏ–ପୃଥିବୀର ଅନ୍ୟତ୍ର ହୁଏନା ବା ଯଦି ହୁଏ, ଏତେ ଅଳ୍ପ ଯେ ସେ ହିସାବର ଯୋଗ୍ୟ ନୁହେଁ ।

 

ଲେଖକ ତ ଆଉ ଆପଣଙ୍କପରି ବିଲାତ ଆମେରିକା ଘୁରିନାହିଁ । ଯାହା କହିବି, କେବଳ ଅନ୍ଦାଜ୍ ଉପରୁ କହିବି । ଏହି ଦୃଷ୍ଟିରୁ କେତେକ ବିଦେଶୀ ଚଳଚ୍ଚିତ୍ର ଏବଂ ଉପନ୍ୟାସ ପୁଙ୍ଖାନୁପୁଙ୍ଖ ପରୀକ୍ଷା କରି ମୁଁ ଜାଣିପାରିଛି ଯେ, ପୃଥିବୀର ସର୍ବତ୍ର ସମପରିମାଣରେ ପ୍ରିୟାପ୍ରୀତି ତୋଷଣ ହୋଇଥାଏ । ଉପରିଲିଖିତ ଭ୍ରାନ୍ତଧାରଣା ନମ୍ବର ଏକ, ସେ କ୍ଷେତ୍ରରେ ସମ୍ପୂର୍ଣ୍ଣରୂପେ ଭିତ୍ତିହୀନ । ଏହି ସିଦ୍ଧାନ୍ତ ବୈଜ୍ଞାନିକ ପଦ୍ଧତିରେ ନିଆ ସରିଲାଣି । ଏହାକୁ ଚରମ ବୋଲି ଗ୍ରହଣ କରିବେ, କାରଣ ଏ କ୍ଷେତ୍ରରେ କେବଳ ବୈଜ୍ଞାନିକର ସିଦ୍ଧାନ୍ତ ହିଁ ଚରମ– ଏବଂ କାରଣ ଦର୍ଶାଇବାକୁ କେହି ବାଧ୍ୟ ନୁହେଁ । ପ୍ରସଙ୍ଗକ୍ରମେ, ଏହି ସିଦ୍ଧାନ୍ତର ଏକ “କାରୋଲାରି” ନିବେଦନ କରିବି । ଓଡ଼ିଆ ଲୋକେ ଏହା ଜାଣିବା ପରେ ଯେପରି ଭାବିବା ବନ୍ଦ କରନ୍ତି ଯେ ପ୍ରିୟାପ୍ରୀତି ତୋଷଣ କେବଳ ଓଡ଼ିଶାରେଇ ହୁଏ ।

 

ତେବେ ଉପରର ସିଦ୍ଧାନ୍ତ କିଛି ବଡ଼ କଥା ନୁହେଁ । ଅତି ସହଜ ଏବଂ ବିଚାରଲାଗି ଅନୁପଯୁକ୍ତ । ଯାହା ଆଖି ଆଗରେ ଜଳ ଜଳ ଦିଶୁଛି, ତାହାର ପୁଣି ବିଚାର କେଉଁଥିପାଇଁ ? ବରଂ ଯାହାର ହିସାବ କିତାବ ହାଜର ନାହିଁ ବିଚାରର ଇଜ୍‍ଲାସରେ, ତାହାରି ବିଚାର ହେଉ । ଯାହା ଅଛି ସେଥି ଉପରେ ଛେନାରୁ ଚୋପା ଛଡ଼ାଇବା ନିଷ୍ପ୍ରୟୋଜନ । ତେବେ ଗର୍ ହାଜିର୍ ସବୁତ୍ ଉପରେ ବିଚାର କିଞ୍ଚିତ୍ ତାର୍କିକତା ଲୋଡ଼େ ଏବଂ ଅବ୍ୟକ୍ତିଗତ ଖୋଲା ମନର ବୈଜ୍ଞାନିକ ଅନୁସନ୍ଧାନ ଖୋଜେ । ମୋତେ ଭୁଲ୍ ବୁଝିବେ ନାହିଁ ପ୍ରାଜ୍ଞ ! ଏହାର ଅର୍ଥ ନୁହେଁ ଯେ ଉପସ୍ଥିତ ଲେଖକ ଆପଣଙ୍କଠାରୁ ଅଧିକ ବିଚାରବୁଦ୍ଧି ସମ୍ପନ୍ନ ! ଏପରି ନିଆଁଗିଳା କଥା କିଏ କେବେ ଶୁଣିଛି ଭଲା ? ତାହାର ବିଚାରବୁଦ୍ଧି ଯେ ଢେର କମ୍ ଏହା କ’ଣ ସେ ଲେଖକ ହେବା କଥାଟିରୁ ଜଣା ପଡ଼ିଯାଉ ନାହିଁ କି ? ମୋ କହିବା କଥା, ଆଗେ କ’ଣ ହେଉଥିଲା ତା’ର ହିସାବ କିତାବ ନ ଥିବାରୁ ଯେ ପାରେ ସେ ଯାହା ଇଚ୍ଛା ତାହା କହି ଚାଲିଛନ୍ତି । ଏ ସବୁର ବିଚାର ଅତି ବେଶି ସାବଧାନତା ଦରକାର କରେ ।

 

ଇତିହାସକାରମାନେ ଇତିହାସରେ ପ୍ରିୟାପ୍ରୀତି ତୋଷଣ କଥା ଲେଖି ନାହାନ୍ତି । ଲେଖିବାକୁ ଭୁଲି ଯାଇଛନ୍ତି ହୁଏତ । ସେମାନେ ଭୁଲିଯାଇ ନ ଥିଲେ ଆପଣ ଆଉ ମୁଁ ଏତେ ହିନସ୍ଥା ହେଉ ନ ଥାନ୍ତେ । କାହିଁକି ଯେ ଇତିହାସକାରମାନେ ଏ କଥାଟାକୁ ଭୁଲିଗଲେ, ତାହା ଜଣା ପଡୁନାହିଁ । ତେବେ, ଐତିହାସିକମାନେ ମଧ୍ୟ ଭୁଲିଯାଆନ୍ତି, ବାକୀସବୁ ମନୁଷ୍ୟଙ୍କ ପରି, ଏକଥା ଅଭିଜ୍ଞତା ସିଦ୍ଧ । ଶ୍ରୀ ଧଡ଼ି ଲେଙ୍କା ବୋଲି ଜଣେ ଐତିହାସିକ ଲେଖକର ସାଙ୍ଗ । ମୁଁ ଦେଖିଛି ଧଡ଼ିବାବୁ ଅନ୍ତତଃ ଛଅଥର ତାଙ୍କ ସୁଟକେସ୍ ର ଚାବିଟି ହଜାଇ ଥିବାର । ଆପଣ ଭାବନ୍ତୁ–ମାନେ ଧଡ଼ିବାବୁ ଲେଖିବେ ଯେଉଁ ଇତିହାସ, ତହିଁରୁ ଯେ ଆମର ଭବିଷ୍ୟତ ବଂଶଧରଗଣ ଅନେକ କିଛି ପାଇବେ ନାହିଁ, ଏଥିରେ ଆଉ ବିଚିତ୍ର କ’ଣ ? କିଏ ଜାଣେ ଆମେ ପଢ଼ୁଥିବା ଇତିହାସର ଲେଖକମାନେ ଧଡ଼ିବାବୁଙ୍କ ପରି ବମ୍ ଭୋଳାନାଥ କି ନୁହଁ ! ମଣିଷ ମାତ୍ରେ ଭୁଲ୍ କରେ, ବିଜ୍ଞବର-! ଆଉ ଯେତେ କମ୍ ଦରମା ପାଉଥାଉ ପଛକେ, ଐତିହାସିକ ମଧ୍ୟ ମଣିଷ ।

 

ତେବେ ଠିକ୍ ଯେପରି ଡକେଇତି ଉପନ୍ୟାସମାନଙ୍କରେ ଅପରାଧୀ କେଉଁଠି ନା କେଉଁଠି କିଛି ନା କିଛି ଚିହ୍ନ ରଖି ଦେଇଥାଏ, ଠିକ୍ ସେହିପରି ଇତିହାସ ବହିରେ ବି ଚିହ୍ନ ଅଛି ! ଯଦିଓ କେଉଁଠି ହେଲେ ସିଧାସଳଖ ଲେଖା ହୋଇନାହିଁ, ସେ ଭଲ ରାଜା ଥିଲେ, ତାଙ୍କ ଅମଳରେ ପ୍ରିୟାପ୍ରୀତି ତୋଷଣ ହେଉଥିଲା, ତଥାପି ଆମର ବିଚାର ଆଲୋଚନା, ଗବେଷଣା ଓ ଅନୁସନ୍ଧାନ ଲାଗି ଢେର୍ ସାମଗ୍ରୀ ରହିଛି ।

 

ଆମେ ଜାଣୁ କିପରି ହିନ୍ଦୁରାଜାମାନେ ବ୍ରାହ୍ମଣମାନଙ୍କୁ ନିଷ୍କର ଭୂମି ଆଦି ଦେଇ ତୋଷଣ କରୁଥିଲେ । ମୁସଲମାନ ବାଦଶାହମାନେ କୋରାଣ ନକଲ କରାଇବା ବାହାନାରେ ମୁସଲମାନମାନଙ୍କୁ ପାଳୁଥିଲେ, ବୌଦ୍ଧଧର୍ମାବଲମ୍ବୀ ଭୂପାଳଗଣ ସର୍ବସ୍ୱଦାନ କରିବାର ବି ନିଜର ରହିଛି–ଜୈନମାନେ ତ ଲେଙ୍ଗୁଟି ପର୍ଯ୍ୟନ୍ତ ଦାନ କରିଦେଇ ପାହାଡ଼ଆଡ଼େ ଧାଉଁଥିଲେ ଲଜ୍ଜା ଘୋଡ଼ାଇବାକୁ–ଆଉ ଖ୍ରୀଷ୍ଟାନଙ୍କ କଥା ତ ଆପଣ ଅଙ୍ଗେ ନିଭେଇଛନ୍ତି ହଜୁରେ । ଯୁଗେ ଯୁଗେ ରାଜାରାଜୁଡ଼ାଏ ଆପଣା ପିଲାପିଚିକାଙ୍କୁ ଗାଦିରେ ବସାଇଛନ୍ତି । ସେମାନଙ୍କର ଯୋଗ୍ୟତା ଥାଉ ନ ଥାଉ, ବନ୍ଧୁବାନ୍ଧବଙ୍କୁ ପାରିଷଦ କରିଛନ୍ତି, ନିଜର ଦାସୀପୁତ୍ରକୁ ବି ଦେଶର ପଣ୍ଡିତ ଜନଙ୍କର ମଥା ଉପରେ ବସାଇଛନ୍ତି । ଏ ସବୁ ପ୍ରିୟାପ୍ରୀତିତୋଷଣ ନୁହେଁ ? ତା’ ଯେବେ, ଆପଣଙ୍କର ଅଫିସ୍‍ର ମୁଖ୍ୟ ଅଧିକାରୀ, ନିଜର ଭଣଜାକୁ ଏକ ପ୍ରମୋଶନ ଦେଇଥିବା କଥାଟି ଏତେ ପିତା ଲାଗୁଛି କ୍ୟାଁ-?

 

କ୍ଷମା କରିବେ ସୁଧୀବର ! ଏ ପ୍ରଶ୍ନ ଆପଣଙ୍କୁ ନୁହଁ । କିଏ ନ ଜାଣେ ଯେ ଅଫିସ୍ ଅଧିକାରୀ ତାଙ୍କର ଭଣଜାକୁ ଠେଲିପେଲି ଉପରକୁ ଉଠାଇଥିବାରୁ କେତେକ ଲୋକ ହା–ହୁତାଶ କରିଛନ୍ତି ଯେ ସେମାନଙ୍କ ପରି ଗୁଣୀଲୋକଙ୍କୁ କେହି ଚିହ୍ନିଲା ନାହିଁ । କିନ୍ତୁ ଆପଣଙ୍କୁ ‘ପିତା ଲାଗୁଛି’ କହିବା ମୋ ପକ୍ଷରେ ଔଦ୍ଧତ୍ୟ ଛଡ଼ା କିଛି ନୁହେଁ । କିଏ ନ ଜାଣେ ହଜୁରେ, ଯେ ଆପଣ ଯେବେ ‘ଖୋଦ୍‍ଙ୍କର ଭଣଜା ହୋଇ ନ ଥାନ୍ତେ, ଏ ଦେଶ ଆପଣଙ୍କୁ ହରାଇଥାନ୍ତା ! ବିକୃତ ମସ୍ତିସ୍କ ବ୍ୟକ୍ତିଗଣ ହା–ହୁତାଶ କରୁଥାନ୍ତେ । ଏହିପରି ଏକ ବିକ୍ଷୁବ୍‍ଧ ଭଦ୍ରଲୋକଙ୍କୁ ମୁଁ ଶୁଣାଇଥିଲି–‘ମହାଶୟ’ ଏହା ହିଁ ଜଗତର ନିୟମ । କବିଙ୍କ ଭାଷାରେ (ବିଶ୍ଵ–ତୁଳନାରେ...) ଉଶ୍ଵାସ ଭାଗ ଉଠିଲା, ଗରୁଆ ତଳକୁ ଗଲା, ଅର୍ଥାତ୍ ଯାହାର ଓଜନ ମାନେ ଗୁଣଗ୍ରାମ ‘କମ୍’ । ସେହି ଉପରକୁ ଉଠେ ଏବଂ ବିପରୀତ ପ୍ରକାର ଲୋକର ବିପରୀତ ଗତିହୁଏ । ଅବଶ୍ୟ ଆପଣଙ୍କର ଯେ ଗୁଣଗ୍ରାମ ନାହିଁ, ଏ କଥା କହିବା ଆଗରୁ କହିବା ଲୋକର ଜିଭ ଛିଡ଼ି ପଡ଼ିବ ।

 

ମୁଁ ଏକ ପ୍ରାକ୍‍ଗାନ୍ଧୀୟ ତୃତୀୟ ଶ୍ରେଣୀ ରେଲଡ଼ବାରେ କଲିକତା ଅଭିମୁଖେ ଯାତ୍ରା କରୁଥିଲାବେଳେ ଯେଉଁ ଘଟଣାଟି ଘଟିଥିଲା, ପ୍ରସଙ୍ଗକ୍ରମେ ତାହାର ଅବତାରଣା କରିବି, ପୁଣି ଆପଣଙ୍କର ଅନୁମତି କ୍ରମେ । ଏ ସବୁ ଘଟଣା, ହେ ସୌଧବାସୀ ବିଭବାନ୍ ! ଆପଣଙ୍କ ଜୀବନରେ ଘଟି ନ ଥିବ, କିନ୍ତୁ ଆମପରି ଅକିଞ୍ଚନ ଯାତ୍ରାପଥରେ ପ୍ରାୟ ନିତ୍ୟନୈମିତ୍ତିକ । ଜଣେ ଭଦ୍ରଲୋକଙ୍କ ସଙ୍ଗେ ଏଠାରେ ଆଳାପ ହୁଏ । ଯାତ୍ରାର ଅତ୍ୟଧିକ କଷ୍ଟ ହେତୁ ହେଉ କିମ୍ବା ଅନ୍ୟ ଯେକୌଣସି କାରଣରୁ ହେଉ, ତୃତୀୟ ଶ୍ରେଣୀର ଯାତ୍ରୀମାନେ ହିଁ ବେଶି ଆଳାପ କରିବାକୁ ସୁଖ ପାଆନ୍ତି । ହଜୁର୍ ଜାଣିଥିବେ ପ୍ରଥମ ଶ୍ରେଣୀରେ ଦରକାର ନ ହେଲେ କେହି ମୁହଁ ଖୋଲେନା । ଶୀତତାପ ନିୟନ୍ତ୍ରିତ ଶ୍ରେଣୀରେ ସହଯାତ୍ରୀଙ୍କର ଉପସ୍ଥିତି ମଧ୍ୟ ସ୍ଵୀକାର୍ଯ୍ୟ ନୁହେଁ । ଅଥଚ ଯେତେ ତଳକୁ ଖସିବେ, ଆପଣ ଏପରି ଲୋକଙ୍କୁ ସେତିକି ବେଶି ଭେଟିବେ । ଏ ଭଦ୍ରଲୋକ ମୋତେ କହିଲେ ଯେ, ଆଗେ ସଂସାରରେ ନ୍ୟାୟ ପ୍ରତିଷ୍ଠିତ ଥିବାରୁ ଲୋକେ ସୁଖଶାନ୍ତିରେ ଘର କରୁଥିଲେ, ଅଥଚ ଆଜିକାଲି... ଇତ୍ୟାଦି । ବୋଲିବା ବାହୁଲ୍ୟ ଏ ସେହି ଆଘାତପ୍ରାପ୍ତ ସମ୍ପ୍ରଦାୟର ବ୍ୟକ୍ତି । ସେ ଯେ ଆଘାତପ୍ରାପ୍ତ, ଏକଥା ମୁଁ ସ୍ଵଚକ୍ଷୁରେ ଦେଖିଅଛି । କିପରି ଶୁଣନ୍ତୁ ତା ହେଲେ ।

 

ଭୟଙ୍କର ଭିଡ଼ ହୋଇଥିଲା । ମହାମାନ୍ୟ ! ଆପଣ ଶୁଣିଲେ ବିଶ୍ଵାସ କରିବେ ନାହିଁ । ତୃତୀୟ ଶ୍ରେଣୀରେ ଭଗବାନ୍ ଜାଣନ୍ତି କାହିଁକି, ଏତେ ଭିଡ଼ ହୁଏ ! ଉପରୋକ୍ତ ଭଦ୍ରଲୋକ କୌଣସି ପ୍ରକାରେ ଝରକାବାଟେ ଠେଲାପେଲାକରି ପହିଲେ ଗୋଡ଼, ତାପରେ ମୁଣ୍ଡ ଏବଂ ପରେ ପରେ ଟ୍ରଙ୍କ୍, ବାକସ, ଏହି କ୍ରମରେ ଆବିର୍ଭୂତ ହୋଇଥିଲେ ଏବଂ ନିଜର ଏକ ବଡ଼ କଳା ଟ୍ରଙ୍କ୍ ଉପରେ କୌଣସି ପ୍ରକାରେ ଆସନ ଜମାଇଥିଲେ । ରାତି ଆଗେଇ ଚାଲିଲା, ଆମର ପାସେଞ୍ଜର ଗାଡ଼ିଟି ତୁଳନାରେ ବହୁଗୁଣ ଦ୍ରୁତ ଗତିରେ । ସେ କିଛି ସମୟ ପରେ ଢୁଲାଇବାକୁ ଆରମ୍ଭ କଲେ । ନିଜର ହଜୁରେ ପ୍ରଥମ ଶ୍ରେଣୀ, ତୃତୀୟ ଶ୍ରେଣୀ, ସରଂକ୍ଷିତ, ଅସରଂକ୍ଷିତ ବାଛ ବିଚାର ନାହିଁ । ପ୍ରକୃତରେ କେବଳ ପ୍ରଥମ ଶ୍ରେଣୀ ଓ ତଦୁର୍ଦ୍ଧ ଯାତ୍ରୀମାନଙ୍କୁ ହିଁ ନିଦ ମାଡ଼ିବା ଉଚିତ– କାରଣ ତା ହେଲେ ନିଦ ସୁବିଚାର ପାଇବ । ଖୁବ୍ ହେଲେ ପାରାଭାଡ଼ି ମାର୍କା ତିନିଟାୟାର ଶୋଇବା ଡବା ଯାକେ ସେ ଆସନ୍ତା । କିନ୍ତୁ କପାଳ ଆଜ୍ଞା ମନ୍ଦ । ହଁ, ଆମର ଭଦ୍ରଲୋକଟି ଢୁଳାଉଥିଲେ । ଉପର ବଙ୍କରେ ନିଜର ଶଯ୍ୟାରଚନା କରିବାକୂ ଜଣେ ଉଦ୍ୟୋଗୀ–ଜନନନ୍ଦନ ଯାତ୍ରୀଙ୍କର ଆଗ୍ରହାତିଶଯ୍ୟ ଫଳରେ ଯେଉଁ କେତେକ ମାଲ୍ ପତ୍ର ସ୍ଥାନାନ୍ତରିତ ହେଲେ, ତହିଁ ମଧ୍ୟରୁ ଏକ ବଡ଼ କଳାଟ୍ରଙ୍କ୍ ଆମର ତନ୍ଦ୍ରାଗତ ଭଦ୍ରଲୋକଙ୍କର ପିଠି ଉପରେ ଦାଲୋଂ କରି ପଡ଼ିଗଲା ଏବଂ ତାହାଙ୍କୁ ଏକ ବଡ଼ ଧରଣର “ସାଣ୍ଡଉଇଚ୍” କରି ଦେଇଥିଲା । ତାହାଙ୍କର ଅବସ୍ଥା ରୂପକଥାର ଦୁଷ୍ଟା ସ୍ତ୍ରୀମାନେ ଯେ କି “ତଳକଣ୍ଟା, ଉପରକଣ୍ଟା” ହୁଅନ୍ତି, ସେତେବେଳକାର ଅବସ୍ଥା ସଙ୍ଗେ ତୁଳନୀୟ ହେଲା । ଅତଏବ ସେ ଯେ ‘ଆଘାତପ୍ରାପ୍ତ’ ଏଥିରେ ସଂଶୟ କରିବେ ନାହିଁ ।

 

ଉପରଲିଖିତ ଘଟଣାର କିଛି ସମୟ ପରେ ଭଦ୍ରଲୋକ ନିଜର ସେହି ମନ୍ତବ୍ୟଟି ଲେଖକ ସମକ୍ଷରେ ଉପସ୍ଥାପିତ କରିଥିଲେ । ଯେତେବେଳେ ପଚରାଗଲା ଯେ ମହାଶୟ କ’ଣ ମନେକରନ୍ତି ଯେ, ଆଗକାଳେ କାହାରି ବିପଦ ଆପଦ ଆସୁ ନ ଥିଲା । ସେ ଉତ୍ତରରେ ସେହି ମନ୍ତବ୍ୟଟିର ପୁନରାବୃତ୍ତି କଲେ, ଏଥରକ ସଂସ୍କୃତ ଶ୍ଳୋକ ଦ୍ଵାରା ଅଳଙ୍କୃତ କରି । ସେ କହିଲେ ନିଜ କଥାର ତର୍ଜମା କରି, ଯେ ଯେଉଁ ଦେଶରେ ରଜା ଅନ୍ୟାୟ କରେ, ସେଠିକାର ପ୍ରଜାଏ କଷ୍ଟ ଭୋଗ କରନ୍ତି । ମୁଁ ଅବଶ୍ୟ ଜାଣିଥିଲି ଯେ ରାଜଧାନୀ ଦିଲ୍ଲୀର ନାନା ଅନ୍ୟାୟ ଅନାଚାର ଫଳରେ ହିଁ ଉକ୍ତ ମହାଶୟଙ୍କ ପିଠିରେ ଉକ୍ତ ଟ୍ରଙ୍କ୍‍ଟି ପଡ଼ି ତାହାଙ୍କୁ ଏତେ କଷ୍ଟ ଦେଲା, କିନ୍ତୁ କେବଳ ଯୁକ୍ତି ଛଳରେ ମୁଁ ନିମ୍ନଲିଖିତ କଥାଟି କହିଲି । ମୁଁ କହିଲି, ତାଙ୍କର ଧାରଣା ଏକବାରେ ଭୁଲ୍ । ଯଦି ଆଗକାଳେ ଲୋକେ ସୁଖରେ ଥିଲେ, ତାଙ୍କୁ ବିପଦ ଆପଦ ପଡ଼ୁ ନ ଥିଲା, ତାହାହେଲେ ଇଂରାଜୀ ଖବରକାଗଜମାନଙ୍କରେ ପ୍ରକାଶିତ ଶହେବର୍ଷ ତଳର ଖବରରେ ଦୁର୍ଭିକ୍ଷ, ମହାମାରୀ, ଦୁର୍ଘଟଣା ଆଦି କିପରି ରହିଛି ? ଆପଣ ଶୁଣିଲେ ଖୁବ୍ ଖୁସୀ ହେବେ ମହାମତି, ଯେ ଏ କଥାରେ ସେ ପରାସ୍ତ ହୋଇଗଲେ ଏବଂ ଶୋଇବାର ପେଖନା କଲେ ।

 

ଏମାନଙ୍କୁ ବିଶ୍ଵାସ କରିବେ ନାହିଁ ବିଜ୍ଞବର । ଭଗବାନ୍ ଏମାନଙ୍କୁ ରକ୍ଷା କରନ୍ତୁ– ଏମାନେ କିଛି ବୋଲି କିଛି ଜାଣିନାହାନ୍ତି । କେବଳ ସଂସ୍କୃତ ଶ୍ଳୋକଦ୍ଵାରା ଯେଉଁମାନେ ଆପଣା ମତର ପ୍ରମାଣ ଦିଅନ୍ତି, ସେମାନଙ୍କଠାରୁ ଅନ୍ତତଃ ଶହେଗଜ ଦୂରରେ ରହିଥିବେ । ଏମାନେ “ଆଗକାଳ” ଉପରେ ଅତ୍ୟଧିକ ବିଶ୍ଵାସୀ । ଏମାନେ ଆପଣଙ୍କପରି ପ୍ରଗତିଶୀଳ ହୋଇପାରି ନାହାନ୍ତି । ତେବେ ‘ଆଗକାଳ’ କଥାଟାର ଦୁଇଟି ଅର୍ଥ ରହିଛି । ଗୋଟିଏ ଐତିହାସିକ, ଆରଟି ପୌରାଣିକ । ଐତିହାସିକ ଅତୀତରେ ଆମେ ଦେଖିବାକୁ ପାଇଛୁ ଯେ ହୁମାୟୁନ୍ ବୋଲି ଜଣେ ଲୋକ ପାଣିରେ ଉବୁଟୁବୁ ହେଉଥିଲାବେଳେ ଜଣେ ଲୋକ ତାଙ୍କୁ ମଇଁଷି ଚମଡ଼ାଟାଏ ଫୁଲାଇ ଧରାଇ ଦେଇଥିଲା ଏବଂ ଯେବେ ହୁମାୟୁନ୍ ବାଦଶା ହେଲା, କୃତଜ୍ଞତାର ଚିହ୍ନ ରୂପେ ଏଇ ଲୋକକୁ "ଏକ୍ ଦିନକା ବାଦଶା" କରିଦେଇଥିଲା । ଅର୍ଥାତ୍ ଆଗେ ପ୍ରିୟାପ୍ରୀତିତୋଷଣ ହେଉଥିବାରୁ ଜଣେ ବାଦଶାହ ଆପଣାର କୃତଜ୍ଞତା ପ୍ରକାଶ କରିପାରିଥିଲେ । ବାକୀ ରହିଲା ପୌରାଣିକ ଅତୀତ ।

 

ବିଜ୍ଞାତିବିଜ୍ଞ ! ଆପଣଙ୍କ ପରି ପୃଥିବୀର ସବୁ ପୁରାଣ ମୁଁ ପଢ଼ିପାରି ନାହିଁ, ନିଜର ଇଚ୍ଛା ସତ୍ୱେ । ବାକୀ ହିନ୍ଦୁପୁରାଣମାନଙ୍କ ବିଷୟରେ ସମସାମୟିକ ଭାରତୀୟ ଭଦ୍ରଲୋକମାନଙ୍କପରି ମୋର ମଧ୍ୟ ଧାରଣା ଅତ୍ୟଳ୍ପ ଏବଂ ପିଲାଦିନେ ଶୁଣା ଛୋଟ ଛୋଟ କାହାଣୀ ମଧ୍ୟରେ ସୀମାବଦ୍ଧ । ମୁଁ ଜାଣେ, ଭାରତରେ ଦୁଇଟି ବଡ଼ ବଡ଼ ପୁରାଣ ଅଛି; ମହାଭାରତ ଏବଂ ରାମାୟଣ । ଜଣେ ଶିଖ୍ ଭଦ୍ରଲୋକ ତାଙ୍କର ଏକ ଅଜ୍ଞ ବନ୍ଧୁକୁ ମହାଭାରତର କାହାଣୀ ନିମ୍ନମତେ ଶୁଣାଇଥିଲେ– "ଇକ୍‍ସି ଭୀମ୍‍ (ଜଣେ ହେଉଛି ଭୀମ), ଇକ୍‍ୟୁଦସ୍ତର୍‍ (ଜଣେ ଯୁଧିଷ୍ଠିର) ଇକ୍ ହୋ'ରସି (ଆଉ ଜଣେ କିଏ); ଇକ୍ ହୋର୍ ସି (ପୁଣି ଆଉ ଜଣେ) ଇକଦା ନାମ ପୁ'ଲ୍ ଗିୟା (ଆଉ ଜଣଙ୍କର ନାଁ ମୁଁ ଭୁଲିଯାଇଛି)' । ଆଉ ରାମାୟଣକୁ ଅତି ସଂକ୍ଷିପ୍ତକରି ହିନ୍ଦୀରେ କବିତା ଅଛି–

 

"ଏକ୍‍ଥା ରାବନ୍ନା

ଏକ୍‍ଥା ରାମନ୍ନା ।

ଏ ହରୀ ଉସ୍‍କୀ ନାରୀ

ୱ ଉସ୍ କୋ ମାରି

ଏକ୍‍ଥା ତୁଲସନ୍ନା

ଲିଖା ଇତ୍ତାବଡ଼ା ପୋଥନ୍ନା ॥"

 

(ରାବଣ ଆଉ ରାମ । ଏ ତା ନାରୀ ହରେ, ସେ ୟାକୁ ମାରେ ତୁଳସୀ ଦାସ ଲେଖେ ଏତେ ବଡ଼ପୋଥୀ ।)

 

ସିଦ୍ଧାନ୍ତ : ପୁରାଣ ବିଷୟରେ ଆମର ଜ୍ଞାନ ଅଳ୍ପ । ତେବେ ସ୍ୱଳ୍ପଜ୍ଞାନ ବୋଲି ଯେ ଭାବି ପାରିବା ନାହିଁ, ୟେ କୋଉଠିକା ନ୍ୟାୟ ହଜୁରେ ? ନା ନା, ଆପଣ ପୁଣି ଭୁଲ୍ ବୁଝିଲେ ମୋତେ । ମୁଁ ସରକାରୀ କମିଟି କଥା ଆଦୌ କହୁନାହିଁ ବିଜ୍ଞବର । ତେବେ ମୋ କହିବା କଥାଟା ବୁଝିବା ହୁଅନ୍ତୁ ।

 

ଆମେ ଜାଣୁ ଦଶରଥ ବୋଲି ଜଣେ ରଜା, ପ୍ରିୟାପ୍ରୀତି ତୋଷଣ କରିବେ ବୋଲି ନିଜର କୌଣସି ଅନିଷ୍ଟ କରି ନ ଥିବା ଅସୁରମାନଙ୍କୁ ଲୁଚି ଲୁଚି ହତ୍ୟା କରିବାକୁ ଆପଣା ପୁଅମାନଙ୍କୁ ପଠାଇଥିଲେ । ଶ୍ରୀକୃଷ୍ଣ ବୋଲି ଜଣେ ରଜା ତାଙ୍କ ସାଙ୍ଗ ଅର୍ଜୁନଙ୍କୁ ସାହାଯ୍ୟ କରିବେ ବୋଲି ଇଚ୍ଛାକରି ଠିକ୍ କଲେ ଅର୍ଜ୍ଜୁନ ଗୋଡ଼ପାଖେ ବସିବେ, ଦୁର୍ଯ୍ୟୋଧନ ମଥା ପାଖେ ବସିବେ, ସକାଳୁ ଉଠି ମହାରାଜ ଯାହାଙ୍କୁ ଦେଖିବେ, ତା’ପାଇଁ ଯୁଝିବେ । ମିଞ୍ଜିମିଞ୍ଜି ଆଖିରେ ସେ ଆଗେ ଦେଖିନେଲେ ଦୁର୍ଯ୍ୟୋଧନ ମଥା ପାଖରେ ଅଛି । ଦଡ଼ାମ୍‍କରି ଉଠି ଆଗ ଗୋଡ଼ ଆଡ଼କୁ ଚାହିଁଦେଲେ । ଏହା ଫଳରେ ଅର୍ଜ୍ଜୁନ ମହାଭାରତ ଯୁଦ୍ଧରେ ଜିଣିଗଲେ । ଏହି ରଜା ଅର୍ଜ୍ଜୁନର ଭାରିଜା ଦ୍ରୌପଦୀ ନାଁରେ ସେତେବେଳକାର କଣ୍ଟ୍ରୋଲ୍ ବଜାରରୁ ଗାଣ୍ଠି ଗାଣ୍ଠି ଲୁଗା ହଟାଇ ଆଣିଥିଲେ । ଅନ୍ୟ ଏକ ଦୋସ୍ତ୍ ସୁଦାମାର କିଛି କୁଆଡ଼ୁ ହେଲା ନାହିଁ । ସେ ଭିକ ମାଗୁଥିଲା ଅଥଚ ସେ ଦେଇଥିବା ମୁଠାଏ ଖୁଦ ପାଟିରେ ପକେଇଦେଇ ଶ୍ରୀକୃଷ୍ଣ ସଂସାରର ସବୁ ଧନଦରବ ସୁଦାମା ନାଆଁରେ ରେଜେଷ୍ଟ୍ରି କରିଦେବାକୁ ଯାଉଥିଲେ । ଆଜିକାଲି ଯେପରି ସି. ବି. ଆଇ. ଏବଂ ସଦାଚାର ସମିତି, ଆଗେ ସେହିପରି ରୁକ୍ମିଣୀ । ରୁକ୍ମିଣୀ ଶ୍ରୀକୃଷ୍ଣଙ୍କର ହାତଧରି ଅଟକାଇ ଦେଇଥିଲେ ବୋଲି ଯାହା କିଛି ଧନଦରବ ଆପଣ ବା ମୁଁ ପାଇପାରୁଛେ । ନ ହେଲେ କଥା ସରିଥିଲା ହଜୁରେ । ସେହିପରି ଅର୍ଜ୍ଜୁନଙ୍କୁ ଜଣାଇବା ଲାଗି କର୍ଣ୍ଣଙ୍କଠାରୁ କପଟରେ କବଚକୁଣ୍ଡଳ ବ୍ରାହ୍ମାସ୍ତ୍ର ନେଇନେବା ସର୍ବଜନ ବିଦିତ । ଏପରି ଉଦାହରଣ ଆପଣଙ୍କର ବୃହତ୍ତର ଜ୍ଞାନ ଭଣ୍ଡାରରୁ ପ୍ରଚୁର ପାଇବେ ବିଜ୍ଞବର ।

 

ଅତଏବ ମହାମତି ମାନ୍ୟବର । ପ୍ରିୟାପ୍ରୀତି ତୋଷଣ କରୁଛି ବୋଲି କାହାରି ବିବେକଦଂଶନର କିଛି କାରଣ ରହୁନାହିଁ । ଆମ୍ଭେମାନେ ବୁଝିଥିବା ଉଚିତ ଯେ ନେତୃସ୍ଥାନୀୟ ବ୍ୟକ୍ତିମାନେ ସଦାସର୍ବଦା ଦେଶର କଲ୍ୟାଣ ହିଁ କରୁଥାନ୍ତି– ପ୍ରିୟାପ୍ରୀତି ତୋଷଣ ଖାଲି ନିମିତ୍ତମାତ୍ର । ସେମାନେ ଯେବେ ଜାଣିଯିବେ ଯେ ଆଗକାଳେ ମଧ୍ୟ ଏହାହିଁ ହେଉଥିଲା ଯେ ଏହା ଇତିହାସର ହୁକୁମ୍, ତାହେଲେ ଦେଶଟା ଆଜ୍ଞା ବର୍ତ୍ତିଯିବ । ଶକ୍ତିର ବୃଥା ଅପଚୟ ବନ୍ଦ ହେବ । ‘ବୁକ୍ଷୁବ୍‍ଧ’ ମାନଙ୍କର ଡିଣ୍ଡିମ ପ୍ରଭାବହୀନ ହେବ, ଦେଶର ଲୋକମାନେ ପ୍ରିୟାପ୍ରୀତି ତୋଷଣ ବିଷୟରେ ଅରଣ୍ୟରୋଦନ ବନ୍ଦ କରିବେ ଏବଂ ବୈବାହିକ ସମ୍ପର୍କ, ବନ୍ଧୁତା ଓ ଖୋସାମଦ ଜରିଆରେ ବରଂ ଆପଣାକୁ ପ୍ରିୟାପ୍ରୀତି ପର୍ଯ୍ୟାୟଭୁକ୍ତ କରିବାକୁ ଚେଷ୍ଟା କରିବେ । ଆପଣ ମଧ୍ୟ ହଜୁରେ ନିଧଡ଼କ୍ ପ୍ରିୟାପ୍ରୀତି ତୋଷଣ କରନ୍ତୁ । ସେବକକୁ ମଧ୍ୟ ଭୁଲିବେ ନାହିଁ ମା ବାପ୍, କାରଣ ମୁଁ ଆପଣଙ୍କର ବହୁଦିନର ହିତେଷୀ ।

 

ଓଁ ନମୋ ସ୍ଵଜନ ସେବାୟ

ଖୋସାମଦିଆ ହିତାୟ ଚ ।

ପ୍ରିୟାପ୍ରୀତି ତୋଷଣାୟ

ବିଜ୍ଞବରାୟ, ଜନନେତାୟ ନମୋ ନମଃ ।

Image

 

ବିଜ୍ଞାପନ ସାହିତ୍ୟର ପ୍ରକୃତି ଓ ସ୍ଵୀକୃତି

 

ଆଧୁନିକ ଯୁଗରେ ବିଜ୍ଞାପନ ଯେ ଏକ ଅବଶ୍ୟ-ପାଠ୍ୟ ସାହିତ୍ୟ, ଏହା ଉପସ୍ଥିତ ପ୍ରବନ୍ଧର ବିଜ୍ଞ ପାଠକମାନଙ୍କୁ ବୁଝାଇବା ନିଷ୍ପ୍ରୟୋଜନ । ଅନେକେ ବିଶେଷତଃ ବିଦେଶୀ ପତ୍ର ପତ୍ରିକାରେ ବିଜ୍ଞାପନ ବ୍ୟତୀତ ଆଉ କିଛି ପଢ଼ନ୍ତି ନାହିଁ । ଆଧୁନିକ ମନୁଷ୍ୟ ବୁଦ୍ଧି ବଳରେ ଜାଣିପାରିଛି ଯେ ‘ନୂତନ ପଞ୍ଜିକା’ ପୁରି ପୁସ୍ତକରେ ବିଜ୍ଞାପନ ହିଁ ଏକମାତ୍ର ପଠନୋପଯୋଗ୍ୟ ବସ୍ତୁ ପୁସ୍ତକମାନଙ୍କର ବିଜ୍ଞାପନ ପାଠ କଲେଇ ନିଜକୁ ସୁପଣ୍ଡିତ ବୋଲି ପ୍ରମାଣ କରିବାଭଳି ଯଥେଷ୍ଟ ଜ୍ଞାନ ଅର୍ଜ୍ଜନ କରିହୁଏ ଏବଂ ନେଇ ଆଣି ଥୋଇ ପାରିଲେ ଏହି ପାଣ୍ଡିତ୍ୟକୁ ବିକି ଭାଙ୍ଗି ଖାଇ ହୁଏ ।

 

ବିଜ୍ଞାପନ ଯେ ଏତେ ଲୋକପ୍ରିୟତା ଅର୍ଜ୍ଜନ କରିଛି, ତାହାର ନାନା କାରଣ ରହିଛି–କାରଣ, ବିଶେଷ କାରଣ ନଥିଲେ କୌଣସି ରଚନା କେବେ ଲୋକପ୍ରିୟତା ହାସଲ କରେ ନାହିଁ । ନାନା କାରଣ ମଧ୍ୟରୁ ପ୍ରଧାନ ପ୍ରଧାନ କେତେକ ଏଠାରେ କୁହାଯିବ । ପ୍ରଥମ କଥା, ବିଜ୍ଞାପନର ଏକ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ଏବଂ ନିର୍ଦ୍ଦିଷ୍ଟ ବକ୍ତବ୍ୟ ରହିଥାଏ । ଏହି ଦୁଇଟି ସାହିତ୍ୟର ଅନ୍ୟାନ୍ୟ ପ୍ରାନ୍ତରେ କଦବା କ୍ଵଚିତ୍ ଦେଖିବାକୁ ମିଳିବେ । ଉଦ୍ଦେଶ୍ୟ ଏବଂ ବକ୍ତବ୍ୟ ଥିବା ଫଳରେ ଏହା ସଂକ୍ଷିପ୍ତ–ଏବଂ ଆଧୁନିକ ମନୁଷ୍ୟ, (ଭଗବାନ୍ ଜାଣନ୍ତି କାହିଁକି !) ସଂକ୍ଷିପ୍ତ ସାହିତ୍ୟ ପସନ୍ଦ କରେ । ଏପରି ସଂକ୍ଷିପ୍ତ ରଚନା ପଢ଼ିଲେ ବୋଧେ ତାକୁ ବେଶି ସମୟ ମିଳେ ତାହାର ଦୈନଦିନ କୁକର୍ମମାନଙ୍କ ନିମନ୍ତେ ! ଦୁଇରେ, ବିଜ୍ଞାପନ ଯେଉଁ ପଦାର୍ଥଲାଗି ଉଦ୍ଦିଷ୍ଟ, ତାହାକୁ ଅଧିକ ଲୋକପ୍ରିୟ କରିବା ଲାଗି ନାନା ଆକର୍ଷଣୀୟ ଛବିର ବ୍ୟବହାର କରା ହୋଇଥାଏ ଏଥିରେ । ଯଥା– ଯେ କୌଣସି ବସ୍ତୁର ବିଜ୍ଞାପନରେ ନାରୀକୁ କୌଣସି ପ୍ରକାରେ ଟାଣି ଆଣିବାକୁ ହୁଏ–ସେ ନାରୀ ବିଡ଼ି ଟାଣୁଥାଉ, ତାକୁ ଧବଳକୁଷ୍ଠ ହୋଇଥାଉ ବା ତାହାର ପିଠିରେ ପଠା ଘାଆ ହୋଇଥାଉ, କିଛି ଯାଏ ଆସେନା । ନାରୀ ଚିତ୍ର ପ୍ରତି ଆଧୁନିକ ପାଠକମାନଙ୍କର ପକ୍ଷପାତିତ୍ଵ ସର୍ବଜନବିଦିତ ଓ ସ୍ଵୀକୃତ । ଏହିପରି ବ୍ୟବସାୟୀର ସୁଗୁଣ, ଗରାଖ-ଈଶ୍ଵରଙ୍କର ମନ-କିଣିବା, ସାହିତ୍ୟିକର “କଲମ ଜୋର୍” ସଙ୍ଗେ ମିଶି ଏକ ତରଳ ମନୋବୈଜ୍ଞାନିକ ବାତାବରଣ ସୃଷ୍ଟି କରେ । ଏହି ତାରଲ୍ୟ ଅଠାପରି ପାଠକକୁ ବିଜ୍ଞାପନ ସଙ୍ଗେ ଯୁକ୍ତକରି ରଖେ । ପୁଣି ଏହି ସବୁ ଚିତ୍ର ଯେଉଁ କଳାକାରମାନେ ଅଙ୍କନ କରନ୍ତି ସେମାନେ ଏସବୁ ପଇସା ପାଉଥିବାରୁ ଏଥିପ୍ରତି ଅଧିକ ନଜର ଦେଇଥାନ୍ତି– ଫଳରେ ସେହିମାନଙ୍କର ଅଙ୍କିତ ଅନ୍ୟାନ୍ୟ ଚିତ୍ର ଦୁର୍ବୋଧ୍ୟ ଏବଂ ନିଶ୍ଚିତ ଭାବେ କୁତ୍ସିତ ହେଲେହେଁ, ବିଜ୍ଞାପନ ଲାଗି ଅଙ୍କିତ ଚିତ୍ରମାନ ମନୋହାରୀ, ସୁବୋଧ୍ୟ ଓ ରୁଚିକର ହୋଇଥାଏ ।

 

ଏହାଛଡ଼ା ବିଜ୍ଞାପନ ଲେଖିଲେ ପଇସା ମିଳେ । ଆଉ ‘ସାହିତ୍ୟ’ ଲେଖିଲେ ? ଆଉ କା’ କଥା କହିପାରିବି ନାହିଁ, ଆମ ରାଜ୍ୟରେ ଅନ୍ତତଃ, ପଇସା ମିଳିବା ଦୂରର କଥା, ବରଂ ପୁଳିଏ ନିନ୍ଦା ଫାଲ୍‍ତୁ ମିଳିଯାଏ । ଅତଏବ ବିଜ୍ଞାପନର ଲେଖକ ଆପଣାର କର୍ତ୍ତବ୍ୟ ପ୍ରତି ଅଧିକ ଆଗ୍ରହୀ ଏବଂ ତାହାର ସୃଷ୍ଟି ବାରମ୍ବାର ପରୀକ୍ଷିତ ହୋଇ ମାର୍ଜିତ ହେବାର ସମ୍ଭାବନା ଅଧିକ । ଅନ୍ୟାନ୍ୟ ସାହିତ୍ୟିକ ‘ପରୀକ୍ଷା’ ମାନ କାହାରି ଦୃଷ୍ଟି ଆକର୍ଷଣ କରେ ନାହିଁ ।

 

ଲେଖକ ଆପଣା ମନର ଆନନ୍ଦରେ କେତେବେଳେ ‘ସଫଳ’, କେତେବେଳେ ‘ବିଫଳ’ ହୁଏ, ଅନେକଟା ନିଜର ଖିଆଲ୍ ଉପରେ ନିର୍ଭର କରି । ବିଜ୍ଞାପନ ସାହିତ୍ୟର ସଫଳତା ପରିଷ୍କାର ମାପିଦେଇ ହୁଏ । ଯେଉଁ ପଦାର୍ଥ ଲାଗି ଏକ ଦତ୍ତ ସାହିତ୍ୟ ରଚିତ ହେଲା, ତାହାର ବିକ୍ରୀ, ଉକ୍ତ ସାହିତ୍ୟର ପ୍ରଚାର ପରେ ବଢ଼ିଲା, ନା କମିଲା, ନା ସେଇମିତି ରହିଲା ? ବଢ଼ିଥିଲେ ସାହିତ୍ୟଟି ସଫଳ, ଯେତେ ବଢ଼ିଛି ସେତେ, କମିଥିଲେ ବିଫଳ, ଯେତେ କମିଛି ସେତିକି, ସେଇମିତି ରହିଥିଲେ, ଚାକିରୀ ବରଖାସ୍ତ ।

 

ଏସବୁ ଏବଂ ତୁଳନୀୟ କାରଣରୁ ଆଜିକାଲି ବିଜ୍ଞାପନ – ଭିନ୍ନ ସାହିତ୍ୟର ଆକର୍ଷଣ କମି କମି ଯାଉଛି ଏବଂ ବିଜ୍ଞାପନର ଆକର୍ଷଣ ବଢ଼ି ବଢ଼ି ଚାଲିଛି । ପତ୍ର-ପତ୍ରିକାରେ ଲକ୍ଷ୍ୟ କରିବେ ବିଜ୍ଞାପନ ଯେଉଁ ପରିମାଣର ସ୍ଥାନ ନେଉଛି, ଗଳ୍ପ କବିତା ଆଦି ତାହାଠାରୁ କମ୍ ସ୍ଥାନ ନେଉଛନ୍ତି । ମାପଚୁପ ବାଦ୍ ଦେଇ ଗୁଣାତ୍ମକ ଭାବରେ ବିଚାର କଲେ ମଧ୍ୟ ଦେଖାଯିବ ଯେ ଯେଉଁ କେତେକ ବିଜ୍ଞାପନ ଗଳ୍ପ ମାଧ୍ୟମରେ ଆପଣା ବକ୍ତବ୍ୟ ଜାହିର୍ କରନ୍ତି ସେମାନଙ୍କର ଗଳ୍ପମାନ, ସେହି ସେହି ପତ୍ରିକାରେ ପ୍ରକାଶିତ ଅନ୍ୟାନ୍ୟ ଅ-ବିଜ୍ଞାପନ ଗଳ୍ପମାନଙ୍କଠାରୁ ନିଶ୍ଚିତଭାବେ ଉଚ୍ଚକୋଟୀର । ଏହି ମନ୍ତବ୍ୟକୁ କୌଣସି ଲେଖକ ଯେପରି ଭୁଲ୍ ନ ବୁଝନ୍ତି । ଲେଖକମାନଙ୍କର ଅପାରଗତା ନେଇ କିଛି କହିବା ମୋର ଉଦ୍ଦେଶ୍ୟ ନୁହେଁ (କାରଣ ତାହା ବୋଲିବା ବାହୁଲ୍ୟ ମାତ୍ର) ବରଂ ବିଜ୍ଞାପନର ଶ୍ରେଷ୍ଠତ୍ଵ ପ୍ରତି ସେମାନଙ୍କର ଦୃଷ୍ଟି ଆକର୍ଷଣ କରିବା ମୋର ଉଦ୍ଦେଶ୍ୟ ।

 

ବିଜ୍ଞାପନର ଲୋକପ୍ରିୟତା ଏକ ପ୍ରବାହର ଅଂଶ । ଏ ପ୍ରବାହ ଇତିହାସର । ଯୁଗର; କାଳର । ବେଳ ଆସିଛି, ବିଧିବଦ୍ଧ ଭାବରେ ବିଜ୍ଞାପନକୁ ଏକ ସାହିତ୍ୟିକ ବିଭାଗ ଭାବରେ ଗ୍ରହଣ କରିବାର, ଗଣ୍ୟ କରିବାର, ପଣ୍ୟ କରିବାର, ଏବଂ ଯଥେଷ୍ଟ ଚର୍ଚ୍ଚା, ଯଥେଷ୍ଟ ସାଧନା ଓ ବିଚାର ଆଲୋଚନା ପୂର୍ବକ ତାହାର ସାମ୍ୟକ୍ ଦୃଷ୍ଟି ସମ୍ପାଦନ କରିବାର । ଯେଉଁ ଲୋକପ୍ରିୟତା ଲାଗି ଆମର ସାହିତ୍ୟିକ ମହାରଥିମାନେ ଜୀବନ ଦେବାକୁ ପ୍ରସ୍ତୁତ, ତାହା ବିଜ୍ଞାପନ ସାହିତ୍ୟରେ ନିଜ ଗୁଣରୁ ମହଜୁଦ୍ ଅଛି । ଆଗା–ବଗା–ଖଗାଙ୍କ ପରିବର୍ତ୍ତେ ଯଦି ସାହିତ୍ୟିକ ମହାରଥିଗଣ ବିଜ୍ଞାପନ ଚର୍ଚ୍ଚାରେ ବ୍ରତୀ ହୁଅନ୍ତେ, ବିଜ୍ଞାପନ ସାହିତ୍ୟର ଉନ୍ନତି ହୁଅନ୍ତା, ସମ୍ମାନ ବଢ଼ନ୍ତା ଏବଂ ଏହି ମହାରଥିଗୁଡ଼ାକ ଅକାଳରେ ଶୁଖିଶୁଖି ମରନ୍ତେ ନାହିଁ । ହୁଏତ ବେଳ ଆସିବ, ବିଜ୍ଞାପନମାନ ସମୟୋପଯୋଗୀ ପାଠ୍ୟପୁସ୍ତକରେ ସ୍ଥାନ ପାଇବ । ତାହାହେଲେ ମହାରଥିମାନେ କରିବେ କଅଣ-? ଯେଉଁ ‘ସାହିତ୍ୟିକ’ ମାନେ ତୃତୀୟ ଶ୍ରେଣୀ ନିମନ୍ତେ ମହାର୍ଘ କବିତାମାନ ରଚନା କରି ସ୍ଵୀୟ ଜୀବିକା ନିର୍ବାହ କରୁଛନ୍ତି, ସେମାନେ ବା କେଉଁ ଗାତ ଚୁଲୀକି ଯିବେ ? ଅତଏବ ସାଧୁ ସାବଧାନ-! ବେଳ ଥାଉଁ ଥାଉଁ, “ବୁଝି ବିଚାରି କାର୍ଯ୍ୟ କଲେ, ପ୍ରମାଦ ନ ପଡ଼ଇ ଭଲେ ।” ବେଳ ଆସିଛି । ଆଉ ଗୋଟିଏ ହେଲେ ମୁହୂର୍ତ୍ତ ନଷ୍ଟ କରିବାର ନୁହେଁ ।

 

କିନ୍ତୁ ବିଜ୍ଞାପନକୁ ସାହିତ୍ୟିକ ବିଭାଗ ଭାବରେ ପ୍ରତିଷ୍ଠିତ କରାଇବାର ମହାଦାୟିତ୍ଵ ବହନ କରିବ କିଏ ? ଆଧୁନିକ ଓଡ଼ିଆ ଲେଖକବର୍ଗ ? ନା । ସେମାନେ କାହିଁକି କେଜାଣି, ବିଜ୍ଞାପନ ପ୍ରତି ପ୍ରତିକ୍ରିୟାଶୀଳ । ଅଧିକାଂଶଙ୍କର କିଛି ସକ୍ରିୟ ଅଭିଜ୍ଞତା ନାହିଁ, ବାକୀ ଯେଉଁମାନେ ବିଜ୍ଞାପନ ରଚନା କରୁଛନ୍ତି, ସେମାନେ ନିଜ ନାମ ତହିଁ ସଙ୍ଗେ ଜଡ଼ିତ କରିବାକୁ ଚାହାନ୍ତି ନାହିଁ । ଓଡ଼ିଶାରେ ବିଶେଷକରି, ଏବଂ ଅଳ୍ପେ ବହୁତେ ପୃଥିବୀର ସର୍ବତ୍ର, ଲେଖକମାନେ ଆପଣା ଲେଖା ଏବଂ ସାମୟିକ ପ୍ରେମପତ୍ର ବ୍ୟତୀତ ଆଉକିଛି ଲେଖୁଥିବାର ବା ପଢ଼ୁଥିବାର ପ୍ରମାଣ ମିଳେ ନାହିଁ । ସେମାନେ ଏ ଦାୟିତ୍ଵ ନେଇ ତୁଲାଇ ପାରିବେ ନାହିଁ, ଯଦିଓ ଏହି ଚର୍ଚ୍ଚା । ଶେଷରେ ସେହିମାନଙ୍କୁ ହିଁ ଲାଭବାନ୍ କରିବ ।

 

ସମାଲୋଚକ ? ଆପଣ ହସାଇଲେ ! ତେବେ ହିଁ, ସେମାନେ ଆଗ୍ରହୀ ହୋଇପାରନ୍ତି, କାରଣ ଚିରକାଳ “ସୁନ୍ଦର–ବନ୍ଧେଇ–ପ୍ରଚ୍ଛଦପଟ–ସୁନ୍ଦର–ଦାମ୍–ଠିକ୍–ଅଛି” କରି କରି ସେମାନେ ବିଜ୍ଞାପନ ସାହିତ୍ୟର ବିକାଶ ଦିଗରେ କିଞ୍ଚିତ୍ ପଦକ୍ଷେପ କରିଛନ୍ତି ବୋଲି ସ୍ଵୀକାର୍ଯ୍ୟ । ତେବେ ସେମାନଙ୍କର ସାହାଯ୍ୟ ବିଜ୍ଞାପନ ବା ଯେକୌଣସି ସାହିତ୍ୟିକ ବିଭାଗପ୍ରତି ସମାନ ଭାବରେ କ୍ଷତିକର । ତା ଛଡ଼ା, ସେ ବେଳ ଆସିନାହିଁ । ବିଜ୍ଞାପନ–ସାହିତ୍ୟ ସମୁଚିତ ଭାବରେ ସମାଲୋଚନାରୁ ଫାଇଦା ଉଠେଇବ, ଯେତେବେଳେ ତାହା ଅନ୍ତତଃ ଅର୍ଦ୍ଧ–ବିକଶିତ ଅବସ୍ଥାକୁ ଆସିଯିବ । ବର୍ତ୍ତମାନ ତ ଆରମ୍ଭ ହୋଇନାହିଁ । ବର୍ତ୍ତମାନ ସମାଲୋଚକମାନେ ଅବାନ୍ତର ! ବାକୀ ରହିଲେ, ସାହିତ୍ୟ ଜଗତର ‘ପୁଞ୍ଜିପତି ଦଲାଲ୍’ ବା ଅନ୍ୟକଥାରେ, ସମ୍ପାଦକ ଶ୍ରେଣୀ । ଏମାନେ ଅବଶ୍ୟ ଆପଣାର ବିଜ୍ଞାପନ ଛପାଇ ଛପାଇ ଏକପ୍ରକାର ପ୍ରସ୍ତୁତ ହିଁ ରହିଛନ୍ତି । କିନ୍ତୁ ବିଜ୍ଞାପନ ସାହିତ୍ୟର ବିକାଶ ଭାର ଏମାନଙ୍କ ଉପରେ ଛାଡ଼ିଦେଲେ, ଠିକ୍ ଅନ୍ୟାନ୍ୟ ସାହିତ୍ୟିକ ବିଭାଗ ପରି ଏହା ଅକାଳମରଣ ଭଜିବାର ଭୟ ରହିଛି । ଗାୟ ମୋଟ୍, ସାହିତ୍ୟଜଗତ ସାଫ୍ ।

 

ବାକୀ ରହିଲେ, ବ୍ୟବସାୟୀ । ଏମାନେ ବି, ଆଗ୍ରହୀ । ଏହି ଧୁରନ୍ଧର ଜାତି ସବୁଦିଗରୁ ଅନୁକୂଳ । ଭବହୁତି ଯଥାର୍ଥରେ କହିଛନ୍ତି–

 

“ଯସ୍ୟାସ୍ତି ବିତ୍ତଂ ସ ନରଃ କୁଳୀନଃ

ସର୍ବେଗୁଣାଂ କାଞ୍ଚନମାଶ୍ରୟନ୍ତି ।”

 

(ମାନେ, ଯାର ଟଙ୍କା ଅଛି ସେଇ କୁଳୀନ, ଧନ ଥିଲେ ସବୁ ଗୁଣ ।) କିନ୍ତୁ ହାୟ ଦୁର୍ଭାଗ୍ୟ ! ଏହି ସବୁ ଗୁଣ ଭିତରେ ସାହିତ୍ୟଚର୍ଚ୍ଚା ନାହିଁ । ବ୍ୟବସାୟୀମାନେ କେବଳ ହିସାବ ବ୍ୟତୀତ ଆଉ କିଛି ଲେଖି ପାରନ୍ତି ନାହିଁ । ହିସାବଛଡ଼ା ଆଉ ଯାହା କିଛି ଲେଖିଲେ ମନୁଷ୍ୟ ଗରୀବ ହୋଇଯାଏ । ଲକ୍ଷ୍ମୀ ସରସ୍ଵତୀଙ୍କର ଯୁଗେ ଯୁଗେ କଳି । ଏଣେ, ବିଜ୍ଞାପନ ସାହିତ୍ୟର ବିକାଶ ଲାଗି ସର୍ବାଦୌ ପ୍ରୟୋଜନ ହେଲା ବିଜ୍ଞାପନଯୋଗ୍ୟ ପଦାର୍ଥ । ବେପାରୀଏ କାନରେ କଲମ ଖୋସିଲେ ଏପରି ପଦାର୍ଥ ହିଁ ଉତ୍ପାଦିତ ହେବନାହିଁ । ଅତଏବ ଏ ଆଶା ବୃଥା ।

 

ସବୁ ତନ୍ନ ତନ୍ନ କରି ବିଚାର କରି ଦେଖାଯାଇଛି ଯେ, କେବଳ ଉପସ୍ଥିତ ଲେଖକହିଁ ଏହି ଦାୟିତ୍ଵ ବହନ କରିବାକୁ ରାଜି ଅଛି ଏବଂ ଅନ୍ତତଃ ସର୍ବନିମ୍ନ ଯୋଗ୍ୟତା–ସମ୍ପନ୍ନ । ଫଳରେ, ଅଧିକ ବିଳମ୍ବ ନ କରି ଏ ଲେଖା । ଏଠାରେ ଯାହା ଯାହା ଲେଖାଯିବ, ସବୁ କାଳ୍ପନିକ ଏବଂ କୌଣସି ବାସ୍ତବ ଘଟଣା ବା ବ୍ୟକ୍ତି ସଙ୍ଗେ ସାମଞ୍ଜସ୍ୟ ନ ରଖିବାକୁ ମୂଳରୁ ଚେଷ୍ଟା କରାଯାଇଛି, ଯଦି ଥାଏ ତାହା ଆକସ୍ମିକ, ଉଦ୍ଦେଶ୍ୟ ବା ଅଭିସନ୍ଧିହୀନ; ଏ ନିମନ୍ତେ ଲେଖି ଦିଆଗଲା ଯେପରି ଲେଖକ, ତାହାର ସମ୍ପତ୍ତି ବା ଉତ୍ତରାଧିକାରୀଙ୍କ ବିରୁଦ୍ଧରେ ମାଲିମକଦ୍ଦମା କରି ଅଯଥା କେହି ଯେପରି ଖର୍ଚ୍ଚାନ୍ତ ନହୁଏ ।

 

ସାହିତ୍ୟିକ ବିଭାଗ ହିସାବରେ ସ୍ଵୀକୃତି ? କିନ୍ତୁ ଏତେ ଲୋକପ୍ରିୟ ସମସ୍ତ ପତ୍ର ପତ୍ରିକାରେ ସିଂହାଂଶର ଅଧିକାରୀ ଏହି ଶକ୍ତିଶାଳୀ ରଚନା ସମୁହକୁ ଅସ୍ଵୀକାର କରିବାର ବହପ କାହାର ଅଛି ଭଲା ? ଏପରି ପ୍ରଶ୍ନର ଉତ୍ତର ଦେବା ମୋର ପ୍ରଥମ ଦାୟିତ୍ଵ । ମୁଁ କହିବି, ସାହିତ୍ୟିକ ସ୍ଵୀକୃତିର ଅର୍ଥ ହେଉଛି ବିଧିବଦ୍ଧ (ଔପଚାରିକ) ସୂଚୀପତ୍ରରେ ଅନ୍ତର୍ଭୁକ୍ତ, ପାଠ୍ୟ ପୁସ୍ତକମାନଙ୍କରେ ସ୍ଥାନ, ଏବଂ ପରେ ପରେ, ସାହିତ୍ୟ ଏକାଡ଼େମୀର ପୁରସ୍କାର ଲାଗି ଯୋଗ୍ୟତା । ବିଜ୍ଞାପନ ସାହିତ୍ୟର ଏସବୁ ଅଛି କି ? ନାହିଁ । କିନ୍ତୁ ରହିବା ଉଚିତ । ସେଇ ମୋର ବକ୍ତବ୍ୟ (ଯଦି ମୋର ବକ୍ତବ୍ୟ କ’ଣ ଆପଣ ଜାଣିବାକୁ ଚାହାନ୍ତି) ।

 

ଏ ଧରଣର ସ୍ଵୀକୃତି ପାଇବାକୁ ହେଲେ ଅନ୍ୟାନ୍ୟ ସାହିତ୍ୟ ସଙ୍ଗେ ସମତୁଲ କରି ବିଜ୍ଞାପନ ସାହିତ୍ୟର ବିକାଶ ସର୍ବଦୌ ପ୍ରୟୋଜନ । ପ୍ରଥମ କଥା–ରଚୟିତାର ନାମ ପ୍ରକାଶ ଏବଂ ରଚନାର ମୂଲ୍ୟାଙ୍କନ ଲାଗି ସମାନ ସୁଯୋଗ । ତାହାଛଡ଼ା ଚାହି ବିଜ୍ଞାପନ ସାହିତ୍ୟକୁ ସର୍ବାନ୍ତଃ–କରଣରେ ଧାରଣ କରି ସ୍ଵତନ୍ତ୍ର ପୁସ୍ତକ । ଯେପରି ‘ଯୌବନୋଲ୍ଲାସ ବିଜ୍ଞାପନମାଳା’, ଲେଖକ ଶ୍ରୀ ହରଳିଷଣ ନନ୍ଦକୁଳିଆ, ପ୍ରକାଶକ ଶ୍ରୀ ହର–ମାଧବ ଲାଲ୍ ନନ୍ଦକୁଳିଆ, ଯୌବନୋଲ୍ଲାସ ମନ୍ଦିର, ବିବିଜାନ୍, ଟିଟାବାଦ୍ ଆସାମ୍, ମୂଲ୍ୟ ଛଅଟଙ୍କା, ପ୍ରାପ୍ତିସ୍ଥାନ ବିଜ୍ଞାପନ ସାହିତ୍ୟ ପ୍ରତିଷ୍ଠାନ ଏବଂ କଟକର ସମସ୍ତ ବଡ଼ ବଡ଼ ବହି ଦୋକାନ ଏହା ଏକ ଉଦାହରଣ ।

 

ଏପରି ବହିର ସମାଲୋଚନା ମଧ୍ୟ ସମ୍ଭବ, ଅତଏବ ଏ ନେଇ ସାହିତ୍ୟିକ ଝଗଡ଼ା ବି ସମ୍ଭବ ହୋଇପାରିବ । ଏହି ସଂପୂର୍ଣ୍ଣ କାଳ୍ପନିକ ପୁସ୍ତକଟିର ନମୁନାତ୍ମକ ସମାଲୋଚନା ତଳେ ଦେଇ ମୋ କହିବା କଥାଟିକି ପ୍ରାଞ୍ଜଳ କରିଦେବାର ଆଶା କରୁଛି ।

 

ଉଦାହରଣ :

 

–ସମାଲୋଚନା–

 

ପୁସ୍ତକର ବିବରଣୀ ଉପରି ଲିଖିତ ମତେ । ପ୍ରାପ୍ତି ସ୍ଵୀକାର ପୂର୍ବକ । ଅୟମାରମ୍ଭଃ ‘ଯୌବନୋଲ୍ଲାସ ବିଜ୍ଞାପନମାଳା’ ପୁସ୍ତକଟି ଯେ ଆଧୁନିକ ଯୁବଶକ୍ତିର ବିକାଶ ଦିଗରେ ଯଥେଷ୍ଟ ସାହାଯ୍ୟ କରିବ, ଏଥିରେ ସନ୍ଦେହ ନାହିଁ । ‘ଯୁବଶକ୍ତି ହିଁ ଅସଲ ଶକ୍ତି’–କହିଛନ୍ତି ଶ୍ରୀ ନନ୍ଦକୁଳିଆ । ଏହି ଶକ୍ତିର ବିକାଶ ଲାଗି ରମଣୀରମଣ ଶିଳାଜତୁ ରସାୟନାଦି ବିବିଧ ଭେଷଜ ଦ୍ରବ୍ୟ, ଦୃତ ଯୌବନକୁ ଫେରି ପାଇଲାଭଳି ପ୍ରସାଧନ ସାମଗ୍ରୀ, ଜ୍ୟୋତିଃଶାସ୍ତ୍ରସମ୍ମତ ହରେକ ରକମ କବଚ ଧାରଣା, ମନ୍ତ୍ର ଯନ୍ତ୍ରାଦି ଭୂଷିତ ପୁସ୍ତକ ଇତ୍ୟାଦିର ବିବରଣ ଅତି ମନୋରମ ଶୈଳୀରେ ଲିପିବଦ୍ଧ ହୋଇ ପୁସ୍ତକଟିକୁ ସୁପାଠ୍ୟ କରିଅଛି । ଶ୍ରୀ ନନ୍ଦକୁଳିଆଙ୍କର ମନୋବିଜ୍ଞାନ ଉପରେ ଦଖଲ ଅତି ଉପଭୋଗ୍ୟ । ଚିତ୍ରଗୁଡ଼ିକ ଉପଯୋଗୀ ଓ ସୂରୁଚି–ସମ୍ପନ୍ନ । ପ୍ରଚ୍ଛଦପଟ୍ଟ ଅଙ୍କନ କରିଛନ୍ତି ଭାରତ ବିଖ୍ୟାତ ବିଜ୍ଞାପନ–କଳା ଶିଳ୍ପୀ ଶ୍ରୀଯୁକ୍ତ ପଞ୍ଜିକା ରଞ୍ଜନ ଧଳସାମନ୍ତ । ବିଜ୍ଞାପନ ସାହିତ୍ୟ ଜଗତରେ ଏହି ପୁସ୍ତକଟି ସୁମହତ୍ ଆଲୋଡ଼ନ ସୃଷ୍ଟି କରିବ ବୋଲି ଆଶା । ଦାମ୍ ଟିକେ ବେଶି ଜଣା ପଡ଼ୁଛି । ଛବି ତିନିରଙ୍ଗ ନ ହୋଇ ଚାରିରଙ୍ଗ ହୋଇ ପାରିଥାନ୍ତା, ତେବେ ଏମିତି କିଛି ପ୍ରଳମ୍ବ ଅଶୁଦ୍ଧ ହୋଇଯାଇ ନାହିଁ । ଶ୍ରୀ ନନ୍ଦକୁଳିଆ ଅଭିନନ୍ଦନଯୋଗ୍ୟ । ଏହି ପୁସ୍ତକ ପଞ୍ଚମଠାରୁ ଅଷ୍ଟମ ଶ୍ରେଣୀର ପାଠ୍ୟପୁସ୍ତକ ରୂପେ ଅନୁମୋଦିତ ହେବା ସମ୍ଭବ ।

 

ଅର୍ଥାତ୍ ଏପରି ପୁସ୍ତକ ସବୁ ରହିବ ଯାହା ପାଠ୍ୟପୁସ୍ତକ ହୋଇପାରିବ, ଅତଏବ ବିଜ୍ଞାପନ ସାହିତ୍ୟର ସୃଷ୍ଟି ଉପଯୁକ୍ତ ରୂପେ ପୁରସ୍କୃତ ହୋଇ–ପାରିବ । ତେବେ ପାଠ୍ୟପୁସ୍ତକ ହେବାକୁ ହେଲେ ଦେଖିବାକୁ ହେବ, ପୁସ୍ତକ ପୂରାପୂରି ‘ଅରୁଆ’, ଅର୍ଥାତ୍ ଅଶ୍ଳୀଳତା–ବିବର୍ଜିତ, ଯାହାର ଅର୍ଥ ହେଉଛି ‘ଅଶ୍ଳୀଳ’ କଥାଗୁଡ଼ିକ ଛାତ୍ରମାନଙ୍କର ଅନୁମାନ ଉପରେ ଛାଡ଼ି ଦିଆ–ହୋଇଥିବ । ଆହୁରି ଦେଖିବାକୁ ହେବ ପୁସ୍ତକସ୍ତ ବିଦ୍ୟା ଯୁବଶକ୍ତିର ଉପକାର ସାଧନ କରୁଛି– ଅର୍ଥାତ୍ ଅମୁକେଇ ଓଷଦ ଖାଇଲେ ଯେ କୌଣସି ରୋଗରୁ ମୁକ୍ତି ମିଳିବ, ଅମୁକେଇ କବଚ ଧାରଣ କଲେ ସ୍ତ୍ରୀ ପୁରୁଷ ଭେଦରେ କାମ୍ୟ ବ୍ୟକ୍ତିକୁ ବଶୀଭୂତ କରିବା ସଙ୍ଗେ ସଙ୍ଗେ ବିଭିନ୍ନ ମକଦ୍ଦମା, ପରୀକ୍ଷା ଆଦିରେ ନିଶ୍ଚିତ ସଫଳତା ମିଳିବ ବା ଅନ୍ୟାନ୍ୟ ସମ୍ଭାବ୍ୟ ଉପକାରୀ କଥାର ସବିସ୍ତାର ବର୍ଣ୍ଣନ ହୋଇଥିବ । ତା ଛଡ଼ା ଏସବୁ ପୁସ୍ତକ ଉପରେ ଠିକ୍ ରକମ ପରୀକ୍ଷା ପ୍ରଶ୍ନ ବି ହୋଇପାରୁଥିବ । ଅର୍ଥାତ୍ ପୁସ୍ତକ ଏପରି ଭାବେ ରଚିତ ହୋଇଥିବ, ଯାହା ପଢ଼ିଲେ, “ଏକ ଦାନ୍ତଘଷା ଗୁଡ଼ାଖୁର ବିଜ୍ଞାପନ ରଚନା କର” ପରି ପ୍ରଶ୍ନର ସନ୍ତୋଷଜନକ ଉତ୍ତର ଦେବା ଛାତ୍ର ପକ୍ଷରେ ସମ୍ଭବ ହେଉଥିବ । ଏତଦ୍‍ବ୍ୟତୀତ ଛାତ୍ରର ମନୋବିଜ୍ଞାନ ଉପରେ ଦୃଷ୍ଟି ରଖି ସକଳ ବିଷୟର ବର୍ଣ୍ଣନା ଏପରି ଶୈଳୀ, ଏପରି ଢଙ୍ଗରେ କରା ହୋଇଥିବ, ଯେପରିକି ଆଦ୍ୟୋପ୍ରାନ୍ତ ଛାତ୍ରର ଆଗ୍ରହ ଅତୁଟ ରହେ । ଅବଶ୍ୟ କେହି ଯେପରି ଅନୁମାନ ନ କରନ୍ତି ଯେ ପ୍ରଚଳିତ ପାଠ୍ୟପୁସ୍ତକମାନ ଏହି ସମସ୍ତ କଠିନ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ । କିନ୍ତୁ ବିଜ୍ଞାପନ ସାହିତ୍ୟର ବିକାଶରେ ଏ କଥା ପ୍ରତି ମଧ୍ୟ ଧ୍ୟାନ ରଖିବାକୁ ହେବ ଯେ ଏହା ଅତ୍ୟାଧୁନିକ ମନୁଷ୍ୟ ଉଦ୍ଦେଶ୍ୟରେ ରଚିତ ପାଠ୍ୟପୁସ୍ତକ ହେବାକୁ ଯାଉଛି । ଫଳରେ ସ୍ଥଳବିଶେଷରେ ଗଳ୍ପ କବିତା ଆଦି ଅନ୍ୟାନ୍ୟ, ଅପେକ୍ଷାକୃତ ପୁରାତନ ସାହିତ୍ୟିକ ବିଭାଗର ସାହାଯ୍ୟ ନେଲେହେଁ, ଏହାକୁ ଯୁଗୋପଯୋଗୀ କରି, ସମ୍ୟକ୍ ପରିମାର୍ଜିତ କରିବାକୁ ହେବ ।

 

ଏହିଠାରେ ମୋ ମତରେ, ମୋ କହିବା କଥାଟି ସରିଯାଇଥାନ୍ତା, ଯଦି ନିଚ୍ଛକ୍ ଲୋଭରେ ପଡ଼ି କେତେକ ଉଦାହରଣ ଦେବାକୁ ମୁଁ ଆଗଭର ହେଉ ନ ଥାନ୍ତି । ଭଲହେଲା–ଏପରି ଉଦାହରଣ ଭବିଷ୍ୟତର ଲେଖକ ତଥା ଗବେଷକଙ୍କୁ ସାହାଯ୍ୟ କରିବାର ସମ୍ଭାବନା ରଖେ, ଏବଂ ଯେହେତୁ ଏତେଗୁଡ଼ାଏ କଥା ଆପଣ ପଢ଼ି ସାରିଲେଣି, ଆଉ କିଛି ପୃଷ୍ଠା ଆପଣ ସହିପାରିବେ ବୋଲି ମୋର ଭରସା ଅଛି । ତା ଛଡ଼ା ୟାକୁ ପଢ଼ିବାକୁ ଆପଣଙ୍କର ଧୈର୍ଯ୍ୟ ନ ରହିଲେ ବିଜ୍ଞାପନ ସାହିତ୍ୟର ବିକାଶ ଆଶା, “ଆକାଶ କୟାଁ, ଚିଲିକା ମାଛ ।”

 

ଉଦାହରଣମାଳା :

 

(ପୂର୍ବ ପଠିତ ଉତ୍ତାରୁ)

 

ପ୍ରଶ୍ନ– ଦୁଇଟିରୁ ଯେକୌଣସି ଗୋଟିଏ ନିଅ ଏବଂ ବିଜ୍ଞାପନ ରଚନା କର ।

 

(କ) ମଦନାନନ୍ଦ ପର୍ପଟି ଏବଂ (ଖ) ଋତୁ ସଞ୍ଚରିଣୀ ବୈଦ୍ୟୁତିକ ସିରପ୍ ।

 

ଉତ୍ତର– (କ) ମଦନାନନ୍ଦ ପର୍ପଟୀ (ବଡ଼ କପିଳ ହରଫ୍) ।

 

ଚିତ୍ରର ବିବରଣ– ଏକ ଅର୍ଦ୍ଧ ବିବାସନା ନାରୀ, ବ୍ୟସ୍ତ କେଶପାଶ, ପାଠକ ଆଡ଼କୁ ପଛକରି ଠିଆ ହୋଇଛି । ସ୍ଥାନ– ବିଶେଷ ମାନ ମୁକ୍ତ କେଶପାଶ ଏବଂ ଆଂଶିକ ପରିଧେୟ ଦ୍ଵାରା ଲୁକ୍‍କାୟିତ । ଏକ ଚିନ୍ତିତ ଏବଂ କୁଞ୍ଚିତ ମୁଖ ମଧ୍ୟ–ବୟସ୍କ ପୁରୁଷ ପାଠକ ଆଡ଼କୁ ମୁହଁ କରି, ମୁହଁ ପୋତି ବସିଥିବ । ପଛରେ ଝରକା, ଆଗରେ ବିଛଣା, ଝରକା ପଛରେ ବଙ୍କାଚାନ୍ଦ । ପାର୍ଶ୍ଵଦେଶରେ ଲିଖିତ କଥା– “ତା ହେଲେ ତମେ ବିବାହ କଲ କାହିଁକି ?” (୮ପଏଣ୍ଟ୍ ଇଙ୍ଗ୍‍ଲିଶ୍) ତଳର କଥା–(୧୨ ପଏଣ୍ଟ୍ ପାଇକା)–“ନିରାଶ ହେବେ ନାହିଁ । ସର୍ବପ୍ରକାର ଗୁପ୍ତ ରୋଗଲାଗି ଆଧୁନିକ ବିଜ୍ଞାନ ସମ୍ମତ ଖାଣ୍ଟି ଆୟୁର୍ବେଦିକ ଔଷଧ ଆମ୍ଭର ଗବେଷଣା–ଗାରରେ ପ୍ରସ୍ତୁତ ହୋଇଅଛି । ଅଧପାଏ ଦୁଧ, ଡଜନେ ଲେମ୍ବୁ ଓ ପ୍ରଚୁର ବେଦେନାରସ ସଙ୍ଗେ ଏହାକୁ ନିୟମିତ ସେବନ କଲେ ଆପଣ ଆନନ୍ଦରେ କାଳାତିପାତ କରିବେ । ଏହା ଖାଣ୍ଟି ହିମାଳୟରୁ ସଂଗୃହୀତ । ଦାମ୍

 

(ବଡ଼ କପିଳ ହରଫ୍) ସାବଧାନ୍ ! ସାବଧାନ୍ !! ସାବଧାନ୍ !!!

 

(ଛୋଟ କପିଳ ହରଫ୍) ଆମ୍ଭର ଏହି ବିଶ୍ଵବିଖ୍ୟାତ ପର୍ପଟୀର ଲୋକପ୍ରିୟତା ହେତୁ ବହୁ କୁଟିଳ ବ୍ୟକ୍ତି ଏହାକୁ ଅନୁସରଣ କରି ବଜାରକୁ ଛାଡ଼ୁଅଛନ୍ତି । ଆମ୍ଭର ରେଜିଷ୍ଟାର୍ଡ ଔଷଧ ଶିଶିରେ ସ୍ଵର୍ଗୀୟ ଡାଲ୍ ଜିତ୍ ସିଂ ବାୱାଙ୍କର ବାଘରାନିଶ ଥିବା ଫଟୋ ଥାଏ । ଦେଖି ଚିହ୍ନି, କିଣିବାକୁ ହୁଏ । ମନେରଖିବେ, ଡାଲ୍ ଜିତ୍ ସିଂ ବାୱା ଶିଖ୍, ଅତଏବ ତାଙ୍କର ଦାଢ଼ୀ ମଧ୍ୟ ଅଛି ।

 

(ବଡ଼ କପିଳ ହାଇଫ୍) ସାବଧାନ୍ ! ସାବଧାନ୍ !! ସାଧୁ ସାବଧାନ୍ !!! ଆମ୍ଭର ଏହି ପର୍ପଟୀ ଋତୁ ସଂଚାର କରାଏ । ଫଳରେ କୁଟିଳ ଏବଂ ନଷ୍ଟଚରିତ୍ର ଯୁବକ ଯୁବତୀଗଣ ଏହାକୁ ପରିବାର ନିୟନ୍ତ୍ରଣ ତୁଲ୍ୟ ବ୍ୟଭିଚାରିତାରେ ଉପଯୋଗ କରୁଛନ୍ତି । ଏହା ସମାଜ ପକ୍ଷରେ ଅହିତକର । ଆମ୍ଭର ଏହି ପର୍ପଟୀ ସ୍ୱାସ୍ଥ୍ୟପକ୍ଷରେ କୌଣସି ହାନୀ ଆଣି ଦିଏ ନାହିଁ ।

 

–ଲେଖକଙ୍କର ନାମ–

(ବଡ଼ ହରିଫ୍)

 

ମନ୍ତବ୍ୟ– ଏଠାରେ ଅନ୍ତର୍ନିହିତ ମନୋବିଜ୍ଞାନ ଲକ୍ଷଣୀୟ । ନପୁଂସକତ୍ଵ ଭୟରେ ଭୀତ, ମଧ୍ୟବୟସ୍କ ପୁରୁଷ ଯାହାଲାଗି ବିଜ୍ଞାପନଟି ଉଦ୍ଦିଷ୍ଟ ତାହାର ମାନସପଟରେ ଆଲୋଡ଼ନ ସୃଷ୍ଟି କରିବା ଲାଗି ଏହାଠାରୁ ଭଲ ଉପାୟ କ’ଣ ଥାଇପାରେ ? ତା ଛଡ଼ା, ଅଶ୍ଳୀଳତା ବିବର୍ଜିତ କରି ଏସବୁ ବିଜ୍ଞାପନ ରଚନା କରିବା କେଡ଼େ ଶକ୍ତିଶାଳୀ ପ୍ରତିଭାର ଦାବୀ କରେ, ଏଇଥିରୁ ଅନୁମେୟ । ଏଥି ସଙ୍ଗେ ଉଦ୍ଦିଷ୍ଟ ସମ୍ବାଦଟି ନାନା କୌଶଳରେ ପରିବେଶିତ ହୋଇଅଛି । ଏହାକୁ ପାଠକରି କେହି ‘ପର୍ପଟୀ’ଟି କିଣୁ ନ କିଣୁ, ଏଥିର ସାହିତ୍ୟସୁଧା ପାନ କରିବାକୁ ରସିକ ପାଠକଙ୍କର ଅଭାବ ହେବ ନାହିଁ । ସେହି ଦୃଷ୍ଟିରୁ ବିଚାର କରନ୍ତୁ ଏକ ପ୍ରସାଧନ ଦ୍ରବ୍ୟର ବିଜ୍ଞାପନ । ପ୍ରସାଧନ ଦ୍ରବ୍ୟର ଅସଲ ଗ୍ରାହକ, ବିଗତ\ପ୍ରାୟଗତ–ଯୌବନା ନାରୀ ତଳଲିଖିତ ନମୁନାଟି ଏଥର ବିଚାର କରିବା ହୁଅନ୍ତୁ ।

 

ପ୍ରଶ୍ନ– ଏକ ମୁହଁମଖା ସ୍ନୋ’ର ନାମକରଣ କରି ତାହାର ବିଜ୍ଞାପନ ଲେଖ ।

 

ଉତ୍ତର– ‘ନବ ଯଉବନୀ ସ୍ନୋ’ (ବଡ଼ ହରଫ୍)

 

ଚିତ୍ର : ଏକ ବାକୀ–ସବୁ ଠିକ୍–ଥିବା ନାରୀ, ଗାଲରେ ଦାଗ, ଶୁଖିଲା ମୁହଁ, ବାଁ କଡ଼ରେ-। ଡାହାଣ କଡ଼ରେ ଅନ୍ୟ ଏକ ସୁନ୍ଦରୀ ହାସ୍ୟମୟୀ ନାରୀ ମୂର୍ତ୍ତି, ଚହଟ ଚିକ୍‍କଣ, ‘ମନେ ମନେ ବୁଢ଼ୀ ବିଶ୍ଵସୁନ୍ଦରୀ’ ମୁଖଭଙ୍ଗୀ । ତଳେ (୧୨ ପଏଣ୍ଟ ପାଇକା) ଯଥାକ୍ରମେ ‘ପୂର୍ବ’ ଏବଂ ‘ପର’ । (ବଡ଼ କପିଳ ହରଫରେ :) ‘ଇସ୍ ! ! କ–ଳା–ଦା–ଗ ! ! ! ! (୧୨ ପଏଣ୍ଟପାଇକାରେ) ‘ଚିନ୍ତା କରିବେ ନାହିଁ, ନବ ଯଉବନୀ ସ୍ନୋ’ ଆପଣଙ୍କର ମୁଖର ପୂର୍ବ ସୌନ୍ଦର୍ଯ୍ୟ ଫେରାଇ ଆଣିବ । ପ୍ରସ୍ଫୁଟିତ କମଳ ପରି ସେହି ମୁଖଶ୍ରୀ, ସେହି ଦୁଧ–ଅଳତା ରଙ୍ଗ, ନରମ ଗରମ ତ୍ଵକ୍ ଶୋଭା ଲାଗି ଆଜି ଅର୍ଡର କରନ୍ତୁ... ଅର୍ଡିନାରୀ …, ସ୍ପେଶାଲ … । ଏକଷ୍ଟ୍ରା ସ୍ପେଶାଲ (୧୦ ବର୍ଷ ଗ୍ୟାରେଣ୍ଟି )

 

ମନ୍ତବ୍ୟ– ଏଠାରେ ‘ପୂର୍ବ ସୌନ୍ଦର୍ଯ୍ୟ’ କଥାଟିର ବିଜ୍ଞ ପ୍ରୟୋଗ ଲକ୍ଷ୍ୟ କରନ୍ତୁ । ପରେ ପରେ ପ୍ରସ୍ଫୁଟିତ କମଳ ପରି ଶୋଭା କଥାତକ । କେହି କିନ୍ତୁ ପଚାରିବ ନାହିଁ ଯେ ଯାହାର ‘ପୂର୍ବ ସୌନ୍ଦର୍ଯ୍ୟ’ ନ ଥିଲା, ତା କଥା କ’ଣ ହେବ । କଥା ହେଉଛି ନାରୀର ମନସ୍ତତ୍ଵ ଏହିପରି । ସେ ଯେ ସୁନ୍ଦରୀ ଥିଲା, ଏହା ନିଃସନ୍ଦେହ । ବର୍ତ୍ତମାନ ଯଦି ସେ ସୁନ୍ଦରୀ ଦିଶୁ ନାହିଁ ଏହା ଏକ ଆକସ୍ମିକ ଘଟଣା ବୋଲି ବିଶ୍ଵାସ କରିବାକୁ ସେ ସୁଖପାଏ । ଅଳମତି ବିସ୍ତରେଣ । ଏହିପରି “ଧଳାଭାଲୁ ମାର୍କା ସୌନ୍ଦର୍ଯ୍ୟ ମଲମ”ର ବିଜ୍ଞାପନ ମଧ୍ୟ ଲେଖା ହୋଇପାରେ । ତଳର ଉଦାହରଣ ପ୍ରଶ୍ନ ପତ୍ର ଏବଂ ସାହିତ୍ୟିକ ସମାଲୋଚନା ଉଭୟ ଦେଖାଇ ଦେବ । ଅବଧାରଣା କରିବା ହୁଅନ୍ତୁ ।

 

ପ୍ରଶ୍ନ– ସରଳାର୍ଥ ଲେଖ । “ଅଧିକ ଲେଖିବା ଶିଷ୍ଟାଚାର ବିରୁଦ୍ଧ ।”

 

ଉତ୍ତର– ଏହି ଉଦ୍ଧୁତାଂଶଟି ଶ୍ରୀ ହରିକିଷଣ ଲାଲ୍ ନନ୍ଦକୁଳିଆ ରଚିତ ବିଜ୍ଞାପନମାଳାରୁ ଆନୀତ ହୋଇଅଛି । ଏଠାରେ ଲେଖକ ଏକ କୋକଶାସ୍ତ୍ରର ବିଜ୍ଞାପନ ଦେବାକୁ ଯାଇ, କିପରି ଭୂତପୂର୍ବ କାଶ୍ମିରୀ ରିଆସତ୍‍ଙ୍କର ପ୍ରଧାନମନ୍ତ୍ରୀ କୋକାଜୀ ମହାରାଜ ଏକ ସନ୍ତୋଷ ପ୍ରାର୍ଥିନୀ ରମଣୀର ମନୋହରଣ କରିଥିଲେ ତାହାର ସଂକ୍ଷିପ୍ତ ଅଥଚ ପ୍ରାଞ୍ଜଳ ବ୍ୟାଖ୍ୟା କରିଅଛନ୍ତି । ଯେହେତୁ ଏଇ ପୁସ୍ତକ କେବଳ ବୟସ୍କ ଏବଂ ବିବାହିତମାନଙ୍କ ଲାଗି ଉଦ୍ଦିଷ୍ଟ, ଲେଖକ ଭଦ୍ରଲୋକମାନଙ୍କ ଆଗରେ ଅଧିକ କିଛି ପ୍ରକାଶ କରିବାକୁ କୁଣ୍ଠିତ ହୋଇଅଛନ୍ତି ! … ଇତ୍ୟାଦି ।

 

ପୁସ୍ତକାଦିର ବିଜ୍ଞାପନ ସାହିତ୍ୟ ବିଭାଗ, କବଚ ଆଦି ଜ୍ୟୋତିର୍ବିଦ୍ୟା ବିଭାଗ; ଏପରି ବିଭାଗୀକରଣଦ୍ଵାରା ବିଶେଷଜ୍ଞମାନେ ତିଆରି ହୋଇପାରିବେ । ଯେ ଶ୍ରୀ ଶ୍ରୀ ୧୦୮ଶ୍ରୀ ମହାପୁରୁଷ ଫୁଲମାଳିଆ ମହାପାର୍ଥ ସାରଥୀ କବଚର ବିଜ୍ଞାପନ ଲେଖେ, ସେ ଅବା ଶ୍ରୀ ଶ୍ରୀ କାଉଁରୀ କାମାକ୍ଷା ଅସଲ ଇନ୍ଦ୍ରଜାଲ ମନ୍ତ୍ରଯନ୍ତ୍ର ସମ୍ବନ୍ଧୀୟ ପୁସ୍ତକର ବିଜ୍ଞାପନଯାକେ ଉଡ଼ିପାରେ, କିନ୍ତୁ ତା ପକ୍ଷରେ “ସ୍ଵାମୀ ବି ମଲେଣି–ସେ ବି ଆଇଲେଣି”; “ତୋତେ ଦେଖି ଝୁଣ୍ଟିଲି ଲୋ ପ୍ରାଣମିତଣୀ” ଆଦି ଆଧୁନିକ ରୋମାଣ୍ଟିକ ଉପନ୍ୟାସର ଆଠଣିଆ ଚଟି ବହି ସଂସ୍କରଣ ସମ୍ବନ୍ଧରେ ଏତେଟା ପାରଙ୍ଗମ ହେବ ନାହିଁ । ବୋଲିବା ବାହୁଲ୍ୟ, ଏ ଦୁଇ କ୍ଷେତ୍ରରେ ଶୈଳୀ ସଂପୂର୍ଣ୍ଣ ପୃଥକ୍ ହେବ । ଉଦାହରଣ ସ୍ୱରୂପ–

 

ପ୍ରଶ୍ନ–ଶ୍ରୀ ରଘୁ ପୃଷ୍ଟି ରଚିତ “ମାଧବୀ ଜାଗେ, ମିଳନ ରାଗେ” ଉପନ୍ୟାସର ବିଜ୍ଞାପନ କର ।

 

ଉତ୍ତର– ଆ–ଆ–ଆଃ ! ! ଏ ଯେ ପ୍ରେମର ପ୍ରଭାତୀ ତାରା ! ଲେଖକଙ୍କର ବଳିଷ୍ଠ ଲେଖନୀରେ ଫୁଟିଛି ଫୁଲ, ହସିଛି ସନ୍ଧ୍ୟା । ପ୍ରେମ ଉପରେ ଏ ଏକ ଦିବାଲୋକର ନିରୀକ୍ଷଣ, ସାୟଂକାଳୀନ ଅନୁଧ୍ୟାନ ! ତରୁଣୀ ମନର ଦର୍ପଣ । ହାୟ ରୂପ : ତୁ କାହାକୁ କ’ଣ ଣ କରିଛୁ ? ସରଳା ବାଳିକା, ଯେ କି ଜାଣି ନ ଥିଲା... କିଛି ବି– ଆଜି କ’ଣ ହେଲା ତା’ର ? କିଏ ଦାୟୀ ? କିଶୋର ଭାଇ, କଲେଜ ପଢ଼ୁଆ ଟୋକା’ ନା ସ୍ନେହମୟୀ ମାତା ? ଏକ ସାଗର ବେଳାର ପ୍ରଥମ ପ୍ରେମ–ତାପରେ ସମାଜର ଅଡ଼ୁଆ ସୁତା...ପଢ଼ିଲେ ଜାଣିବେ ।

 

ମନ୍ତବ୍ୟ–ମୂଳ ରଚନା ସଙ୍ଗେ ଅତି ଘନିଷ୍ଠ ଭାବେ ସମ୍ପର୍କ ନ ରଖିଲେ ବି ଚଳିବ । ବିଜ୍ଞାପନ କିଛି ସମ୍ବାଦ ଦିଏନା । ତାହା କେବଳ ଆଗ୍ରହ ସୃଷ୍ଟି ପାଇଁ ଉଦ୍ଦିଷ୍ଟ ।

 

ଏତିକିରେ ମୋର ଆଲୋଚନା ବନ୍ଦ କରିବି ଏବଂ ଆଶା କରିବି ଯେ ଏ ରଚନାର ସମସ୍ତ ପାଠକ ସ୍ଵସ୍ଵ ଭିତ୍ତିରେ, କ୍ଷମତା ମୁତାବକ ଏହି ବିଶିଷ୍ଟ କଳାର ସାଧନ କରିବେ ଏବଂ ଯେଉଁମାନେ ସାଧନ କରୁଛନ୍ତି ସେମାନଙ୍କର ପୃଷ୍ଠପୋଷକତା କରିବେ । ଯଦି ବ୍ୟାପକ ଶିଳ୍ପିକରଣ ଗଣତାନ୍ତ୍ରିକ ସମାଜବାଦର ଅନ୍ୟତମ ଲକ୍ଷ୍ୟ ହୋଇଥାଏ, ବ୍ୟାପକ ବିଜ୍ଞାପନ ଚର୍ଚ୍ଚା ନିଶ୍ଚୟ ଜାତୀୟ ଲକ୍ଷ୍ୟ ସିଦ୍ଧିରେ ସାହାଯ୍ୟ କରିବ । ଆଗୁଆନ୍ ଜାତି ନିଜର ବିଜ୍ଞାପନକୁ ପ୍ରାଧାନ୍ୟ ଦିଏ (ଆମେରିକା ପତ୍ରିକାମାନ ଦ୍ରଷ୍ଟବ୍ୟ) ଦେଶେ ଦେଶେ ମାର୍ଜିତ ଭାରତୀୟ ବିଜ୍ଞାପନ ଖେଦିଗଲେ ଜାତୀୟ ଆୟ, ବିଦେଶୀ ମୁଦ୍ରା ବିନିମୟ କେତେ ଯେ ବଢ଼ିବ, ତାହା କ’ଣ ବୁଝାଇଦେବାକୁ ପଡ଼ିବ ? ଏଇଥିରୁ ବୁଝା ପଡ଼ିବ ଯେ ବିଜ୍ଞାପନ ସାହିତ୍ୟର ବିକାଶ ଫଳରେ ସାହିତ୍ୟ ଜୀବନ ସଙ୍ଗେ ଅଧିକ ଭାବେ ସଂଯୁକ୍ତ ହୋଇପାରିବ ଏବଂ ଦେଶ ପ୍ରତି ଆପଣାର କର୍ତ୍ତବ୍ୟ ସମ୍ପାଦନ କରିବାର ସୁଯୋଗ ଏପରିକି ଲେଖକ–ମାନେ ମଧ୍ୟ ପାଇବେ, ନିଜେ ଫାଇଦା ଉଠାଇବା ବାଦ୍, ଅଧିକନ୍ତୁ । ଅତଏବ, ଚାଲୁ ଚାଲୁ ।

Image

 

Unknown

ରକା

 

“Closer is He than breathing

And nearer than hands and feet.”

 

–Tennyson

 

ଅତ୍ୟନ୍ତ ଦୁଃଖ ଏବଂ କ୍ଷୋଭର ବିଷୟ ଯେ ଶ୍ରୀ ସୁରସେନ ଷଢ଼ଙ୍ଗୀ, ଏମ୍. ଏମ୍‍ସି, ଏ ଏମ୍. ଆଇ. ଇ. ଙ୍କ ବେକରେ ରକା ପଶିଛି । ଠିକ୍ କେତେବେଳେ ପଶିଲା, ସେକଥା ଜଣା ଯାଇନି-। ଛୁଟିରେ ଘରକୁ ଆସିଲାବେଳେ, ଟ୍ରେନ୍‍ରେ ଉଠିବାର ଅବ୍ୟବହିତ ପୂର୍ବରୁ, କିମ୍ବା ଶୁକ୍ରବାର ରାତିରୁ, ବା ଶନିବାର ସକାଳୁ ରକାଟା ପଶିଛି । ବର୍ତ୍ତମାନ ସୁରସେନଙ୍କ ମୁହଁଟା କେତେକ ପରିମାଣରେ ଏକ ଗଭୀର ପର୍ଯ୍ୟବେକ୍ଷଣରତ ବ୍ୟକ୍ତ, କେତେକ ପରିମାଣରେ ମାର୍ଚ୍ଚ–ପାଷ୍ଟରତ ଏକ ଏନ୍. ସି. ସି. ଛାତ୍ର ଏବଂ ଆହୁରି କେତେକ ପରିମାଣରେ ଏକ ଖୋସାମଦ୍–ରତ କିରାଣୀ ପରି ଡାହାଣ ଆଡ଼କୁ ଢଳି ପଡ଼ିଛି । ବାହାରୁ ଦେଖିଲେ ତାଙ୍କର ବେଦନାର ସଠିକ୍ କଳନା ଅସମ୍ଭବ-। ବନ ପୋଡ଼ିଲେ ସମସ୍ତେ ଜାଣନ୍ତି, ମନ ପୋଡ଼ିଲେ ହୁଏତ ଜଣେ ଜାଣିପାରେ, କିନ୍ତୁ, କହିବାକୁ ଗଲେ, ବେକ ପୋଡ଼ିଲେ ଜାଣିବ କିଏ ? ଗତ ଚାରିଦିନ ହେଲା ସୁରସେନବାବୁ ଶଯ୍ୟାଶାୟୀ ବା “ଶର୍ଯ୍ୟାଅର୍ଦ୍ଧଶାୟୀ” ଯେହେତୁ ସେ ଶୋଇରହିବା ମଧ୍ୟ କଷ୍ଟକର ମଣୁଛନ୍ତି । ତାଙ୍କ ପରି ଜଣେ ବନ୍ଧୁପ୍ରିୟ, ମେଳାପି ଲୋକେ ପକ୍ଷରେ ଏହିପରି ଏକାଟିଆ ଜୀବନଧାରଣ କ୍ରମେ ଅସମ୍ଭବ ହୋଇ ପଡ଼ିଲାଣି ।

 

ରକା ଏକ ଦୈବୀ ବିଡ଼ମ୍ବନା । ରକା ଏକ ଅସମ୍ଭବ ଏବଂ ଅଚିକିତ୍ସନୀୟ ବେମାରି । ୟେ ରୋଗୀର କୌଣସି ଅନିୟମ ବା ଦୋଷ ଫଳରେ ଆସେନାହିଁ । ଆସିଲେ, ଆସେ କୌଣସି ଦୁର୍ଭାଗ୍ୟର ନିର୍ଦ୍ଦେଶରେ ଏବଂ ରୋଗୀର ଅନିଚ୍ଛାସତ୍ତ୍ୱେ ଏବଂ ତାର ବିନାମତିରେ । ରକା ଅନେକଟା ଆତ୍ମାପରି । ତା’ର ଅବସ୍ଥିତି ଓ ଆୟତନ ଅଛି ଏବଂ ନାହିଁ, “ନୈନଂ ଛିନ୍ଦନ୍ତି ଶସ୍ତ୍ରାଣି, ନୈନଂ ଦହତି ପାବକମ୍” । ପ୍ରକୃତରେ ଯଦି ସମ୍ଭବ ହୁଅନ୍ତା, ସୁରସେନ ନିଜର ବେକଟା କାଟି ସ୍ଵଶରୀରରୁ ଅଲଗା କରିଦେଇ ବାହାରେ, ନର୍ଦମାରେ ଫିଙ୍ଗି ଦେବାକୁ କୁଣ୍ଠିତ ହୁଅନ୍ତେ ନାହିଁ । କାରଣ, ଯଦି ବିଚାର କରାଯାଏ ନିହାତି ଥଣ୍ଡା ମନରେ, ତେବେ ବେକଟା ଭଲା କରୁଚି କ’ଣ ? ବିଶେଷତଃ ଭାରତବର୍ଷରେ, ଯେଉଁଠି ନା ଅଛି ନେକଟାଇ, ନା ଅଛି କଣ୍ଠିମାଳି, ସେଠି ପୁରୁଷ ପକ୍ଷରେ ଅନ୍ତତଃ, ଏହି ପ୍ରତ୍ୟଙ୍ଗଟି ଅନାବଶ୍ୟକ ନୁହେଁ କି ? ତେବେ ହଁ, ପୌରାଣିକ ଯୁଗରେ ବଳି-ପ୍ରଥା ଇତ୍ୟାଦିରେ ବେକର ଆବଶ୍ୟକତା ନିଶ୍ଚୟ ଥିଲା ଏବଂ ସୁରସେନଙ୍କର ବିଶ୍ଵାସ ଯେ, ଯେଉଁମାନେ ଆତ୍ମବଳୀ ଦେବାକୁ ଆଗଭର ହେଉଥିଲେ, ସେମାନେ ସେତିକିବେଳେ ନିଶ୍ଚୟ ରକା ଭୋଗୁଥିବେ । ନଚେତ୍ ବେକ ପ୍ରତି ଏତେଗୁଡ଼ାଏ ଅନାସ୍ଥା ସମ୍ଭବ ହୁଅନ୍ତାନି ।

 

କେବଳ ରକା, ଆଉ ରକା ଆଉ କିଛି ଭାବିବାକୁ ମନ ପ୍ରସ୍ତୁତ ନୁହେଁ । ଅଥଚ କେହି ଯେପରି ଅନୁମାନ ନକରନ୍ତେ ଯେ ଆଉକିଛି ଭାବିବାକୁ ସେ ସମର୍ଥ ନୁହନ୍ତି । ଜଣେ ଶିକ୍ଷିତ, ସଚେତନ ସ୍ଵାଧୀନ ଭାରତର ଅବିବାହିତ ନାଗରିକ ଉଚ୍ଚତା ଏତେ ମିଟର, ଓଜନ ଏତେ କିଲୋଗ୍ରାମ୍ ପକ୍ଷରେ ଯାହା ଯାହା ଭାବିବା ସ୍ଵାଭାବିକ ଏକ ଛୁଟି ଦିବସରେ, ସୁରସେନ ସେସବୁ ଭାବିବାକୁ ସମର୍ଥ ଏବଂ ଏହି ମୂହୁର୍ତ୍ତରେ ଉଚ୍ଛୁକ । କିନ୍ତୁ ଧରନ୍ତୁ ସେ ଭାବିବାକୁ ଆରମ୍ଭ କଲେ “କ’ଣ ଏ ଦେଶ ହେବାକୁ ଯାଉଛି କହିଦେବ ନାହିଁ” ଧରଣର ଏକ ଆଧୁନିକ ଚିନ୍ତା । ଏହି ଚିନ୍ତାସ୍ରୋତରେ କିନ୍ତୁ ରକା କଥାଟାର ଅନିଚ୍ଛାକୃତ ବନ୍ଧ ଆସି ପଡ଼ିଯିବ । ସୁରସେନଙ୍କର ବର୍ତ୍ତମାନର ମାନସିକ ସ୍ଵର୍ଗତୋକ୍ତିଗୁଡ଼ିକର ଟେପ୍‍ରେକର୍ଡ଼ ସଂଗ୍ରହ କରିପାରିଲେ ନିମ୍ନଧରଣର କିଛି ଶୁଣାଯାଇ ପାରନ୍ତା ।

 

ଅଓଓଓଓଓ ହଫ୍ ! କହି ହବନି ଶିକ୍ଷା କ’ଣ, ସ୍ୱାସ୍ଥ୍ୟ କ’ଣ–ରକାଟା ସ୍ୱାସ୍ଥ୍ୟ ବିଭାଗରେ– ଯାବତ ଲକ୍ଷ୍ମୀଛଡ଼ା ଦୁଶ୍ଚରିତ୍ର–ଏମାନେ ହେଲେ, ସମାଜର ରକା । ଏଠି କାହାର ଦୁଃଖ ବୁଝୁଚି କିଏ, ଯେ ତେଲ୍ ମାଲିସ୍ କଲା–ହଁ, ଆଜି ତେଲ ମାଲିସ୍ ହେଲା କି ନାହିଁ ? ନୂଆବୋଉ ଗଲେ କୁଆଡ଼େ-? –ଯେ ତେଲ ମାଲିସ୍ କଲା, ତା’ର ରକ୍ତ ସଞ୍ଚାଳନ ହେବ ଏବଂ ରକା ଭଲ ହୋଇଯିବ– ହୁଏତ ଏ ଅବସ୍ଥା ରହିବ ନାହିଁ; ସବୁଦିନେ ସୁଧୁରିଯିବ କାରଣ ପଞ୍ଚବାର୍ଷିକ ଯୋଜନା ଇତ୍ୟାଦି । ହଁ, ପଞ୍ଚଗୁଣା ତୈଳ, ନେହେରୁ ଯାହା କହୁଚନ୍ତି, ରାଜନୈତିକ ଦଳାଦଳିରେ ରକା ପଶିଯାଉଛି । ଲୋକେ କାମ କରିବା ଉଚିତ, କିନ୍ତୁ କାମକଲେ ତ ରକା ପଶିବାର ସମ୍ଭାବନା । ଜନଗଣନା, ଏହି ମୁହୂର୍ତ୍ତରେ ଠିକ୍ କେତେଜଣ ରକା ଭୋଗିଛନ୍ତି ? ବେକକୁ ବୀମା କରାଯାଇପାରେ । ଭଲ ହବ, ରକା ପଶିଲେ ଇନ୍‍ସ୍ୟୁରାନ୍‍ସ କମ୍ପାନୀ–ସାଢ଼େ ଛଅ ଶହ ବର୍ଷର ପରାଧୀନତା, ତାପରେ ହଠାତ୍ ଜଣାଗଲା ଆମେ ସ୍ଵାଧୀନତା ପାଇଛୁ । ଲୋକେ ଫେରି ଚାହିଁଲେ, ଓଃ ହୋଃ ରକା ପଶିଗଲା...”

 

କିନ୍ତୁ କାରଣ କ’ଣ, ଅନ୍ତତଃ ସୁରସେନଙ୍କ ପରି ନିରୀହ ଅଥଚ ସୁସ୍ଥ ବ୍ୟକ୍ତି ପକ୍ଷରେ ? ଯଦି ବେକର ଚାଳନା ଏହାର କାରଣ ତେବେ କେତେ ଲୋକ ବା ବେକ ଚାଳନା କରୁନାହାନ୍ତି ? କେତେ ଜଣଙ୍କର ବା ରକା ପଶୁଚି ? କ’ଣ ହୁଅନ୍ତା ଯଦି ଠିକ୍ ସେଞ୍ଚୁରି ବାଡ଼େଇବାକୁ ବାହାରିଚନ୍ତି, ଭାରତୀୟ କ୍ରିକେଟିୟର୍ ଦେଶାଇଙ୍କ ବେକରେ ରକା ପଶିଯାନ୍ତା ବା ଆମେରିକାରେ ଓହ୍ଲାଇବା ମାତ୍ରେ ଆମ ପ୍ରଧାନ ମନ୍ତ୍ରୀଙ୍କର ?

 

କିମ୍ବା, ଭାରତନାଟ୍ୟମ୍ ବା ଓଡ଼ିଶୀ ନୃତ୍ୟରତା କୌଣସି ଶଙ୍ଖଗ୍ରୀବା ନାମଜାଦା ସୁନ୍ଦରୀ ନର୍ତ୍ତକୀଙ୍କର ? ଠିକ୍ ଅପାଙ୍ଗରେ ଚାହିଁ ଦେଉଁ ଦେଉଁ କୌଣସି ସିନେମା ନାୟିକାଙ୍କର ଏକ ପ୍ରେମ ଦୃଶ୍ୟରେ ତ ଅକ୍ଳେଶରେ ରକା ପଶି ପାରନ୍ତା । କିନ୍ତୁ ତା ନ ହୋଇ, ରକାଟା ପଶିଲା କଣନା ସୁରାସେନଙ୍କ ବେକରେ, ଯେ କି ନିଜ ବେକଟାର ଚାଳନା ମାସକୁ ଥରେ କରନ୍ତି କି ନାହିଁ ।

 

ତେବେ ରକାର କାରଣ ସମ୍ବନ୍ଧରେ ମତଦ୍ଵୈଧ ରହିଛି । କେତେକ କହନ୍ତି ରକ୍ତ ସଞ୍ଚାଳନର ଅଭାବ । ତେବେ ସାରା ଶରୀରରେ ରକ୍ତ ସଞ୍ଚାଳନ ହେଉଥିଲାବେଳେ, ଏଇ ବେକଟାରେ ବା ତାହାର ଅଭାବ କାହିଁକି ରହିବ ? ସେହିପରି ସର୍ଦ୍ଦି, କୋଷ୍ଠବଦ୍ଧତା, ପବନ ଅଟକିବା ଆଦି ନାନା ଅବାନ୍ତର କାରଣ । ବିଭିନ୍ନ ସୂତ୍ରରୁ ସୁରସେନଙ୍କ ଆଗରେ ଉପସ୍ଥାପିତ ହୋଇଛି ।

 

ତେବେ, ହୋମିଓ କ୍ଲିନିକ୍‍ର କମ୍ପାଉଣ୍ଡର ଶ୍ରୀ ସଦାନନ୍ଦ ଜେନାଙ୍କ କଥାରେ ଅନେକ ସତ୍ୟତା ରହିଛି । ସେ କହିଲେ ଯେ ଯଦି ମୁଣ୍ଡତଳ ତକିଆର ଉଚ୍ଚତାରେ କୌଣସି କାରଣରୁ ତାରତମ୍ୟ ହୁଏ, ତେବେ ରକା ପଶିବାର ସମ୍ଭାବନା ୫୦ ପ୍ରତିଶତ ବଢ଼ିଯାଏ । ସୁରସେନଙ୍କର ମୁଣ୍ଡତଳ ତକିଆର କୌଣସି ମୌଳିକ ପରିବର୍ତ୍ତନ ନିକଟରେ ହୋଇନାହିଁ । ତେବେ ଉଚ୍ଚତା ବଦଳିଯାଇଛି ନିଃସନ୍ଦେହ । କାରଣ ଯେଉଁ ପ୍ରେମପତ୍ରଗୁଡ଼ିକ ସେ ମୁଣ୍ଡ ତଳେ ରଖି ଶୋଉଥିଲେ, କିଛିଦିନ ତଳେ ସେତକ ପୋଡ଼ି ଦିଆଯାଇଛି । ଅତଏବ ସୁରସେନବାବୁଙ୍କର ମୁଣ୍ଡତଳ ତକିଆର ସମୁଦ୍ରପତ୍ତନଠାରୁ ବର୍ତ୍ତମାନ ଉଚ୍ଚତା, ସମାନ, ପୂର୍ବ ଉଚ୍ଚତା ବିଯୁକ୍ତ ପ୍ରେମ ପତ୍ରମାନଙ୍କର ସମୁଦ୍ର ପତ୍ତନଠାରୁ ସାମୁହିକ ଉଚ୍ଚତା । ଆପାତତଃ ସୁରସେନ ବାବୁଙ୍କ ରକାର କାରଣ ରୂପେ ଏହି ପରିବର୍ତ୍ତନକୁ ଧରିନିଆ ହୋଇଛି ।

 

ବର୍ତ୍ତମାନ, ଚିକିତ୍ସା ପର୍ଯ୍ୟାୟ । ରକାର ଚିକିତ୍ସା ମୁଖ୍ୟତଃ ଦୁଇ ଶ୍ରେଣୀର, ଯଥା : ଜଡ଼ ଏବଂ ତାନ୍ତ୍ରିକ । ପ୍ରଥମୋକ୍ତ ପର୍ଯ୍ୟାୟରେ ଜଡ଼ାତେଲ ମର୍ଦନ ପୂର୍ବକ ବିରିପୁଡ଼ିଆର ସେକ ଦେବାଠାରୁ ଆରମ୍ଭକରି ଇନ୍‍ଫ୍ରାରେଡ୍‍ ବତୀ ପରି ଆଧୁନିକ ସେକ, ‘ମେଗର୍ ଦ୍ଵାରା ଇଲେକ୍‍ଟ୍ରିକ୍ ସକ୍ ସମ୍ଭାଳିବା, ଏବଂ ହୋମିଓପାଥି କବିରାଜୀ ଓ ଡାକ୍ତରୀ ଆଦି ନାନା ଔଷଧ ସେବନ କରିବା ଅନ୍ତର୍ଭୁକ୍ତ । ତାନ୍ତ୍ରିକ ଚିକିତ୍ସା ମନ୍ତ୍ରଚାଳିତ ।

 

ଅଭିଜ୍ଞ ଉପଦେଷ୍ଟାମାନେ କହିଲେ ଯେ ରକା ପାଇଁ ତାନ୍ତ୍ରିକ ଧରଣର ଚିକିତ୍ସା ହିଁ ଶ୍ରେଷ୍ଠ-। କଳିଯୁଗରେ ତାନ୍ତ୍ରିକ ଉପାୟମାନ କ୍ରମେ ଅବଲୁପ୍ତ ହେଉଅଛି । କିନ୍ତୁ ମନ୍ତ୍ରର ଦୁଇଟି ସାମାଜିକ ପ୍ରୟୋଗ ଅଦ୍ୟାପି ସର୍ବସମ୍ମତ । ସେ ଦୁଇଟି ହେଲେ, (୧) ରକା ଏବଂ (୨) ସାପ କାମୁଡ଼ା । ଉଭୟ କ୍ଷେତ୍ରରେ ଡାକ୍ତରମାନେ ପ୍ରାୟ ନିରୁପାୟ । କଳିଯୁଗର ନାନା କୃତ୍ରିମତା ଏବଂ ଅନ୍ୟାୟ ଅନାଚାର ଫଳରେ ରାଜନୀତି, ସାହିତ୍ୟ, ପ୍ରେମ, କାରିଗରି ଆଦି କ୍ଷେତ୍ରରୁ ମନ୍ତ୍ରଶକ୍ତିର ପ୍ରଭାବ ଅପସରି ଯାଇଛି । ତେଣୁ ବଶୀକରଣ, ସମ୍ମୋହନ ଆଦି ନାନା ଉପାଦେୟ ମନ୍ତ୍ର ବର୍ତ୍ତମାନ ଆଉ କାର୍ଯ୍ୟକାରୀ ହେଉନାହାନ୍ତି । କିନ୍ତୁ, ଯଦିଓ କାରଣ କେହି କହିପାରିବନି, ଉପର୍ଯ୍ୟୁକ୍ତ ଦୁଇ କ୍ଷେତ୍ରରେ ମନ୍ତ୍ରଶକ୍ତି ଅଦ୍ୟାପି ଅପ୍ରତିଦ୍ଵନ୍ଦୀ ।

 

ରକା ଏକ ଅପେକ୍ଷାକୃତ ଅବହେଳିତ ସମସ୍ୟା । ଫଳରେ ଦେଶରେ କେତେଜଣ ଏକ ନିର୍ଦ୍ଦିଷ୍ଟ ସମୟରେ ରକା ଭୋଗକରନ୍ତି ବା କରିବାର ସମ୍ଭାବନା ରହିବ, ଏବଂ ତୁଳନୀୟ ନାନା ବିଷୟରେ ପରିସଂଖ୍ୟାନର ଏକାନ୍ତ ଅଭାବ ପରିଲକ୍ଷିତ ହୁଏ । କେବଳ ଗବେଷଣା ହିଁ ଆବଶ୍ୟକ ତଥ୍ୟ ଯୋଗାଇବ । ହୁଏତ ବହୁ ସଂଖ୍ୟକ ବୈଜ୍ଞାନିକ ବାରମ୍ବାର ରକା ଭୋଗକଲେ ଏ ସମସ୍ୟାର ଆଶୁ ସମାଧାନ ହେବ । ବର୍ତ୍ତମାନ ଅବସ୍ଥାରେ ସୁରସେନବାବୁଙ୍କ ପରି ବୈଜ୍ଞାନିକଙ୍କ ମନରେ ଯେପରି ଏକ ଆଲୋଡ଼ନ ସୃଷ୍ଟି ହୋଇଛି, ଠିକ୍ ସେହିପରି ଯଦି ଦଶ କୋଡ଼ିଏ ତାଲିମି ପ୍ରାପ୍ତ ମନରେ ଆଲୋଡ଼ନ ହୁଏ, ତେବେ ଏ ବିଷୟରେ ବ୍ୟାପକ ଗବେଷଣାମାନ ଆରମ୍ଭ ହେବ । ରକା–ସମସ୍ୟାର ସମାଧାନ ସକାଶେ, ସୁରସେନ ସ୍ଥିରକଲେ, ବହୁସଂଖ୍ୟକ ବୈଜ୍ଞାନିକଙ୍କ ବେକରେ ରକାକୁ ପ୍ରବେଶ କରାଇବାକୁ ପଡ଼ିବ । କିପରି ? କେତେକ ବୈଜ୍ଞାନିକଙ୍କୁ ଏକାଠି କରାଯାଉ । ସେମାନଙ୍କ ଅଜାଣତରେ ସେମାନଙ୍କର ତକିଆଗୁଡ଼ିକ ଅଦଳବଦଳ କରାଯାଉ, କିମ୍ୱା ସେମାନଙ୍କ ଅନୁପସ୍ଥିତିରେ, ତକିଆରୁ ତୁଳାମାନ ଏପାଖ ସେପାଖ କରାହେଉ । ଏପରିସ୍ଥଳେ ଉପସ୍ଥିତ ବୈଜ୍ଞାନିକମାନଙ୍କ ମଧ୍ୟରୁ ଶତକଡ଼ା ପଚାଶ ରକା ଭୋଗକରିବେ ଏବଂ ଫଳରେ ଗବେଷଣା ଆରମ୍ଭ କରିବେ ।

 

ଏହି ବୈଜ୍ଞାନିକ ଯୋଜନା ଯେତେବେଳେ ସୁରସେନଙ୍କ ମନରେ ଚାଲିଥିଲା, ତାଙ୍କର ନୂଆବୋଉ ପ୍ରସ୍ତାବ କଲେ ଯେ ଉପର ସାହିର କବିରାଜଙ୍କୁ ଡକାଯାଉ । ‘କବିରାଜ’ ଉପାଧି ଆୟୁର୍ବେଦ ବିଜ୍ଞାନ, ବିଶାରଦ, ଆଚାର୍ଯ୍ୟ ବା ଏପରିକି ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ଡିଗ୍ରୀଧାରୀ ବ୍ୟକ୍ତିଙ୍କୁ ଦିଆଯିବା ଯୁକ୍ତିସଙ୍ଗତ । କିନ୍ତୁ ଯାହା ଜଣାପଡ଼ିଲା, ଏ ସେପରି କବିରାଜ ନୁହନ୍ତି । ଏଠାରେ ‘କବିରାଜ’ ଏକ ଶ୍ରଦ୍ଧାନାମ । ପ୍ରକୃତରେ ସେ ଜଣେ ତୁଟୁକାତୁଟୁକି ଚିକିତ୍ସା ପଦ୍ଧତି ବିଶେଷଜ୍ଞ, ସୌଖୀନ ଗୁଣିଗାରେଡ଼ି ପ୍ରତିଷେଧ ବ୍ୟବସ୍ଥାପକ ଏବଂ ତାନ୍ତ୍ରିକ ଗୋଚିକିତ୍ସା ବିଶାରଦ । ସୁରସେନଙ୍କ ନୂଆବୋଉଙ୍କ ପରି ପଦସ୍ଥା ଭଦ୍ରମହିଳା ମଧ୍ୟ ତାଙ୍କର ବିଦ୍ୟା ଉପରେ ସଦୃଢ଼ ବିଶ୍ଵାସ ରଖିଛନ୍ତି । କାରଣ ସେ କହିଲେ, କାଳିଗାଈଟା ଯେତେବେଳେ ଦୁଧ ଚୋରାଇ ନେଉଥିଲା, ଏବଂ ପ୍ରଚୁର ନାତମାରୁଥିଲା, କେତେକ ପଡ଼ୋଶିନୀ ଶୁଭେଚ୍ଛୁଙ୍କର ଉପଦେଶକ୍ରମେ ସେ କବିରାଜ ମହାଶୟଙ୍କ ସାହାଯ୍ୟ ଲୋଡ଼ିଥିଲେ । ସେ ଦୁଇଦିନ ସାଧନା କଲେ, କିଛି ଓଷଦ ମଧ୍ୟ ମନ୍ତ୍ରକଲେ, କାଟପାଣି କଲେ, ଯାହାଫଳରେ ଯଦିଓ ଗାଈଟା ହଠାତ୍ ଗୁଡ଼ାଏ ଦୁଧ ଦେଲାନାହିଁ, ନାତର ସଂଖ୍ୟା ସାଂଘାତିକ ଭାବରେ କମି ଯାଇଥିଲା । ନିଜର ସାଧନା ବଳରେ ଭଦ୍ରଲୋକ ସେ ଅଞ୍ଚଳର ସମସ୍ତ ଗାଈଙ୍କୁ ନଖଦର୍ପଣରେ ରଖିପାରିଛନ୍ତି । ତାଙ୍କର ଚିକିତ୍ସାତତ୍ତ୍ଵ ହେଲା, କୌଣସି ଏକ ଗାଈର ଦୁଧ ନଦେବା ପଛରେ ରହିଚି କୌଣସି ଏକ ମନ୍ତ୍ରଜ୍ଞ ବ୍ୟକ୍ତିର ଆକ୍ରମଣ, ଏବଂ ଏ ଅବସ୍ଥାର ପ୍ରତିକାର କେବଳ କାଟପାଣିପରି ଉଚ୍ଚ ତାନ୍ତ୍ରିକ ବ୍ୟବସ୍ଥା ଦ୍ଵାରା ସମ୍ଭବ, ଯାହାକି ନଗଣ୍ୟ ମୂଲ୍ୟରେ ମିଳିପାରିବ ।

 

ରକାରେ ଆକ୍ରାନ୍ତ ନ ହୋଇଥିଲେ ଜଡ଼ବାଦୀ ବିଜ୍ଞାନଭକ୍ତ ସୁରସେନ ନିଜର ନୂଆବୋଉଙ୍କୁ ହସି ହସି ବୁଝାଇଥାନ୍ତେ, ନୂଆବୋଉ ! ତୁଚ୍ଛା କୁସଂସ୍କାର । ମୁଁ ମଧ୍ୟ ଏପରି କରି ପାରିବି, କାରଣ, ନାତ କେତେ ସେଇଟା ଗଉଡ଼ ଜାଣେ, ଏବଂ ତାକୁ ହାତ କଲେ ମୁଁ ନାତର ସଂଖ୍ୟା କମେଇ ଏବଂ ବଢ଼େଇ ପାରିବି । ଦୁଧ ଚୋରାଇବା ତ ଗଉଡ଼ର ସିଧା ହାତ ସଫେଇ–ଅତି ସହଜ–ଇତ୍ୟାଦି । କିନ୍ତୁ ରକା ପଶିବାର ଅନ୍ୟତମ କୁଫଳ ହେଉଛି, ଏଥିରେ ଯୁକ୍ତି କରିବାର ଇଚ୍ଛା ଓ ଆଗ୍ରହ କମିଯାଏ । ମନୁଷ୍ୟ ଭାଗ୍ୟବାଦୀ ହୋଇଯାଏ । ବାରମ୍ବାର ରକା ପଶିଲେ ଯେ କୌଣସି ଜଡ଼ବାଦୀ କ୍ରମେ ଆଧ୍ୟାତ୍ମବାଦୀ ହେବ, ନାସ୍ତିକମାନେ ଈଶ୍ଵର–ବିଶ୍ଵାସୀ ହେବେ ଏବଂ ରକାଜନିତ ଚିକିତ୍ସାରେ ହୁଏତ କମ୍ୟୁନିଷ୍ଟମାନଙ୍କୁ ପୁଞ୍ଜିବାଦୀ କରିହେବ । ତେଣୁ ସୁରସେନ ରାଜିହେଲେ, ନୀରବରେ, ଅନେକଟା ତାଙ୍କ ନୂଆବୋଉଙ୍କୁ ଆଶ୍ଚର୍ଯ୍ୟ କରିଦେଇ । କାରଣ ଏଥି ମଧ୍ୟରେ କେତେକ ଜଡ଼ ବିଭାଗୀୟ ଚିକିତ୍ସା ହୋଇସାରିଛି ଏବଂ ସୁରସେନ ତହିଁରୁ ଆସ୍ଥା ତୁଟାଇ ବସିଛନ୍ତି । ଏଣିକି ତାନ୍ତ୍ରିକ ଚିକିତ୍ସା ଏକମାତ୍ର ଭରସା । କ୍ଷତି କ’ଣ ପରୀକ୍ଷା କରି ଦେଖିଲେ ? ଏହିତ ବୈଜ୍ଞାନିକର ପ୍ରକୃତ ମନୋବୃତ୍ତି ପରୀକ୍ଷା ।

 

ସଞ୍ଜ ସରିକି କବିରାଜ ଆସିଲେ । ଦୂରରୁ ତାଙ୍କର ଚେହେରା କୌଣସି ଅବସରପ୍ରାପ୍ତ ମିଲିଟାରୀ ସିପେଇ ପରି । ଦେହରେ ଖାକୀ ଜାମା ଏବଂ ଧୋତି, ଚପଲ । ତେଣୁ, ଦେହର ନୀଚାଅଂଶରୁ ଗୁଣିଆତ୍ଵର ପ୍ରମାଣ ମିଳୁ ନାହିଁ । କିନ୍ତୁ କଳା କପାଳ ଉପରେ ଚକ୍ ଚକ୍ କରୁଛି ଗାରେ ସିନ୍ଦୂର । କାନ୍ଧରେ ମଇଳା ତଉଲିଆଟିଏ । ଆଗରୁ ସୁରସେନ ଗୁଣିଆଁ ଦେଖି ନ ଥିଲେ, ତେବେ ସେମାନଙ୍କ ସମ୍ବନ୍ଧରେ ତାଙ୍କର ମୋଟ୍ ଧାରଣା ଏହି ଥିଲା ଯେ ସେମାନେ ସନ୍ଦିଗ୍‍ଧ ଦୃଷ୍ଟିରେ ଚାହୁଁଥିବେ ଚାରିଆଡ଼କୁ, ହାତରେ କାଉଁରି କାଠି, ଦିହରେ ଚାଦର, କାଖରେ ଓଷଦ ବଟୁଆ-। କିନ୍ତୁ ଏପରି ବିଶ୍ଵାସର କୌଣସି କାରଣ ନାହିଁ । ଗୁଣିଆମାନେ ହୁଏତ ଖାକୀ ଜାମା ପିନ୍ଧୁଥିବେ, କିଏ କହିବ ?

 

ବାରଣ୍ଡାର ଏକ କୋଣରେ ଖଣ୍ଡିଏ ଚଉକୀ ଉପରେ ସୁରସେନ ଅପେକ୍ଷା କଲେ । ସେ ନିଜକୁ ମନ୍ତ୍ରଶକ୍ତି ପାଖରେ ସମର୍ପଣ କଲେ ।

 

କବିରାଜ ଚାକରଠାରୁ ନିର୍ଦ୍ଦେଶପାଇ ସୁରସେନଙ୍କ ଆଡ଼କୁ ଆଗେଇ ଆସିଲେ । ସବୁବେଳେ କ’ଣ ବିଡ଼ି ବିଡ଼ି ଦୁର୍ବେଧ୍ୟ ଶବ୍ଦ କହୁଥାନ୍ତି । ମନ୍ତ୍ର ? ହୋଇପାରେ । କିନ୍ତୁ ସୁରସେନ ବୈଜ୍ଞାନିକ । ସୁରସେନ ନିଜର ସନ୍ଦେହ ମୋଚନ କରିବାକୁ ଚାହାନ୍ତି । ସେ ପଚାରିଲେ, ‘କ’ଣ କହିଲେ ଆଜ୍ଞା ?’

 

କବିରାଜ ମୁଣ୍ଡ ହଲାଇଲେ । ତା ମାନେ ମନ୍ତ୍ର । କିଛି ସମୟ ପରେ ସେ କହିଲେ– ‘ଚାଲନ୍ତୁ–ହଁ ଚାଲିଯାଆନ୍ତୁ, ପଛକୁ ଚାହିଁବେନି’, ଏବଂ ତା ପରେ ତିନିଥର ତାଳି ମାରିଲେ ଏବଂ ତାପରେ ବିଜୟୀ ଭଙ୍ଗୀରେ କହିଲେ, “ଦେଖିଲେ, ଆପଣଙ୍କର ରକା କୁଆଡ଼େ ଗଲା ?”

 

ସୁରସେନଙ୍କ ମନରେ ଆଶା ଝଲକି ଉଠିଲା, ଏବଂ ପରେ ପରେ ଦପ୍‍କରି ନିଭିଗଲା ।

 

“ଅଛି ତ !”

 

“ଏଠିକି ଆସନ୍ତୁ । ବସନ୍ତୁ !”

 

କବିରାଜ ନିଜର ତଉଲିଆଟିକି କୁଞ୍ଚେଇବାରେ ଲାଗିଲେ ଏବଂ ଉକ୍ତ ତଉଲିଆ ସଙ୍ଗେ ଇତି ମଧ୍ୟରେ ଅନରଙ୍ଗ ଭାବରେ କଥାବାର୍ତ୍ତା ଆରମ୍ଭ କଲେ । ତାଙ୍କର ମୋଟ୍ ଅଭିନୟଟା ସତେ ଯେପରି ସେ ଜଣେ ସୁନ୍ଦରୀ ରାଜକୁମାରୀ କେଉଁ ନାଟକରେ, ଆଉ ସୁରସେନଙ୍କ ପାଇଁ ଅପେକ୍ଷା କରିଥିଲେ ପ୍ରମୋଦ ଉଦ୍ୟାନରେ ଏବଂ ସୁରସେନ ଆସୁଛନ୍ତି, ଏହି ସିନଟାର ରିହର୍ସାଲ୍ ହେଉଛି ଏବଂ କାନି ପରିବର୍ତ୍ତେ ସେ ତଉଲିଆ ଖଣ୍ଡିକ ବ୍ୟବହାର କରୁଛନ୍ତି । ମୁହଁ ତଳକୁ ପୋତି କିଛି ଦୁର୍ବୋଧ୍ୟ, ଅପ୍ରାସଙ୍ଗିକ କଥୋପକଥନ ।

 

ରକା ବିରୁଦ୍ଧରେ ସଂଗ୍ରାମ ପାଇଁ ଏକ ମଇଳା କୋଚଟ ତଉଲିଆ ଯେ ଏତେବଡ଼ ଆୟୁଧ, ଏ ଆବିଷ୍କାରରେ ସୁରସେନଙ୍କର ଶିହରଣ ଜାତ ହେଲା ।

 

ପରେ ପରେ ସେ ନିଜର ଭୁଲ୍ ବୁଝି ପାରିଲେ ଅବଶ୍ୟ । ଶିହରଣଟା ଆବିଷ୍କାର ଜନିତ ନୁହେଁ । ତା’ର ଅସଲ କାରଣ ହେଉଛି, ସୁରସେନଙ୍କ ବେକଶଣ୍ଢାରେ କବିରାଜେ ସେତେବେଳେ ତଉଲିଆ କାନି ଦ୍ଵାରା ସଲସଲ କରୁଥିଲେ ।

 

ଏଣିକି ଆଦେଶ ହେଲା, ‘ଚାଲି ଯାଉନ୍ତୁ’ ।

 

ପୁଣି ତାଳି, ଏବଂ ‘ଅଛି ’ ?

 

ପୁଣିଟିକେ ଆଶା, ଏବଂ ‘ଅଛି ତ’ !

 

ଏଥର ଟିକେ ବିବ୍ରତ ହେଲେ କବିରାଜେ । ଟିକେ ଉତ୍କଟତର ତାନ୍ତ୍ରିକ ବ୍ୟବସ୍ଥା ହେବ ଏଣିକି, କାରଣ ସେ ପାଖରେ ଠିଆହୋଇ ମଜା ଦେଖୁଥିବା ସୁରସେନଙ୍କ ପୁତୁରାକୁ ଆଦେଶ କଲେ ଟିକେ ଘିଅ ଆଣିବାକୁ । ଯେଉଁ କକେଇଙ୍କର ଆଦେଶ ପ୍ରାପ୍ତିମାତ୍ରେ ପାଳନୀୟ, ସେ ଜଣେ ସାଧାରଣ ବ୍ୟକ୍ତିର ଆଦେଶରେ ଚଳପ୍ରଚଳ, ଉଠ୍ ବସ୍ ହେଉଛନ୍ତି, ଏହି ଦୃଶ୍ୟକୁ ପୁତୁରା ଅତି କୌତୁହଳ ପୂର୍ଣ୍ଣ ଭାବେ ଉପଭୋଗ କରୁଥିଲା । ଘିଅ ଆଣି ହାଜର କରି ସେ ପରବର୍ତ୍ତୀ ମଜାମାନଙ୍କ ପାଇଁ ଅପେକ୍ଷା କରି ରହିଲା ।

 

ତା ପରେ ମାଲିସ୍ । ଏ ମାଲିସ୍ ନୂଆବୋଉଙ୍କ ହାତର ଅତାନ୍ତ୍ରିକ ମାଲିସ୍ ଅପେକ୍ଷା ଢେର୍ ବେଶି କଷ୍ଟକର, ସୁରସେନ ସ୍ଵୀକାର କଲେ ।

 

ସୁରସେନ ଶୁଣିଛନ୍ତି, ରକା ଆସେ ଅଚାନକ, ଯାଏ ବି ଅଚାନକ । ଟିକେ ରୁକ୍‍କରି ଲାଗିବ, ଆଖି ପିଛୁଡ଼ାକେ ଏଇ ଅଛି, ଏଇ ନାହିଁ । ଏଇ ରୁକ୍ ଅନୁଭୂତି ଉପସ୍ଥିତ ମାଲିସ୍ ମଧ୍ୟରେ ଢେର୍ ଥର ଆସିଥିଲା ତଥାପି ରକାଟା ଗଲାନି ।

 

ଏହାପରେ କବିରାଜ ପୁଣିଥରେ କୁଞ୍ଚିତ ତଉଲିଆ କାନିସଙ୍ଗେ କିଞ୍ଚିତ ପ୍ରେମାଳାପ ଚଟପଟ ସାରିଦେଇ ସେହି ରୋମହର୍ଷକ ସଲ ସଲ ପ୍ରକ୍ରିୟାରେ ରତହେଲେ । କବିରାଜଙ୍କର ଆତ୍ମବିଶ୍ଵାସ ଏଥରକ ଏତେ ବେଶି ପ୍ରକାଶ ପାଉଥିଲା ଯେ, ଯେତେବେଳେ ପୁନର୍ବାର ଚାଲିବାକୁ ଆଦେଶ ହୁଏ, ସୁରସେନ ନିଶ୍ଚିତ ଥିଲେ ଯେ ଏଥରକ ରକାର ଆଉ ସାଧ୍ୟ ନାହିଁ ।

 

କିନ୍ତୁ ନାଃ । ଗଲାନି ।

 

ଶେଷରେ କବିରାଜେ ରାୟ ଦେଲେ :

 

“ଏଇଟା ରକା ନୁହେଁ ।”

 

‘ଆଉ ତେବେ ?’

 

‘ଆଉ କ’ଣ ?’

 

‘ଆଉ କ’ଣ ?’

 

‘ମକଚା କି ଦୋକା ।‘

 

‘ଦୋକା ?’

 

‘ଦୋକା ।’

 

ସୁରସେନ ନିଜର ଓଡ଼ିଆ ଶବ୍ଦସଞ୍ଚୟ ଉପରେ ରୀତିମତ ଚିଡ଼ିଗଲେ । କବିରାଜ ‘ଦୋକା’ ଶବ୍ଦର ବାଖ୍ୟା ଦେଲେ ।

 

“ରକାଟା ଯଦି ଥରେ ପଶିଗଲା, ସେଇଟା ରକା । କିନ୍ତୁ ଯଦି ରକା ପଶିଛି ବୋଲି ଆଉ କାହା ପାଖରେ କହି ଦିଆହୁଏ, ସେ ଦୋକା ।”

 

ଆହା ! ଓଡ଼ିଆ ଭାଷା ! କି ଚମତ୍କାର ଶବ୍ଦ ଭଣ୍ଡାର । ଥରେ ପଶିଲେ ରକା, କିନ୍ତୁ ଭାଷାକାର ସେତିକିରେ ସନ୍ତୁଷ୍ଟ ହୋଇ ନାହାନ୍ତି । ସୂକ୍ଷ୍ମରୁ ସୂକ୍ଷ୍ମତର ପ୍ରକାଶ, ଗୋଟିଏ ଶବ୍ଦରେ କେତେଗୁଡ଼ିଏ କ୍ଳିଷ୍ଟଭାବ ପ୍ରକାଶ ! ହୁଏତ ଦୁଇଜଣଙ୍କୁ କହିଲେ ‘ତିନିକା’, ତିନିଜଣଙ୍କୁ କହିଲେ ‘ଚାରିକା’ ଇତ୍ୟାଦି, ବା ଏକ ସାଧାରଣ ଫର୍ମୂଲାରେ କହିଲେ, ରୋଗୀ ରକା ବିଷୟରେ ଯେତେ ଜଣଙ୍କ ପାଖରେ କହିଚି, ସେମାନଙ୍କର ସଂଖ୍ୟା ଯଦି ଏନ୍ ହୁଏ, ତେବେ ଉପସ୍ଥିତ, ପ୍ରଶ୍ନଗତ ରକାର ପ୍ରକୃତ ନାମ = (ଏନ୍ ଯୁକ୍ତ ଏକ୍ ) କା ! ବାଃ ! ବାଃ ! !

 

କିନ୍ତୁ କବିରାଜେ ଏ ଫର୍ମୁଲା ସଙ୍ଗେ ଏକମତ ହେଲେ ନାହିଁ । ତା’ର ପ୍ରକୃତ ସୂତ୍ର ହେଉଛି, ଏକ କିମ୍ବା ତତୋଧିକ ବ୍ୟକ୍ତିଙ୍କୁ କହିଲେଇ ରକା ସ୍ଥାନରେ ଦୋକାର ଆଗମ ହୁଏ । ଦୋକା ଥରେ ହୋଇଗଲେ ଦୋକା ହିଁ ରହେ ।

 

“ଏ ଦୋକାର ଚିକିତ୍ସା ?”

 

“ଅଛି । କିନ୍ତୁ ରକାର ଚିକିତ୍ସା ଠୁଁ ଭିନେ ।”

 

“ମାନେ ଭିନେ ମନ୍ତ୍ର ତ ?”

 

ସୁରସେନ ଭାବିଲେ, ଯେହେତୁ ଚାକର କବିରାଜଙ୍କୁ ଡାକିବାକୁ ଯାଇଥିଲା, କବିରାଜ ଜାଣିବା ଉଚିତ୍ ଥିଲା ଯେ ଏ ରକା ଆଉ ରକା ହୋଇକରି ନାହିଁ, ଅତଏବ ମୂଳରୁ ଦୋକାର ଚିକିତ୍ସା ହେବା ଉଚିତ୍ ଥିଲା । କିନ୍ତୁ ସବୁ ଗୁଣିଆଁ ବୋଧହୁଏ ଏସବୁ ହିସାବ କରନ୍ତିନି । ତେବେ ହୁଏତ ବର୍ତ୍ତମାନ ରକାମନ୍ତ୍ରର ଏକ ସଂଶୋଧିତ ଦୋକା ସଂସ୍କରଣ ତଉଲିଆ କାନରେ ଫୋଡ଼ି ଦିଆହେବ ଏବଂ ସେ ତତ୍‍କ୍ଷଣାତ୍ ଆରୋଗ୍ୟ ଲଭିବେ ।

 

‘ନା ।’ କବିରାଜ କହିଲେ, “ସେଥିପାଇଁ ଅଲଗା ବିଧାନ ଅଛି ।”

 

ଏହି ବିଧାନର ସାରାଂଶ :

 

ଯୋଡ଼ିଏ ପାଳଧୁଆ କାଠି, ଦୁଇଟି ମନ୍ତ୍ରଜ୍ଞ ବ୍ୟକ୍ତି, କିଛି ଧୂଳି ଓ ଗୋଟିଏ ରୋଗୀ– ଏ ହେଲେ ଆବଶ୍ୟକୀୟ ଉପକରଣ । ବିଧି :– ଦୁଇଜଣ ମନ୍ତ୍ରଜ୍ଞ କାଠି ଦୁଇଟିର ଦୁଇ ମୁଣ୍ଡରୁ ଏପରି ଧରିବେ ଯେପରିକି ଏହା ଦୁହିଁଙ୍କ ମଧ୍ୟରେ ଏକ ‘ସମାନ ଚିହ୍ନ’ ଏବଂ ଯୋଡ଼ ଅବସ୍ଥାରେ ଏକ ‘ହାଇଫେନ୍’ ପରି ରହିବ । ରୋଗୀ ପକ୍ଷରେ କରଣୀୟ କିଛି ନାହିଁ । ସେ କେବଳ ଉପଲକ୍ଷ୍ୟ । ଧୂଳି ମନ୍ତୁରେଇ ଜଣେ ମନ୍ତ୍ରଜ୍ଞ ଏହି କାଠି ଉପରେ ବୁଣିବେ । କାଠି ଯୋଡ଼ି ହୋଇ ଯାଉଥିବ, ରକା ଭଲହୋଇ ଯାଉଥିବ । କେବଳ ସକାଳ ସନ୍ଧ୍ୟା ସମୟରେ ବିନିଯୋଗ କରଣୀୟ । ସେଦିନ ସନ୍ଧ୍ୟା ହୋଇ ସାରିଥିଲା । ପରଦିନ ସକାଳୁ କବିରାଜଙ୍କର ପାନ ଦୋକାନୀ ସହ ସାଧକ ମିଳିବେ ନାହିଁ । ଫଳରେ ପରଦିନ ସଂନ୍ଧ୍ୟା ଯାଏ ଦୋକା ଭୋଗ କରିବାକୁ ହିଁ ପଡ଼ିବ-

 

ଇତି ମଧ୍ୟରେ ସୁରସେନ ନିଜର ଜ୍ଞାନ ବୃଦ୍ଧିରେ ମନ ବଳାଇଲେ । ରକା ଜିନିଷଟା ପ୍ରକୃତ ଆଧ୍ୟାତ୍ମିକ କାରଣ କ’ଣ ? ଏହି ତଥ୍ୟ ଉପରେ କବିରାଜ ମହାଶୟ ଅତି ପ୍ରାଞ୍ଜଳଭାବେ ଆଲୋକପାତ କଲେ ।

 

କାରଣ ? ବାୟୁ । ସେ ବାୟୁ ନୁହେଁ । ଦୁଇଟି ବାୟୁ ମନୁଷ୍ୟ ଶରୀରରେ ସଦାସର୍ବଦା ଆତଯାତ ହେଉଛନ୍ତି – ‘ଜୀବ’ ଆଉ ‘ପରମ’ । ବେକଠାରୁ ଉପରକୁ ପରମଙ୍କର ଗତି । ମନୁଷ୍ୟ ଯେତେବେଳେ ଶୋଇଥାଏ, ଜୀବ ଆଉ ପରମ ଦୁହେଁ ତା ଦେହରୁ ବହିର୍ଗତ ହୋଇ ଜଗତ ପରିକ୍ରମା କରନ୍ତି । ଯେତେବେଳେ ଲେଉଟି ଆସନ୍ତି, ଜୀବ ବିଚାରେ ଏଇ ସୁଯୋଗ, ଏତିକିବେଳେ ମୁଁ ଟିକେ ଉପରକୁ ଉଠିଯିବ । କିନ୍ତୁ ସେ ଉଠି ପାରିବ କୁଆଡ଼ୁ ? ବେକଷଣ୍ଢାରେ ଅଟକିଯାଏ । ତେଣୁ ରକା ।

 

“ଜୀବାତ୍ମା ଆଉ ପରମାତ୍ମା ?”

 

‘ହଁ ।’

 

‘ସେମାନେ ବାହାରକୁ ଯାଆନ୍ତି ?’

 

‘ହଁ ।’

 

‘ସେମାନଙ୍କୁ କ’ଣ ଆଉ ଅଜଣା ?’

 

‘ସେମାନେ ବୁଲନ୍ତି ।’

 

‘କାହିଁକି ?’

 

‘ୟାଇ ନିୟମ ହଉଚି ସେଇଆ ।’

 

‘ୟାର ପ୍ରମାଣ କ’ଣ ?’

 

“ସ୍ଵପ୍ନ । ମନୁଷ୍ୟ ଯେଉଁ ସ୍ଵପ୍ନ ଦେଖେ, ପ୍ରକୃତରେ ସେଇମାନେ ଦେଖୁଥାନ୍ତି ।”

 

‘ଆଚ୍ଛା ?ତା ହେଲେ ଯେତେ ସ୍ଵପ୍ନ ଆମେ ଦେଖୁଁ, ସେଗୁଡ଼ାକ ସତରେ କେଉଁଠି ଘଟୁଚି-?

 

‘ନିଶ୍ଚୟ ! ଅବଶ୍ୟ ସବୁ ସ୍ଵପ୍ନ ନୁହେଁ । ଯଦି ଖଟରେ ଶୋଇବେ, ହବନି । ତଳେ, ତୃଣ ଶଯ୍ୟାରେ ଶୋଇଥିବେ, ରାତି ୨ଟାରୁ ୪ଟା ଭିତରେ ଯୋଉ ସ୍ଵପ୍ନ ଦେଖିବେ ସବୁ ଘଟୁଥାଏ ଏବ ଭବିଷ୍ୟତରେ ସତ ହୁଏ ।

 

“ଭବିଷ୍ୟତରେ ଆଉ ଘଟିବା ଦରକାର କ’ଣ ?ଥରେ ତ’ ଘଟି ସାରିଲାଣି ?”

 

‘ତା ହେଲେ ସୃଷ୍ଟି ଚଳିବ କେମିତି ?’

 

“ଓ ! ଆଚ୍ଛା । ଆଚ୍ଛା, ଖଟ ଉପରେ ଶୋଇଲେ ପରମାତ୍ମା ଆଉ ଜୀବାତ୍ମା କୁଆଡ଼େ ଯିବେ ନାହିଁ ?”

 

‘ନାଁ ।

 

“କିନ୍ତୁ ମୁଁ ତ ଖାଲି ଖଟଉପରେ ଶୁଏଁ । ମୋର କାହିଁକି....”

 

“ଆପଣଙ୍କୁ ସର୍ଦ୍ଦି ହୋଇଥିବ ।”

 

“ସର୍ଦ୍ଦି ହେଲେ ଜୀବାତ୍ମା ପରମାତ୍ମା ଯାଆନ୍ତି ?

 

“ଯାଇପାରନ୍ତିନି । ଶ୍ଳେଷାମାନେ ଅଟକାଇ ଦିଅନ୍ତି; ଫଳରେ ରକା ।”

 

ଏତେବେଳେ ସୁରସେନବାବୁ ବୁଝିପାରିଲେ । ସର୍ଦ୍ଦି ସଙ୍ଗେ ରକା କଥାଟାର ମେଳ ତେବେ ଏଇଠି !

 

ସେଦିନ ରାତିରେ ସୁରସେନଙ୍କ ମାମୁଁ ଆସିଥିଲେ । ଭାଇନା, ମାମୁଁ ଓ ସୁରସେନ ସେଦିନ ରକା ଉପରେ ଏକ କ୍ଷୁଦ୍ର ଆଲୋଚନା ଚକ୍ର ବସାଇଲେ । ମାମୁଁ କହିଲେ, ତାଙ୍କ ଅଫିସ୍‍‍‍ରେ ଜଣେ ଅଫିସର୍ ଖୁବ୍ ଗମ୍ଭୀର ପ୍ରକୃତିର ଲୋକ । ପିଅନମାନେ ନମସ୍କାର ହେଲେ ପ୍ରତି ନମସ୍କାର ମଧ୍ୟ କରନ୍ତି ନାହିଁ । ତଳିଆ କର୍ମଚାରୀମାନଙ୍କ ସଙ୍ଗେ କଥାବାର୍ତ୍ତା ମଧ୍ୟ କରନ୍ତି ନାହିଁ । ତାଙ୍କର କେହି ସାଙ୍ଗ ଯଦି ଡାକିଦିଏ, ‘କିହୋ ଅମୁକ’ ତା ହେଲେ ସେ ସାଙ୍ଗକୁ ଗୁପ୍ତରେ କହନ୍ତି–‘ସେମିତି କହିବନି–ଆସିଷ୍ଟାଣ୍ଟମାନେ କ’ଣ ବିଚାରିବେ ?’ ଏମିତି ସେ । ତାଙ୍କର ଥରେ ପଶିଲା ରକା । ତାଙ୍କୁ ସହକର୍ମୀମାନେ ଉପଦେଶ ଦେଲେ ଯେ ରକାର ଗୋଟିଏ ଚିକିତ୍ସା ହେଉଛି, ନିଜଠାରୁ ନୀଚସ୍ଥ ଲୋକମାନଙ୍କୁ ବିନୀତ ପ୍ରଣାମ କରିବା । ଯନ୍ତ୍ରଣାର ଲାଘବ ଆଶାରେ ସେହି ଅଫିସର ନିଜର ଅର୍ଦ୍ଦଳୀମାନଙ୍କୁ ଯାଉଣୁ ଆସୁଣୁ ପ୍ରଣାମ କଲେ । ସେ ‘ମେଗର୍’ ସାହାଯ୍ୟରେ ବୈଦ୍ୟୁତିକ ସକ୍ ଖାଇଲେ, ଏତେ କଥା କଲେ, କିନ୍ତୁ ପରେ ଜଣା ପଡ଼ିଲା ତାଙ୍କର ସେଟା ରାକା ଇ ନୁହେଁ । କାନରେ ଗୋଟାଏ ଦୋଷ । ଅପରେସନ୍ ହେଲା । ସେ ଭଲ ଅଛନ୍ତି ।

 

ଭାଇନା କହିଲେ ଯେ, ରକାର ଏକ ଅମୋଘ ଚିକିତ୍ସା ହେଉଛି ତା’ର ଉପସ୍ଥିତିକୁ ବେଖାତର୍ କରିବା ବା ଭୁଲିଯିବା । ଏ ସଙ୍କ୍ରାନ୍ତରେ ଏକ ପ୍ରଚଳିତ ପ୍ରଥା ଉଦ୍ଧାରକରି ସେ କହିଲେ ଯେ, ରକା ଭୋଗୁଥିବା ବ୍ୟକ୍ତି ସକାଳୁ ଏବଂ ସମ୍ଭବପକ୍ଷେ ଶନିବାର ସକାଳୁ କବାଟକଣକୁ ଚାଲିଯାଇ ତିନିଥର “ରକା ଭଲ ହେଇଯାଆ” ବୋଲି ଯେବେ କହିବ, ତେବେ ସେ ଭଲ ହେଇଯିବ-। ସେ ବୁଝାଇ ଦେଲେ ଯେ ଅସଲ ହେଉଛି ଭୁଲିବା ।

 

ସୁରସେନବାବୁ ସ୍ଥିର କଲେ, ଏଣିକି ରକାକୁ ଭୁଲିବାକୁ ହେବ । ସେ ଦେଖିଲେ ଯେ ରକାଟା ଆଉ ସେଇ ଜାଗାରେ ଏକା ନାହିଁ । କବିରାଜଙ୍କର ତାନ୍ତ୍ରିକ ମାଲିସ୍ ଫଳରେ ତାହା ଆଉ ଦୁଇତିନି ଜାଗା ଖେଦିଗଲାଣି ।

 

କିନ୍ତୁ ଯେତେବେଳେ ନୂଆବୋଉ ପଚାରିଲେ, “କ’ଣ ଟିକେ ଭଲ ଲାଗୁଚି ?” ସୁରସେନ ଜଲ୍‍ଦି ହଁ ଭରିଦେଲେ, କାରଣ ତା’ ନ କଲେ ହୁଏତ ନୂଆ ରକାଗୁଡ଼ାକ ଦୋକା ହୋଇଯିବେ । ପ୍ରତ୍ୟେକ ରକାକୁ ଭଲ କରିବାକୁ ହେଲେ, ସୁରସେନ ସ୍ଥିରକଲେ, ରକାକୁ ବଞ୍ଚେଇ ରଖିବାକୁ ହେବ ଏବଂ କଦାଚିତ୍ ତାକୁ ଦୋକା ହେବାକୁ ଦିଆ ହେବ ନାହିଁ ।

 

ତହିଁ ଆରଦିନ ସକାଳୁ ଭୁଲିବାର ଦୃଢ଼ ପ୍ରତିଜ୍ଞା ନେଇ ସୁରସେନ ନିଜର ଭାଇନାଙ୍କ ସଙ୍ଗେ ବଜାରକୁ ବାହାରିଗଲେ । ସେମାନେ ନିକଟତମ ଡାକ୍ତର ଦୋକାନକୁ ଗଲେ । ଭାଇନାଙ୍କର ଏକ ପ୍ରଶ୍ନର ଉତ୍ତରରେ ଦୋକାନୀ କହିଲେ ଯେ ଆଜିକାଲି ରକା ପାଇଁ ପେନିସିଲିନ୍ ଗୃପର ଏକ ନବାବିଷ୍କୃତ ଔଷଧ ମିଳୁଛି । ବଟିକା ଗୋଟି ଚାରଣା, ଚାରୋଟି ବଟିକାରେ ଯେକୌଣସି ଦୂରାରୋଗ୍ୟ ରକା ମଧ୍ୟ ଭଲ ହୋଇଯିବ ।

 

ମନ୍ତ୍ର ପ୍ରତି ସମସ୍ତ ଆସ୍ଥା ତତ୍‍କ୍ଷଣାତ୍ ଭୁଷୁଡ଼ି ପଡ଼ିଲା । ମନ୍ତ୍ର ମନୁଷ୍ୟର ଅପାରଗତା, ବିଜ୍ଞାନର ଅପାରଗତାର ପରିଚାୟକ । ବିଜ୍ଞାନ ଯାହାକୁ ଆୟତ୍ତ କରିପାରିନି, ଯେତେଦିନ ଆୟତ୍ତ କରିପାରିନି, କେବଳ ତାହାରି ଉପରେ ଏବଂ ସେତିକି ଦିନ ମନ୍ତ୍ର ଉପରେ ନିର୍ଭର କରିବାକୁ ହେବ । ବିଜ୍ଞାନ ଥିଲେ ମନ୍ତ୍ରକୁ ପଚାରେ କିଏ ?

 

ସନ୍ଧ୍ୟାବେଳକୁ ଯେତେବେଳେ ଦୋକା ଚିକିତ୍ସା ବିଧାନ ପାଇଁ ଉପକରଣ ଏକାଠି କରାଗଲା, ଗୋଟିଏ ସେଥିରୁ ଅଭାବ ପଡ଼ିଲା–କାରଣ ସୁରସେନ ଗମ୍ଭୀର ଭାବରେ ଘୋଷଣା କଲେ ତାଙ୍କର ଦୋକା ଏବଂ ରକାମାନେ ଭଲ ହୋଇ ଯାଇଛନ୍ତି ।

Image

 

ଆମ ପତ୍ରିକା

 

ଆପଣଙ୍କର ନିଜ ପ୍ରତିନିଧି, ସଦା ସେବାରେ ନିଯୁକ୍ତ, ଅଧୀନ ଆମ ପତ୍ରିକାର ଜଣେ ତଥାକଥିତ ସାମ୍ବାଦିକ । ‘ତଥାକଥିତ’ ଏଇଥିପାଇଁ ଯେ ଏହି ପତ୍ରିକାରେ କୌଣସି ସମ୍ବାଦ କେବେ ପ୍ରକାଶିତ ହୋଇନାହିଁ ଏବଂ ହେବ ନାହିଁ । ଯାହା ଏକ ପ୍ରଶ୍ନର ଉତ୍ତର ଦେଇ ସମ୍ପାଦକ ମହୋଦୟ ଜଣେ ପ୍ରଶ୍ନକର୍ତ୍ତାଙ୍କୁ କହୁଥିଲେ– ଏହା ଏକ କାନୁନୀ ଚାଲ୍ । ସମ୍ବାଦପତ୍ର ଭାବରେ ରେଜିଷ୍ଟ୍ରି କଲେ ଡାକ ଖର୍ଚ୍ଚ କମେ । ଏଣୁ ଦଳିଲ୍ ଦସ୍ତାବିଜ୍‍ରେ ଆମପତ୍ରିକା ଏକ ମାସିକ ସମ୍ବାଦ ପତ୍ର ।

 

‘ସମ୍ବାଦପତ୍ର’, କହିଲାମାତ୍ରେ ସକଳ ମନଶ୍ଚକ୍ଷୁରେ ଭାସିଉଠେ ଏକ ଲମ୍ବାଚଉଡ଼ା, ଖଦଖଦଡ଼ିଆ କାଗଜ ଯହିଁରେ କିଲିରିବିଲିରି ଦୁର୍ବୋଧ୍ୟ, ଅନାମଧ୍ୟେୟ ଭାଷାରେ ଭରପୁର ଛୋଟବଡ଼ ଅଜସ୍ର ହରଫ, ଯେଉଁମାନେ କି ଠେଲାପେଲା ହୋଇ ପାଠକ ଆଡ଼କୁ ଉଙ୍କି ମାରନ୍ତି, ଯାହାକି ପ୍ରଥମେ ଚା’ କପ୍ ଉପରୁ ଅନ୍ୟମନସ୍କ ଭାବରେ ପଢ଼ାଯାଏ ଏବଂ ପରେ ଠୁଙ୍ଗାବାଲାକୁ ବିକ୍ରି ହୁଏ । ଆମପତ୍ରିକା କିନ୍ତୁ ସ୍ଥୂଳ, ମସୃଣ, ଚିତ୍ରବିଚିତ୍ର ଓ ଲୋଭନୀୟା–ନାରୀ ଶୋଭିତ ପ୍ରଚ୍ଛଦଯୁକ୍ତ । ସେହିପରି, ‘ସମ୍ବାଦ’ ଶବ୍ଦର ଅର୍ଥ ମଧ୍ୟ ଆମ ପତ୍ରିକା କ୍ଷେତ୍ରରେ ଆବଶ୍ୟକମତେ ପରିବର୍ତ୍ତିତ ହୋଇଛି । ପ୍ରଧାନ/ ମୁଖ୍ୟ/ ଅନ୍ୟାନ୍ୟ ମନ୍ତ୍ରୀ(ମାନେ) ଓ/ କିମ୍ବା ବିରୋଧୀ ଦଳର ନେତା(ମାନେ) କ’ଣ କ’ଣ କହିଲେ/ କଲେ, ସଭାସମିତି ବା ଅସଲ ସମ୍ବାଦ, ଅର୍ଥାତ୍‍ କେଉଁଠାରେ ଏକ ଗାଈ ଛଅଗୋଡ଼ିଆ ବାଛୁରୀ ଜନ୍ମ କରିଛି ବା କେଉଁଠାରେ ଏକ ଗଛରୁ କ୍ରମାଗତ ନିଆଁ ବାହାରି ଚାଲିଛି ବା କାହାଘରେ ଖାଇବା ଥାଳିରେ ନାନା ଅଖାଦ୍ୟ ବର୍ଷଣ ଭଳି ଭୌତିକ କାଣ୍ଡ ଗତ ଛଅମାସ ଧରି ଚାଲୁଥିଲେ ମଧ୍ୟ ‘କର୍ତ୍ତୁପକ୍ଷ’ କିଛି କରୁ ନାହାନ୍ତି, ନାନା ନାମ–ନଜଣା ବ୍ୟକ୍ତିଙ୍କର ଗସ୍ତକ୍ରମ, ନାନା ନାମ–ନଜଣା ଗ୍ରାମର ଲୋକଙ୍କର ସାମ୍ଭାବ୍ୟ ଅସୁବିଧା, ନାନା ନାମ–ନଜଣା ‘ପ୍ରଧାନ ବ୍ୟକ୍ତି’ଙ୍କର ପରଲୋକରେ ଶୋକର ଛାୟା ଆଦି ଆମ ପତ୍ରିକାର ଗଣ୍ଡିର ବାହାରେ । ଆଇନତଃ ହସକଥା, ‘ବିଭାଗୀୟ ରଚନା’, ବିଜ୍ଞାପନ ଏବଂ ବ୍ୟଙ୍ଗକବିତା ମଧ୍ୟ ‘ସମ୍ବାଦ’ ତାହା ମଧ୍ୟ, ଥରେ ରେଜିଷ୍ଟ୍ରି ହୋଇ ସାରିଲେ ଆଉ ଲୋଡ଼ା ନାହିଁ । ଏଠାରେ ପ୍ରଶ୍ନ ଆସିପାରେ, ଯଦି ସମ୍ବାଦ ନାହିଁ, କ’ଣ ଅଛି ?

 

ଏହି ପ୍ରଶ୍ନର ଉତ୍ତର ମାସକୁ ମାସ ବଦଳି ଥାଏ । ତେବେ, ଏକ ସାଧାରଣ ରୂପରେଖ ଅକ୍ଲେଶରେ ଦେଇ ହେବ । ହିସାବରୁ ଜଣାଯାଏ ଯେ ଆମ ପତ୍ରିକାରେ ଶତକରା ସତୁରି ଜିନିଷପତ୍ରମାନଙ୍କର ବିଜ୍ଞାପନ, ଖରିଦ୍ଦାର ନ ହେଲେ ବି ବ୍ୟବସାୟୀ ତଥା ପତ୍ରିକାର ଲାଭାର୍ଥେ, ରହିଥାଏ । ଶତକରା ୨୦ ଅଂଶ ସମ୍ପାଦକ ଆପଣାର ବିଜ୍ଞାପନ ପ୍ରତ୍ୟକ୍ଷ ଓ/କିମ୍ବା ପରୋକ୍ଷ ରୀତିରେ ଛପାଇଥାନ୍ତି । ଅବଶିଷ୍ଟାଶରେ ଯେଉଁସବୁ ଉଚ୍ଚକୋଟୀର ରଚନା ପ୍ରକାଶିତ ହୁଏ, ତାହାର ଯତ୍‍କିଞ୍ଚିତ୍ ବିବରଣ ଏଠାରେ ଦିଆ ହେବ । ଏ ବିବରଣ ମଧ୍ୟ ସଂପୂର୍ଣ୍ଣ ନୁହେଁ, ବୋଲିବା ବାହୁଲ୍ୟ ଏବଂ ଯେ କୌଣସି ଜୀବନ୍ତ ବର୍ତ୍ତମାନ ପରି ଗତିଶୀଳ ତଥା ପରିବର୍ତ୍ତନଶୀଳ । ଯେଉଁସବୁ ବିଭାଗ ମୁଖ୍ୟ, କେବଳ ସେହିମାନଙ୍କର ସଂକ୍ଷିପ୍ତ ବିବରଣୀ ଏଠି ରହିଛି । ବାକିତକ ନ ଥିବା କ୍ଷମଣୀୟ ଏହି ଦୃଷ୍ଟିରୁ ଯେ ସଂପୂର୍ଣ୍ଣ ପତ୍ରିକାଟି ପୁନର୍ମୁଦ୍ରଣ ନ ହେଲେ ସଂପୂର୍ଣ୍ଣତା ଆସିବା ଅସମ୍ଭବ ।

 

ରାଶିଫଳ– ଏହା ଯେ ସେ ଫଳ ନୁହେଁ । କେହି କେହି ମନେ କରୁଥିବେ ରାଶି=ଖସା ଏବଂ ଫଳ=ଫଳ; ଅତଏବ ଏହା ଏକପ୍ରକାର ରବିଫସଲ । ସେମାନଙ୍କୁ ସଂକ୍ଷେପରେ କୁହାଯାଇପାରେ ଯେ ସେମାନେ ଅଜ୍ଞ । ରାଶିଫଳ ଅତି ଗଭୀର ତତ୍ତ୍ଵଦର୍ଶୀ ଫଳିତ ଜ୍ୟୋତିଷମାନଙ୍କଦ୍ଵାରା ରଚିତ ଏବଂ ପରେ ଅନୁଦିତ ସର୍ବଜନାଦୃତ, ଚୋରା ଫଳ ପରି ଲୋଭନୀୟ ଏହି ରସାଳ ରଚନା ଯା ସକାଶେ ଆମ ପତ୍ରିକାର କାଟତି, କ୍ରମସମୃଦ୍ଧି ଏବଂ ଯଦି କିଛି ମନେ ନ କରନ୍ତି, ଅଧୀନର ଯତ୍‍କିଞ୍ଚିତ ପାରିଶ୍ରମିକ । ଏହାକୁ ସମସ୍ତେ ସାଗ୍ରହେ ଅପେକ୍ଷା କରିଥାନ୍ତି । ଯେଉଁମାନେ ଏହାକୁ ପଢ଼ନ୍ତି ନାହିଁ, ସାଧାରଣତଃ ସେମାନଙ୍କୁ ଆପଣା ରାଶି ଜଣା ନଥାଏ । ବାକୀ ଯେ କହନ୍ତି ସେ ପଢ଼ନ୍ତି ନାହିଁ, ସେ ଲୁଚେଇ ପଢ଼ନ୍ତି । ମନୁଷ୍ୟ ମାତ୍ରେ ଭବିଷ୍ୟତ ବିଷୟରେ ଅଜ୍ଞ ଏବଂ ଅନ୍ୟାନ୍ୟ ସବୁ ଅଜ୍ଞତା ମନୁଷ୍ୟ ଲୁଚେଇ, ବା ଏପରିକି ପୋଷି ରଖିଲେ ବି, ଏହି ଅଜ୍ଞତାଟି ଦୂର କରିବାର ସବୁତକ ସୁବିଧା ହାସଲ କରିବାକୁ ଚାହେଁ । ଠିକ୍ ଏହି ରୀତିରେ ରାଶିଫଳ ଠିକ୍ ହେଉ ଭୁଲ୍ ହେଉ, ଅକୁଳ ସାଗରରେ ଅନ୍ତତଃ ନାଲି ଗାମୁଛା ହଲାଇବା ଲାଏକ ଦୂରସ୍ଥ ପୋତର ମାସ୍ତୁଲ୍, କୁଳ ନହେଲା ନାହିଁ । ଏହି ଲାଭ ସାଙ୍ଗକୁ ଯାହା ରାଶିରେ ସ୍ତ୍ରୀଲାଭ ଆଦି ଶୁଭଫଳ ଭରି ରହିଛି, ସତରେ ଘଟୁ ନ ଘଟୁ ଏଗୁଡ଼ିକ ବିଶ୍ଵାସ କରିବାକୁ ସେ ସୁଖ ପାଏ ।

 

ମହିଳା ପୃଥିବୀ– ସମ୍ପାଦକଙ୍କ ପାଖକୁ ନାନା ଦିଗ୍‍ଦେଶାଗତ ପ୍ରେମପତ୍ରମାନଙ୍କର ସରଣୀ, ରମଣୀମୋହନ ଏବଂ ସରସ, ସୁଖାଦ୍ୟମାନଙ୍କର ପାକ୍‍ପ୍ରଣାଳୀ ଶିଶୁପାଳନର ଆଦବ୍ କାୟଦା ଆଦି ବିଷୟମାନ ଅନ୍ୟ ପତ୍ରିକାରୁ ଉତାରି ଏଠିସେଠି ଖଞ୍ଜି ଦିଆହୁଏ । ବୁଣାବୁଣିର ଡିଜାଇନ୍ ଯେଉଁଗୁଡ଼ିକର ପୁରୁଣା ବ୍ଲକ୍ ପତ୍ରିକା ତରଫରୁ ବାଲ୍‍ଟି ହିସାବରେ ଆଗରୁ ଖାଉଟି କରାହୋଇଥାଏ (ପୁରୁଣା ହେଲେ ମଧ୍ୟ କ୍ଷତି ନାହିଁ, ଯେହେତୁ ଓଡ଼ିଆଣୀଙ୍କ ପାଇଁ ସବୁ ନୂଆ !) ପ୍ରକାଶିତ ହୋଇଥାଏ । ଏଥିରେ ନାରୀଜାତିକୁ ନାନା ଉପାୟରେ ଗୃହଲକ୍ଷ୍ମୀ, ଗାର୍ଗୀ, ସାବିତ୍ରୀ, ଲୀଳାବତୀ, ମାଡ଼ାମ୍‍କ୍ୟୁରୀ ଆଦି କହି ଖୋସାମଦ କରି ରଖା ଯାଇଥାଏ । ଏଥିସଙ୍ଗେ କିଛି ଗଳ୍ପ କବିତା, ଅଧିକାଂଶ ସମୟରେ ଏକପ୍ରକାର ବେତାର ପ୍ରେମପତ୍ର ଆକାରରେ ଛପା ହୋଇ ଅ–ନାରୀ ପାଠକମାନଙ୍କୁ ଆନନ୍ଦ ଦେବାର ସମ୍ଭାବନା ରଖିଥାଏ । ଏହି ବିଭାଗ ଥିବାରୁ କିଛି ନାରୀ ଛବି ମଧ୍ୟ ପତ୍ରିକାର ଶୋଭାମଣ୍ଡନ କରୁଥାନ୍ତି; ପ୍ରେମ ପାଗଳ କିଶୋରମାନଙ୍କୁ ଉଲ୍ଲାସ ଯୋଗାଇ । ବାକୀ ମହିଳା ପୃଥିବୀ ବିଭାଗ ଏଇଥିପାଇଁ ତତ୍ପର୍ଯ୍ୟପୂର୍ଣ୍ଣ ଯେ, ପତ୍ରିକା ମାତ୍ରେ କେବଳ ନାରୀମାନଙ୍କ ଉପରେ ନିର୍ଭର କରେ । ଏହି ବିଭାଗ ଧରି ନେଇଥାଏ ଯେ କେବଳ ପାକପ୍ରଣାଳୀ, ଘରକରଣା, ବୁଣାବୁଣି ବା ଶିଶୁପାଳନ ବ୍ୟତୀତ ନାରୀ ପକ୍ଷରେ ଆଉକିଛି ବୁଝିବା, ନା ସମ୍ଭବ, ନା ପ୍ରୟୋଜନ ।

 

କିଶୋର ପରିକ୍ରମା– ମାଲିକଙ୍କ ପିଉସୀପୁଅ ଭାଇ ବାଳୁଙ୍ଗା ହୋଇ ବୁଲୁଥିଲା । ମାଲିକଙ୍କ ପିଉସା ତାଙ୍କୁ ଡାକି କହିଲେ, ବାପା, ୟାକୁ କୋଉଠି ନଗେଇ ଦିଅ, ନଇଲେ ଇୟେ ବି ଡୁବିବ, ମୋତେ ମଧ୍ୟ ତଳିତଳାନ୍ତ କରିବ, କୋଉଠି ୟାହାଳ୍ପ ବାର ଦୁଆର, ଶୁଣ୍ଢିପିଣ୍ଡା ହେଉଛି, କଞ୍ଚା ବୟସ, ଇତ୍ୟାଦି । ମାଲିକ ତାକୁ ଆମ ପତ୍ରିକାର କିଶୋର ପରିକ୍ରମା ତଦାରଖ୍‍ କରିବାକୁ ଲଗେଇଛନ୍ତି । ସେ ବି ବିଡ଼ିପିଇ, ଚାହା ଖାଇ, କର୍ମଚାରୀଙ୍କ ଉପରେ ଅଫିସର୍ ବନି ରହିଥାଏ । ଏହି ଚାକିରୀ ତା’ର କୁକୁଡ଼ା ପ୍ରେମର ଅନ୍ୟତମ ଉପାୟ । ଅନ୍ୟାନ୍ୟ ପତ୍ରିକାରୁ ଉତାରି, ଅନୁବାଦ କରି/କରାଇ ନାନା ଛଦ୍ମନାମରେ ଗଳ୍ପ କବିତାଦି ଛପା ହୁଏ । ଉତ୍ସାହ ଦେବା ଛଳରେ ଅମନୋନୀତ ଲେଖାମାନ ମଧ୍ୟ ଏଥିରେ ଯାଏ । ପ୍ରଥମେ ଏହି ବିଭାଗ ଏଇଥିପାଇଁ ଚାଲୁ ହୋଇଥିଲା ଯେ, ଏଥିରେ ଜାଗା ପୂରଣ ହୁଏ ଏବଂ କିଛି ଅଧିକା ଖର୍ଚ୍ଚ ହୁଏ ନାହିଁ । କିନ୍ତୁ ପରେ ଏହାର ଲୋକପ୍ରିୟତା ବଢ଼ିଗଲା, କାରଣ ସମସ୍ତେ କିଶୋର ହେବାକୁ ଇଚ୍ଛା କଲେ, ଏବଂ ସଭ୍ୟ ସଂଖ୍ୟା ବଢ଼ିବା ସଙ୍ଗେ ସଙ୍ଗେ ପତ୍ରିକାର କାଟ୍‍ତି ବି ବଢ଼ିଲା, ଯେହେତୁ ସଭ୍ୟ ହେବାକୁ ହେଲେ କିଶୋର ପରିକ୍ରମା ବିଭାଗରେ ପ୍ରକାଶିତ କୁପନ କାଟି ତହିଁରେ ନାମ ଆଦି ଲେଖିବାକୁ ହୁଏ । ପରେ ଯେତେବେଳେ ଜଣାପଡ଼ିଲା ଯେ ମେମ୍ବର ହୋଇ ସାରିବା ପରେ ଆଉ ପିଲାଏ ପତ୍ରିକା କିଣୁ ନାହାନ୍ତି, ଧନ୍ଦା ଆଦି ପ୍ରତିଯୋଗିତା କରି, ତହିଁରେ କୁପନର ବ୍ୟବହାର ହେଲା । ପ୍ରତିଯୋଗିତାଗୁଡ଼ିକରୁ ମଧ୍ୟ କିଛି ଲାଭ ହୁଏ । କିଶୋର ପରିକ୍ରମା ପାଇଁ ରଚିତ ବହୁ ଗଳ୍ପ କବିତା ଆସି ପହଞ୍ଚେ, ଯାହା ଭିତରେ ଅନେକ ସୁପରିଚିତ ଲେଖକଙ୍କର ବେନାମୀ ରଚନାମାନ ରହିଥାଏ-। ଦରକାର ହେଲେ ଏସବୁ ସାଧାରଣ ବିଭାଗରେ ଛପାଇ ଦେଇ ହୁଏ । ଏଥିରେ ଆମ ମାଲିକଙ୍କ ପିଉସୀପୁଅ ଭାଇ ଖଣ୍ଡିଏ ଖଣ୍ଡିଏ ଚିଠି ପିଲାମାନଙ୍କୁ ଲେଖେ । ସେଥିରେ “ପିଲାମାନେ ସତ କହିବା ଉଚିତ୍” ଆଦି ଉପଦେଶମାନ ଥାଏ ।

 

କିଛି ହସ ବିଭାଗ:– ଏହାର ନାମ, ସଂଖ୍ୟାଭେଦରେ ‘ଓଃ ହାଃ ହାଃ ହାଃ’, ‘ହିଃ ହିଃ ହିଃ’, ‘ଚାଲ ହସିବା’ ‘କୁତୁକୁତୁ’ ‘ଚଣା କୁଡ଼ୁମୁଡ଼ୁ’, ‘ହସରାଜଙ୍କ ଥଣ୍ଟରୁ’ ଇତ୍ୟାଦି କରି ବଦଳିଥାଏ । ଇଂରାଜୀ, ହିନ୍ଦୀ ବା ବଙ୍ଗଳା ପତ୍ରିକାରେ ପ୍ରକାଶିତ ହସକଥାଗୁଡ଼ିକ ଗମ୍ଭୀର, ବେଦନାମୟ ଭାଷାରେ ଅନୁବାଦ କରି ସମ୍ପାଦକ ମହୋଦୟ ଏକ ସ୍ଵତନ୍ତ୍ର ଫାଇଲ୍‍ରେ ରଖିଥାନ୍ତି । ସେହିସବୁ ଦରକାରବେଳେ କର୍ମରେ ଆସେ । ଏବେ ଜଣା ଯାଉଛି ଯେ ଏପରି ବିଭାଗଟିଏ ଆଉ ଲୋଡ଼ା ହେବନାହିଁ, କାରଣ, ଯାହା ଏବେ ଜଣେ ପତ୍ର–ପ୍ରେରକ ଲେଖିଥିଲେ, ଆମ ପତ୍ରିକାର ସମ୍ପାଦକୀୟ ହିଁ ଯଥେଷ୍ଟ । ତେବେ ଏହାକୁ ବନ୍ଦକରି ଦିଆହେବ, ନା ସ୍ଥାନ ବଳିପଡ଼ିଲେ ବିଭିନ୍ନ ପୃଷ୍ଠାରେ ଏଥିରୁ କିଛି କିଛି ଦେବାକୁ ହେବ, ଏ ପର୍ଯ୍ୟନ୍ତ ବିଚାରାଧୀନ ରହିଛି । ଗନ୍ଧିଆ (ଯାହା ବିଷୟରେ ପରେ ବେଶ୍ କିଛି) କହେ ଯେ ସମ୍ପାଦକଙ୍କ ଫାଇଲ୍ ସରିସରି ଆସୁଛି, ଏହାହିଁ ବର୍ତ୍ତମାନର ଜରୁରୀ ପରିସ୍ଥିତି ସୃଷ୍ଟି କରୁଛି, କାରଣ, ତା ଭାଷାରେ, ‘ବସି ଖାଇଲେ ନଈବାଲି ସରେ’ ।

 

ଆଲୋଚନା ଲୋକ :– (=ଆଲୋଚନା+ଆଲୋକ; ‘ଅ’ ବା ‘ଆ’ ପରେ, ‘ଅ’ ବା ‘ଆ’ ଥିଲେ ଦୁହେଁ ମିଶି ‘ଆ’ ହୋଇ ପୂର୍ବବର୍ଣ୍ଣରେ ଯୁକ୍ତ ହୁଅନ୍ତି ବୋଲି ସ୍ଵରସନ୍ଧିର ନିୟମ ଲାଗି ।) ଏଥିରେ ଆମ ପତ୍ରିକାର ପୃଷ୍ଠପୋଷକମାନଙ୍କର ଜୀବନୀ ଫଟୋଗ୍ରାଫ୍ ସହ, ଆଗେ ବାହାରୁଥିଲା । ଏବେ ସେମାନେ ସରିଯିବାରୁ ପତ୍ରିକାର ଶତ୍ରୁମାନଙ୍କୁ ସମାଲୋଚନା ଆରମ୍ଭ ହୋଇଛି । ଶତ୍ରୁ ସରିବାର ସମ୍ଭାବନା ନ ଥିବାରୁ ଇୟେ ଚାଲିବ ବୋଲି ଆଶା କରାଯାଏ । ଏହାକୁ ବିଭିନ୍ନ ବ୍ୟକ୍ତି, ସାଧାରଣତଃ ସମ୍ପାଦକଙ୍କର ବନ୍ଧୁମାନେ ରଚନା କରନ୍ତି, କିନ୍ତୁ ଛଦ୍ମନାମ ଏକା ‘ରୁଷଣ୍ଡକାକ’ ରହିଥାଏ ।

 

ଚିଠିପତ୍ର :– ଏହି ବିଭାଗକୁ ଦେଖିଲେ ମନେହେବ ଯେ ଏଠାରେ ପାଠକମାନେ ପ୍ରଶ୍ନ ପଚାରୁଛନ୍ତି ଏବଂ ଆମେ ଉତ୍ତର ଦେଉଛୁ । ଏହା ଏକ ଭ୍ରାନ୍ତ ଧାରଣା ଏବଂ କେବଳ କେତେକାଂଶରେ ହିଁ ସତ୍ୟ । ଓଡ଼ିଶାର ପାଠକମାନେ ଚିଠିପତ୍ର କେବେ ଲେଖନ୍ତି ନାହିଁ–ସମ୍ପାଦକଙ୍କ ପାଖୁ ତ ଆଦୌ ନୁହେଁ । ଅତଏବ ପ୍ରଶ୍ନୋତ୍ତରମାନ ଅନ୍ୟାନ୍ୟ ପତ୍ରିକାରୁ ଅନୁଦିତ ହୁଏ ଏବଂ ପ୍ରେସ୍‍ର ‘କମ୍ପୋଜକ’ ବା ଅକ୍ଷର ଖଞ୍ଜାଳୀଙ୍କ ନାମରେ ବା ସେମାନଙ୍କର ଚିହ୍ନାଜଣା ଲୋକମାନଙ୍କର ନାମରେ ଯୋଡ଼ି ଛପାଇ ଦିଆହୁଏ । ଏହି ବିଭାଗ ଉପରେ ସମ୍ପାଦକ ମହୋଦୟଙ୍କର ଏକ ଫଟୋ, ମୁଠି–ଉପରେ–ଥୋମଣୀ ବିଶେଷ ଭଙ୍ଗିମାରେ ଛପାହୁଏ, ଯାହା ଫଳରେ ପରିଷ୍କାର ବୁଝିହୁଏ ଯେ ସମ୍ପାଦକ ନିଜେ ପ୍ରଶ୍ନ ଓ ଉତ୍ତରମାନଙ୍କର ଆଇନ୍‍ ସିଦ୍ଧ ଜନକ ।

 

ଗଳ୍ପ ଓ କବିତା (ସଚିତ୍ର) :– ଲେଖକମାନଙ୍କ ଆଖିରେ ଏହା ସବୁଠାରୁ ବଡ଼ ବିଭାଗ । ଅନ୍ୟମାନେ, ଆମେ ଯା ଜାଣିଛୁ, କେବଳ ଚିତ୍ର ଦେଖନ୍ତି । ନାହିଁ ଯଦି କେହି ଚିତ୍ର ଛଡ଼ା ଆଉ କିଛି ଦେଖୁଥାଏ, ଚିତ୍ର ନ ଥିଲେ ସେ କିଛି ବୁଝି ପାରୁନଥାନ୍ତା (ଏ ନେଇ ପରେ ଆଉ) । ଏଣେ ଚିତ୍ରଗୁଡ଼ିକ କିଛି ଖେଳଘର କଥା ନୁହେଁ । ଚିତ୍ର ସବୁ ଅଙ୍କାଇବାକୁ ହୁଏ, ବ୍ଲକ୍ କରାଇବାକୁ ହୁଏ, ଛପାଇବାକୁ ହୁଏ । ଏସବୁ ଖର୍ଚ୍ଚାନ୍ତ ବ୍ୟାପାର, ଗଳ୍ପ କବିତା ପରି କ୍ଷୁଦ୍ର ବ୍ୟାପାରରେ ପଇସା ଖର୍ଚ୍ଚ କରିବା ବିଜ୍ଞତାର ପରିଚାୟକ ନୁହେଁ । ଅନ୍ୟାନ୍ୟ ପତ୍ରିକାରୁ ସେମାନଙ୍କ ଦ୍ଵାରା ତିଆରି ବ୍ଲକ୍‍ମାନ ସ୍ୱଳ୍ପ ଅର୍ଥ ବିନିମୟରେ ଖରିଦ୍ କରାଯାଏ, ଏ କଥା ଆଗରୁ କୁହା ସରିଛି । ଅନେକ ସମୟରେ ଏହିସବୁ ଚିତ୍ର ଦେଖି ଗଳ୍ପ ରଚନା କରିନେବାକୁ ହୁଏ । ସମୟ ଥିଲେ ସମ୍ପାଦକ ନିଜେ ଏକଥା କରୁଥାନ୍ତେ । କିନ୍ତୁ ସମୟ ମିଳିବ କାହୁଁ ? ଦୁଇଚାରିଟା ଓଷଦ କମ୍ପାନୀର ଏଜେନ୍‍ସି, ଆପଣା ଘରର ହାଲ୍ ତଦାରଖ, ପତ୍ରିକାଲାଗି ବିଜ୍ଞାପନ ସଂଗ୍ରହ, ବ୍ୟକ୍ତିଗତ ପ୍ରେମ ଆଦି ବିଭିନ୍ନ ତତ୍ପର୍ଯ୍ୟପୂର୍ଣ୍ଣ କର୍ମରେ ସେ ଚବିଶ ଘଣ୍ଟା ବ୍ୟସ୍ତ ଥାଆନ୍ତି । ସୁତରାଂ ଆଜିକାଲି ଗନ୍ଧିଆ, ଆମ ଏଠିକାର ଜଣେ ‘କମ୍ପୋଜକ’, ‘ପଣ୍ଡିତ ଗନ୍ଧ ମାର୍ଦନ ପ୍ରସାଦ’ ଛଦ୍ମନାମରେ ଗଳ୍ପ କବିତା ଲେଖେ । କିଛିଦିନ ତା ‘ଲେଖା’ ସବୁ ଆମ ପତ୍ରିକାରେ ଛପାଗଲା ପରେ ସେ ନିଜ ନାମ ପଛରେ ‘କବି ଶେଖର’ ମଧ୍ୟ ଯୋଡ଼ିଲାଣି । ତାହାର ଗଳ୍ପଗୁଡ଼ିକ ସଂକଳିତ ହୋଇ ବହି ଆକାରରେ ବଜାରରେ ଏବଂ ଆମ ପତ୍ରିକାର ଏଜେଣ୍ଟ୍ ମାନଙ୍କ ଜରିଆରେ ବିକ୍ରି ହେଉଛି । ଏହି ବର୍ଷ ସେ ଜଣେ ‘ଲବ୍‍ଧପ୍ରତିଷ୍ଠ’ ଲେଖକ ଭାବରେ ଗଣା ହୋଇଛି ଜଣେ ସମାଲୋଚକଙ୍କଦ୍ଵାରା । ଆମ ପତ୍ରିକାର ସମାଲୋଚକ (ପ୍ରକୃତରେ ସେ ନିଜେ) ତାହାକୁ ‘ନବୀନ ଯୁଗର ହସ୍ତାକ୍ଷର’ ବୋଲି କହି ସାରିଲେଣି-। ତାହା ସଙ୍ଗେ ଏକ କାଳ୍ପନିକ ସାକ୍ଷାତ୍‍କାର ମଧ୍ୟ ଛପା ହୋଇଥିଲା । ଏଥିରେ ଲେଖାଥିଲା :

 

“କମ୍ପୋଜିଟର ହେବା ଲେଖକ ପକ୍ଷରେ ଖୁବ୍ ଦରକାରୀ ବୋଲି ସେ କହନ୍ତି । ଅକ୍ଷର ନେଇ ଖେଳିବା ଲେଖକର ପେଶା । ଭୁଲ୍ ଭଟକା କରି ଅକ୍ଷର ଖଞ୍ଜିବା ହେତୁ ନୂତନ ଶବ୍ଦ ସୃଷ୍ଟି ହେବ...ଯେ ଯେତେ ଭୁଲ୍ କରିବ ସେ ସେତିକି ନୂତନ ଶବ୍ଦ ସୃଷ୍ଟି କରିବ । ଅତଏବ ଲେଖକମାନେ ଖାଲି କମ୍ପୋଜିଟର ନୁହେଁ, ଖରାପ (ରେଖାଙ୍କନ ମୋର) କମ୍ପୋଜକ ହେବା ବିଧେୟ ।”

 

ଆମ ପତ୍ରିକା ପ୍ରେସ୍‍ର ଗୁଜବ ଯେ ଶୀଘ୍ର ଗନ୍ଧିଆ ସହକାରୀ ସମ୍ପାଦକ ବନିଯିବ । କାରଣ ସମ୍ପାଦକଙ୍କ ତଳକୁ ସେଇ ଏଠି ସବୁଠୁଁ ବେଶି ପାଠ ପଢ଼ିଛି । ସମ୍ପାଦକଙ୍କର ପଞ୍ଚମ ଶ୍ରେଣୀ ପାଶ୍ ଏବଂ ଗନ୍ଧିଆର ଚତୁର୍ଥ ଶ୍ରେଣୀ ଫେଲ୍ ଏବଂ ଆହୁରି, ଗନ୍ଧିଆ ସମ୍ପାଦକଙ୍କର ଠିକ୍ ଗାଁ ଲୋକ ନ ହେଲେ ବି, ଗାଁର ଜୋଇଁ ।

 

“ପଣ୍ଡିତ ଗନ୍ଧମାର୍ଦ୍ଦନ ପ୍ରସାଦ”ଙ୍କ ବ୍ୟତୀତ ବିରାଟ ବିରାଟ ସାହିତ୍ୟିକମାନେ ଆମ ପତ୍ରିକାରେ ‘ପ୍ରକାଶାର୍ଥେ’ ତାଙ୍କ ଲେଖାମାନ ଦେଇ ଆମକୁ କୃତାର୍ଥ କରନ୍ତି । ଲେଖା ସଙ୍ଗେ ବେଳେ ବେଳେ ଆତ୍ମପ୍ରଶଂସାର ସାର୍ଟିଫିକେଟ୍ ମଧ୍ୟ ଆସିଥାଏ । ଜଣେ ସାହିତ୍ୟରଥୀ ତ ତାଙ୍କ କବିତା କିପରି ଛପା ହବ, ତାହା ଘରକାଟି, କୋଉଠି କେଇଟା ସୀସା ପଡ଼ିବ ତାହାର ହିସାବ ସହ ଟିକିନିଖି ନିର୍ଦ୍ଦେଶ ମଧ୍ୟ ପଠାନ୍ତି । ଏସବୁ ଲେଖା କେହି କେବେ ପଢ଼େ ନାହିଁ । ବିନା ପ୍ରଶ୍ନରେ ଛପାଇ ଦେବାକୁ ହୁଏ–କାରଣ ଥରେ ଯଦି କା ଲେଖା ଛପା ନ ଗଲା, ଆଉ କଷ୍ଟର ସୀମା ରହିବ ନାହିଁ । ଏଇଥିରେ ତ ସମ୍ଭାଳି ହେଉ ନାହିଁ–କାରଣ ଅମୁକେଇ ବାବୁ ଲେଖୁଛନ୍ତି ସମୁକେଇ ବାବୁଙ୍କ ଲେଖା ଚୋରୀ, ସମୁକେଇ ବାବୁ ଲେଖୁଛନ୍ତି ଢମୁକେଇ ବାବୁ କାହିଁକି ତାଙ୍କ ନାଆଁରେ ଲେଖୁଛନ୍ତି ଇତ୍ୟାଦି । ଗାଳିଗୁଜବର ସଂଖ୍ୟା ବଢ଼ିବାରୁ ବର୍ତ୍ତମାନ ସମ୍ପାଦକ ବିଚାରୁଛନ୍ତି ଗଳ୍ପ କବିତା ବିଭାଗ ଦିକ୍‍ଦାର୍‍ ହୋଇ ବନ୍ଦ କରିଦେବେ । ଗଳ୍ପ କବିତା ଆମ ପତ୍ରିକାର କଳଙ୍କ । ଏସବୁକୁ ଦିନୁ ବନ୍ଦ ହୁଅନ୍ତେଣି–ଖାଲି ବିଜ୍ଞାପନ ନ ମିଳିବା ଭୟରେ ଚାଲିଛି । ତେବେ ଏଗୁଡ଼ିକ କାହାରି କ୍ଷତି କରେନା-। ଗଳ୍ପ ବିଭାଗ ତ ଆଦୌ ନୁହେଁ, କାରଣ ଆମେ ଭିତିରିଆ ଖବର ନେଇ ଜାଣି ପାରିଛୁ, କେତେକ ପାଠକ ରୀତିମତ ଏଗୁଡ଼ିକ ପଢ଼ନ୍ତି ଏବଂ ଚୋର–ଡକେଇତ ବା ସୁନ୍ଦରୀ ତରୁଣୀଙ୍କ ସମ୍ବଦ୍ଧରେ ହୋଇଥିଲେ, ବେଶ୍ ଉପଭୋଗ ମଧ୍ୟ କରନ୍ତି । କବିତା ଯେ ପଢ଼ିବ ତାର କ୍ଷତି ଅବା କରିପାରେ, କିନ୍ତୁ ପ୍ରକୃତରେ କବିଙ୍କ ବ୍ୟତୀତ ଅନ୍ୟ କେହି ପଢ଼ୁଥିବା ଜଣା ନାହିଁ କି ଶୁଣା ନାହିଁ । ତେବେ କବିତା କମ୍ପୋଜନ (=ଅକ୍ଷର ଖଞ୍ଜିବା–ଗନ୍ଧମାର୍ଦ୍ଦନ) ଦୃଷ୍ଟିରୁ ସହଜ ହୋଇଥିବାରୁ ଅଳ୍ପ ଶ୍ରମରେ ପୃଷ୍ଠା ଭରିହୁଏ ।

 

କଳା ବା ଚିତ୍ର ଫଟୋ ବିଭାଗ :– ଚିତ୍ର ଦେଲେଇ ଲୋକ ପତ୍ରିକା କିଣିବେ, ନ ହେଲେ ନାହିଁ, ଏହା ଆମ ମାଲିକଙ୍କର ଦୃଢ଼ ଧାରଣା । ସେ କହନ୍ତି, ସେ ତ ନିଜେ ଚିତ୍ର ବ୍ୟତୀତ ଆଉ କିଛି କେବେ ଦେଖନ୍ତି ନାହିଁ, ଏତେ ବଡ଼ ଜାଣିବା ଶୁଣିବା ଲୋକ ହୋଇ ମଧ୍ୟ, ଆଉ ଓଡ଼ିଶା ରାଜ୍ୟର ମୂର୍ଖ ପାଇକପଲ କ’ଣ ବଳେଇ ଯିବେ କି ! ଏହି ନୀତି ଅନୁଯାୟୀ ସେକେଣ୍ଡ୍ ହ୍ୟାଣ୍ଡ୍ ବ୍ଲକ୍‍ମାନ, ଉପରେ ଯା’ କୁହାଯାଇଛି ପ୍ରସଙ୍ଗକ୍ରମେ, ବାଲ୍‍ତି ହିସାବରେ କିଣାଯାଇଥାଏ । ଏଗୁଡ଼ିକ ଜାଗା ବାଛି ଛପାଇ, ତାହା ତଳେ କାବ୍ୟମୟ ନାମସବୁ ଦେଇଦେବାକୁ ହୁଏ । ଏହି ଭାର ରହିଛି ଆମ ପ୍ରେସ୍‍ର ବେହେରା ସଦେଇ ଉପରେ । ଛାପା ଅକ୍ଷରରେ ଅବଶ୍ୟ ସଦେଇର ନାମ ହେଉଛି ‘ସଦାଶିବ ସୁନ୍ଦରମ୍’ ଏବଂ ତାହାକୁ କୁହାଯାଏ ‘ଚିତ୍ରସମ୍ପାଦକ’ । କିନ୍ତୁ ସଦେଇ ଭିତରର କଳାଗତ ଗୁଣ କାହାରିକି ଜଣା ନ ଥିଲା ଯେ ପର୍ଯ୍ୟନ୍ତ ଏକ, ତା ଭାଷାରେ, “ଆଶ୍ଵିନର ନରମ ସକାଳରେ” ସେ ସମ୍ପାଦକଙ୍କ ପାଇଁ ଚାହାଧରି ଠିଆ ନ ହୋଇଛି । ଏହାରି ପରଠାରୁ ସବୁ ଜଣାଗଲା । ଚିନ୍ତାରେ କୁଆଡ଼େ, ସେ ଯାହା କହେ, ସମ୍ପାଦକଙ୍କର ସୁନ୍ଦର କପାଳ କୁଞ୍ଚିତ ହୋଇଥିଲା । ସେ ଏତେ ଗମ୍ଭୀର ଦେଖାଯାଉଥିଲେ ଯେପରିକି ଏକ ମେହେନ୍ତାଣୀ ଯୁବତୀ ସଙ୍ଗେ ତାଙ୍କର ପ୍ରେମ ଥିବା କଥା ବର୍ତ୍ତମାନ ଧରା ପଡ଼ି ଯାଇଛି, ବା ଏହିପରି ଏକ ଗୁରୁତର ଘଟଣା ଏକ୍ଷଣି ଘଟିବ । କିଛି ଶିଶି, କିଛି କାଗଜପତ୍ର, କିଛି ଚିଠିପତ୍ର ଆଲରା ବଲରା କରି ତାଙ୍କର ଟେବୁଲ ଉପରେ ପଡ଼ିଥିଲେ । ଗିଲାସେ ପାଣି ଦରପିଆ, ଖଣ୍ଡେ ଦରଜଳା ସିଗାରେଟ୍ ପାଉଁଶେଇ ଅଇଲାଣି, ଏବଂ ‘ସେ ଏକ ଦୃଶ୍ୟ’ ! ସଦେଇ ଦେଖିଲା, ତାଙ୍କ ହାତରେ ଏକ ଛବି, ଏବଂ ସେ ଭାବୁଛନ୍ତି । ସେ ଛବିରେ ଛୁଆଟିଏ ହାତ ବଢ଼େଇ ରହିଛି । ସଦେଇ କହିଲା, ଚାହାକପ୍ ବଢ଼େଇ ଦେଇ, ‘ନିଅ’ । ତାପରେ ସମ୍ପାଦକ ଟେବୁଲରୁ ଉଠି ଆସି ସଦେଇକି କୁଣ୍ଢେଇ ପକେଇଲେ, ଏବଂ ଅସମ୍ଭବ ବଡ଼ ପାଟିରେ, ଗଦ୍‍ଗଦ ଭାବରେ କହିଲେ “ଠିକ୍ କହିଛ, ଠିକ୍ ଠିକ୍... ‘ନିଅ’ ।” ଏବଂ ଦି’ ଘେରା ସଦେଇ ସମେତ ଘୂରିଗଲେ କୁଆଡ଼େ । ଯାହା ଜଣାପଡ଼ିଲା, ପରେ ଏହି ଚିତ୍ରଟିର କ’ଣ ନାଁ ଦିଆଯିବ ସେ ଭାବୁଥିଲେ କୁଆଡ଼େ । ପରେ ପରେ ସଦେଇ କଳା ସମ୍ପାଦକ ହେଲା ।

 

ବ୍ଲକ୍‍ଗୁଡ଼ିକର ପ୍ରୁଫ୍ ଛପା ଦେଖିଲେଇ ସଦେଇ ମନକୁ ନାଁଗୁଡ଼ାକ ଚାଲିଆସେ । ସେ କି ସୁନ୍ଦର ନାଁ ସବୁ ବାଛେ, ଗୋଟିଏ ଉଦାହରଣରୁ ବୁଝି ହେବ । ଗୋଟିଏ ଭଙ୍ଗା ପୋଲର ଛବି ତଳେ ସଦେଇ ଲେଖିଥିଲା–

 

“ଗୋଟିଏ ପୋଲ : ଏକ ବିଶେଷ ଭଙ୍ଗି ମାରେ ।”

 

ଜାଗା ବଳି ପଡ଼ିଲେଇ ସଦେଇ କି ଯେକୌଣସି ଏକ ଛବି ଧରାଇ ଦିଆହୁଏ । ଏମିତି କଦରରେ ସଦେଇ ନାଁ ମାନ ବାଛେ, ପଢ଼ିଲେ ଜଣାଯିବ ଯେମିତି ଖାସ୍ ଏହି ଲେଖାଲାଗି ପଇସା ଖର୍ଚ୍ଚକରି ବ୍ଲକ୍ କରାଯାଇଛି । ଗୋଟିଏ ହସକଥା ତଳେ ସଦେଇ ଏକ ବାଘର ଛବି ଦେଇ ତାହା ତଳେ ଲେଖିଥିଲା–

 

“ନାଲି ଗୁଲୁଗୁଲୁ ସାଧବ ବୋହୂଲୋ ସାଧବ ବୋହୂ ।”

 

ଯାହାକି ନାନାଦି ପ୍ରଶ୍ନ ସୃଷ୍ଟି କରିଥିଲା । ଦଳେ କହିଲେ, ସଦେଇ କବି ପାଲଟି ଯାଇଛି; ଦଳେ କହିଲେ ଅକାଳକୁଷ୍ମାଣ୍ଡଟାଏ । ସଦେଇ ଅବଶ୍ୟ ଦେଖଇ ହେଲା ଯେ ଏଥି ମଧ୍ୟରେ ଏକ ବିରାଟ ଦର୍ଶନ ରହିଛି–କାରଣ କେହି ତାକୁ ପଚାରିଲେ ସେ କେବଳ ଅଳ୍ପେଇ କରି ମୁର୍କି ହସି–ଦିଏ (ଯାହା ମାନେ, “ଛାଡ଼ କାହିଁକି ସେ ସବୁ ପଚାରୁଛ, ତମ ବୁଝିବା ଚିଜ ସେ ନୁହେଁ ।”) ପରେ ଅବଶ୍ୟ ଜଣାପଡ଼ିଗଲା ଯେ ନମ୍ବର ଗୋଳମାଳ ହୋଇ ଯାଇଥିଲା, କାରଣ ଏକ ନାଲିରଙ୍ଗ ମାଇକିନିଆଁ ତଳେ ‘ଉଃ, ଭୟଙ୍କର’ ଛପା ଯାଇଥିଲା । ଯା ହଉ, ଚିତ୍ରର ଆଦର ଦୃଷ୍ଟିରୁ ସଦେଇ ଆମ ପତ୍ରିକାର ଏକ ନେତୃସ୍ଥାନୀୟ ବ୍ୟକ୍ତି । ଦିନେ ସଦେଇକି ଗମ୍ଭୀର ଦେଖି ପଚରା ଯାଇଥିଲା ତାର କ’ଣ ହୋଇଛି । ସେ ଗୁହ୍ୟ ଭାଷଣ କରିଥିଲା ଯେ ସେ ‘ଓଜନ ନେଉଛି’, ଅର୍ଥାତ୍ ନିଜର ଗର୍ବ ଜାହିର୍ କରୁଛି । ତାହାର ଦରମାରେ ଏବେ ନିକଟରେ ବୃଦ୍ଧି ହୋଇଛି, ଯାହାକୁ ସେ କହେ ‘ପ୍ରମୋଶନ୍’ । ପ୍ରକୃତରେ, ଯେତେବେଳେ ସଦେଇ କହିଲା ଯେ ତା ଦୁଃଖ କେହି ବୁଝୁ ନାହାନ୍ତି, ସେ ଚାହା କରିବ କେତେବେଳେ, ବୋଲବାକ କରିବ କେତେବେଳେ, ଏଣେ ଏଥିରୁଗୁଡ଼ାଏ ଆଜେବାଜେ କାମ କରିବ କେତେବେଳେ, ସେ ଆଉ ରହିପାରିବନି, ଇତ୍ୟାଦି । ସମ୍ପାଦକ ତାକୁ ବୁଝାଇ କହିଲେ, “ସଦାନନ୍ଦ ! ପଇସା କିଛି ବଡ଼ କଥା ନୁହେଁ । କେତେ ଜଣ ତମପରି ଗୁଣୀ ଏ ସଂସାରରେ ଆଦର ପାଆନ୍ତି ? ମୋତେ ଦେଖ :–ପାଠ ଶାଠ ପଢ଼ିଛି, ପଞ୍ଚମଶ୍ରେଣୀ ପାସ୍ କଲି, ଏତିକି, ବା ଆହୁରି କମ୍ ପଢ଼ି କେତେ ଲୋକ କେତେ ବଡ଼ ହେଲେ, ଜଣେ ତ ମନ୍ତ୍ରୀ ହୋଇ ସାରିଲାଣି ଅଥଚ ମୁଁ ଏଠି ପଡ଼ିଛି । କିନ୍ତୁ ପଇସା କଣ ତତେ ନା ମତେ, କାହାକୁ ଅଣ୍ଟିବ ? ସଦାନନ୍ଦ ! ହେଇତି ଅନେଇଲୁ ! ମୋ ମୁହଁକୁ ଚା । ସଦେଇ, ତୁ ସିନା ଅଝଟ କରୁଛୁ, ମୁଁ ଜାଣେ ତୁ ମତେ ଭଲପାଉ ବୋଲି ଇଠି ମାଟି କାମୁଡ଼ି ପଡ଼ିରହିଛୁ । ସଦେଇ, ମୋ ଭାଇଟାପରା, ତୁ, ମୁଁ, ଆଉ ଇଠି ଯେତେ ଲୋକ କାମ କରୁଛେ, କହିଲୁ କାହିଁକି ? ମୁଁ ତତେ ବୁଝେଇ ଦେଉଛି । ଇଠୁ ରୋଜଗାର କରି ଆମେ କୋଠା ବାଡ଼େଇ ପାରିବାନି, ୟେ ନିଶ୍ଚିତ । ଆମେ ଗୋଡ଼େଇଛେ ନାଁ ପଛରେ । ଆଜି ଦେଶେ ଦେଶେ ସମସ୍ତେ ତୋ ନାଁ ଜାଣନ୍ତି । ତୋ ମୁଣ୍ଡରେ ବୁଦ୍ଧି ଅଛି, ତୋ ମନରେ ଦରଦ ଅଛି । ଦିନେ ନା ଦିନେ କଣ ଦୁନିଆଁ ବୁଝିବନି ? ଯଦି ତୁ ମୁହଁ ଫିଟେଇ କହିଲୁଣି, ତୋ କଥା ରହୁ, ମୋ କଥା ରହୁ, ବାରଣା ପଇସା ତୋ ଦରମା ବଢ଼େଇ ଦିଆହବ । ମୁଁ ଜବାବ୍ ଦେଇ ପାରିବିନି, କିନ୍ତୁ ମାଲିକଙ୍କ ସାଙ୍ଗେ ମୁଁ କଥା ହେବି; ତେଣିକି ତାଙ୍କ ଧରମ, ତୋ କରମ । କାମ କର, ବୁଝିଲ ସଦାଶିବ ସୁନ୍ଦରମ୍ ? ସୁନା ପିଲା ।

 

ଏତିକି ଶୁଣିବାପରେ ସଦେଇ ଦ୍ଵିଗୁଣ ଉତ୍ସାହରେ ଲାଗିପଡ଼ିଛି । ତା’ଛଡ଼ା, ଏବେ କେତେକ ଚିତ୍ର ମଧ୍ୟ ଆସିଥିଲା ଲଫାପା ଭିତରେ, ଯେଉଁଥିରେ ଠିକଣା ଲେଖାଥିଲା, “ଟୁ ଶ୍ରୀ ସଦାଶିବ ସୁନ୍ଦରମ୍, କଳା ସମ୍ପାଦକ, ଆମ ପତ୍ରିକା ।” ଲଫାପାଗୁଡ଼ିକ ସଦେଇ ସାଇତିଛି । ଆଉ ଝିଅଟିଏ କି ସୁନ୍ଦର ପିଜୁଳିଟିଏ ଆଙ୍କି ପଠେଇଥିଲା–ସଦେଇ ତାକୁ ବନ୍ଧେଇ ତା ହାଣ୍ଡିଶାଳେ ଟଙ୍ଗେଇଛି, ଯାହାକି, ସେ କହୁଥିଲା, ତା ଶ୍ରମର ‘ପ୍ରଥମ ପୁରସ୍କାର’ । ଏବେ ସଦେଇ ‘ପ୍ରଚ୍ଛଦପଟ ଯୋଜନା’ ମଧ୍ୟ କରୁଛି, ଯାହା ଆଗେ ଖାଲି ସମ୍ପାଦକ କରୁଥିଲେ । ଏହି ସମ୍ମାନିତ କାର୍ଯ୍ୟଭାର ସଦେଇକୁ ଦିଆ ହେଇଛି, କାରଣ ସେ ପାଠକମାନଙ୍କର ଅସଲି ଚାହିଦାଟି ଜାଣିସାରିଲାଣି । ଅଳ୍ପ ପଇସାରେ ତିନିରଙ୍ଗ ଛପେଇ କିପରି ସାତରଙ୍ଗର ‘ଏଫେକ୍‍ଟ୍‍’ ଆଣିହେବ; କିଭଳି ପର୍ବତସ୍ତନା ଯୁବତୀମାନଙ୍କ ପ୍ରଚ୍ଛଦ ଉପରେ ଏପରି ସଜେଇବାକୁ ହେବ, ଯେପରିକି ସେମାନଙ୍କର ଶରୀରର ଅଧିକତର କାମ୍ୟ ଅଂଶମାନ ଲୋକଲୋଚନକୁ ଆସିବେ; ଉପରେ ପ୍ରସ୍ତେ ବାର୍ଣ୍ଣିସ୍ ଛାପି କିପରି ଶସ୍ତା ଚିତ୍ରଗୁଡ଼ିକୁ ବେଶ୍ ଦାମୀ ଦାମୀ ଚେହେରା ଆଣି ଦେଇହେବ, ଏ ସବୁରେ ସେ ଦକ୍ଷ ହୋଇ ସାରିଛି ।

 

ସଦେଇର ଧୁରନ୍ଧରପଣର ପ୍ରମାଣ ମିଳିଲା ଏବେ ଜଣେ ପାଠକଙ୍କ ଚିଠିରୁ । ସେ ଲେଖିଛନ୍ତି, ଅନ୍ୟାନ୍ୟ କଥା ମଝିରେ, “ଆମ ପତ୍ରିକାର ପ୍ରତ୍ୟେକଟି ପ୍ରଚ୍ଛଦପଟରେ ଆଦିରସର ପ୍ରଭାବ ଦେଖିବାକୁ ମିଳେ... ମହିଳାପ୍ରାଧାନ୍ୟ ଦେଖି ମନେହୁଏ ଏହା ଏକ ମହିଳା ପତ୍ରିକା…ପ୍ରତ୍ୟେକ ମହିଳା ପ୍ରଦର୍ଶିତ ହୋଇଥାନ୍ତି ଯେପରିକି ସେମାନେ ବେଶ୍ୟା !” ଏହି ଚିଠିଟି ସଦେଇ କାଟି ବନ୍ଧେଇ ରଖିଛି । ଏବେ ଜଣେ ଭଡ଼ାଟିଆ ‘କଳାକାର’କୁ ସଦେଇ ବୁଝାଉଥିବାର ଶୁଣା–ଯାଉଥିଲା, ଯାହା ଏଠାରେ ଲିପିବଦ୍ଧ ହେବ ଏହି ଉଦ୍ଦେଶ୍ୟରେ ଯେ ପତ୍ରିକାର ସର୍ବାଧୁନିକ ‘ଚିତ୍ରନୀତି’ ଉପସ୍ଥାପିତ ହୋଇପାରିବ । ସେ କହୁଥିଲା–ଦେଖ ବାବୁ, ଦେଖ କ’ଣ–ତମ–ନାଁଟି ! କଳା ଫଳା କଥା ତେମେ ଜାଣିଥିବ, ଆମୁକୁ ସିତୁରୁଗୁଡ଼େ ଶିଖେଇ ଲାଭ ନାଇଁ । ଆମର ଦର୍କାର ଲୋକେ ଯୋଉଥିରେ ଭଳିବେ । ଏଥିପାଇଁ ତମେ ଯା କରିବ, ମାନେ ମାଇକିନିଆଁକୁ ପଛା’ଡ଼ୁ ଦେଖେଇଲେ ଚଳିବ ନାଇଁ, ତାଙ୍କ ସୁନ୍ଦର ମୁହଁ, ଆଉ କଣ–ତମେ–ବୁଝି–ପାରୁଥିବ, ଦେଖିବାକୁ ମିଳିବା ଜରୁରୀ । ଅସଲ କାମ କର, ପଇସା ମିଳିବ । ୟାଡ଼ୁସ୍ୟାଡ଼ୁ ଗାରେଇବ ତ ଅନ୍ୟ ରାସ୍ତା ଦେଖ ।”

 

ସଦେଇ କହେ, ଶେଷ ଜୀବନରେ ବିଶ୍ଵକବି ବଙ୍ଗାଳି ରବୀନ୍ଦ୍ରନାଥ ଯାହା କରିଥିଲେ, ଠିକ୍ ତାହାରି ବିପରୀତ ସଦେଇ କରିବ । ପ୍ରଥମୋକ୍ତ ବ୍ୟକ୍ତି କବିତା ପରେ ଚିତ୍ରାଙ୍କନ କରିଥିଲେ । ଅତଏବ ସଦେଇ ଯିବ ଚିତ୍ରରୁ କବିତାକୁ । ସେଥିପାଇଁ ସଦେଇ କବିତାମାନ ଲେଖିରଖୁଛି ଚିତ୍ରର ନାଁ ଦବ ବୋଲି । ଏକ ଫଟୋର ନାମ ଭାବରେ “ସନ୍ଧ୍ୟା ହେଲା ରଖହେ ହରି, ଚଷାମାନେ ବିଲରୁ ଫେରୁଛନ୍ତି ଧାନକାଟି ସାରି” କବିତାଟି ‘ଉଚ୍ଚକୋଟୀର ହୋଇଛି’ ବୋଲି କବି ଦୋଳଗୋବିନ୍ଦ ରାୟ କହିବାମାତ୍ରେ, ଯେହେତୁ ସେମାନେ ଏକ ହୋଟେଲରେ ବସିଥିଲେ, ସଦେଇ ଆମଲେଟ୍‍ର ପଇସା ଦେଇ ଦେଇଥିଲା ।

 

ସିନେମା ଜଗତ୍ :– ଅର୍ଥାତ୍, ଯେଉଁ ସିନେମାର ଡିଷ୍ଟ୍ରିବ୍ୟୁଟ୍‍ର ଆମ ପତ୍ରିକାରେ ବିଜ୍ଞାପନ ଜରିଆରେ ପଇସା ଏବଂ ଷ୍ଟାର୍‍ଙ୍କ ଫଟୋର ବ୍ଲକ୍ ଭାବରେ ଲୋକପ୍ରିୟତା ଯୋଗାଇବେ, ସେମାନଙ୍କ ଛବିମାନଙ୍କର ପ୍ରଶଂସା ଏବଂ ଏହାର ବିପରୀତମାନଙ୍କୁ ଏହାର ବିପରୀତ ମତେ, ତଥାକଥିତ ‘ରିଭ୍ୟୁ’ମାନ ଛପା ହେବାର ସ୍ଥାନ । ‘ରିଭ୍ୟୁ’ର ଆକ୍ଷରିକ ଅର୍ଥ ପୁନର୍ଦର୍ଶନ । କିନ୍ତୁ ଯେହେତୁ ଅଧିକାଂଶ ସିନେମା ମାଲିକ ତାଙ୍କ ‘ପ୍ରେସ୍ ସୋ’ ମାନଙ୍କରେ ଆମକୁ ନିମନ୍ତ୍ରଣ କରନ୍ତି ନାହିଁ, ଅତଏବ, ଦର୍ଶନ ବିହୀନ ଭାବରେ ହିଁ ରିଭ୍ୟୁମାନ ଲେଖା ହୁଅନ୍ତି । ଏହା ଫଳରେ, ‘ଷ୍ଟୁଡ଼ିଓ ଚିଠି’ ସବୁ ‘ବମ୍ବେଇରୁ’ ଲେଖାହୁଏ ଅର୍ଥାତ୍ ଆମଭିତରୁ ଜଣେ ତା ନାଁ ଗଜିଆ ହିନ୍ଦୀ ବଙ୍ଗଳା ପତ୍ରିକାରୁ ଅନୁବାଦ କରି ଏସବୁ ବାଗେଇ ସାଗେଇ ଥୋଇ ଦେଇଥାଏ । ଏମିତି ‘ବମ୍ବେରୁ’ ଲେଖିବା ଫଳରେ, ଗଜିଆ ଭାଷାରେ ସିନେମାଘର ମାଲିକମାନଙ୍କୁ ‘ରୋକ୍‍ଠୋକ୍‍’ ଜବାବ୍ ଦିଆଯାଏ, ଅର୍ଥାତ୍ ତମେ ନ ଡାକିଲେ କ’ଣ ହେଲା, ବମ୍ବେଇରେ ଆମ ନିଜ-ପ୍ରତିନିଧି ବିଭିନ୍ନ ସିନେମା ଦେଖିବା ସଙ୍ଗେ ସଙ୍ଗେ ଖୋଦ୍ ବଡ଼ ବଡ଼ ଅଭିନେତ୍ରୀଙ୍କ ସାଙ୍ଗେ କଥାବାର୍ତ୍ତା କରନ୍ତି, ଆଉ ସକୀଲ ବଦାୟୁନୀ, ପ’ଲି ମିସ୍ତିରୀଙ୍କ କଥା ବା ପଚାରେ କିଏ ?

 

ପରିଚାଳକ ଗଜେନ୍ଦ୍ର ରାଉତରାୟ କହନ୍ତି, ସିନେମାଜଗତ୍ ବିଭାଗର କେତେକ ‘ବିଶେଷ ଫାଇଦା’ ରହିଛି । ଏହାଦ୍ୱାରା ଗ୍ରାମେ ଗ୍ରାମେ, ଘରେ ଘରେ ସିନେମା ଷ୍ଟାର୍ ବନିବାର ମୋହରେ ଇନ୍ଧନ ଦେଇହେବ । ଏହା–ଫଳରେ ଆମ ପତ୍ରିକା ଜରିଆରେ ଷ୍ଟାର୍ ହେବାକୁ ଇଚ୍ଛୁକା ସୁନ୍ଦରୀ ତରୁଣୀ ବା କିଶୋରୀମାନେ (ତରୁଣ/କିଶୋରମାନଙ୍କୁ ପଚାରେ କିଏ ?) ଆପଣା ଆପଣା ଫଟୋମାନ ପଠାଇ ଆମକୁ ‘ପ୍ରେରଣା’ ଦେଇଥାନ୍ତି । ବାକୀ ଥରେ ଅଧେ ଜଣେ ଜଣେ ଆମ ପତ୍ରିକାର ଅଫିସ୍ ଆଡ଼କୁ ଗଡ଼ି ପଡ଼ିବା ବି ବିଚିତ୍ର ନୁହେଁ । ଏବଂ ଏହି ଆଶାରେ ଗଜିଆ ‘ମାତିଛି’ ।

 

ଏବେ ଜଣେ ଚତୁର ପାଠକ ସମାଲୋଚନା କରିଥିଲେ । ‘ବମ୍ବେଇରୁ ଚିଠି’ ବୋଲି ଉପରେ ଛାପି, ତଳେ ବଙ୍ଗଳା, ତେଲେଗୁ, ଓଡ଼ିଆ ବା ତାମିଲ୍ ଛବି, ଯାହାକି କଲିକତା ବା ମାନ୍ଦ୍ରାଜରେ ତିଆରି ହୋଇଥିବ, ସେମାନଙ୍କର ରିଭ୍ୟୁମାନ ଏକା ନିଃଶ୍ଵାସକେ କୁହାଯାଉଛି କିପରି । ଯାହା ଉପରୋକ୍ତ ଭଦ୍ରଲୋକ ବୁଝିପାରି ନାହାନ୍ତି, ତାହା ହେଉଛି, ଥରେ ବ୍ଲକ୍ ହୋଇସାରିଛି ‘ବମ୍ବେଇରୁ ଚିଠି’, ଏବଂ ତାକୁ ବଦଳାଇଲେ ପଇସା ଖର୍ଚ୍ଚ ହେବ । ଏଣେ, ଅଧିକାଂଶ ସିନେମା ବମ୍ବେଇରୁ ତିଆରି ହେଉଥିବାରୁ ଏହା, ଆମ ସମ୍ପାଦକଙ୍କ ଭାଷାରେ, ଏକ ‘ପ୍ରତୀକବାଦୀ ପ୍ରୟୋଗ’-

 

ଗଜିଆ କହେ ଯେ, ଏ ବିଭାଗରେ କେବଳ ଗୋଟିଏ ଅସୁବିଧା ରହିଛି, ତାହା ହେଉଛି, କୌଣସି ଏକ ଛବିର ସମାଲୋଚନା ଲେଖିବାକୁ ଥିବ, ଅଥଚ ଗଜିଆ ଯହିଁରୁ ଅନୁବାଦ କରେ, ସେଥିରେ ସେହି ଛବି ବିଷୟରେ କିଛି ଲେଖା ନଥିବ । ଅବଶ୍ୟ ସୂକ୍ଷ୍ମ ଉପାୟ ମଧ୍ୟ ଗଜି ଜାଣିଛି । ଏପରି ସ୍ଥଳେ ଏସବୁ ଛବିରେ କିଏ କିଏ ଅଭିନୟ କରିଛନ୍ତି, ନିର୍ଦ୍ଦେଶ, ସଂଗୀତ ଆଦି ସେ ପୋଷ୍ଟରରୁ ଦେଖି ଟିପିନିଏ । ତାହାପରେ ଡିଷ୍ଟ୍ରିବ୍ୟୁଟରମାନଙ୍କଠାରୁ ମିଳିଥିବା ଗଟାପାର୍ଚ୍ଚ । ବ୍ଲକ୍‍ରୁ ଛପା ହୁଏ ଯେଉଁ ଫଟୋ, ତା ତଳେ ନାମଟି ଏବଂ ‘ଚିତ୍ର ଅମୁକରେ’ ଲେଖିଦିଏ । ରିଭ୍ୟୁ ବି ଲେଖିଦିଏ : “ପରିଚାଳନା ଖୁବ୍ ଉଚ୍ଚକୋଟୀର ହୋଇଥିଲେ ହେଁ ସମ୍ପୂର୍ଣ୍ଣ ଦୋଷମୁକ୍ତ ହୋଇ ପାରିଲାନି”, “ରାଜକାପୁରଙ୍କ ଅଭିନୟ ମନୋମୁଗ୍‍ଧକର ହେଲେବି ସ୍ଥାନେ ସ୍ଥାନେ ତ୍ରୁଟି ପରିଲକ୍ଷିତ ହୁଏ”, ‘ଶହୀଦା ଖାନ୍‍ଙ୍କ ଭୂମିକା ଆଶାନୁରୂପ ନୁହେଁ’ ଇତ୍ୟାଦି ବସାଇ ଯାଏ । ଖୁବ୍ ଅସୁବିଧାରେ ପଡ଼ିଗଲେ, “ସମ୍ପୂର୍ଣ୍ଣ ସମାଲୋଚନା ପରବର୍ତ୍ତୀ ସଂଖ୍ୟାରେ, ଆଜି ଏତିକି, ଯାଉଚି, ଆମର ସେ ଡାକିଲେଣି” ଲେଖି ଖତମ୍ କରିଦିଏ । ଗଜିଆ ଉଦ୍ୟୋଗୀ ଚତୁର ବ୍ୟକ୍ତି । ତାକୁ ସିନେମା ବଳେଇ ଯିବ ? ତେବେ, ଏପରି କ୍ଷେତ୍ରରେ ନାଁଆରେ ଗଣ୍ଡଗୋଳ । “ମଝିରେ ମଝିରେ ଅବଶ୍ୟମ୍ଭାବୀ (–ଗଜିଆ)” ତେବେ ଛେନାରୁ ଚୋପା ଛଡ଼ା ପାଠକ, ଓଡ଼ିଶାରେ ଭାଗ୍ୟକ୍ରମେ କମ୍ ।

 

ଏହା ସଙ୍ଗେ ‘ଥେଟର ଓ ନାଚଗୀତ’ ବିଭାଗ ମଧ୍ୟ ମିଶିଛି । ଏଥିରେ ଅଧିକା ସୁବିଧା ରହିଛି, କାରଣ ଥେଟରବାଲାଏ ଆମକୁ ଖୁସିରେ ପାଶ୍ ଦିଅନ୍ତି । ପେଶାଦାର୍ ଥେଟରଗୁଡ଼ିକରେ ଲୋକସଂଖ୍ୟା କମ୍ ଅନେକ ସମୟରେ ମଞ୍ଚ ବାହାରେ ଯେତିକି, ମଞ୍ଚ ଭିତରେ ତାହାଠାରୁ ବେଶି ଖାଲି–ଚଉକି ଅଧିକା ଥିଲେ ଅନେକ ସମୟରେ ଆମେ ସର୍ବୋଚ୍ଚ ଶ୍ରେଣୀରେ ଦର୍ଶକ ହୋଇପାରୁ ଏବଂ ଅଲଗା ବନ୍ଧୁବାନ୍ଧବ ଯେତେଇଚ୍ଛା ସେତେ ଦେଖିବାର ସୁଯୋଗ ପାଆନ୍ତି । ବାକୀ ସୌକିନ୍ ଥେଟରବାଲାଏ, ଆପଣା ରିଭ୍ୟୁ ଆପେ ଲେଖି ପଠେଇଦିଅନ୍ତି, ଜାଗା ଥିଲେ ଛପାଇ ଦିଆହୁଏ । ତେବେ ଥେଟରର ପ୍ରାଧାନ୍ୟ କମ୍ ଯେହେତୁ ଏଥିରେ ମାଇକିନିଆଁ ଛବି ଦେଇ ହୁଏ ନାହିଁ । ପେଶାଦାର୍ ଥେଟରମାନେ ଅବଶ୍ୟ ସୁନ୍ଦରୀ ମାଇକିନିଆଁଙ୍କ ବ୍ଲକ୍ ଆପଣା ବିଜ୍ଞାପନ ସକାଶେ ରଖିଥାନ୍ତି ଯାହାକି “କୁମାରୀ ଆମୁକ ଏକ ବିଶେଷ ଭଙ୍ଗିମାରେ” କରି ଚତୁର ଗଜିଆ ଛପାଇ ଦିଏ । ଅବଶ୍ୟ ଯେଉଁ ନାଟକ କଥା ଲେଖାଯାଉଛି ତାହାସଙ୍ଗେ ଏହି ଛବିର ସମ୍ପର୍କ ଥିବ ଏପରି କିଛି କଥା ନାହିଁ । ଗାଁ-ଗଣ୍ଡା ଥେଟରରେ ତ ଫଟୋର ପ୍ରଶ୍ନ ଉଠୁ ନାହିଁ, ଯେହେତୁ ସେଠି ମାଇକିନା ପ୍ରାୟ ଓହ୍ଲାନ୍ତି ନାହିଁ । ଏଥିରେ ଅନ୍ୟ ଏକ ଅସୁବିଧା ହେଉଛି, ଭୂମିକା । ଏତକ ମଧ୍ୟ ବାଦ୍ ଦେବାକୁ ପଡ଼େ, ଯେହେତୁ “ଦେବବତୀ କନ୍ୟା ଭୂମିକାରେ ଶ୍ରୀମାନ୍ ଧୀରେନ୍ଦ୍ର ପରିଡ଼ାଙ୍କର ଅଭିନୟ ହୃଦୟସ୍ପର୍ଶୀ” ଭଳି ଠିକ୍ ବାକ୍ୟ ବ୍ୟାକରଣଧର୍ମୀ ନୁହନ୍ତି ।

 

ବାକୀ ନାଚଗୀତ ଅବଶ୍ୟ ଭଲ, ଯେହେତୁ ଅନେକ କୁମାରୀ ଏଥିରେ ଥାଆନ୍ତି । ଆଉ ଗୋଟିଏ ସୁବିଧା ହେଲା, ଟିକେ ବାଗେଇ ପଛ ଆଡ଼ୁଆ କରି ଗୋଟିଏ ଫଟୋ, ଯେ କୌଣସି ଜଣକର, ରଖି ଦେଇଥିଲେ ‘କୁମାରୀ ଅମୁକା, ଏକ ବିଶେଷ ମୁଦ୍ରାରେ’ କରି ଛପାଇ ଦେଇହୁଏ ଏବଂ ଏହି ଉପାୟରେ ସେହି ସଂଖ୍ୟା ‘ଆମପତ୍ରିକା’ରେ ଚିତ୍ର ସଂଖ୍ୟା ବଢ଼ାଇ ଦେଇହୁଏ ।

 

ନୃତ୍ୟରତା କୁମାରୀ ସାଧାରଣତଃ ଦୁଇ ପ୍ରକାର । ପ୍ରକାରେ ହେଲେ ଶିଶୁ–ତାରକା ଜାତୀୟ, ଯେଉଁମାନଙ୍କର ବୟସ ଛ’ ବର୍ଷ ଏବଂ ଏମାନେ କୌଣସି କେନ୍ଦ୍ରୀୟ ସ୍ଥାନରେ ହଜାର ହଜାର ଦର୍ଶକଙ୍କୁ ଆଶ୍ଚର୍ଯ୍ୟ କରିଥାନ୍ତି । ବାକୀ କୁମାରୀତକ ୧୭ବର୍ଷର ଏବଂ ଏମାନେ ତତ୍ତୁଲ୍ୟ ସଂଖ୍ୟକ ଦର୍ଶକଙ୍କୁ ‘ମନ୍ତ୍ରମୁଗ୍‍ଧ’ କରିଥାନ୍ତି । ଏହା ଫଳରେ ସମାଲୋଚନା ଲେଖିବାରେ କିଛି ଅସୁବିଧା ରହେନା । ଗଜିଆ କହେ ଯେ ବାଗେଇ ଲେଖି ପାରିଲେ ନୃତ୍ୟ ବିଭାଗର ‘ସମ୍ଭାବନା ରହିଛି’ । ଆଉ ଗଜିଆ ବାଗେଇ ଲେଖେ ଏକା । ଥରକର ନମୁନା ଯଥେଷ୍ଟ :–

 

“କେବେ ସଞ୍ଜ ପ୍ରହରେ ଯାବତୀୟ କଥାବାର୍ତ୍ତା କରୁକରୁ ପହଞ୍ଚି ଯିବେ ଯଦି ବନ୍ଧୁ ଗହଣରେ ପଚିଶନଳା ରାସ୍ତାରେ, ଯେବେ ଆପଣ ପଦୁଟିଏ କହି ସାରିଥିବେ ବନ୍ଧୁ ପଦକୁପଦ ଯୋଡ଼ିବା ଆଗରୁ ଭାବୁଥିବେ ବା ଅନ୍ୟ କୌଣସି ଉପାୟରେ ନୀରବତା ଆସିଗଲା, ଆପଣ ଦେଖିବେ ସେ ନୀରବତା ନୀରବତା ନୁହେଁ । କାହିଁକି ? ତାହା ଭରିରହିଛି ଘୁଂଘୁରର ଛମ୍ ଛମାଛମ୍ ନାଦରେ । ସେ ନାଦ ଆସେ କେଉଁଠୁ ? ବନ୍ଧୁମାନଙ୍କୁ ପଚାରନ୍ତୁ (ସମସ୍ତଙ୍କର ଆଖି ସେଇଠି !) ସେ ନାଦ ଆସେ ଉପରୁ । ଅର୍ଥାତ୍ କୁମାରୀ ଅମୁକାଙ୍କର ଇନ୍ଦ୍ରପୁରୀ ନାମକ ଘରର ବାରଣ୍ଡା, ଉପର ତାଲା ବାରଣ୍ଡାରୁ ବା ଅଳ୍ପକଥାରେ, ତାଙ୍କର ନର୍ତ୍ତନରତ ପଦଯୁଗଳରୁ ।”

 

ଏସବୁ ରଚନା ଏତେ ରସାଳ ଯେ, ପତ୍ରିକାର ବିକ୍ରୟ ଦୃଷ୍ଟିରୁ ଏଗୁଡ଼ିକ ଅତି ମୂଲ୍ୟବାନ୍, କୁମାରୀ ଅମୁକା ଏବଂ ବନ୍ଧୁବାନ୍ଧବଙ୍କର କ୍ରୋଧତପ୍ତ ଚିଠିପତ୍ରର ସମ୍ଭାବନା ସତ୍ତ୍ୱେ, ଯା ହେଉ ଗଜେନ୍ଦ୍ର ଖୁବ୍ ସୁନାମ ଅର୍ଜନ କରିଛି । ଏହି ପ୍ରସଙ୍ଗରେ ଅବଶ୍ୟ ‘ସୁନାମ’ ଶବ୍ଦଟିର ଅର୍ଥ ବୁଝାଇ ଦେବା ଉଚିତ୍ । ସୁନାମଟା ମାପି ହୁଏ ନାହିଁ ସାଧାରଣତଃ । ଆମ ପତ୍ରିକା ଅଫିସ୍‍ରେ କିନ୍ତୁ ଯେ ଯେତେଟା ଝିଅଙ୍କ ଚିଠି ପାଇବ, ସେ ସେତିକି ‘ସୁନାମ’ ଅର୍ଜନ କରିଛି ବୋଲି ବୁଝିବାକୁ ହେବ ।

 

ପୁସ୍ତକ ସମାଲୋଚନା :– ଏହି ବିଭାଗ ତ ଏଇଥିପାଇଁ ଅଛି ଯେ, ଆମ ପତ୍ରିକାର କର୍ମଚାରୀମାନେ ସପରିବାରେ ପଢ଼ିବାକୁ ଭଲ ଭଲ ଡିଟେକ୍‍ଟିଭ୍‍ ବହି ବିନା ପଇସାରେ ପାଇବେ-। ବାକୀ କବିତା/ପ୍ରବନ୍ଧ ସଂକଳନ ବା ତତ୍ତୁଲ୍ୟ ବହିପତ୍ର ଠୁଙ୍ଗାବାଲାକୁ ବିକ୍ରିକରି ବରା ପକୁଡ଼ି ଓ ଚାହାର ଭୋଜୀ ମଧ୍ୟ ଖାଇହେବ । ଏହି ବିଭାଗ କିଏ ଲେଖେ କେଜାଣି, ଏବଂ ତାହା ଆଦୌ ବଡ଼ କଥା ନୁହେଁ । ଲେଖାଲେଖି ସମ୍ଭବ ନହେଲେ କେବଳ ‘ପ୍ରାପ୍ତିସ୍ଵୀକାର’ କରି ଦିଆହୁଏ । ସମାଲୋଚନା ବିଭାଗ ଲୋକପ୍ରିୟ ହୋଇ ପାରୁନାହିଁ, ଏହି କାରଣରୁ ଏହିସବୁ ପୃଷ୍ଠାରେ ମାଇକିନା ଚିତ୍ରଥିବା ବିଜ୍ଞାପନମାନ ରଖାଯିବାର ବ୍ୟବସ୍ଥା ହୋଇଥିଲା ତେବେ ବିଜ୍ଞାପନ ଦାତାମାନେ ଆପତ୍ତି କଲେ । ଏବେ ଖାଲି ବହିପତ୍ରିଆ ବିଜ୍ଞାପନ ଏସବୁ ପୃଷ୍ଠାରେ ରହୁଛି । ଏଠାରେ ଏକ ମଡ଼େଲ୍ ସମାଲୋଚନା ଦିଆ ଯାଉଛି–

 

‘‘ଆସ ଆସ ରସିକ ନାଗର ଲେ ଶ୍ରୀ ବେଦାନ୍ତ ବେଉରିଆ, ତତ୍ତ୍ଵଦର୍ଶୀ ପ୍ରକାଶନ, ବୈଷ୍ଣବ ପ୍ରେସ, କଟକ, ପଚିଶ ନୁ. ପ. ଦଶପୃଷ୍ଠା, କବିତା ଓ ଗଳ୍ପ । ଶ୍ରୀ ବେଉରିଆଙ୍କର ଭବିଷ୍ୟତ ଉଜ୍ଜ୍ଵଳ । ଏହି ପୁସ୍ତକଟିରେ ଅନ୍ତର୍ଦୃଷ୍ଟି ଭରପୂର । ତେବେ ଶୈଳୀ ଆଉ ଟିକିଏ ବାଗେଇବ । ସୁନ୍ଦର ବନ୍ଧେଇ ପ୍ରଚ୍ଛଦପଟ ମନୋହର । ପିଲାମାନଙ୍କ ପକ୍ଷରେ ଶିକ୍ଷଣୀୟ ପଠନ । ଭାଷା ମୌଳିକ ।”

 

କେବଳ ବହି, ପ୍ରକାଶକ ଓ ଦାମ ବଦଳେଇ ଦେଲେ ଅନ୍ୟ ଯେ କୌଣସି ବହିର ସମାଲୋଚନା ଏହିପରି ।

 

ଏହିପରି ସମାଲୋଚନା ଉପରେ ଏକ ଖୋଲା ଅଲେଖା ବହିର ଚିତ୍ର ଏଇ ଖଣ୍ଡିଏ କତୁରୀ ଅଙ୍କା ହୋଇଥାଏ । ବହି ଉପରେ ଛାଇ–ଛାଇଆ କରି ଲେଖା ହୋଇଥାଏ ‘ପୁସ୍ତକ ସମାଲୋଚନା’ । କତୁରୀ ଏଇଥିପାଇଁ ଯେ, ସମାଲୋଚନାର ଅର୍ଥ ‘ଟିକିନିଖି କରି ଦେଖିବା’ (–ଗନ୍ଧମାର୍ଦ୍ଦନ ପ୍ରସାଦ) । ଆଗେ କାଟିଲେ ତେବେଯାଇ ଟିକି ନିଖି ଦେଖା ହୋଇପାରେ ।

 

ବିଜ୍ଞାନ ବାର୍ତ୍ତା :– ରୁଷିଆ ବା ଆମେରିକା ଭଳି ସଭ୍ୟ ଦେଶମାନଙ୍କର ପ୍ରଚାର ସଂସ୍ଥାମାନ ଚିତ୍ରର ଜଉ/ ପଟାମାର୍କା ପ୍ଲାଷ୍ଟିକ ବ୍ଲକ୍ ସହ ଆବିଷ୍କାର କାହାଣୀମାନ ଆମ ପତ୍ରିକାକୁ ପଠାଇଥାନ୍ତି । ରଙ୍ଗ କାଗଜ ହିସାବରେ ବ୍ୟବହାର ଓ ବିକ୍ରୟ ବ୍ୟତୀତ, ମଝିରେ ମଝିରେ ଏସବୁ ଛପାଇ ଦିଆହୁଏ ଏହି ଦୃଷ୍ଟିରୁ ଯେ ଏସବୁ ଆସୁଥିବେ । ଏହି ସବୁ ସଂସ୍ଥା ଆପଣା ଆପଣା ଓଡ଼ିଆ ବିଭାଗ ଜରିଆରେ ଆଗରୁ ଅନୁବାଦ କରି ଲିଥୋ କରି ଦେଇଥାନ୍ତି । ଫଳରେ ଲେଖା ଅଭାବ ହେଲେଇ ଜାଗା ଭରି ଦେବା ସୁବିଧା ହୁଏ । ତେବେ ସେଥିରେ ଅସୁବିଧା ଯେ ନାହିଁ, ଏପରି ନୁହେଁ ଯଥା ସବୁବେଳେ ଦରକାର ମୁତାବକ ଆବିଷ୍କାର କାହାଣୀ ନ ମିଳି ବି ପାରେ । ସେପରି ସ୍ଥଳେ, ପଣ୍ଡିତ ଗନ୍ଧମାର୍ଦ୍ଦନ ପ୍ରସାଦଙ୍କର ଉର୍ବରା କଳ୍ପନା-ଶକ୍ତି ଉପରେ ବିଜ୍ଞାନବାର୍ତ୍ତା ବିଭାଗ ନିର୍ଭର କରେ-। ସେ ‘ଶୁଣିବାକୁ ମିଳେ’ କହି ସବୁ ଚଳାଇ ଦିଏ । ଗତ ସଂଖ୍ୟାରେ, ଉଦାହରଣ ସ୍ୱରୂପ :

 

“ଶୁଣିବାକୁ ମିଳେ ବୋତାମ ଚିପିଲେ ଘର ତିଆରି କରି ହେଉଅଛି । ଆମେରିକାର ବୈଜ୍ଞାନିକ ଗବେଷଣାକୁ ଧନ୍ୟ କହିବା । ଜଣେ ମାର୍କିନ୍ ଅଧ୍ୟାପକ ଏକ ପ୍ରକାର ଉତ୍ତର ଦେଇ କହିଲେ, ଏ ସମ୍ବନ୍ଧରେ ବ୍ୟାପକ ଗବେଷଣା ସକାଶେ ଖୁବ୍ ଶୀଘ୍ର ଗବେଷଣାଗାରମାନ ତିଆରି ହେବ ବୋଲି କଳ୍ପନା ଜଳ୍ପନା ଚାଲିଛି ।”

 

ଜଣେ ଅଧ୍ୟାପକ ଚିଠି ଲେଖିଥିଲେ ଯେ, ଏପରି କୌଣସି ଯୋଜନା କଥା ସେ ଜାଣନ୍ତି ନାହିଁ, ଏ ସମ୍ବାଦର ମୂଳ ସୂତ୍ର କ’ଣ ଇତ୍ୟାଦି । ଆମେରିକା ପ୍ରଚାର ସଂସ୍ଥାର ଓଡ଼ିଆ ବିଭାଗ ତରଫରୁ ମଧ୍ୟ ଏହି ମର୍ମରେ ଚିଠି ଆସିଥିଲା । ଆମେ ସମସ୍ତେ ଖୁବ୍ ଦମେ ହସିଲୁ ଆଗେ । ଅଧ୍ୟାପକ ମହାଶୟଙ୍କୁ କୌଣସି ଉତ୍ତର ଦିଆଗଲା ନାହିଁ । ଆମେରିକା ପ୍ରଚାର ସଂସ୍ଥାକୁ ଜଣାଇ ଦିଆଗଲା ଯେ ‘ଶୁଣିବାକୁ ମିଳେ’ ଏକ ପ୍ରକାର ବ୍ୟଙ୍ଗରଚନା ଏବଂ ଏହା ତଳେ ପ୍ରକାଶିତ ସମସ୍ତ ସମ୍ବାଦ ଭିତ୍ତିହୀନ, ଯାହା ସମଝଦାର ମାତ୍ରେ ଜାଣନ୍ତି ।

 

ଆମ ପତ୍ରିକାର ସମୃଦ୍ଧି ନିଶ୍ଚିତ । ଆମେ ଜନତାର ସହଯୋଗ ପାଇଛୁ, ପାଉଛୁ ଏବଂ ପାଇବୁ । ଏହାର କାରଣ, ମାସର ପହିଲାରେ, ଯେତେବେଳେ ଗରାଖ ପକେଟ୍ ଗରମ ଥାଏ, କେବଳ ଆମ ପତ୍ରିକା ହିଁ ବଜାରରେ ହସୁଥାଏ । ଗ୍ରାମେ ଗ୍ରାମେ, ନଗରେ ନଗରେ, ଦ୍ଵାରେ ଦ୍ଵାରେ ପହଞ୍ଚି ପାରିବାର ବଳିଷ୍ଠ ସଂସ୍ଥାନ ଏକା ଆମ ପତ୍ରିକା । ଉଜ୍ଜ୍ଵଳ ପ୍ରାନ୍ତର କବି, ଲେଖକ, ପଣ୍ଡିତ, ଭାବୁକ ଏବଂ କଳାକାର, ତଥା ‘ପୃଷ୍ଠପୋଷକ’, ‘ଉପଦେଷ୍ଟା’, ଆଦି ଉଚ୍ଚ ଶ୍ରେଣୀର ବୁଦ୍ଧିଜୀବିଗଣ, ଏକ ଦୃଷ୍ଟିରୁ ଆମର ସୃଷ୍ଟି । ଅତଏବ ଓଡ଼ିଶା ରାଜ୍ୟର ସଂସ୍କୃତି ପୂରାପୂରି ଆମରିଦ୍ଵାରା ‘ପ୍ରତନିଧିତ୍ଵ’ (–ପ. ଗନ୍ଧମାର୍ଦ୍ଦନ ପ୍ରସାଦ) । ଖୁବ୍ ଅଳ୍ପଦିନ ଭିତରେ ‘ଆମେ ଭାରତ ଆକ୍ରମଣ କରି ଜାତୀୟ ସ୍ତରରେ ଆମ ପତ୍ରିକାର ସମ୍ବାଦ ପ୍ରଚାର କରିବୁ । “ସେ ଦିନ ଆସିବ (–ଗଜେନ୍ଦ୍ର–) ଓଃ, ସେଦିନ ଆଯ ଡେରି ନାହିଁ... ପୃଥିବୀର କୋଣେ କୋଣେ…ଆମ ପତ୍ରିକା…ହସିବ ।” ଆମେ ସେହି ଆଶାରେ ବଞ୍ଚିଥିବୁ ଓ ବଞ୍ଚିବୁ (ମୁଁ, ନିଜ ପ୍ରତିନିଧି ରବିବାସରୀୟ ପ୍ରକୃତ ସଭା, ଆମ ପତ୍ରିକା କାର୍ଯ୍ୟାଳୟ ।)

Image

 

ଅଭିନବ ପାକ୍ ପ୍ରକରଣ

 

ପ୍ରାୟ ସବୁ ପତ୍ର ପତ୍ରିକା ଏବଂ ଖବର କାଗଜମାନଙ୍କରେ ଆପଣ ଗୋଟିଏ ଗୋଟିଏ ‘ମହିଳା ମହଲ’ ବା ତତ୍‍ସମ ବିଭାଗ ଦେଖୁଥିବେ । ଯାହା ଜଣାଯାଉଛି, ନାରୀମାନଙ୍କୁ ବିଭିନ୍ନ ରୋଷେଇ, ବୁଣାବୁଣି ଏବଂ ଶିଶୁପାଳନ ବିଷୟରେ କିଛି କହିବା ଏହି ବିଭାଗର ଉଦ୍ଦେଶ୍ୟ । ମଝିରେ ମଝିରେ ଅବଶ୍ୟ ବିବାହ, ପ୍ରେମ, ଶିଶୁପାଳନ ଏବଂ ସତୀତ୍ଵ ନେଇ କିଛି ପ୍ରବନ୍ଧ ଏବଂ ପ୍ରାୟ ସମାନ ବିଷୟ ନେଇ କିଞ୍ଚିତ ଗଳ୍ପ, କବିତା ମଧ୍ୟ ଏ ସବୁ ବିଭାଗରେ ରହିଥାଏ । ଏମାନଙ୍କୁ ପାଠ କରି ଠିକ୍ କେତେ ଜଣ ତତ୍ ପୂର୍ବରୁ–ସମ୍ପୂର୍ଣ୍ଣ ଅସଭ୍ୟା–ନାରୀ ସଭ୍ୟା–ଶ୍ରେଣୀ–ଭୁକ୍ତା ହୋଇଛନ୍ତି, ତାହାର ପରିସଂଖ୍ୟାନ ଉପସ୍ଥିତ ଲେଖକର ନଜରକୁ ଆସିନାହିଁ, ତଥାପି ଠିକ୍ ଏହି ଧରଣର ଶପଥ ନେଇ କେତେକ ନାରୀ ପତ୍ରିକା ମଧ୍ୟ ବଜାରରେ ପଡ଼ିଥିବାର ଦେଖାଯାଉଅଛି ।

 

ଏସବୁ ପାଠକଲେ ଜଣାଯାଏ ଯେ, ନାରୀମାନେ କେବଳ କେତେକ ନିର୍ଦ୍ଦିଷ୍ଟ ବିଷୟ ବ୍ୟତୀତ ଚିନ୍ତା କରିବାକୁ ଅସମର୍ଥ, ବା ସେମାନଙ୍କର ସାମର୍ଥ୍ୟକୁ କୌଣସି ଭଦ୍ର ସମ୍ପାଦକ ସ୍ଵୀକାର କରିବାକୁ ରାଜି ନୁହନ୍ତି । ତଥାପି ଏମାନେ ପତ୍ର ପତ୍ରିକାରେ ଏତେଗୁଡ଼ିଏ ପୃଷ୍ଠା ବର୍‍ବାଦ୍ କରିବାର କାରଣ ରହୁଛି । ତାହା ହେଉଛି, ଆମ ଦେଶରେ ନାରୀମାନେହିଁ ସବୁ ପତ୍ରିକାର ସମଝଦାର ଗ୍ରାହକ-। ଏମାନେ କେବଳ ପଢ଼ନ୍ତି ନାହିଁ, ଆବଶ୍ୟକ ସ୍ଥଳେ ପତ୍ରିକାର ପ୍ରକୃତ ଉପଯୋଗ ମଧ୍ୟ କରନ୍ତି; ଯଥା: ଚୁଲୀ ଜଳେଇବା, ଠୁଙ୍ଗାବାଲାକୁ ବିକ୍ରୀ କରିବା ଇତ୍ୟାଦି । ଏହିସବୁ ଉପଯୋଗିତା ମାଲୁମ୍ ଥିବାରୁ ସେମାନେ ପତ୍ରିକା କିଣନ୍ତି । ଅତଏବ ପତ୍ରିକାର ଚାହିଦା ଏବଂ ବଜାର ଭାଉ ବଢ଼ାଇବାର ଉପାୟ ହେଲା ତାହାର ପୃଷ୍ଠାଏ ପୃଷ୍ଠାଏ ନାରୀର ଉପଭୋଗ୍ୟ ବା ଯୋଗ୍ୟ ବିଷୟବସ୍ତୁ ଭରିଦେବା-। ଏଣେ ଅନ୍ୟାନ୍ୟ ଗଳ୍ପ କବିତା ମଧ୍ୟ ସେହି ସ୍ତରକୁ ଖସାଇ ଆଣିବାକୁ ହେବ ଯେଉଁଥିରେ କି ନାରୀ ପକ୍ଷରେ ବୁଝିବା ସହଜ ସାଧ୍ୟ ହେବ ।

ନାରୀର ଦୈନନ୍ଦିନ ଜୀବନଯାତ୍ରାରେ ସବୁଠୁଁ ବଡ଼ କଥା ହେଲା ରନ୍ଧନ । ପ୍ରାୟ ପ୍ରତ୍ୟେକ ଗୃହିଣୀ ଜାଣନ୍ତି ଯେ, ନୂଆ ନୂଆ ଜିନିଷ ରାନ୍ଧି ବାଢ଼ି ଥୋଇ, ଭରାପେଟ ଠୁଙ୍କେଇ ଦେଇପାରିଲେ ସଂସାରରେ ଅଧିକାଂଶ ଅସାଧ୍ୟ କାମ ହାସଲ ହୋଇ ପାରିବ ଏବଂ ଏହି ଉପାୟରେ, ଯେ କୌଣସି ପୁରୁଷକୁ ଜବତ୍ ଉପରକୁ ଆଣିହେବ । ତେଣୁ ଅଧିକାଂଶ ‘ମହିଳା ବିଭାଗ’ରେ ରନ୍ଧନ ପ୍ରଣଳୀ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇ ରହି ଆସିଅଛି ।

ଏଥିରେ କିନ୍ତୁ ବଡ଼ ଗୋଟାଏ ଅସୁବିଧା ରହିଛି । ଖାଇବା ଜିନିଷର ସଂଖ୍ୟା ଏବଂ ତାହାଠୁଁ ବେଶି, ରାନ୍ଧିବା ଜିନିଷର ସଂଖ୍ୟା ଆମ ଦେଶରେ ସୀମିତ ଏବଂ ଯେତେ ଜୋର୍‍ରେ ସେମାନେ ପ୍ରକାଶିତ ହେଉଛନ୍ତି ନିକଟ ଭବିଷ୍ୟତରେ ସବୁତକ ସରିଯିବେ ବୋଲି ଯେ କୌଣସି ଦୂରଦୃଷ୍ଟିସମ୍ପନ୍ନ ଚିନ୍ତାଶୀଳ ବ୍ୟକ୍ତି ବୁଝି ପାରିବ । ସରିଗଲେଇ ବିପଦଟା ପତ୍ରପତ୍ରିକା, ସାହିତ୍ୟ ଏବଂ ଖୁବ୍ ସମ୍ଭବ ଲେଖକମାନଙ୍କ ଉପରକୁ ଆସିଯିବ । ଆଜିଠାରୁ ସମାଧାନର ବିହିତ ବ୍ୟବସ୍ଥା କରିବାକୁ ହେବ । ଆଜି ସୁଦ୍ଧା ଭାତ, ରୁଟି, ପୁରି, ଡାଲି ଆଦି କେତେକ ଜିନିଷର ରନ୍ଧନବିଧି କୁତ୍ରାପି ଦେଖିବାକୁ ମିଳେନା । ଏହିପରି ଅନେକ ଖାଦ୍ୟ ଯାହା ଦିନେ ସାଧାରଣ ନଥିଲା, ଆଜି ସାଧାରଣ ହୋଇଯାଉଛି ।

ଏ ଅବସ୍ଥାର ସମାଧାନ ହେବ କେବଳ ନୂତନ ନୂତନ ଖାଦ୍ୟପଦାର୍ଥର ପରିକଳ୍ପନା ଦ୍ଵାରା । ଏ ନେଇ ପତ୍ରପତ୍ରିକାର ସମ୍ପାଦକ, ପରିଚାଳକ ଏବଂ ପୃଷ୍ଠପୋଷକମାନେ ନିଜ ନିଜର ଗୃହିଣୀମାନଙ୍କ ସହଯୋଗିତାରେ ପରୀକ୍ଷା-ନିରୀକ୍ଷା ଏବଂ ସମ୍ୟକ୍‍ ଗବେଷଣା କହିବା ଯୁକ୍ତିଯୁକ୍ତ ହେବ । ଦେଖିବାକୁ ମିଳେ, କେତେକ ବୁଦ୍ଧିମାନ ସମ୍ପାଦକ ଆଜି ସୁଦ୍ଧା କିପରି କେତେକ ସାଧାରଣ ଖାଦ୍ୟକୁ ହିଁ ‘ଶ୍ୟାମମନୋହାରୀ’, ’ଗୁଜୁରାଟି ଖାରାବୁଦ୍ଧି’ ଆଦି ଅସାଧାରଣ ନାମ ଦେଇ ‘ବଡ଼ କପିଳ’ ହରଫରେ ଛାପି ସମସ୍ୟାର କାମଚଳା ସାମାଧାନ ବର୍ତ୍ତମାନ ପାଇଁ ଅଟକଳ କରୁଛନ୍ତି । କିନ୍ତୁ ଏ ଚାଲାକି ଖୁବ୍ ଶୀଘ୍ର ମହିଳାମାନଙ୍କର ବିଷଦୃଷ୍ଟି ଆକର୍ଷଣ କରିବାର ଭୟ ରହିଅଛି । ସମ୍ପୂର୍ଣ୍ଣ ନୂତନତ୍ଵ ହିଁ ଦେଶର ଚାହିଦା ଏ କ୍ଷେତ୍ରରେ ଏ ପ୍ରକାର ଧର୍ମଧ୍ଵଜୀତ୍ଵ ସର୍ବାଦୌ ବର୍ଜନୀୟ ।

ରୋଷେଇ ଘର ହେଲା ସୃଷ୍ଟିର ସର୍ବପ୍ରଥମ ରାସାୟନିକ ଗବେଷଣାଗାର । ଅନେକଦିନ କଞ୍ଚା ଫଳମୂଳ, ମାଂସାଦି ଭକ୍ଷଣ କଲାପରେ ଦିନେ ଆଦମ୍ କହିଥିବ ଇଭ୍‍କୁ–’ହଇଗୋ !’ ଇଭ୍ କହିଥିବ, ‘କଅଣ ?’ “ୟେ, ମୁଁ କଣ କହୁଥିଲିକି, ଆଜି କାହିଁକି ସବୁ ପାଣିଚିଆ ଲାଗିଲା !” ଇଭ୍ ମୁଣ୍ଡରୁ ଉକୁଣିଟିଏ ପାଟିରେ ପକାଇ କହିଥିବ ଆଦମ୍ । ‘ମଲା, ମୁଁ କଣକରିବି ମ !’ –ମୁହଁ ଫୁଲେଇ କହିଥିବ ଇଭ୍–“ଯାହା ଆଣିଥିଲ ବାଢ଼ି ଥୋଇଦେଲି ।” “ଓଃ ହୋ, ତମେ ରାଗୁଚ କାହିଁକି” –କହିଥିବ ଆଦମ୍, ବୁଝେଇ ସୁଝେଇ, ‘କିଛି ଗୋଟେ କରିବାନା, ଆଉ ତମେ ଏମିତି ହେଲେ ଚଳିବ ? ଆମେ ଯାହା କରିବା, ସେଇକଥା ଫେର୍ ଭବିଷ୍ୟତରେ ସମସ୍ତେ କରିବେ ତ–ସେତେବେଳେ–ହୁଏତ ଆଉ କିଛି ବି ପାଣିଚିଆ ଲାଗିବନି...” କହି ସେ ଆବିଷ୍କାର କରିଥିବ ଯେ ଇଭ୍ ଶୋଇ ପଡ଼ିଲାଣି । … ତହିଁ ଆରଦିନ ଯେତେବେଳେ ଆଦମ୍ ଯାଇଥିବ ଶିକାର କରି, ଗୁମ୍ଫା କାମ ସବୁ ପକେଇରଖି ଦୁଆର ମୁହଁରେ ମୁଣ୍ଡରେ ହାତଦେଇ ଭାବି ଲାଗିଥିବ ଇଭ୍ –ସତେ, କଅଣ କରିବିଟି ! ସ୍ୟାଡ଼ୁ ହାଲିଆ ହେଇ ଫେରିବେ, ଦିଟା ଭଲକରି ଖାଇ ପାରୁ ନାହାଁନ୍ତି । ମତେ ମରଣ ହଉନି ! କଣ କରିବି, କଣ କରିବି, ଭାବୁ ଭାବୁ ସନ୍ଧ୍ୟା ହୋଇ ଆସିଥିବ । ଗୁମ୍ଫାଟା ଯାକର କାମ ପଡ଼ିଚି । ସେ ବ୍ୟସ୍ତ ହୋଇ ଚାହିଁଥିବ ଦୂରରେ ଗଛ ଉପରେ ଟଙ୍ଗା ହୋଇଥିବା କାଲିର ହରିଣ ଫଡ଼ିଆଟା ଆଡ଼କୁ – ମଲାଯା ! –ବଣରେ ତ ନିଆଁ ଲାଗିଗଲାଣି–ମୁଁ କଣ କରିବିଟି ଇତ୍ୟାଦି କହି କହି, ଜୀବନ ବିକଳରେ ଧାଇଁଯାଇ ପ୍ରଣମୂର୍ଚ୍ଛା ହରିଣ ଫଡ଼ିଆଟା ଉଦ୍ଧାର କରିଥିବ ନିଆଁ ଭିତରୁ । ତାକୁ ଆଣି ଧୋଇ ଧାଇ ଠିକ୍ କଞ୍ଚାମାଂସ ପରି କରି ଆଦମକୁ ସେଦିନ ଖାଇବାକୁ ଦେଇଥିବ । ଥରେ ଖାଇଦେଇ ଆଦମ୍ ଇଭ୍ ଆଡ଼କୁ ଚାହିଁଥିବ ‘ଇୟାଃ’ ! –ସେ କହିଥିବ–’ ବାଃ !’ –ସେ କହିଥିବ – ଆଉ ଅଛି ? ସେ କହିଥିବ । ଏହା ଫଳରେ, ତା ପରଠୁଁ ନିୟମିତ ପୋଡ଼ା ଖାଇଥିବ କିଛିକାଳ । ଧୀରେ ଧୀରେ ରୋଷେଇର ଅନ୍ୟାନ୍ୟ ଉପକରଣ ଆବିଷ୍କୃତ ହୋଇଥିବ । ନିଜର ସୁଖ ସୁବିଧା ସକାଶେ ମନୁଷ୍ୟ ଏହି ଗବେଷଣାଗାରରେ ବିଭିନ୍ନ ପଦାର୍ଥକୁ ଏକା ବା ସଂଯୁକ୍ତ ଭାବରେ ବିଭିନ୍ନ ପକ୍ରିୟାରେ ଗରମ ଓ ନରମ କରି ଆସୁଅଛି ତା ପରଠାରୁ ।

ଗୋଟିଏ ଆଧୁନିକ ରୋଷେଇଘରର ଉପକରଣ ହେଲା, କରଚୁଲୀ, ଡାଲିଚଟୁ, କରେଇ, ତାଉଆ, ହଣ୍ଡା, ହାଣ୍ଡି, ପରଷୁଣୀ, ଚଟୁ, ଥାଳି, ଥାଳିଆ, ଗିନା, ଗିଲାସ ଆଦି ବିଭିନ୍ନ ଧାତବ ଏବଂ ମୃଣୟୀ ବାସନକୁସନ, ଗୋଟିଏ ଚୂଲୀ ଅନ୍ତତଃ ପକ୍ଷେ, ଜାଳେଣି ଓ ନିଆଁ ସମେତ ଏବଂ ଜଣେ ନାରୀ ବା ପୁଝାରୀ, ଆବଶ୍ୟକ ପରିମାଣରେ ଝାଳ ଏବଂ ସିଂଘାଣି ସହ । ଏଠିକାର ପକ୍ରିୟା ଏପରି ସର୍ବବ୍ୟାପୀ ଯେ, ଏଠାକୁ ଯାହା କିଛି ଯାଏ, ସମ୍ପୂର୍ଣ୍ଣ ଭିନ୍ନ ରୂପରେ ଫେରିଆସେ । ଏହି ପରିବର୍ତ୍ତିତ ରୂପ ସ୍ଥାନ ଭେଦରେ ସୁନ୍ଦର ବା ଅସୁନ୍ଦର ହୋଇପାରେ ଅଧିକାଂଶ ସ୍ଥଳରେ କିନ୍ତୁ ପରିବର୍ତ୍ତନର ପରିମାଣ ଦୃଶ୍ୟ ଅପେକ୍ଷା ସ୍ଵାଦରେ ଅଧିକତର । ଫୁଲ ଦୋକାନୀର ଯେପରି ‘ସଅବୁ ଦିନେ ବସନ୍ତ’ (ଜୀବନାନନ୍ଦ ପାଣି) ରନ୍ଧନ ଶୀଳା ଭିତରେ ସେହିପରି ‘ସଅବୁ ଦିନେ ଗ୍ରୀଷ୍ମ’ କହିଲେ ଅତ୍ୟୁକ୍ତି ହେବନାହିଁ ।

ସେ ଯାହାହେଉ ରନ୍ଧନର ନୂତନ ପରିକଳ୍ପନାରେ ବୋଲିବା ବାହୁଲ୍ୟ, ଦୁଇଟି ଦିଗ ରହିଛି । ଗୋଟିଏ ହେଉଛି ରାନ୍ଧିବା ପଦାର୍ଥମାନଙ୍କର ପରିବର୍ତ୍ତନ । ଅନ୍ୟଟି, ଜିନିଷମାନଙ୍କୁ ଅପରିବର୍ତ୍ତିତ ରଖି କେବଳ ରନ୍ଧନ ପ୍ରଣାଳୀର ପରିବର୍ତ୍ତନ । ଅର୍ଥାତ୍‍ ଯାହାସବୁ ଏଯାବତ୍ ରନ୍ଧା ଯାଉଅଛି ସେମାନଙ୍କ ପରିବର୍ତ୍ତେ ଯାହା ରନ୍ଧା ଯାଏ ନାହିଁ ସେମାନଙ୍କୁ ନେଇ କିୟତ୍ ଗବେଷଣା କରାଯାଇ ପାରନ୍ତା । ତେବେ ଏସବୁ ପଦାର୍ଥ, ଯଥା ଛାଞ୍ଚୁଣି, ପାନ, ଢାଳ, ଯୋତା, ନାଲିନେଳି ପେନ୍‍ସିଲ୍, ମନ୍ତ୍ରୀ, କଟକଚଣ୍ଡୀଙ୍କ ପାଦୁକା ଇତ୍ୟାଦି ରନ୍ଧନର ଉପଯୋଗୀ କି ନା ଏବଂ ଯଦି ଉପଯୋଗୀ କେତେଦୂର ଉପଯୋଗୀ ଏବଂ କିପରି, ସେକଥା କେବଳ ଭବିଷ୍ୟତ ଗବେଷଣା ସ୍ଥିର କରିବ । ଏଠାରେ କେବଳ ଶେଷାକ୍ତ ପନ୍ଥା, ବା ଯାହାସବୁ ରନ୍ଧାହୁଏ ସେମାନଙ୍କୁ ଏପାଖ ସେପାଖ କରି ନୂତନ ପରିକଳ୍ପନାର ଆଭାସ ଦିଆହବ । ଯଦି କେତେକ ସମ୍ପାଦକ ଏଥରୁ କିଛି କର୍ମପ୍ରେରଣା ପାଆନ୍ତି, ଏବଂ ଏହି ଅବସରରେ କହି ଦିଆଯାଉ, ଯଦି କିଛି ନାରୀ ଏଥିରୁ କିଛି ଲାଭ ପାଆନ୍ତି, ତେବେ ଶ୍ରମ ସାର୍ଥକ ହେବ ।

ତଳେ କେତେକ ନୂତନ ଖାଦ୍ୟର ନମୁନା ଏବଂ ତହିଁର ସମ୍ଭାବ୍ୟ ପାକ୍‍ପ୍ରଣାଳୀ ପ୍ରଦତ୍ତ ହେଲା । ଉପସ୍ଥିତ ଲେଖକର ରନ୍ଧନ ସମ୍ବନ୍ଧରେ ସମ୍ୟକ୍ ଜ୍ଞାନ ନାହିଁ ଏବଂ ଯାହାକିଛି ତାକୁ ଜଣା, ସେ କେବଳ ପତ୍ରପତ୍ରିକାର ମହିଳାବିଭାଗମାନଙ୍କରୁ ସଂଗୃହୀତ । ଏକଥା ସ୍ମରଣ ରଖି ନିମ୍ନୋକ୍ତ ଯୋଜନାମାନ ବିଚାର୍ଯ୍ୟ ।

ମାଛ ମୁଣ୍ଡର ମୁଆଁ : ଉପକରଣ–ଦୁଇ–କ୍ଵିଣ୍ଟାଲ୍‍–ବରଫ–ଦିଆ ମାଛ, କିଛି ସୋରିଷତେଲ, ରୁଚି ଅନୁସାରେ ଗୁଡ଼, ନଡ଼ିଆ, ଗୁଜୁରାତି, ଅଳେଇଚ, ରାବିଡ଼ି, କାଗଜିଲେମ୍ବୁ, ଗୋଲମରିଚ, ଶିଳ, ପନିକୀ, ଚୁଲି ଇତ୍ୟାଦି ।

ବିଧି–ପ୍ରଥମେ ମାଛକୁ ଧୋଇ, କାତି ଛଡ଼େଇ ଦେବ ଏବଂ ପରେ ପନିକୀ ଧରି ସେ ମାଛକୁ କାଟିବ ଏବଂ ଥଣ୍ଡା ନିଆଁରେ ଘଡ଼ ଘଡ଼ ହେବା ପର୍ଯ୍ୟନ୍ତ ବସେଇବ । ସେ ଟିକେ ଲାଲ୍ ହୋଇ ଆସିଲେ ଓହ୍ଲେଇଦେବ ଏବଂ କଣ୍ଟାତକ କାଢ଼ିଦେଇ ଚକଟି ପରିଷ୍କାର କରି ଧୋଇବା ସଙ୍ଗେ ସଙ୍ଗେ ଘୋଡ଼େଇ ରଖିଦେବ । ଏହାପରେ ଗୁଡ଼କୁ ପାଗକରି ସେଥିରେ ମସଲା ପକେଇବ ଏବଂ ଅଳ୍ପ ଲୁଣ ଦେବ । ଏଥିରେ ସେହି ଚକଟା ମାଛକୁ ଆସ୍ତେ ଆସ୍ତେ ପକେଇ ଘାଣ୍ଟି ବା ସେ ଟିକେ ଦାନା ବାନ୍ଧି ଆସିଲେ ତାହାକୁ ମାଛମୁଣ୍ଡ ଆକାରରେ ଗଢ଼ି ନିଅ । ଏହାପରେ ଗୋଟିଏ କରେଇରେ ରାବିଡ଼ି ରଖି ତାହାକୁ ଛାଡ଼ିଦେବ । ବାଢ଼ିଲାବେଳେ ଗୋଲମରିଚ ଗୁଣ୍ଡ ଓ କାଗଜିଲେମ୍ବୁ ତା ଉପରେ ଦେବ । ଏହା ଗରମ ଗରମ ଖାଇବାକୁ ବେଶ ସୁସ୍ଵାଦୁ ।

ଭେଣ୍ଡି ବର୍ଫି : ଆଜିକାଲି ପାଉଡ଼ର ଦୁଧର ଛେନା ବଜାରରେ ମିଳୁଥିବାରୁ ତାର ଚିକଣା ଅଂଶ ନାହିଁ, ଏଣୁ ବର୍ଫି ସୁଆଦ ଲାଗୁନାହିଁ । ଯଦି କିଛି ଭେଣ୍ଡିର ନାଳ ଛେନାରେ ମିଶାଇ ଦିଆଯାଏ, ତେବେ ବର୍ଫି ଭଲ ଲାଗିବ । ଏହା ରାତିରେ ଖାଇବାକୁ ଦେଲେ କେହି କିଛି ଜାଣି ପାରିବେ ନାହିଁ ।

 

ରାଜକୁମାରୀ କୂଳଦୀପ୍ ଧୂପ ବା ବାଦାମର ଭଟୁରା : ଏହାର ତିଆରି ଠିକ୍ ଚଣା ଭଟୁରା ପରି ତେବେ ଚଣା ପରିବର୍ତ୍ତେ ଚିନାବାଦାମ ଓ କାବୁଲି ବାଦାମ ବ୍ୟବହାର କରିବ ।

 

ନବାବ୍ ଭୋଗ୍ ବା କୁନ୍ଦୁରୁର ରସଗୋଲା : ଏକ କ୍ଵିଣ୍ଟାଲ୍ କରବା କୁନ୍ଦୂରୁ (ବୁଦ୍ଧି ନାଶିନୀ), ଅଧ କ୍ଵିଣ୍ଟାଲ୍, ଛେନା ଛଟାଙ୍କିଏ କାନ୍ତର ଦୁଧ କିମ୍ବା ଦହି ହେଲେ ଆହୁରି ଭଲ । କୁନ୍ଦୁରୁକୁ ଦୁଇଦିନ ପାଣିରେ ବତୁରାଇ, ସେ ନରମ ହୋଇଗଲେ ତାହାକୁ ବାରମ୍ବାର ଧୋଇ ସିଝେଇବ । ତା’ପରେ ସେହି ସିଝାକୁ ଚକିରେ ପେଶି, ତହିଁରେ ଛେନା ମିଶାଇ ରୁଚି ଅନୁସାରେ କିସ୍‍ମିସ୍ ଆଉ ଅନ୍ୟାନ୍ୟ ମସଲା ଦେଇ, ଗୋଲ୍ ଗୋଲ୍ କରି ବଳି, ସିରାରେ ପକାଇ ଚୂଲୀରେ ଯୋଗାଡ଼ି ଦେବ । ଏହି ରସଗୋଲା ସ୍କୁଲ୍‍ରୁ ଫେରି ଭୋକିଲା ପେଟରେ ପିଲାମାନେ ଖାଇବାକୁ ଭଲ ପାଆନ୍ତି ।

 

ନ୍ୟାସନାଲ୍ ଇଣ୍ଟିଗ୍ରେସନ୍ ପରଟା : କିଛି ସାଧାରଣ ରୁଟି ତିଆରି କର, ଅରୁଆ ଏବଂ ଉଷୁନା ମିଶା ଭାତ, ଡାଲି, ସମ୍ଭର, ଦହି ଏବଂ ଲେମ୍ବୁରେ ଏକ ପୁର ତିଆରି କର, ସେହି ପୁରକୁ ମଝିରେ ରଖି ରୁଟିମାନ ଗୁଡ଼ାଇ ନେବ-। ସ୍ଵାମୀ କୌଣସି ମିଟିଂକୁ ଯିବା ପୂର୍ବରୁ ଗରମ ଗରମ ଖାଇବାକୁ ଦେଲେ ଏବଂ ପରେ ପରେ ଚାହା ଏବଂ ସିଗାରେଟ୍ ଦେଲେ ଏବଂ ତାଙ୍କ ମୁଣ୍ଡବାଳ ଟିକେ ଆଙ୍ଗୁଠିରେ ସାଉଁଳେଇ ଦେଇପାରିଲେ ଖୁବ୍ ଆରାମ ଲାଗେ ।

 

ମେଗାଟନ୍ ଚଟଣି : ଗୋଲମରିଚ, ଧନୁଆ ଲଙ୍କାମରିଚ (ବନ୍ଦିରି), ଅଦା ଏବଂ ଲେମ୍ବୁରସ ଏକାଠି ଗୋଳେଇ ତାକୁ ବଘାରିଦେଇ ଘଣିସୋରିଷ ତେଲରେ ଘଡ଼ ଘଡ଼ କରି ଭାଜିବ-। ଏହା ଗରମ ଗରମ ଥାଳିଆରେ କଫି ସଙ୍ଗେ ସକାଳୁ ସକାଳୁ ଖାଇବାକୁ ଭଲ ।

 

ଏହିପରି ଯୁଗୋପଯୋଗୀ ଖାଦ୍ୟ ପଦାର୍ଥର ପାକବିଧି ବିଭିନ୍ନ ପତ୍ରିକାରେ ଛପା ହେଲେ ପତ୍ରିକାର ଲାଭ ବ୍ୟତୀତ ତାହାର ପ୍ରକୃତ ପାଠକମାନଙ୍କର ଉପକାର ହେବ ଏବଂ ରନ୍ଧନ ବିଧି ଜରିଆରେ ନାରୀଜାଗରଣ ତଥା ସାମୁହିକ ଗଣଚେତନା ଆନୟନ ସମ୍ଭବ ହେବ । ଏ ନେଇ ବ୍ୟାପକ ଆନ୍ଦୋଳନ ହେଉ ବୋଲି ଉପସ୍ଥିତ ଲେଖକର ବିନୀତ ନିବେଦନ ।

Image

 

ବର୍ଣ୍ଣବୋଧ ସମୀକ୍ଷା

 

[ବର୍ଣ୍ଣବୋଧ ଅଧିକାଂଶ ଓଡ଼ିଆ ଭଦ୍ରଲୋକଙ୍କ ପାଇଁ ପ୍ରଥମ ଓଡ଼ିଆ ପୁସ୍ତକ । କିନ୍ତୁ ଦୁର୍ଭାଗ୍ୟର ବିଷୟ, ଯଦିଓ ଓଡ଼ିଆ ସାହିତ୍ୟରେ ସମାଲୋଚନାର ଅଭାବ କଥା ବିବିଧ ସୂତ୍ରରୁ ଶୁଣିବାକୁ ମିଳେ, ଏହି ଅତି ସହଜଲଭ୍ୟ ଅଥଚ ମୂଲ୍ୟବାନ୍ ପୁସ୍ତକଟିର ସମାଲୋଚନା ଏ–ଯାବତ୍ କେହି କରିନାହାନ୍ତି । ସାହିତ୍ୟର ଏହି ଦୈନ୍ୟ ଦୂର କରିବା ଉଦ୍ଦେଶ୍ୟରେ ଏଠାରେ, ପୃଥିବୀରେ ପ୍ରଥମ ଥର ପାଇଁ ବର୍ଣ୍ଣବୋଧର ସମୀକ୍ଷା କରାଗଲା ।]

 

‘ବର୍ଣ୍ଣବୋଧ’, ଲେଖକ ଶ୍ରୀ ମଧୁସୂଦନ ରାଓ, ମ୍ୟାକମିଲାନ୍ ଆଣ୍ଡ୍‍ କୋଃ ବହୁବଜାର ଷ୍ଟ୍ରିଟ୍, କଲିକତା, ରିପ୍ରିଣ୍ଟ୍‍ ୧୯୬୨, ହଳଦିଆ କାଗଜ, ନାଲି ବ୍ଲକ୍, ବନ୍ଧେଇ, ୩୨ପୃଷ୍ଠା, ୩୫ ନୂ.ପ-

 

ବର୍ଣ୍ଣବୋଧର ବିଚାର କଲାବେଳେ ସ୍ମରଣ ରଖିବାକୁ ହେବ ଯେ, (୧) ଏହା ପିଲାମାନଙ୍କ ପାଇଁ ଲିଖିତ; (୨) ଏହା ଅନେକ ଦିନ ଆଗେ ଲେଖା ହୋଇଥିଲା, ଯେତେବେଳ କି ସାମାଜିକ ଏବଂ ରାଜନୈତିକ ବାୟୁମଣ୍ଡଳ ସମ୍ପୂର୍ଣ୍ଣ ଭିନ୍ନ ଧରଣର ଥିଲା ଏବଂ (୩) ଏହା ଓଡ଼ିଶା ବାହାରେ ଛପା ଯାଇଅଛି । ଅତଏବ ଅନେକ ଖାସ୍ ଓଡ଼ିଆ ବିଶ୍ଵାସ ଏବଂ ଅକ୍ଷରର ବିକୃତି ସମ୍ଭବ । ଏହି ବିଚାରକୁ ଆପାତତଃ ଦୁଇ ଭାଗରେ ବିଭକ୍ତ କରାଯିବ । ବାହ୍ୟ ବିଚାର ଏବଂ ଅନ୍ତର୍ବିଚାର ।

 

ବାହ୍ୟ ବିଚାର : ନାଲିରଙ୍ଗର ବ୍ଲକ୍ ଛପାଇବାରେ ପ୍ରକାଶକଙ୍କର ଶିଶୁ ମନ ଉପରେ ଦଖଲ ପରିସ୍ଫୁଟ ହୋଇଉଠେ । ଉପରେ ଯେଉଁ ଚିତ୍ର ଅଛି, ସେଥିରେ ଶାଢ଼ୀପିନ୍ଧା ଝିଅଟିଏ ଗୋଟିଏ ଦୀପରୁଖା ପାଖରେ ବସି ସମ୍ଭବ ବର୍ଣ୍ଣବୋଧ ବ୍ୟତୀତ ଆଉ କିଛି ବହି ପଡ଼ୁଅଛି (ଶକ୍ତିଶାଳୀ ଲେନ୍‍ସ୍‍ ସାହାଯ୍ୟରେ ପରୀକ୍ଷାକରି ମଧ୍ୟ ଏହି ପୁସ୍ତକଟିର ପରିଚୟ ମିଳିଲା ନାହିଁ । ତାହାର ପୃଷ୍ଠାର ସଜ୍ଜା ଯାହା, ବର୍ଣ୍ଣବୋଧ ବହିରେ ସେପରି କୌଣସି ପୃଷ୍ଠା ନାହିଁ ଏବଂ ଆକାର ମଧ୍ୟ ଭିନ୍ନ ହୋଇଥିବାରୁ ଏ ଅନୁମାନ) । ଝିଅ ପଛଆଡ଼େ କିଛି ଝୋଟିର ଚିତ୍ର । ଏ ଚିତ୍ରରୁ ଜଣା ପଡ଼ୁଅଛି ଯେ ବର୍ଣ୍ଣବୋଧ ବହି କେବଳ ମଫସଲର ଗରିବଗୁରୁବାଙ୍କ ପାଇଁ । ଏହି ସମୁଦାୟ ଦୃଶ୍ୟଟି କାହିଁକି କେଜାଣି, ଏକ ମୋଟା, ଅସମାନ ଆୟତକ୍ଷେତ୍ରରେ ଆବଦ୍ଧ କରାଯାଇଅଛି । ଝିଅଟିର ବସିବାର ଭଙ୍ଗୀ ମଧ୍ୟ ଠିକ୍ ପଢ଼ିବାର ଉପଯୋଗୀ ନୁହେଁ, କାରଣ ସେ କୁଣ୍ଢେଇ ବାହାଘର କଲାପରି, କିମ୍ବା ବୋହୂବୋହୂକା ଖେଳିଲା ପରି ଗୋଡ଼ ଲମ୍ବେଇ ବସିଛି । ଏଠାରେ ଆହୁରି ଲକ୍ଷ୍ୟ କରିବାର କଥା ଯେ ଦୀପ ଏବଂ ବହିର ଯେଉଁ ସ୍ଥିତି ଚିତ୍ରରେ ନିର୍ଦ୍ଦେଶ କରାଯାଇଛି, ସେଥିରେ ବହି ଉପରେ ଦୀପାଲୋକ ପଡ଼ିବାର କିଛିହେଲେ ସମ୍ଭାବନା ନାହିଁ । ସେ ଯାହାହେଉ, ଏହି ଆୟତକ୍ଷେତ୍ରର ନିମ୍ନାଂଶରେ କିଛି ସରଳ ଚିତା, ତା’ପରେ କମ୍ପାନୀର ନାମ ଏବଂ ଠିକଣା । ଉପରେ ‘ବର୍ଣ୍ଣବୋଧ’ ଏବଂ ଶ୍ରୀ ମଧୁସୂଦନ ରାଓ (ଏଠାରେ ଲକ୍ଷ୍ୟ କରିବାର କଥା ଯେ ମଧୁସୂଦନ ଅମର ହୋଇଥିବାରୁ ତାଙ୍କର ମୃତ୍ୟୁପରେ ମଧ୍ୟ ତାଙ୍କ ନାମ ପଛରେ ‘ଶ୍ରୀ’ ଲାଗିବା କିଛି ବିଚିତ୍ର କଥା ନୁହେଁ-। ବହିର ପଛପଟେ ହଳଦିଆ ପଟ୍ଟଭୂମି ଉପରେ ନାଲି ହରଫରେ ଯାହା ଲେଖା ଯାଇଛି, ସବୁତକ ଇଂରାଜୀରେ । ଏହାର ଆକ୍ଷରିକ ଓଡ଼ିଆ ଅନୁବାଦ ହେଉଛି “ପୁନର୍ମୁଦ୍ରଣ–୧୯୬୨ ମ୍ୟାକ୍‍ମିଲାନଙ୍କ କ୍ରେଷ୍ଟ୍‍ । ଓଡ଼ିଆ ଅକ୍ଷର ଏବଂ ବନାନ୍ ବହି, ଏମ୍. ଏସ୍ . ରାଓ କୃତ । ମୂଲ୍ୟ ୩୫ ନୂ. ପ. । ମ୍ୟାକ୍ ମିଲାନ୍ ଏଣ୍ଡ୍‍ କମ୍ପାନୀ ଲିଃ, କଲିକତା, ବମ୍ବେ, ମାଡ୍ରାସ୍, ଲଣ୍ଡନ୍ ।”

 

ଏଠାରେ ସ୍ଵାଭାବିକ ମନରେ ପ୍ରଶ୍ନ ଉଠିପାରେ, “ଯଦି ପୁନର୍ମୁଦ୍ରଣ ୧୯୬୨ରେ, ତେବେ ମୁଦ୍ରଣ କେବେ ?” ଏ ପ୍ରଶ୍ନର କୌଣସି ଉତ୍ତର ଦେବାକୁ ପ୍ରକାଶକ ଆପଣାକୁ ବାଧ୍ୟ ମନେକରି ନାହାନ୍ତି । କିନ୍ତୁ ଏ ଧରଣର ଭୁଲ୍ କେଡ଼େ ବିପଜ୍ଜନକ, ସମାଲୋଚକ ମାତ୍ରେ ଜାଣନ୍ତି । ବହିଟିର ପ୍ରଥମ ସଂସ୍କରଣର ସନ୍ଧାନରେ ମୁଁ ବିଭିନ୍ନ ଲାଇବ୍ରେରୀ, ପ୍ରାଇମେରୀସ୍କୁଲ୍ ଏବଂ ଭଦ୍ରଲୋକଙ୍କ ଘର ଖୋଜିଛି । ବିଭିନ୍ନ ବ୍ୟକ୍ତି ବହିଟିର ରଚନାକାଳ ବିଷୟରେ ବିଭିନ୍ନ ମତପ୍ରକାଶ କଲେ । ମୋର ପିଲାଦିନେ ଯେଉଁ ବର୍ଣ୍ଣବୋଧ ଚଳୁଥିଲା, ସେଥିରେ ପଞ୍ଚମଜର୍ଜଙ୍କ ମୁଣ୍ଡପରି କିଛି ଗୋଟାଏ ଥିଲାପରି ମୋର ଝାପ୍‍ସା ମନେପଡ଼ୁଛି । ତା ପୂର୍ବରୁ ଏପରିକି ହଂସବାହିନୀ ଶ୍ରୀ ସରସ୍ଵତୀ ଏବଂ ଚାରିଆଡ଼େ ଗାର ଗାର ହୋଇ ତାଙ୍କର ତେଜ ନେଇ ଛବିଟିଏ ରହିଥିଲା । ତେବେ ଏହିସବୁ ସ୍ମୃତି ଏତେ କ୍ଷୀଣ ଯେ ତଦାନୀନ୍ତନ ବର୍ଣ୍ଣବୋଧ ସଙ୍ଗେ ଅଧୁନାତନ ବର୍ଣ୍ଣବୋଧର ତୁଳନାତ୍ମକ ବିଚାର ତାହାରି ଉପରେ ନିର୍ଭରକରି କରିବା ଅସମ୍ଭବ । ଯଦି କୌଣସି ପରିବର୍ତ୍ତନ ଏହା ମଧ୍ୟରେ ଘଟିଥାଏ ତା’ ହେଲେ ସେସବୁ ବର୍ତ୍ତମାନର ଆଲୋଚନାରେ, ବୋଲିବା ବାହୁଲ୍ୟ, ସ୍ଥାନ ପାଇବ ନାହିଁ ।

 

ଆନ୍ତର୍ବିଚାର : ବହିଟିର ଆରମ୍ଭ କିଛି ଘୋଡ଼ା ଚିତ୍ରରୁ ଏବଂ ଶେଷ କିଛି ବିଲେଇ ଚିତ୍ର ଦେଇ । ଏପରି ଚିତ୍ର ଦେବାରେ କିଛି ଅନ୍ତର୍ନିହିତ ଅର୍ଥ ଥିଲାପରି ମନେ ହେଲାନାହିଁ । ସ୍ଵରବର୍ଣ୍ଣ, ଯାହାକି ବହିର ଆରମ୍ଭ, ସେଥିସଙ୍ଗେ (ହ୍ରସ୍ଵ, ହ୍ରେଷା, ହର୍ସ୍ ) ଘୋଡ଼ାର ସମ୍ପର୍କ ସମ୍ଭବ । କିନ୍ତୁ ବିଲେଇ ଓ ସମାପ୍ତି ମଧ୍ୟରେ ସମ୍ବନ୍ଧ ସୁଦୂର ପରାହତ । ସେହିପରି ପୃ୧୫ରେ ଥିବା ଦୁଇଟି ହୃଦୟ ଏବଂ ତା ଦୁଇକଡ଼େ ଘଣ୍ଟି, ଯାହାକି ଖ୍ରୀଷ୍ଟାନ୍ ବିବାହ ବାଚକ, ତହିଁର କୌଣସି ସିଧାସଳଖ ସମ୍ବନ୍ଧ ସେହି ପୃଷ୍ଠାରେ ବା ପାଖ ଆଖରେ ଲିଖିତ ପାଠ ସଙ୍ଗେ ମିଳୁନାହିଁ ।

 

ବ୍ୟଞ୍ଜନ ବର୍ଣ୍ଣର ଲିପି ମଧ୍ୟରେ ‘କ୍ଷ’ ନାହିଁ । କାହିଁକି ଜଣା ପଡ଼ୁନାହିଁ, ବିଶେଷକରି ଯେହେତୁ ଏହି ଅକ୍ଷରଟିର ବ୍ୟବହାର (ପକ୍ଷୀ, ଦକ୍ଷିଣ, ଯକ୍ଷ୍ମ )ବିଭିନ୍ନ ସ୍ଥାନରେ ଦେଖା ଯାଇଅଛି । ସମ୍ଭବତଃ ପୃଷ୍ଠାର ସୌନ୍ଦର୍ଯ୍ୟ ରକ୍ଷା ଉପରେ ଏଠାରେ ନଜର ଦିଆ ହୋଇଛି । ଆହୁରି ମଧ୍ୟ ‘କ୍ଷ’ ଅକ୍ଷରଟିର ଅନୁକରଣ ବିଦେଶୀ କଳାକାର କରି ନ ପାରିଥିବା କିଛି ଅସମ୍ଭବ ନୁହେଁ । ବର୍ଣ୍ଣମାଳାର ଲିପି ସାଧାରଣତଃ ଅସୁନ୍ଦର ଏବଂ ଅସମାନ । ଅକ୍ଷରଗୁଡ଼ିକ ନିହାତି ଅସହାୟ ଭାବେ କାରାରୁଦ୍ଧ ହୋଇଛନ୍ତି । ଦେଖିଲେ ମନେହୁଏ ଯେ ବ୍ୟାପାରଟି ଏକ ଦନ୍ଥଡ଼ା କଲମରେ କାର୍ଯ୍ୟକାରୀ ହୋଇଅଛି ।

ପୁସ୍ତକଟିର ଛତ୍ରେ ଛତ୍ରେ ଭକ୍ତକବି ମଧୁସୂଦନ ରାଓଙ୍କର ପ୍ରତିଭା ପରିସ୍ଫୁଟ ହୋଇଅଛି । ବିଭିନ୍ନ ସ୍ଥାନରେ କବିଙ୍କର ଦେଶାତ୍ମକବୋଧ, ପ୍ରକୃତି ପରାୟଶତା, ମାନବିକତା ଏବଂ ସର୍ବୋପରି ଭକ୍ତିଶୀଳତାର ପରିଚୟ ମିଳେ । ଏଠାରେ ସେସବୁର ସମ୍ୟକ୍ ଆଲୋଚନା, ବିଶେଷ ସ୍ଥାନାଭାବରୁ କରାଯାଉ ନାହିଁ । କେତେକ ମୋଟାମୋଟି ବିଚାର ମାତ୍ର ଏଠାରେ ଲିପିବନ୍ଧ ହେବ, ଯାହା ଫଳରେ କିଛି ଯଦି ଏଠାରେ ଲେଖା ନ ଯାଇଥାଏ, ପାଠକବର୍ଗ କ୍ଷମାଦେବେ ବୋଲି ଆଶା ।

ବର୍ଣ୍ଣବୋଧର ପ୍ରକୃତି : ଅବଶ୍ୟ ପୁସ୍ତକର ପ୍ରଥମ ଅଂଶରେ ଯେଉଁ କେତେକ ପ୍ରକୃତିଗତ ଶବ୍ଦ ଦେଖିବାକୁ ମିଳେ, ସେମାନଙ୍କ ସଂଯୋଗରେ ପ୍ରକୃତିର ବର୍ଣ୍ଣନା ବାହାର କରିବା ମୁଷ୍କିଲ । ତଥାପି, ‘ଧବଳଟଗର’ ‘ଆକାଶର ତାରା’, ‘ବରଷାର ଧାରା’ କିମ୍ବା ‘ଦଉଡ଼ନା ବଡ଼ ଖରା’ ଇତ୍ୟାଦି ଖଣ୍ଡବାକ୍ୟ ଗଭୀର ପ୍ରକୃତି–ପ୍ରିୟତାର ନିଦର୍ଶନ । ଏପରିକି ଯେତେବେଳେ କବି ଆକାରବିନା’ ଶିକ୍ଷା ଦେବାକୁ ଯାଇ ‘ପାହାଡ଼ର ତଳ’ ଲେଖିଛନ୍ତି ବିକ୍‍କୁଲ୍ ଆକାର ନ ଥିବା ‘ଭଲ ଝରଜଳ’ ତାହାଁରି ତଳେ ସଂଯୁକ୍ତ କରିବାକୁ ଭୁଲିନାହାନ୍ତି । ଅନ୍ୟତ୍ର କବି ଲେଖିଛନ୍ତି; ବଉଳ ଫୁଲର ବାସ, ଚହଟଇ ଚଉପାଶ । ଏହା କବିଙ୍କର ତୀବ୍ର ଘ୍ରାଣଶକ୍ତିର ପରିଚାୟକ ଯେହେତୁ ଠିକ୍ ବଉଳଗଛ ପାଖରେ ଠିଆ ନ ହେଲେ ବଉଳ ଫୁଲର ବାସନା ବାରିବା ଅନ୍ୟଥା ଅସମ୍ଭବ ହୋଇପଡ଼େ । ପ୍ରକୃତିର ଶୋଭାରେ ଯେ ସୁବିଧା ପାଇଲେଇ କବିଙ୍କର ହୃଦୟ ନାଚିଉଠେ, ତାହାର ପ୍ରମାଣ ‘ପ୍ରଭାତ’ ଓ ସନ୍ଧ୍ୟା କବିତା ଦ୍ଵୟରୁ ମିଳେ । ପ୍ରଭାତରେ ପକ୍ଷୀମାନଙ୍କର “ଗୀତ ଶ୍ରବଣେ ହୃଦୟ, ନାଚିଉଠେ ମୋହର ଏବଂ ସନ୍ଧ୍ୟାବେଳେ ବି ପଶ୍ଚିମ ଆକାଶକୁ ଚାହିଁ ପ୍ରଫୁଲ୍ଲ ହୁଏ ହୃଦୟ ।”

ଦେଶାତ୍ମବୋଧ ଏବଂ ରାଜନୀତି : ଆମ୍ଭ ଜନ୍ମଭୂମି ଉତ୍କଳ ଦେଶ (୨୩ପୃ), ‘ଖଡ଼ଗ ଅବା ଖଣ୍ଡାଧରି ଚାଲେ ଖଣ୍ଡାଇତ’ (୨୨ପୃ) ଏବଂ ‘ପାଇକ ସାଜିଲା’ କାହାଳୀ ବାଜିଲା ପ୍ରଭୃତି ବାକ୍ୟରେ କବିଙ୍କର ଦେଶାତ୍ମବୋଧ ପରିସ୍ଫୁଟ । ସ୍ଵାଧୀନତା ପୂର୍ବରୁ ଏ ଦେଶରେ ସିଧାସଳଖ ରାଜନୀତି ଚର୍ଚ୍ଚା ସମ୍ଭବ ନ ଥିଲା । ଅଥଚ ପ୍ରତ୍ୟେକ ବୁଦ୍ଧିମାନ ଭାରତୀୟ କଳେ ବଳେ କୌଶଳେ ନିଜର ଜାତୀୟ ଗଣଚେତନା ପାଇଁ ସଚେଷ୍ଟ ଥିଲେ । କବିବର ରାଧାନାଥଙ୍କ ପରି କେତେକ କବି ଦ୍ଵୈତାର୍ଥବୋଧକ କବିତା ରଚନାକରି ଏହି ଲକ୍ଷ୍ୟ ହାସଲ କରି ପାରିଥିଲେ । ବର୍ଣ୍ଣବୋଧର ୮ମ ପୃଷ୍ଠାରେ ଅଛି :

“ଅଇଲାଣି ବିଲାଇ, ମୂଷା ଯିବ ପଳାଇ ।”

ଏହି ପଦଟି ସମ୍ଭବତଃ ସ୍ଵାଧୀନତା ସଂଗ୍ରାମର ‘ଭାରତ ଛାଡ଼ ଆନ୍ଦୋଳନ’ ସଙ୍ଗେ ସମ୍ପୃକ୍ତ-। ସେତେବେଳର ସରକାରଙ୍କର ଜନତାଦମନ ନୀତିକୁ ଲକ୍ଷ୍ୟକରି କବି ଗାଇ ଉଠିଛନ୍ତି :

“କୁମ୍ଭୀର ବଡ଼ ଭୟଙ୍କର, ନାଶଇ କେତେ ନାରୀନର” ।

ଅନ୍ୟତ୍ର ଠିକ୍ ଏହି ଭାବରେ ଲିଖିତ ହୋଇଛି ଯେ ନିରୀହ ମୃଗ ବନରେ ଘାସ ଖାଇ ବୁଲୁଥାଏ, କିନ୍ତୁ ‘ବାଘ ବିନାଶଇ ତାର ଜୀବନ’ ।

ତତ୍କାଳୀନ ରାଜନୀତିର ଚିତ୍ର ୨୫ ପୃଷ୍ଠାରେ ନିମ୍ନ କେତେକ କଥାରୁ ଜଣାଯାଏ !

‘ନ ତ ର ନ୍ତ୍ର । ତନ୍ତ୍ର, ମନ୍ତ୍ର, ଯନ୍ତ୍ର, ମନ୍ତ୍ରୀ’ ।

ଏଥିରୁ ଅନୁମିତ ହୁଏ ଯେ ସେ କାଳର ରାଜନୈତିକ ଚାଲବାଜୀ ଲକ୍ଷ କରି କବିମାନସ ବ୍ୟଥିତ ହୋଇପଡ଼ିଅଛି । ନାନା ତନ୍ତ୍ରମନ୍ତ୍ର ଷଡଯନ୍ତ୍ର କରି ଲୋକେ ମନ୍ତ୍ରୀ ହେଉଥିବାର ବା ହେବାର ଆଶା କରୁଥିବାର ସେ ଲକ୍ଷ୍ୟ କରିଥିବା ଅନୁମିତ ହୁଏ ।

ସ୍ଵାଧୀନତା ପାଇଁ ବ୍ୟାକୁଳତା ମଧ୍ୟ ୨୬ ପୃଷ୍ଠାରୁ ଜଣାଯାଏ ।

‘ନ ତ ର ଯ ନ୍ତ୍ର୍ୟ : ସ୍ଵାତନ୍ତ୍ର୍ୟ, ପାରତନ୍ତ୍ର୍ୟ’ ।

ଅବଶ୍ୟ ଯଦି କୌଣସି ଛୋଟପିଲା ନିଜର ଶିକ୍ଷକଙ୍କୁ ଏହାର ଅର୍ଥ ପଚାରିଥାଏ, ତାହା ହେଲେ ବେତମାଡ଼ର ହୁଗୁଳା ଏବଂ ହାଲୁକା ପ୍ରୟୋଗ ହେବା ଛଡ଼ା ଅନ୍ୟ ଉପାୟ ନ ଥିବ, ତଥାପି ଦେଶର ଡାକରେ ଉଦ୍‍ବୁଦ୍ଧ ହୋଇ କବି ସେ ବିପଦ ବରଣ କରିଛନ୍ତି । ଟିକିଏ ତଳେଇ ପର୍ଯ୍ୟାଲୋଚନା କଲେ ବ୍ରିଟିଶ ସରକାରଙ୍କର ଦମନଲୀଳା ବିରୁଦ୍ଧରେ ପ୍ରତିବାଦ ଏବଂ ଜାତୀୟ ନେତାମାନଙ୍କର ମହତ୍ଵ ନେଇ ପ୍ରଚାର ବର୍ଣ୍ଣବୋଧରୁ ପରିସ୍କାର ଜଣାଯାଏ । ଯଥା, ପୃ ୨୭ ରେ ଅଛି :

 

‘ବୁଢ଼ୀଆଣୀ ଜାଲ ବଡ଼ ସୂକ୍ଷ୍ମ’ (ବ୍ରି. ସରକାରଙ୍କ ଚକ୍ରାନ୍ତ) ‘ମୂଷିକର ଦନ୍ତ ତୀକ୍ଷ୍‍ଣ (ତାହାହିଁ), ଉଦ୍‍ଯୋଗୀ ପୁରୁଷକୁ ଲକ୍ଷ୍ମୀ ମିଳେ (ନେତାମାନଙ୍କୁ ଉଦ୍‍ବୋଧନ), ସେ ତୁମ୍ଭର ଶୁଭାକାଙ୍‍କ୍ଷୀ ଅଟନ୍ତି (ନେତା) × × ‘ତାହାଙ୍କର ମହତ୍ଵ ବିଷୟ ଚିନ୍ତା କର’ (ମହାତ୍ମା ଗାନ୍ଧୀ) । ପୃ ୨୪ ରେ ସ୍ପଷ୍ଟ ଲେଖା ଅଛି ‘କହିବ ନାହିଁ ଗୁପ୍ତ କଥା’ । ଏଠାରେ ‘ଗୁପ୍ତ କଥା’ର ଅର୍ଥ ବିଜ୍ଞ ପାଠକମାନେ ବିଚାର କରନ୍ତୁ, ସମ୍ଭବତଃ ଜାତୀୟ ଆନ୍ଦୋଳନର ଅନେକ ଗୋପନ ରହସ୍ୟ ମଧୁସୂଦନଙ୍କୁ ଜଣାଥିଲା । କିନ୍ତୁ ସେ କାହିଁକି କାହାରିକୁ କହି ନାହାନ୍ତି, ତାହା ଏଠାରେ ଲେଖି ଯାଇଛନ୍ତି ।

 

ନୀତିଶିକ୍ଷା : କବି ସଦାସର୍ବଦା ସ୍ମରଣ ରଖିଥିଲେ ଯେ, ଶିଶୁମାନଙ୍କ ପକ୍ଷରେ ନୀତିଶିକ୍ଷା ଅତି ପ୍ରୟୋଜନୀୟ । ଅକ୍ଷର ଏବଂ ଭାଷାଶିକ୍ଷା ଛଳରେ ସେ ଅନେକ ଉପାଦେୟ ନୀତିଶିକ୍ଷା ମଧ୍ୟ ଦେଇ ଯାଇଛନ୍ତି । ଭକ୍ତକବି ଯଥାର୍ଥରେ କହିଛନ୍ତି :

 

“ଅରଣା ମହିଷୀ ରହିଛି ଅନାଇ

ମହିଷୀର ପାଶେ ନ ଯାଅ ଦନାଇ ।”

 

ଏଠାରେ ଅବଶ୍ୟ ସ୍ଵାଭାବିକ ପ୍ରଶ୍ନ ଉଠିପାରେ, ଯେବେ ଅରଣା ମଇଁଷିଟି ଅନାଇ ରହିଥାଏ, ତାହାହେଲେ ‘ଦନାଇ’କୁ ଏକା କାହିଁକି ବାରଣ କରାଯାଉଛି, ଅନ୍ୟାନ୍ୟ ପିଲାମାନେ କାହିଁକି ତା ପାଖୁ ଯିବେ ? କିନ୍ତୁ ଏଥିରେ ପ୍ରଚ୍ଛନ୍ନ ଥିବା ନୀତିଶିକ୍ଷା ଆପାତ–ଅଳୀକତାଠାରୁ ବହୁ ଉର୍ଦ୍ଧ୍ଵରେ । ବିପଦକୁ ଆଗରୁ ଜାଣି ତାହାକୁ ଦୂରରେ ରଖିବାକୁ ଦନାଇକୁ ବା ତାହାପରି ବାଳକମାନଙ୍କୁ ଏଠାରେ ସାବଧାନ କରି ଦିଆଯାଇଅଛି । ଅବଶ୍ୟ ‘ଦନାଇ’ ବାଳକ ନ ହୋଇବି ପାରେ ଏବଂ ଏଠାରେ କୌଣସି ମାଲିକ ତାହାର ଦନାଇଁ ନାମକ ଚାକରକୁ ଏହି ଉପଦେଶ ଦେବା ସମ୍ଭବ । ଏହାଛଡ଼ା ଆଳସ୍ୟ ନ କରିବାକୁ, ସର୍ବଦା ସତ୍ୟ କହିବାକୁ; ସେ ବିଭିନ୍ନ ସ୍ଥାନରେ କହି ଯାଇଛନ୍ତି । ସେ ପୁଣି କହିଛନ୍ତି ‘ରୋଦନ ନ କର’ ଯାହାକି, ବିଶେଷ କରି ଶିଶୁମାନଙ୍କ ପକ୍ଷରେ ଅତ୍ୟନ୍ତ ଉପାଦେୟ ଶିକ୍ଷା । ଏଠାରେ ସେ କାଳର ଶିଶୁ ପାଳନରେ ମାଡ଼ ଗାଳି ନୀତି ଘନିଷ୍ଠ ଭାବରେ ଜଡ଼ିତ । ପୁଣି ‘ମଧୁର ବିନୟ ବଚନ, କହି ତୋଷିବ ଜନ ମନ’ ନୀତିଟି ବ୍ରିଟିଶ୍‍ ସାମ୍ରାଜ୍ୟରେ ଖୋସାମଦର ଉପକାରିତା ସମ୍ବନ୍ଧରେ ଶିଶୁକୁ ସଚେତନ କରିଥାଏ । ‘ମହୁମାଛି ପରି ପରିଶ୍ରମ କର’ କହି ସେ କହିଛନ୍ତି ଯେ ପରିଶ୍ରମ କରି ଯାହା ସଞ୍ଚୟ କରିବ ତାକୁ ଅନ୍ୟମାନେ ନେଇଗଲେ ବି ପୁଣି ଥରେ ପରିଶ୍ରମ କରିବାକୁ ଶିକ୍ଷା କର । ଏହା ସବୁ ସମୟରେ ଏକ ଉପାଦେୟ ନୀତି ।

 

ତତ୍କାଳୀନ ସାମାଜିକ ଚିତ୍ର : ପ୍ରତ୍ୟେକ ସୃଷ୍ଟିରେ ସ୍ରଷ୍ଟାର ଅଜ୍ଞାତରେ ପରିପାର୍ଶ୍ଵ ଏବଂ ସାମାଜିକ ଚିତ୍ର ଆସି ଯାଇଥାଏ । ଏଠାରେ ମଧ୍ୟ ତାହା ହିଁ ହୋଇଅଛି । ପୃ୧୧ ରେ ଲେଖାଅଛି, ‘ଗୌରୀ ବାପଘରୁ ଅନେକ ଯୌତୁକ ଆଣିଅଛି ।’ ୧୯୬୨ ମସିହା, ଯେତେବେଳେ ସମାଜରୁ ଯୌତୁକ ପ୍ରଥା ଆଇନ୍ ଦ୍ଵାରା ଉଠାଇ ଦିଆଯାଇଛି, ସେତେବେଳେ ଏହି ବାକ୍ୟଟିର ଅର୍ଥ ନେଇ ଶିକ୍ଷକ ଚିନ୍ତିତ ହୋଇ ପାରନ୍ତି; ଅଥଚ ସ୍ମରଣ ରଖିବା ଉଚିତ ଯେ, ଯେତେ ମହାନ୍ ହେଲେ ମଧ୍ୟ ସବୁ କଳାକାର ଏତେ ତୀକ୍ଷ୍‍ଣ ଭବିଷ୍ୟତ୍ ଦ୍ରଷ୍ଟା ହେବା ସମ୍ଭବ ନୁହେଁ । ପୃ ୧୫ ରେ ଥିବା–

 

“ତୁ ତୁ ତୁ ଡାକିଲି ମୁହିଁ

ଦୌଡ଼ିଆସିଲୁ କୁକୁର ତୁହି ।”

 

ସେ ସମୟର ରାଜଭକ୍ତମାନଙ୍କର ବର୍ଣ୍ଣନା କରୁଥାଇ ପାରେ । ପୃ ୨୫ରେ ସ୍ପଷ୍ଟ ଲେଖା ଅଛି : ‘କେହି କେହି ବଳ୍‍କଳ ପିନ୍ଧନ୍ତି’ ୧୯୬୨ ମସିହାରେ କିଏ ବଳ୍‍କଳ ପିନ୍ଧନ୍ତି ଜାଣିବା ସହଜ ନୁହେଁ, ଅଥଚ ବର୍ଣ୍ଣବୋଧର ରଚନା କାଳରେ କାଁ ଭାଁ ବଳ୍‍କଳ ପିନ୍ଧା ଲୋକ ଏଠି ସେଠି ବୁଲୁଥିବାର ଏଥିରୁ ଜଣାଯାଏ । ସେହିଠାରେ ଥିବା ‘ତାଙ୍କ ମୁଖ ନିସ୍ତେଜ ଦିଶୁଅଛି’ ବାକ୍ୟଟି ତଦାନୀନ୍ତନ ଓଡ଼ିଶାର ଏକ ଚିତ୍ର ଆଖି ଆଗରେ ଉପସ୍ଥାପିତ କରେ । ପୁଣି, ତତ୍କାଳୀନ ଗୃହ ସମସ୍ୟାର ନିଖୁଣ ଚିତ୍ର ମିଳେ ‘ବେଙ୍ଗ ଓଳି ତଳେ ବସିଅଛି’ କଥାଟିରୁ ।

 

ମନସ୍ତତ୍ତ୍ଵ : କବିଙ୍କ ମନସ୍ତାତ୍ତ୍ୱିକ ଅନ୍ତର୍ଦୃଷ୍ଟିର ପରିଚୟ ମିଳେ ‘ମାଧବ’ ନାମକ ବାଳକ ‘ଗୁରୁଣ୍ଡି ଗୁରୁଣ୍ଡି ଏରୁଣ୍ଡି ଉପରେ’ ବସି, ମା’ଙ୍କ ଆଡ଼କୁ ‘ଅନାଇ ଅନାଇ’ ମାଟି ଖାଉଥିବାର ବର୍ଣ୍ଣନାରୁ-। କବିଙ୍କର ନିଜର ମନର ପରିଚୟ ମଧ୍ୟ ଏହି ଗ୍ରନ୍ଥରୁ ମିଳେ । ସେ ନିଜର ବନ୍ଧୁମାନଙ୍କଦ୍ଵାରା ନିରାଗ ହୋଇଥିବା ପରି ବ୍ୟକ୍ତିଗତ ମନସ୍ତତ୍ତ୍ଵର ପରିଚୟ ମିଳିବ ପୃ୨୧ରୁ ଯଥା–

 

‘ନ ଧ ନ୍ଧ ସନ୍ଧ୍ୟା, ବନ୍ଧୁ, ‘ବନ୍ଧୁକ’

 

ଏବଂ

 

‘ସମ୍ପଦ କାଳେ ସର୍ବେ ସଖା, ବିପଦେ ନ ଦିଅନ୍ତି ଦେଖା ।’

 

ସେହିପରି, କବିଙ୍କର ଦନ୍ତପୀଡ଼ା ଥିବାର ଅନୁମାନ ହୁଏ ‘ଦାନ୍ତ ଚିନ୍ତା, ସନ୍ତୋଷ, ଶାନ୍ତ’ କଥାରୁ । ଆହୁରି ମଧ୍ୟ ଦେଖିବାକୁ ମିଳେ ଯେ ନିଜର ହର୍ଷ ବିଷାଦକୁ ସେ ବିଭିନ୍ନ ଜୀବଜନ୍ତୁଙ୍କଠାରେ କ୍ଷେପଣ କରିଛନ୍ତି । ଯଥା, ପୃ ୧୭ ରେ ଥିବା–

 

‘ପ୍ରଜାପତିଟି ହରଷରେ, ବସିଛି ଫୁଲର ଉପରେ ।’

 

ଏଠାରେ ପ୍ରଶ୍ନ ଆସିପାରେ ଯେ ପ୍ରଜାପତି ଯଦି ଫୁଲ ଉପରେ ବସେ, ବସେ ତ ବସେ, ସେଥିରେ ବା ଏତେ ହରଷର କ’ଣ ଅଛି ? କିନ୍ତୁ ପ୍ରଜାପତି ନିଜର ପେଟ ପାଇଁ ଫୁଲ ଉପରେ ବସିଲେ ବି, କବିଙ୍କ ଆଖିକୁ ସୁନ୍ଦର ଦିଶୁଥିବାରୁ ଏପରି ବର୍ଣ୍ଣନା ସମ୍ଭବ ହୋଇଅଛି । ଅନ୍ୟତ୍ର ସେ ଲେଖିଛନ୍ତି, “ମୋ ପିଠିରେ ଗୋଟାଏ ଘା’ ହୋଇଥିଲା, ଶୁଖିଗଲାଣି ।” ଯାହାର ପ୍ରକୃତ ଅର୍ଥ, ଘା ହେବା ଜାଣି କବି ଔଷଧ ପ୍ରୟୋଗ କରିଥିବାରୁ ଉକ୍ତ ଘା’ଟି ଶୁଖି ଯାଇଅଛି । ଏଥିରେ କବି ଆନନ୍ଦିତ ପରି ଜଣାଯାଉଛନ୍ତି । ପୁଣି ସବୁକଥା ଶିଖିବାକୁ ସମୟ ଲାଗେ, ସଙ୍ଗେ ସଙ୍ଗେ ହୋଇଯାଏ ନାହିଁ, ଏହି ସତ୍ୟ ଉପଲବ୍‍ଧି କରି କବି ଲେଖିଛନ୍ତି, ‘ଶାବକମାନେ ଡିମ୍ବରୁ ବାହାରିଲା କ୍ଷଣି ଉଡ଼ି ପାରନ୍ତି ନାହିଁ ।

 

ବିଜ୍ଞାନ ପ୍ରଭାବ : ବର୍ଣ୍ଣବୋଧର ରଚନା ସମୟରେ ବିଜ୍ଞାନର ନାନା ଆବିଷ୍କାର ଏବଂ ତତ୍ତ୍ଵ ନିଶ୍ଚୟ କବିମାନସକୁ ଆନ୍ଦୋଳିତ କରିଥିବ । ବିଭିନ୍ନ ବୈଜ୍ଞାନିକ ସତ୍ୟ ସେହି ହେତୁରୁ ବର୍ଣ୍ଣବୋଧର ଛତ୍ରେ ଛତ୍ରେ ପ୍ରସ୍ଫୁଟିତ କୁସୁମପରି ଜଜ୍ଜ୍ୱଲ୍ୟମାନ ହୋଇଅଛି । ଜୀବ ତଥା ଉଦ୍ଭିଦ ବିଜ୍ଞାନର ପ୍ରଭାବର ଉଦାହରଣ :–
 

“କୁକ୍‍କୁଟ ମୁଣ୍ଡେ ଅଛି କୂଳ, ମାଟି ଭିତରେ ବୃକ୍ଷମୂଳ ।”

 

ପିଲାମାନଙ୍କୁ ଶରୀରତତ୍ତ୍ଵ ଜ୍ଞାନ ଦେବା ପାଇଁ ସେ ଲେଖିଛନ୍ତି, “ମୋର ଦୁଇ ଆଖି, ଦୁଇ କାନ, ଦୁଇ ହାତ, ଦୁଇ ଗୋଡ଼...”ଇତ୍ୟାଦି । ଜୀବ ବିଜ୍ଞାନର ନିଗୂଢ ଅନ୍ତର୍ଦୃଷ୍ଟି ଜଣାଯାଏ ନିମ୍ନ ଧାଡ଼ିଟିରୁ: ‘ମାଛିମାନଙ୍କର ଛଅଟା ଗୋଡ଼, ଦୁଇଟା ଡେଣା ଓ ଅନେକଗୁଡ଼ିଏ ଚକ୍ଷୁ ଅଛି ।’

 

ଶୂନ୍ୟମଣ୍ଡଳର ତେଜସ୍କ୍ରିୟ ବସ୍ତୁମାନଙ୍କ ଉପରେ ବିଜ୍ଞାନ ସଦାବେଳେ ଲୋଲୁପଦୃଷ୍ଟି ପକାଇ ଆସିଅଛି । ଚନ୍ଦ୍ର ମଧ୍ୟକୁ ଯିବା ପାଇଁ ଯେଉଁ କ୍ରମବର୍ଦ୍ଧିଷ୍ଣୁ ଉତ୍ସାହ ଏବଂ ପ୍ରଚେଷ୍ଟା, ତହିଁର ରୂପରେଖ ମିଳେ ବର୍ଣ୍ଣବୋଧରୁ । ସେ ଲେଖିଛନ୍ତି, ‘ଚନ୍ଦ୍ର କ୍ରମେ କ୍ରମେ ବଢ଼ୁଥାଏ ।‘ ଏଠାରେ ପ୍ରଶ୍ନ ଆସିପାରେ, ଚନ୍ଦ୍ରର ଯାହା ଆକାର ସେ ବଢ଼ୁଅଛି, ନା ଯେତିକି ଦେଖାଯାଏ ସେ ବଢ଼ୁଅଛି ? ଆହୁରି ମଧ୍ୟ ଚନ୍ଦ୍ର (ବା ଚନ୍ଦ୍ରକଳା) କ’ଣ ସବୁବେଳେ ବଢ଼ୁଥାଏ ? କାହିଁ କମିଲା କଥା ତ ଲେଖାଗଲା ନାହିଁ ! ଅବଶ୍ୟ ମତ୍ସ୍ୟମାନେ ଜଳରେ ବାସକରୁଥିବାର, ଫୁଲ ବାସୁଥିବାର, କାଉ ବୋବାଉ ଥିବାର ସୁନ୍ଦର ଏବଂ ଚିତ୍ରଣ ବର୍ଣ୍ଣବୋଧରେ ଦେଖିବାକୁ ମିଳେ । ‘ବିଲୁଆ ବଡ଼ ଚତୁର, ପଇଡ଼ ବଡ଼ ମଧୁର’ କଥାଟି ଅତ୍ୟନ୍ତ ଯୁକ୍ତିଯୁକ୍ତ ଏବଂ କବିଙ୍କର ନିଜର ଅଭିଜ୍ଞତାର ପରିଚୟ ।

ଭକ୍ତିତତ୍ତ୍ଵ ଓ ଦର୍ଶନ :

କବି ଲେଖିଛନ୍ତି,

“ସାଧୁର ଲକ୍ଷଣ ଈଶ୍ଵର ଭକ୍ତି

ଦୁଗ୍‍ଧ ପାନ କଲେ ବଢ଼ଇ ଶକ୍ତି ।”

ଏଠାରେ କବି ଈଶ୍ଵର ଭକ୍ତିକୁ ଦୁଗ୍‍ଧପାନ ସଙ୍ଗେ ତୁଳନା କରିଛନ୍ତି । ଦୁଗ୍‍ଧ ପାନକଲେ ଏକ ଧରଣର ଶକ୍ତି ବଢ଼େ ହଁ, କିନ୍ତୁ ଅସଲ ସାଧୁତାର ଶକ୍ତି ବଢ଼ିବ ଭକ୍ତିରେ । ଅନ୍ୟତ୍ର କବି ଲେଖିଛନ୍ତି :

“ଲଗାଇଲେ ସଞ୍ଜ ଦୀପ ଘରଣୀ

ଅନ୍ଧକାର ବୁଡ଼ିଗଲା ଧରଣୀ ।”

ଏଠାରେ କବି–ଗୃହିଣୀ ସଞ୍ଜଦୀପ ଲଗାଇ ଦେବାରୁ ଧରଣୀ ଅନ୍ଧକାରାଚ୍ଛନ୍ନ ହୋଇ ଯାଇଅଛି । ଘରଣୀ ସଞ୍ଜଦୀପ ଦେଲେ ଦିଅନ୍ତୁ, ଅନ୍ୟ କଥାରେ, ଧରଣୀ ଛାଁ ଧରଣୀ ଅନ୍ଧାରରେ ରହିବ କିମ୍ବା, ଧରଣୀକୁ ଅନ୍ଧକାରରୁ ମୁକ୍ତ କରିବାକୁ ହେଲେ ଘରଣୀକୁ ସଞ୍ଜଦୀପ ଦେବାକୁ ମନା କରିବାକୁ ବୋଧହୁଏ କବି ନିର୍ଦ୍ଦେଶ ଦେଇଛନ୍ତି ।

 

ଅନ୍ୟତ୍ର କବି ଲେଖିଛନ୍ତି :

 

“ପାଇକ ସାଜିଲା କାହାଳୀ ବାଜିଲା

ହାତୀ ଅଇଲା ଚାଲି,

ଆସ ଆସ ଭାଇ ଗୀତ ଗାଇ ଗାଇ

ଯିବା ନଦୀର ବାଲି ।”

 

ଏଠାରେ ଲକ୍ଷ୍ୟ କରିବାର କଥା ଯେ, କବିତାଟିର ପ୍ରଥମ ଅଂଶ ଏକ ଯୁଦ୍ଧର ଚିତ୍ର ହେଲେ ମଧ୍ୟ ଦ୍ଵିତୀୟାଂଶ ସଂପୂର୍ଣ୍ଣ ଭିନ୍ନ । ଯଦି ଏକ ଯୁଦ୍ଧର ପଟୁଆର ଆଗେଇ ଆସୁଥାଏ, ସେତେବେଳେ ଗୀତ ଗାଇ ଗାଇ ନଈ ବାଲିକି ( କି ଉଦ୍ଦେଶ୍ୟରେ କେଜାଣି) ଯିବା, କବିଙ୍କର ଜୀବନ-ଦର୍ଶନରେ ଗଭୀର ପ୍ରବେଶ ନ ଥିଲେ, ବୁଝିବା ଅସମ୍ଭବ । ଶେଷାକ୍ତ ଗଭୀର ପ୍ରବେଶ ଉପସ୍ଥିତ ଲେଖକର ନାହିଁ, ତଥାପି ଏଥିରୁ କବିଙ୍କର ଜୀବନ-ଦର୍ଶନ ପଳାୟନବାଦୀ ବୋଲି ଅନୁମିତ ହୁଏ । ସେହିପରି, ସାହସର ଆଶ୍ରାକରି ଘୋର ବିପଦର ସମ୍ମୁଖୀନ ହେବା କଥାକୁ କବି ବର୍ଣ୍ଣନା କରିଛନ୍ତି :

 

“ପଙ୍କଜ ଶଙ୍ଖ ବଜାଇଣ, ରଙ୍ଗେ ଲଙ୍ଘିଲା ଘୋରବନ ।”

 

ଏଠାରେ ଘୋର ବନର ହିଂସ ଜନ୍ତୁମାନଙ୍କଠାରୁ ରକ୍ଷା ପାଇବା ପାଇଁ କବି ଶଙ୍ଖ ବଜାଇବାକୁ ନିର୍ଦ୍ଦେଶ ଦେବା ସଙ୍ଗେ ସଙ୍ଗେ, ପଙ୍କଜ ନାମକ କେହି ଜଣେ କିପରି ଏକ ଜଙ୍ଗଲ ଅତିକ୍ରମ କରିଥିଲା, ତହିଁର ଏକ ସଂକ୍ଷିପ୍ତ ଏବଂ ସୁନ୍ଦର ବର୍ଣ୍ଣନା ଦେଇଛନ୍ତି ।

 

ସଂସାରର ବିଚିତ୍ର ଲୀଳା ଦେଖି କବି ବିମୁଗ୍‍ଧ ହୋଇଛନ୍ତି । “ରେବତୀର ଘରେ ଢୋଲ ବାଜୁଅଛି । ଗୌରୀ ପୋଥି ପଢ଼ୁଅଛି ।” ଯାହାକି ସମଅବସ୍ଥାପନ୍ନ ଦୁଇଟି ବାଳିକାଙ୍କର ଅବସ୍ଥା ବର୍ଣ୍ଣନା କରେ । ରେବତୀର ଘର ପାଖରେ ଗୌରୀର ଘର ଯଦି ହୋଇଥାଏ, ଢୋଲ ବାଜିବା ସତ୍ତ୍ୱେ ସେ ପୋଥି ପଢ଼ୁଥିବା ଅତି ମହତ୍ ଗୁଣ । ସେହି ଦୃଷ୍ଟିରୁ “ପିତା କନ୍ୟା ସମ୍ପ୍ରଦାନ କଲେ, ସଂସ୍କୃତ ଶାସ୍ତ୍ରର ଚର୍ଚ୍ଚାକର”, ପଞ୍ଝାଏ ଖଞ୍ଜି ବସି ବସି, କଥା କହନ୍ତି ହସିହସି”, “କଟକ ନଗର, ଧବଳ ଟଗର” ଏବଂ “ମୟୂର ନାଇଚ, ସପୁରୀ ପାଚଇ ।” ଆଦି ଆପାତତଃ ଖାପଛଡ଼ା, ଅଥଚ ଭଗବତ୍ ଲୀଳାରେ ଏକାକାର ବିଷୟବସ୍ତୁମାନଙ୍କୁ ଦେଖାଯାଇପାରେ ।

 

ସାହିତ୍ୟିକ ପ୍ରଭାବ : ମଧୁସୂଦନ ଦୁଇ ପ୍ରକାର ସାହିତ୍ୟପ୍ରଭାବର ଶିକାର ହୋଇଛନ୍ତି : ଓଡ଼ିଆ, ବଙ୍ଗଳା । ଓଡ଼ିଆ ପୁଣି ଦୁଇ ଭାଗରେ ବିଭକ୍ତ– (୧) ପୁରାତନ ସଂସ୍କୃତ ବା ପ୍ରାୟ ସଂସ୍କୃତ ଯୁଗ ଏବଂ (୨) ସମସାମୟିକ ଯୁଗ । ସେ ଲେଖିଛନ୍ତି, “ବଟବୃକ୍ଷର ବୀଜ କେଡ଼େ କ୍ଷୁଦ୍ର । ଦେଖ, କେଡ଼େ କ୍ଷୁଦ୍ର ବୀଜରୁ କେଡ଼େ ବଡ଼ ବୃକ୍ଷ ଜନ୍ମେ ।” ଏଠାରେ ମହାଭାରତର ପ୍ରଭାବ ଅତି ସ୍ପଷ୍ଟ (ଦୁର୍ଯ୍ୟୋଧନର ପରିସ୍ରାରେ ଏକ ବରଗଛ ମଞ୍ଜି ଭାସି ଯାଉଥିବାର ଦେଖି ଶକୁନି–ଶିକ୍ଷିତା ଏକ ଦାସୀର ହସିବା ଉପାଖ୍ୟାନ ।) ଅନ୍ୟତ୍ର ଦେଖିବାକୁ ମିଳେ “ଭଜମନ, ଧନଜନ” ଯାହାକି, ବୋଲିବା ବାହୁଲ୍ୟ, ଗୋପାଳକୃଷ୍ଣଙ୍କର “ଭଜମନ ବ୍ରଜମନ ଦ୍ଵିଜରାଜଙ୍କୁ” ଗୀତରୁ ନୀତ । ସେହିପରି “ଡାମରାକାଉରେ ଡାମରାକାଉ, ପର୍ବତେ ପର୍ବତେ ବୋବାଉ ଥାଉ” ପଲ୍ଲୀକବି ନନ୍ଦକିଶୋରଙ୍କ ରଚନା ମନେପକାଇ ଦିଏ । ବଙ୍ଗୀୟ ପ୍ରଭାବ ଦେଖିବାକୁ ମିଳେ “ଖେଳା କରହେ ପଢ଼ିସାରି (ପୃ୯) କଥାରୁ ଯାହାକି ଓଡ଼ିଆ ନୁହେଁ, ଅଥଚ ଓଡ଼ିଆ ଶିକ୍ଷା ବହିରେ ଥିବାରୁ ଓଡ଼ିଆ ହୋଇଯାଇଛି ।

 

ଅଶ୍ଳିଳତା : କେତେକ ସ୍ଥାନରେ ଅଶ୍ଳିଳ ଶବ୍ଦର ବ୍ୟବହାର ପରିଲକ୍ଷିତ ହୁଏ, ଯାହାର ଅର୍ଥକ ଶିଶୁମାନେ ପଚାରିଲେ ଶିକ୍ଷକ ଅସୁବିଧାରେ ପଡ଼ିବାର ସମ୍ଭାବନା ଅଛି । ପୃ୪ରେ ‘ଔରସ’ ପୃ୧୧ରେ ‘ଯୌବନ’ ‘ପୌରୁଷ’ ‘କୌପୀନ’ ପୃ୨୧ରେ ‘ସମ୍ଭାଗ’ ପୃ୨୨ରେ ‘ବିଚ୍ଛେଦ’ ପୃ୨୩ରେ ‘ବଳାତ୍କାର’ ଏବଂ ପୃ୩୦ରେ ‘ଅଣ୍ଡ’ ଶବ୍ଦମାନ ଏଥିରେ ଉଦାହରଣ । ସମ୍ଭବତଃ ବାଳକବାଳିକାମାନଙ୍କୁ ଯୌନ ଶିକ୍ଷା ଦେବା କବିଙ୍କର ମହତ୍ ଉଦ୍ଦେଶ୍ୟ ଥିଲା ।

 

ଧନ୍ୟ କବି ମଧୁସୂଦନ ଧନ୍ୟ ତୁମର ଅଖଣ୍ଡ କୀର୍ତ୍ତି । ଓଡ଼ିଶାର ହେ କୃତୀସନ୍ତାନ, ହେ ଅମରକବି ଉତ୍କଳ ବାଣୀପୀଠରେ ତୁମ୍ଭର ଅର୍ଚ୍ଚନା ଅବ୍ୟାହତ ରହିଥିବା ଏବଂ ସରକାରଙ୍କ ଢଙ୍ଗଢାଙ୍ଗରୁ ଜଣାଯାଉଚି, ନିକଟରେ ଆଉ କେହି ବର୍ଣ୍ଣବୋଧ ପରି ଗ୍ରନ୍ଥ ରଚନା କରିବେ ନାହିଁ । ଆମର ଈଶ୍ଵରଙ୍କଠାରେ ପ୍ରାର୍ଥନା ଯେ, ବର୍ଣ୍ଣବୋଧ ଯେପରି ରାଷ୍ଟ୍ରପତି ପୁରସ୍କାର ପାଏ ।

 

“ଜୟ ମା ଶାରଳେ”

Image

 

Unknown

ନିଶୋପାଖ୍ୟାନମ୍

 

ଡକ୍ଟର୍ ଏର୍ଝଟ୍ ଶଙ୍କରନ୍‍କୁଟ୍ଟି ନାୟାର୍ର, ପ୍ରଥମ ଶ୍ରେଣୀ, ଗେଜେଟେଡ୍ ଗ୍ରେଡ୍ ୱ୍ୟାନ୍, ଶିକ୍ଷା ମନ୍ତ୍ରଣାଳୟ, ଭାରତ ସରକାରଙ୍କ ମତରେ ମନୁଷ୍ୟ କେବଳ ଖିତ୍ୟପ୍‍ତେଜମରୁଦ୍‍ବ୍ୟୋମ ନାମକ ପଞ୍ଚଭୂତ ଦ୍ଵାରା ତିଆରି ହୋଇ ନାହିଁ । ସେ ଏକ ସଂଶୋଧନ ପ୍ରସ୍ତାବ ଆଗତ କରନ୍ତି । ତାହା ହେଉଛି : “ଡିଟୋ, ଯୁକ୍ତ ନିଶ ।” ପ୍ରମାଣ-ମଲାପରେ ପଞ୍ଚଭୂତ ସଙ୍ଗେ ନିଶ ମଧ୍ୟ ଅନ୍ତର୍ହିତ ହୁଏ । ନିଶ ସମସ୍ତଙ୍କର ଅଛି କାହାର ଦେଖାଯାଏ, କାହାର ନାହିଁ । ଠିକ୍ ଯେପରି ଚାର୍ବାକ୍ କହିଛନ୍ତି ପୋଡ଼ି ହୋଇ ଗଲାପରେ ଆଉ ଏହି ଭୂତମାନଙ୍କର ଦେଖା ଦର୍ଶନ ମିଳେ ନାହିଁ, ପ୍ରସ୍ତାବିତ ସଂଶୋଧନ ଅନୁଯାୟୀ, “ଭସ୍ମ ଭୂତସ୍ୟ ନିଶସ୍ୟ ପୁନରାଗମନଂ କୁତଃ ?”

 

ତେବେ ଦେହରେ ଏତେ ଅଙ୍ଗପ୍ରତ୍ୟଙ୍ଗ ଥାଉଁ ଥାଉଁ ଖାଲି ନିଶ କାହିଁକି ? ସମୁଦାୟ ଦେହ ସଙ୍ଗେ କ’ଣ ନିଶ ଯାଉନାହିଁ ? ଡକ୍ଟର ନାୟାର୍ କହିଲେ, ଦେହ କଥା ଅଲଗା, ନିଶ କଥା ଅଲଗା । ଏଥି ସଙ୍ଗେ ବିଭିନ୍ନ ବିଷୟବସ୍ତୁକୁ ମିଶାଇ ପକାଇଲେ ପ୍ରଶ୍ନକର୍ତ୍ତାଙ୍କର ମଥା ଗଣ୍ଡଗୋଳ ହେବାର ସମ୍ଭାବନା ମଧ୍ୟ ସେ ଦେଖାଇ ଦେଇଥିଲେ । ନିଶ ଅନ୍ୟାନ୍ୟ ପ୍ରତ୍ୟଙ୍ଗଠାରୁ ଭିନ୍ନ । ଏହାକୁ ସମୂଳେ କାଟି ଉଡ଼ାଇ ଦେଲେ ବି ଦେହର କିଛି ଉଲ୍ଲେଖ ଯୋଗ୍ୟ ହାନି ହେବ ନାହିଁ । ପୁନଶ୍ଚ, ବାହାରୁ ଆଣି ଏହାକୁ କ୍ଷଣସ୍ଥାୟୀ ବନ୍ଦୋବସ୍ତରେ କୌଣସି ଦତ୍ତ ଶରୀରରେ ରୋପଣ କରାଯାଇ ପାରିବ–ଯଥା : ମହିଳା କଲେଜ ଅଭିନୀତ କୌଣସି ପୂର୍ଣ୍ଣାଙ୍ଗ ଐତିହାସିକ ନାଟକ ।

 

ଯଦିଓ ଏହି ଉଦାହରଣରୁ କେହି ଯେପରି ଅନୁମାନ ନ କରେ ଯେ ସ୍ତ୍ରୀମାନଙ୍କର ନିଶ ନାହିଁ । ଏପରି ଏକ ବିପଜ୍ଜନକ ଶେଷ ସିଦ୍ଧାନ୍ତ ନେବା ଆଗରୁ ଥରେ ପରୀକ୍ଷା ବାଞ୍ଛନୀୟ । ଡକ୍ଟର ନାୟାର୍ କହନ୍ତି, ସ୍ତ୍ରୀମାନଙ୍କର ନିଶ ଥାଏ, କିନ୍ତୁ ତାହାକୁ ଦେଖିବା ଭଳି ନିକଟତ୍ଵ ଖୁବ୍ କମ୍ ଲୋକଙ୍କର ଭାଗ୍ୟରେ ଜୁଟେ । ଏଣେ ଯେଉଁ କେତେଜଣ ନିକଟକୁ ଯାଆନ୍ତି ସେମାନଙ୍କ ପକ୍ଷରେ ନିଶ ଅଛି କି ନାହିଁ ଦେଖିବାର ସମୟ ବା ଉତ୍ସାହ ନ ଥାଏ, କାରଣ ସେମାନେ ଭିନ୍ନ ଏକ ଉଦ୍ଦେଶ୍ୟରେ ନିକଟକୁ ଯାଇଥାନ୍ତି । ପ୍ରକୃତରେ କିନ୍ତୁ ସ୍ତ୍ରୀମାନଙ୍କର ବେଶ୍ କିଛି ନିଶ ଅଛି । ଜଣେ ମରାଠୀ କବି ଲେଖିଛନ୍ତି– ଆହା ! ତା’ର ସୁନ୍ଦର ନିଶ ଉପରେ ଲାଗିଥିବା ବିନ୍ଦୁବିନ୍ଦୁ ଝାଳ ପିଇବାକୁ ମୋ ମନ ଛନ ଛନ ହେଉଅଛି ।” ଏ ସମ୍ବନ୍ଧରେ ଏକ କାହାଣୀ ଉଦ୍ଧାର କରି ସେ କହିଲେ– ଥରେ ଏକ ବଡ଼ ହୋଟେଲ୍‍ରେ ଖାଉଁ ଖାଉଁ ଜଣେ ଭଦ୍ରଲୋକ ଲକ୍ଷ୍ୟକଲେ ଯେ ଆଉଜଣେ ଭଦ୍ରଲୋକ ତାହାଙ୍କୁ ଦୂରସ୍ଥ ଏକ ଟେବୁଲ୍ ଆରପଟୁ ଅତି ମନୋନିବେଶ ସହକାରେ ଅନେଇ ରହିଛନ୍ତି । ଶେଷରେ ପ୍ରଥମୋକ୍ତ ଭଦ୍ରବ୍ୟକ୍ତି ଶେଷୋକ୍ତ ଭଦ୍ରବ୍ୟକ୍ତିଙ୍କୁ ଯାଇଁ ପ୍ରଶ୍ନକଲେ– “କ’ଣ କଥା କ’ଣ କହନ୍ତୁନି ? ଗତ ଘଣ୍ଟାଏ ଧରି ଲଗାତାର ଆପଣ ମୋ ଆଡ଼କୁ ଏପରି ଅନେଇ ରହିଛନ୍ତି କାହିଁକି ? ଆଗରୁ କୋଉଠି ଆମର ଚିହ୍ନାପରିଚ ହୋଇଚି, ନା ମୋର କୋଉଠି କିଛି ଖସିଖାସି, ଫିଟି ଫାଟି ପଡ଼ିଛି ?” ଉତ୍ତର ମିଳିଲା, ଯଥେଷ୍ଟ କ୍ଷମାପ୍ରାର୍ଥନାର ଭାବଯୁକ୍ତ – “ନା । କହିବ ? କଥା କ’ଣ କି, ଖାଲି ନିଶକୁ ବାଦ୍ ଦେଲେ ଆପଣ ଠିକ୍ ମୋ ସ୍ତ୍ରୀ ପରି ଦେଖିବାକୁ ।” ‘ନିଶ’ ? – ପ୍ରଥମୋକ୍ତ ଆଶ୍ଚର୍ଯ୍ୟ ହୁଅନ୍ତି, “ନିଶ ତ ମୋର ନାହିଁ !” ‘ଆହା, କିନ୍ତୁ ମୋ ସ୍ତ୍ରୀର ତ ଅଛି”, କହିଲେ ଦ୍ଵିତୀୟ ।

 

ଏବଂ ଡକ୍ଟର ନାୟାରଙ୍କର୍ ନିଶ ପ୍ରତି ଆଗ୍ରହ କେବଳ ଜଣେ ନାରୀଙ୍କର ଅନୁପ୍ରେରଣା ଫଳରେ ସମ୍ଭବ ହୋଇଛି । ସେହି ମହିୟସୀ ମହିଳା ହେଲେ ଡକ୍ଟର ନାୟାର୍‍ଙ୍କର ସ୍ତ୍ରୀ । ସ୍ତ୍ରୀମାନେ କେତେ କେତେ ବଡ଼ ବଡ଼ କାମରେ ପୁରୁଷଙ୍କୁ ଉତ୍ସାହିତ କରିଛନ୍ତି । ସେମାନଙ୍କର ଉତ୍ସାହ ଦାନ ଫଳରେ ବଡ଼ ବଡ଼ ସାହିତ୍ୟ, ଚିତ୍ରକଳା, ସଙ୍ଗୀତ, ବୈଜ୍ଞାନିକ ଆବିଷ୍କାର, ଏପରିକି ଯୁଦ୍ଧ ଓ ତହିଁରେ ଜୟ ପରାଜୟ ମଧ୍ୟ ହୋଇଛି । ଏ କ୍ଷେତ୍ରରେ ଏହି ପ୍ରେରଣା ଫଳରେ ଡକ୍ଟର ନାୟାର୍‍ଙ୍କର ତତ୍‍ପୂର୍ବରୁ – ନିଶହୀନ ଶରୀର ନିଶଯୁକ୍ତ ହୋଇଛି, ତତ୍‍ପୂର୍ବରୁ – ନିଶହୀନ ଭାବନାସ୍ତର ନିଶମୟ ହୋଇଛି ।

 

ସମୁଦାୟ କଥାଟି ଏକ ସିନେମାରୁ ଆରମ୍ଭ ହେଲା । ଅର୍ଥାତ୍ ଏକ ସିନେମା ଗୃହରୁ ଡକ୍ଟର ନାୟାର୍ ଓ ଶ୍ରୀମତୀ ନାୟାର୍ ବାହାରି ଆସିଲା ପରେ ଶ୍ରୀମତୀଙ୍କର ମୁଖଗାମ୍ଭୀର୍ଯ୍ୟ ବଢ଼ି ଯାଇଥିବା ପ୍ରଥମ ଲକ୍ଷିତ ହେଲା । ସମୟମତେ ଡକ୍ଟର ନାୟାର୍ କାରଣ ଜିଜ୍ଞାସା କଲେ । ଏହା କ’ଣ ସମ୍ଭବ ଯେ ଶ୍ରୀମତୀଙ୍କ ମତରେ ନାୟକ ଓ ନାୟିକାଙ୍କର ବିବାହ ହେବା ଉଚିତ ନ ଥିଲା ? କିମ୍ବା ନାୟିକା ଅକାରଣେ ବେଶି ସୁନ୍ଦରୀ ଥିଲା ବୋଲି କିଛି ମନ ଖରାପ ହୋଇଛି, ଅବା ନାୟକ ଆଶାନୁରୂପ ନିଷ୍ଠୁର ନୁହେଁ– ଇତ୍ୟାଦି ଇତ୍ୟାଦି ନାନା ପ୍ରଶ୍ନର ନେତିବାଦୀ ଉତ୍ତର ଶୁଣିବା ପରେ ଅସଲ କଥାଟି ପ୍ରକଟ ହେଲା । ଜଣାଗଲା ଯେ ନାୟକର ଯେଉଁ ଚମତ୍କାର ନିଶ ହଳକ ଥିଲା, ତାହାର ଅଭାବ ଡକ୍ଟର ନାୟାର୍‍ଙ୍କ ମୁଖମଣ୍ଡଳରେ ଅତି ସ୍ପଷ୍ଟ ଏବଂ ଏହା ଶ୍ରୀମତୀ ନାୟାର୍‍ଙ୍କ ମନରେ ଗଭୀର ରେଖାପାତ କରିଅଛି । ପରେ ପରେ ଶ୍ରୀମତୀ ଜଣାଇଲେ ଯେ ଡକ୍‍ଟର ନାୟାର୍‍ଙ୍କର ଅନ୍ୟଥା– ସୁନ୍ଦର ମୁଖମଣ୍ଡଳ ତୁଳନାରେ ଆଲୋଚ୍ୟ ନାୟକ ଅତି ନଗଣ୍ୟ ଥିଲା । କ୍ରମେ ଏହା ମଧ୍ୟ ପ୍ରକଟ ହେଲା ଯେ ତାହାଙ୍କର ସ୍ଵାମୀ ନିଶଶୋଭିତ ହୋଇଥିବେ, ଏପରି ଏକ କଳ୍ପନା ପିଲାଦିନୁଁ ଶ୍ରୀମତୀ ନାୟାର୍ ଭରଣ-ପୋଷଣ କରି ରଖିଥିଲେ ଏବଂ ବିବାହ ପରେ ଯେତେବେଳେ ସେ ଡକ୍‍ଟର ନାୟାର୍‍ଙ୍କଠାରେ ନିଶର ଅଭାବ ଲକ୍ଷ୍ୟ କଲେ, ସେ ଆଶା କରିଥିଲେ ଯେ, ସ୍ଵାମୀ ମଣ ହୋଇଯିବାପରେ ସେ ଯଥାବିଧି ଏହି ପରିବର୍ତ୍ତନ ଅଣାଇ ନେବେ ।

 

ବିବାହିତ ପୁରୁଷ ମାତ୍ରେ ଜାଣନ୍ତି ଯେ, ଆପଣା ସ୍ତ୍ରୀ ଆଗରେ ହିରୋ ବନି ରହିବା ଏକ କାଠିକର ପାଠ । ଯେଉଁମାନେ ସ୍ଵାମୀ ନୁହନ୍ତି ସେମାନେ ନିରାପଦ ଦୂରତ୍ଵ ହେତୁ ହିରୋ ହେବାର ସମ୍ଭାବନା ଅଧିକ ରଖିଥାନ୍ତି, କାରଣ କେବଳ ସେମାନଙ୍କର ଶ୍ରେଷ୍ଠ ଅବସ୍ଥାହିଁ ସ୍ତ୍ରୀଙ୍କର ଦୃଷ୍ଟିଗୋଚର ହୁଏ । ଏଣେ ଜଣକୁ ସମସ୍ତ ପ୍ରକାର ପରିସ୍ଥିତିରେ ଅତି ନିକଟକୁ ନିରୀକ୍ଷଣ କଲାପରେ ଏହି ଆଶା ବିଡ଼ମ୍ବନା ମାତ୍ର । ସ୍ଵାମୀମାନେ ଜାଣନ୍ତି ଯେ, ସେମାନେ ଗେଞ୍ଜି ପିନ୍ଧା ଅବସ୍ଥାରେ ବା ଖାଲି ଦେହରେ ଘୁଙ୍ଗୁଡ଼ି ମାରୁଥିଲାବେଳେ, ରୋଗବଇରାଗ, ବିଶେଷତଃ ଡିସେଣ୍ଟ୍ରି ଆଦି ଅ – ରୋମାଣ୍ଟିକ୍ ରୋଗରେ ଭୋଗୁଥିଲାବେଳେ ସ୍ତ୍ରୀ ଅତି ନିକଟରୁ ତାଙ୍କୁ ଦେଖିବାର ସୁଯୋଗ ପାଏ । ସିନେମାନାୟକକୁ କେବଳ ଫୁଲବଗିଚା ଭିତରେ ଚାନ୍ଦିନୀରାତିରେ ବା ତୁଳନୀୟ ପୂର୍ବପରିକଳ୍ପିତ ଅବସ୍ଥାରେ ସେ ଦେଖେ । ଦୂରସ୍ଥ କୌଣସି ଭଦ୍ରବ୍ୟକ୍ତି ମଧ୍ୟ ଠିକ୍ ଏହି ସୁବିଧାର ଅଧିକାରୀ । ଯୋଗୀଋଷିଙ୍କ କଥା ପଡ଼ି ନାହିଁ । ଜଣେ ସାଧାରଣ ମନୁଷ୍ୟ, ଯେପରିକି ଡକ୍‍ଟର ନାୟାର୍, ଆନ୍ତରିକ ଇଚ୍ଛାସତ୍ତ୍ଵେ, ଏକ ଆଦର୍ଶପୁରୁଷ, ବା ମେରେ – ମେହେବୁବ୍ – ମେଁ– କ୍ୟା – ନହିଁ ହୋଇ ରହିପାରିବା ଅସମ୍ଭବ । ଏଣୁ ନିଶହଳେ ରଖିବା ବା କିବା କଥା, ଯେବେ ସେ କହିସାରିଲେଣି ମୁହଁ ଖୋଲି ? ଠିକ୍ ତାହାହିଁ ଡକ୍‍ଟର ନାୟାର୍ କହିଲେ । ‘ଠିକ୍ ଅଛି’, ସେ କହିଲେ ।

 

ତା’ ପରେ ଏକ ଅଧମାସ ବ୍ୟାପୀ ଯୋଜନା ଆରମ୍ଭ ହେଲା । ପ୍ରଥମ ଚାରିଦିନ ଲୋକମତ – ସଂଗ୍ରହ – କାର୍ଯ୍ୟକ୍ରମ । ଡକ୍‍ଟର ନାୟାର୍‍ଙ୍କର ଯେତେ ଅନ୍ତରଙ୍ଗ ବନ୍ଧୁ, ସମସ୍ତଙ୍କୁ ନିଶ ସମ୍ବନ୍ଧରେ ମତାମତ ପଚରାଗଲା । ନିଶ ଜିନିଷଟା କିପରି ? ପୁଣି ଡକ୍‍ଟର ନାୟାର୍‍ଙ୍କ ମୁହଁରେ ନିଶ ହଳେ କିପରି ଦେଖାଯିବ ବୋଲି ଅନୁମାନ ? କି କି ପ୍ରକାର ନିଶ ଡକ୍‍ଟର ନାୟାର୍‍ ଚେଷ୍ଟାକରି ଦେଖିବେ ? ଏହି ସବୁ ମୌଳିକ ପ୍ରଶ୍ନ ବିଚାର କରିବାକୁ ପ୍ରତିଦିନ ଲଞ୍ଚ୍‍ ଘରେ ସେମାନେ ମିଳିତ ହେଲେ । ଏହି ମିଳନ, ଯେହେତୁ ତାହା ଦିଲ୍ଲୀରେ ଏକ ସ୍ଥାନରେ ବସୁଥିଲା, ଏବଂ ଡକ୍‍ଟର ନାୟାର୍‍ଙ୍କର ବନ୍ଧୁମାନେ ଭାରତର ବିଭିନ୍ନ ରାଜ୍ୟରୁ ଆସିଥିଲେ, ଅପାତତଃ ‘ଅଖିଳ ଭାରତୀୟ ନିଶ ମହା ସେମିନାର୍’ ହିସାବରେ ନିଆଯାଇପାରେ ।

 

ପ୍ରାଥମିକ ବିଚାରରୁ ଜଣାଗଲା ଯେ, କେବଳ ଚଢ଼େଇ ଏବଂ କେତେକ ନିମ୍ନସ୍ଥ ପ୍ରାଣୀଙ୍କୁ ବାଦ୍ ଦେଲେ ନିଶ ସର୍ବତ୍ର ବିଦ୍ୟମାନ । କିନ୍ତୁ ସେମିନାର୍ ଆଶ୍ଚର୍ଯ୍ୟ ସହ ରେକର୍ଡ଼ କଲେ ଯେ, ଏହି ଈଶ୍ଵରପ୍ରଦତ୍ତ ବିଭାବଟି ରହିଥିଲେ ମନୁଷ୍ୟ ଗୁଣ୍ଡାପରି ଦେଖାଯାଏ ବୋଲି ସମାଜରେ ବିଶ୍ଵାସ ରହିଛି ! ତାହାକୁ କ୍ଷୌର କଲେ ଯାଇ ମଣିଷ ଭଦ୍ର ହୋଇପାରିବ (ଖିଅର ହେବା କର୍ମକୁ ‘ଭଦ୍ର’ ହେବା କୁହାଯାଏ ବୋଲି ଓଡ଼ିଶାର ସଭ୍ୟ ଜଣାଇଥିଲେ ।) ତେବେ ଏହା ସେହି ଅଜସ୍ର ପ୍ରଶ୍ନରୁ ଗୋଟାଏ ଯାହାର ଉତ୍ତର ଚିରକାଳ ଅସମାହିତ ରହେ ।

 

ଜଣେ ସଭ୍ୟ କହିଲେ, ଇତିହାସ ବହିରେ ସବୁ ବୀରଙ୍କର ଛବି ଦେଖିଲେ ଜଣାଯିବ ଯେ ପ୍ରତ୍ୟେକଙ୍କର ଅଳ୍ପେ ବହୁତେ ନିଶ ଥିଲା । ଓଡ଼ିଶାର ସଭ୍ୟ ଜଣାଇଲେ ଯେ ତାଙ୍କର ସ୍ଥାନୀୟ ରାଜନୀତିରେ ‘ମୋ ନିଶ’ ଆନ୍ଦୋଳନ ଏକ ଉଲ୍ଲେଖଯୋଗ୍ୟ ଘଟଣା । ବୀରପ୍ରସ୍ଥ ରାଜସ୍ଥାନରେ ଆଜିସୁଦ୍ଧା କି ସୁନ୍ଦର ସୁନ୍ଥାକରା ନିଶଦାଢ଼ୀ ଏବଂ ତୁଳନୀୟ ନିଶଦାଢ଼ୀ ପଞ୍ଜାବ ଓ ଉତ୍ତର ପ୍ରଦେଶରେ ରହିଥିବା କଥା ଜଣେ ସଭ୍ୟ ଦେଖାଇ କହିଲେ ଯେ ନିଶ ହେଲା ପୌରୁଷର ପ୍ରତୀକ । ଏଠାରେ ଏକ ସଂଶୋଧନ ପ୍ରସ୍ତାବ ଆଗତ କରି ନେପାଳର ସଭ୍ୟ (ଅତିଥି) କହିଥିଲେ ଯେ ଅସରପାର ମଧ୍ୟ ନିଶ ଅଛି । ଓଡ଼ିଶାର ଆଉ ଜଣେ ସଭ୍ୟ ସମର୍ଥନ କରି କହିଲେ ଯେ ଅସରପା ଯେ ବୀର ନୁହେଁ ତାହାର ପ୍ରମାଣ ଏହି ଯେ ସେ କେବଳ କାଣୀବିଲେଇର ବୀରତ୍ଵ ଉଦ୍ରେକ କରେ-। ବିରୋଧ ଦଳ ଦେଖାଇଥିଲେ ଯେ ଗୁର୍ଖାମାନେ ସାହସୀ ଓ ବୀର ବୋଲି ଦ୍ଵିତୀୟ ମହାସାଗରରେ ପ୍ରମାଣିତ ହୋଇଥିଲେହେଁ ଗୁର୍ଖାମାନଙ୍କର ନିଶ ନାହିଁ ବା ପ୍ରାୟ ନାହିଁ, କାରଣ ଯେଉଁ ଦୁଇଚାରିଟା ରୁଢ଼ ତାଙ୍କର ହୁଏ, ତାହା କଇଁଚିକଟା ପାଇଁ ନିଅଣ୍ଟ ।

 

ଜଣେ ସଭ୍ୟ ଦେଖାଇଦେଲେ ଯେ ସଫାସୁତୁରା କ୍ଷୌର ହେବାଟା ଖ୍ରୀଷ୍ଟାନ୍‍ମାନଙ୍କ ଜରିଆରେ ଭାରତରୁ ଆସିଛି । ଏହି ମତର ତୀବ୍ର ସମାଲୋଚନା ହୋଇଥିଲା । ଜଣେ ପୁରାଣର ପଂକ୍ତି ଉଦ୍ଧାର କରି ବୁଝାଇ ଦେଇଥିଲେ ଯେ ବିଷ୍ଣୁ ଅଂଶଜାତ ପୁରୁଷମାନଙ୍କର ନିଶଦାଢ଼ୀ ନାହିଁ, କିନ୍ତୁ ବ୍ରହ୍ମା ଓ ଶିବଙ୍କର ଦାୟାଦମାନଙ୍କର ଏସବୁ ରହିଛି । ଏହାକୁ ‘ଭ୍ରାନ୍ତ ଧାରଣା’ କହି ବିରୋଧ ଦଳର ଏକ ମୁଖପାତ୍ର ଜଣାଇଲେ ଯେ ବିଷ୍ଣୁଙ୍କୁ ନିଶଦାଢ଼ୀହୀନ କରି ଚିତ୍ରଣ କରିବା କେବଳ ଭାରତୀୟମାନଙ୍କ କ୍ରୀତଦାସ ମନୋବୃତ୍ତି ଫଳ । ଠିକ୍ ଯେପରି ଆଧୁନିକ ଯୁଗର ଠାକୁରାଣୀମାନଙ୍କୁ ସ୍ଳିଭସ୍ ବ୍ଳାଉଜ୍ ପିନ୍ଧାଇ ଦିଆ ହେଉଛି, ସେହିପରି ବିଷ୍ଣୁ ଅଂଶର ଦେବତାମାନଙ୍କୁ ନିଶଦାଢ଼ୀହୀନ ହେବା ଉଚିତ ବୋଲି ଏକ ମୂଲତୁବୀ ପ୍ରସ୍ତାବ ଆସିଥିଲା ।

 

ଶ୍ରୀକୃଷ୍ଣ ଯେଉଁ ସମୟରେ ଗୋପାଲୀଳା କରୁଥିଲେ, ସେତେବେଳେ ତାଙ୍କର ବୟସ ନେଇ ଶ୍ରୀରାଧା ଓ ଲଳିତାଙ୍କର ଏକ କଥାବାର୍ତ୍ତା ଉଦ୍ଧାର କରିଥିଲେ ଓଡ଼ିଶାର ଜଣେ ସଭ୍ୟ । ଶ୍ରୀରାଧା ପଚାରୁ ଅଛନ୍ତି– “ବୟସ କେତେ ତାଙ୍କର ଗୋ ଲଳିତେ, ବୟସ କେତେ ତାଙ୍କର ?” (ପ୍ରଶ୍ନଟିକି ଦୁଇଥର କହି କବି ବୟସର ପ୍ରାଧାନ୍ୟ ବଢ଼ାଇବା ସଙ୍ଗେ ସଙ୍ଗେ ଶ୍ରୀରାଧାଙ୍କ ମନର ଜରୁରୀକାଳୀନ ଅବସ୍ଥା ଦେଖାଇଛନ୍ତି ।) ଲଳିତା ଉତ୍ତର ଦେଇଛନ୍ତି “ତୋ ଶ୍ରୁତିତଟକୁ ସରି ହେବେ ପରା, ହୋଇଥିବ ବାର ତେର ।” ଅର୍ଥାତ୍ ଶ୍ରୀକୃଷ୍ଣଙ୍କର ଉଚ୍ଚତାରୁ ତାଙ୍କର ବୟସ ଲଲିତା କଳନା କରିଛନ୍ତି । ଏଠାରେ ମନେରଖିବା ଆବଶ୍ୟକ ଯେ ଯେଉଁ ସ୍ଥାନରେ ଉପରୋକ୍ତ କଥୋପକଥନ ହେଉଅଛି, ତାହାର ଆଖପାଖରେ ଶ୍ରୀକୃଷ୍ଣ ନ ଥିଲେ (କାରଣ ସେ ଥିଲେ ପ୍ରଶ୍ନଟି ତାଙ୍କ ନିଜକୁ ପଚାରିଦେବା ରାଧାଙ୍କ ପକ୍ଷରେ ସହଜତର ଥିଲା ।) ଅତଏବ ସେ ଯେ ପାଖାପାଖି ଠିଆହେଲେ ଶ୍ରୀରାଧାଙ୍କର କାନ ଖାଇବେ, ଏହା ଲଳିତାଙ୍କର ଅନୁମାନ ଏବଂ ବ୍ୟକ୍ତିଗତ ମତ, ଯାହାକି ଠିକ୍ କିମ୍ବା ଭୁଲ୍ ହେବାର ସମ୍ଭାବନା ପ୍ରତ୍ୟେକ ଶତକଡ଼ା ପଚାଶ । ନାହିଁ ଯଦି ତାହା ଠିକ୍ ହୋଇଥାଏ, ଉପସ୍ଥିତ ବିଚାରକମାନଙ୍କ ନିକଟରେ ରାଧାଙ୍କର ଉଚ୍ଚତା ନେଇ ଏପରି କୌଣସି ହିସାବ ନାହିଁ ଯେଉଁଥିରେ କି ଶ୍ରୀକୃଷ୍ଣଙ୍କର ଉଚ୍ଚତା ସ୍ଵାଧୀନଭାବେ କଳନା କରାଯାଇ ପାରନ୍ତା । ଅତଏବ ଏଠାରେ ଲଳିତାଙ୍କର ଅନୁମାନଠାରୁ ସ୍ଵତନ୍ତ୍ରଭାବେ ସେହି ଉଚ୍ଚତା କଳନା କରିବାକୁ ହେବ । ପୁଣି ଦେଖିବାକୁ ହେବ ଉଚ୍ଚତା ଏବଂ ବୟସର ପାରସ୍ପରିକ ସମ୍ପର୍କ । ଏହା କେବଳ ବାଲ୍ୟଚପଳତା । ପିଲାମାନେ ଉଚ୍ଚା ଜାଗାରେ ଠିଆହୋଇ ‘ମୁଁ ତୋଠୁଁ ବଡ଼’ କହିବା ଦୃଷ୍ଟାନ୍ତ ପ୍ରତି ଗୃହର ଦୃଷ୍ଟି ଆକର୍ଷଣ କରି ଓଡ଼ିଶାର ସଭ୍ୟ କହିଲେ, ବୟସ କମ୍ ଅଥଚ ଉଚ୍ଚତା ବେଶି, ଏହାର ଉଦାହରଣ ବିରଳ ନୁହେଁ, ବିଶେଷତଃ ବାର – ତେରବୟସ–ମାନ ମଧ୍ୟରେ । ପୁଣି, ସେ କହିଲେ, ଶ୍ରୀକୃଷ୍ଣ ରାଜପୁତ୍ର । ପ୍ରଚୁର ପୂଷ୍ଟିକର ଖାଦ୍ୟ ସେ ଖାଉଥିଲେ, ଯାହାର ପ୍ରମାଣ ତାହାଙ୍କର ଚୋରି କରି ଖାଉଥିବା ସରଲହୁଣୀର ପରିମାଣରୁ ଅନୁମେୟ, ଯାହାକି ଖାଲି ଆପଣା ଘରୁ ନୁହେଁ, ସାରା ଗୋପରୁ ସଂଗୃହୀତ ହେଉଥିଲା । ପ୍ରଚୁର ଗୋଧନ ଥିବା ନନ୍ଦ ରାଜାଙ୍କର ଦୈନନ୍ଦିନ ନବନୀତର ଆମଦାନୀ ସଙ୍ଗେ ସଙ୍ଗେ ଅନ୍ୟାନ୍ୟ ଗୁଆଳୀମାନଙ୍କର ଅବଦାନ ରହିଛି । ଚୋରି ବ୍ୟତୀତ ତାହାଙ୍କର ଦୈନନ୍ଦିନ ଖୋରାକ ତ ରହିଛି– ପୁତନାର କ୍ଷୀର ସଙ୍ଗେ ପ୍ରାଣ ଶୋଷିବାଟା ଯଦିବା ଭୁଲି ଯାଇପାରନ୍ତି । ଏଥିରୁ ଜଣାପଡ଼ୁଛି ଶ୍ରୀକୃଷ୍ଟ ଏକ ଭୋଜନବିଳାସୀ ବାଳକ । ପୁଣି ସକାଳୁ ସଞ୍ଜଯାକେ ଟୋ’ ଟୋ’ ଗାଈ ଚରେଇ ବୁଲୁଥିବା ବ୍ୟକ୍ତିର ବ୍ୟାୟାମର ଅଭାବ ହେଉ ନ ଥିବ । ଏଣୁ ବୋଧହୁଏ ଶ୍ରୀକୃଷ୍ଣ ସେହିମାନଙ୍କ ମଧ୍ୟରୁ ଜଣେ, ଯାହାର ବୟସ ଅନୁପାତରେ ଉଚ୍ଚତା ବେଶି । ତାହା ଯଦି ହୋଇଥାଏ, ଲଳିତାଙ୍କର ମୂଳ ଅନୁମାନ ‘ବାର-ତେର’ ମଧ୍ୟ ବେଶି ଅର୍ଥାତ୍ ଶ୍ରୀକୃଷ୍ଣଙ୍କର ତତ୍‍କାଳୀନ ମୂଳ ଅନୁମାନ ବୟସ ଏଗାର, ଦଶ ବା ଆହୁରି କମ୍ ହେବା ବିଚିତ୍ର ନୁହେଁ । ସେପରି ସ୍ଥଳେ, ନିଶଥିବା ପ୍ରଶ୍ନ ଉଠୁ ନାହିଁ । ଏତିକି କହି, ପ୍ରଚୁର କରତାଳି ଭିତରେ ଓଡ଼ିଶାର ସଭ୍ୟ ବସିପଡ଼ିଲେ ।

 

ବଙ୍ଗଦେଶର ସଭ୍ୟ ଏହାଙ୍କର ଉକ୍ତ ସମର୍ଥନ କରି କହିଲେ ଯେ, ଶ୍ରୀକୃଷ୍ଣଙ୍କର ନିଶ ନେଇ କିଛି ବର୍ଣ୍ଣନା ବା ଆଲୋଚନା ଯେ ପରବର୍ତ୍ତୀ କାଳରେ ହୋଇନାହିଁ । ଏହାର ସମ୍ଭାବ୍ୟ କାରଣ ହେଉଛି ବର୍ଣ୍ଣନା ବା ଆଲୋଚନା କଲାଭଳି ଅନେକ ବିଷୟବସ୍ତୁ ଏବଂ ମନୁଷ୍ୟ ରହିଥିଲେ । ଶ୍ରୀମଦ୍‍ଭଗଦ୍‍ଗୀତା ପରି ଗ୍ରନ୍ଥରେ ବା ନିଶର ସ୍ଥାନ ଆସିବ କୁଆଡ଼ୁ ? ତଥାପି ବିଶ୍ଵରୂପ ପ୍ରଦର୍ଶନ ସମୟରେ ଅର୍ଜ୍ଜୁନ ଚଉଦବ୍ରହ୍ମାଣ୍ଡର ‘ସବୁକିଛି’ ଦେଖିଥିଲେ । ସବୁକିଛି ମଧ୍ୟରେ ନିଶ ଥିବା ବିଚିତ୍ର ନୁହେଁ, ଯଦି ଏହି ଉକ୍ତିକୁ ସ୍ଵୀକାର କରିବାକୁ ଆମେ ବାଧ୍ୟ ହେବା । ଯା ହେଉ, ଏ ବିଷୟରେ ଆହୁରି ତଥ୍ୟ ସଂଗ୍ରହ ପ୍ରୟୋଜନ ବୋଲି ମହାରାଷ୍ଟ୍ରର ସଭ୍ୟ ଜଣକ ମତ ଦେବାରୁ ଏ ନେଇ ଆଲୋଚନା ଆପାତତଃ ସ୍ଥଗିତ ରହିଲା ।

 

ଶ୍ରୀକୃଷ୍ଣଙ୍କର ନିଶ ଥାଉ ନ ଥାଉ, ଡକ୍ଟର ନାୟାର୍‍ଙ୍କ କଥା କ’ଣ ହେବ ? ସେ କ’ଣ ନିଶ ରଖିବେ, ନା ପୂର୍ବବତ୍ ରହିବେ ? କେତେକ କହିଲେ ଯେ କେବଳ ‘ଭାରୀ’ ମୁହଁରେ ନିଶ ଭଲ ଦେଖାଯାଏ । ଏହି ପ୍ରଶ୍ନ ଉପରେ ଗୃହ ଦ୍ଵିଧା ବିଭକ୍ତ ହେଲା । କେତେକ ମତଦେଲେ ଯେ ଡକ୍ଟର ନାୟାର୍‍ଙ୍କର ମୁଖ ଭାରୀ, ଆଉ କେତେକ ଏହାର ବିପରୀତ ମତ ଦେଲେ । ଶେଷରେ ଏକ ବୁଝାମଣା ହୋଇ ସ୍ତିର ହେଲା ଯେ ଡକ୍ଟର ନାୟାର୍‍ଙ୍କ ମୂଖ ମଝିମଝିଆ ପ୍ରକାରର । ଏଣିକି ତାଙ୍କ ମୁହଁରେ ନିଶ ରହିଲେ ଭଲ ଦେଖାଯିବା କି ନାହିଁ, ଏହି ପ୍ରଶ୍ନ ଉପରେ ବାଦବିବାଦ ଚାଲିଲା । ସ୍ତିର ହେଲା ଯେ, ନିଶ୍ଚୟ ଗୋଟେ ପ୍ରକାରର ନିଶ ପୃଥିବୀରେ ଅଛି, ଯାହାକି ଡକ୍ଟର ନାୟାରଙ୍କ ମୁହଁକୁ ଭଲ ଦିଶିବ । କେହି କହିଲେ ଖଣ୍ଡାଧାର, କେହି ହିଟ୍‍ଲରକଟ୍, କିଏ ପ୍ରଜାପତିଆ ଓ ଡ୍ୟାମ୍‍କେୟାର ମଝିଆମଝି । ଶେଷରେ ସ୍ଥିର ହେଲା ଯେ ଠିକ୍ କେଉଁ ଧରଣର ନିଶ ଡକ୍ଟର ନାୟାର୍‍ଙ୍କୁ ଘେନାଇବା ତାହା ପରୀକ୍ଷାସାପେକ୍ଷ ।

 

ଏହି ପରୀକ୍ଷାର ବିଧିପ୍ରତି ଗୃହର ଦୃଷ୍ଟି ଆକର୍ଷଣ କରି ମାନ୍ଦ୍ରାଜର ସଭ୍ୟ ଜଣକ କହିଲେ ଯେ ପରୀକ୍ଷା ବିଧି ସାବ୍ୟସ୍ତ ନ କରିଦେଲେ ନାନା ଭୁଲ୍ ଭଟକାର ସମ୍ଭାବନା ରହିଛି । ସେ କହିଲେ, ଗୋଟାଏ ଉପାୟ ହେଉଛି ଏକ ନିରାପଦ, ଦ୍ରୁତଧୌତ କଳାରଙ୍ଗ ନେଇ, କେତେକ କୃତ୍ରିମ ପରୀକ୍ଷାମୂଳକ ନିଶ ସୃଷ୍ଟି କରି ତାହାର ଯୋଗ୍ୟତା କ୍ରମାନ୍ଵୟେ ବିଚାର କରିବା/କରାଇବା । ଯେଉଁ ନିଶ ଏ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବ, ପରେ ପରେ ତାହା ବାସ୍ତବ କ୍ଷେତ୍ରରେ ପ୍ରଯୁକ୍ତ ହେବ । ଏହି ବିଧି ଉପରେ ଏକ ସଂଶୋଧନ ପ୍ରସ୍ତାବ ଆଣି ଉତ୍ତର ପ୍ରଦେଶରେ ସଭ୍ୟ କହିଲେ, ଏ କଥା ଅଭିଜ୍ଞତା ସିଦ୍ଧ ଯେ, ପରୀକ୍ଷାବିଧି ଏପରିଭାବରେ ଯୋଜିତ ହେବା ଉଚିତ୍ ଯେଉଁଥିରେ କି ବ୍ୟକ୍ତିଗତ ମତାମତର ସ୍ଥାନ ସର୍ବନିମ୍ନ ରହିବ ଏବଂ ବାସ୍ତବ ମୂଲ୍ୟ ସର୍ବାଧିକ ରହିବ । ସେ ପୁଣି କହିଲେ ଯେ ଏ କ୍ଷେତ୍ରରେ ଡକ୍ଟର ନାୟାର୍ ନିମ୍ନମତେ ଅଗ୍ରସର ହୋଇପାରନ୍ତି । କିଛି ସ୍ପିରିଟ୍ ଗମ୍ ସାହାଯ୍ୟରେ ବିଭିନ୍ନ ରକମର ନିଶ ନାକ ତଳେ ଲଗାଇ ଡକ୍ଟର ନାୟାର୍ ପ୍ରତ୍ୟେକ ନିଶର ପୃଷ୍ଠଭୂମିରେ ନିଜକୁ ରଖି ଆପଣାର ଫଟୋ ଉଠାନ୍ତୁ । ଏହି ଫଟୋସମୂହ ଗୃହ ସମ୍ମୁଖରେ ଉପସ୍ଥାପିତ ହୋଇ ସଂଖାଗରିଷ୍ଠ ଭୋଟ୍ ଗ୍ରହଣ ମାଧ୍ୟମରେ ଏକ ଧରଣର ନିଶ ନିର୍ବାଚିତ ହେଉ । ପରେ ଠିକ୍ ସେହି ଫଟୋଟି ଆପଣା ଭଣ୍ଡାରୀକୁ ଦେଇ ତାହାର ଅନୁକରଣ କରିବାକୁ ଭଣ୍ଡାରୀକୁ ନିର୍ଦ୍ଦେଶ ଦେଲେ, ମୋଟା ମୋଟି ବୈଜ୍ଞାନିକ ପନ୍ଥାରେ ନିଶ ନିର୍ବାଚନ ସଂପୂର୍ଣ୍ଣ ହେଲା ବୋଲି କହିବାକୁ ହେବ । ଏହି ପନ୍ଥା ସର୍ବସମ୍ମତି କ୍ରମେ ଗୃହୀତ ହେଲା ।

 

ତେବେ ଏହାର କାର୍ଯ୍ୟକାରୀତାର ଅନ୍ତର୍ନିହିତ ଅସୁବିଧା କଥା ଡକ୍ଟର ନାୟାର୍ ଆବେଦନ କରିଥିଲେ । ସେ କହିଥିଲେ ଯେ ପ୍ରଥମତଃ ସ୍ପିରିଟ୍ ଗମ୍ ଓ ସଂପୃକ୍ତ ପଦାର୍ଥମାନ ଠିକ୍ କେଉଁ ସ୍ଥାନରେ ମିଳେ ତାହା ସେ ଜାଣନ୍ତି ନାହିଁ । ଏହା ଯଦିବା ପଚରାଓଚରା ପଦ୍ଧତିରେ ଜାଣିହେବ, କିନ୍ତୁ ଜାଣିଲେ ବି ଏଗୁଡ଼ିକ ଲଗାଇ କୌଣସି ଫଟୋ ଷ୍ଟୁଡ଼ିଓରେ ଫଟୋ ଉଠାଇବା ସୁନ୍ଦର ଦେଖାଯିବା ନାହିଁ ବୋଲି ତାଙ୍କର ବ୍ୟକ୍ତିଗତ ଧାରଣା । ଏଣେ ଆପଣା ଘରେ ଏହି ପରୀକ୍ଷାର ଲବରେଟରୀ ସ୍ଥାପନ କରିବା ଯେତେ ସହଜ ମନେହୁଏ, ଏକ ବିବାହିତ ଗୃହସ୍ଥ ପକ୍ଷରେ ପ୍ରକୃତରେ ସେତେ ସହଜ ନୁହେଁ । ପ୍ରଥମ କଥା, ଏହି ପ୍ରସ୍ତାବଟି ଶ୍ରୀମତୀଙ୍କର ସର୍ବାନ୍ତଃକରଣ ସମର୍ଥନ ପାଇବ କି ନାହିଁ ସେ ବିଷୟରେ ସନ୍ଦେହ ରହିଛି । ଦ୍ଵିତୀୟତଃ, ଏ ପ୍ରକାର କାର୍ଯ୍ୟକଳାପ ପିଲାଛୁଆଙ୍କର ହାସ୍ୟୋଦ୍ଦୀପକ ହେବା ମଧ୍ୟ ଅସମ୍ଭବ ନୁହେଁ । ଜଣେ ସଭ୍ୟ ଡକ୍ଟର ନାୟାର୍‍ଙ୍କୁ ସମର୍ଥନ କରି କହିଲେ ଯେ ନିଶ ବ୍ୟାପାରରେ କମ୍ ଅଭିଜ୍ଞତା ହେତୁ ଶ୍ରୀମତୀ ନାୟାରଙ୍କ ପକ୍ଷରେ ଏସବୁ ସୂକ୍ଷ୍ମ ଅସୁବିଧାମାନ ଅନୁଭବ କରିବା କଷ୍ଟକର । ଶ୍ରୀମତୀ ନାୟାର୍‍ଙ୍କ ଦୃଷ୍ଟି କୋଣରୁ ଦେଖିଲେ, ନିଶ ତ ନିଶ, ଏଥିରେ ପୁଣି ଏତେ ପଧିବ କ’ଣ । ଫଳରେ ତାତ୍ତ୍ଵିକ ସମର୍ଥନ ସତ୍ତ୍ୱେ, ଉପଯୁକ୍ତ ପରୀକ୍ଷାବିଧି ବାସ୍ତବତାର ଅନୁମୋଦନ ପାଇଲା ନାହିଁ ।

 

ସ୍ଥିର ହେଲା, ବାସ୍ତବ ରୀତିରେ ହିଁ ଏହାର ପରୀକ୍ଷା ବାଞ୍ଛାନୀୟ । ଅର୍ଥାତ୍ ଡକ୍ଟର ନାୟାର୍ ନିଶ ଛାଡ଼ିବେ ଏବଂ ଲୋକମତ ଅନୁଯାୟୀ ଏହାର ଆକାର ପରିବର୍ତ୍ତିତ ହେଉଥିବ ଯେପର୍ଯ୍ୟନ୍ତ ଏକ ନିର୍ଭରଯୋଗ୍ୟ ଆକାର ତାହା ନ ପାଇଛି । ନିଶମାନଙ୍କ ସକାଶେ, ଲୋକମତ ସଂଗ୍ରହ ସକାଶେ ଏହି ଗୃହ ପୁଣିଥରେ ସାମୂହିକ ବିଚାର କରିବ ଏବଂ ସଭ୍ୟମାନେ ସୁବିଧା ମୂତାବକ ନିଜର ପ୍ରସ୍ତାବମାନ ମୌଖିକ ଭାବରେ ଡକ୍ଟର ନାୟାର୍‍ଙ୍କୁ ଦେଇ ଯାଉଥିବେ ।

 

ପ୍ରଥମ ଅବସ୍ଥାରେ ପ୍ରଚୁର ଇଚ୍ଛାଶକ୍ତି ଦରକାର ହେଲା । ପ୍ରଥମେ ପ୍ରସ୍ତାବିତ ନିଶର ସ୍ଥାନଟି ବାଦ୍ ଦେଇ ବାକୀ ସ୍ଥାନରେ ରେଜର୍ ଚଳାଇବା ସମସ୍ୟା । ପୂର୍ବର, ବହୁବର୍ଷର ଅଭ୍ୟାସ ହେତୁ ହାତ ବାରମ୍ବାର ନାକତଳକୁ ଚାଲିଯିବାର ଭୟ ରହିଛି । ଏଥିଲାଗି ଡକ୍ଟର ନାୟାର୍ ଆପାଣାର ଆରସିରେ ସେଭିଂଷ୍ଟିକ୍ ସାହାଯ୍ୟରେ ‘ନିଶ’ ଲେଖି ଦିଅନ୍ତି କ୍ଷୌର କର୍ମ ପୂର୍ବରୁ । ପୁଣି ଏହି ପ୍ରଥମ ଅବସ୍ଥାରେ, ଯେତେବେଳେ ନିଶ ସଂପୂର୍ଣ୍ଣ ବିକଶିତ ହୋଇନାହିଁ, ପ୍ରଚୁର ଉତ୍ସାହଘାତୀ ମନ୍ତବ୍ୟ ମଧ୍ୟ ଶୁଣିବାକୁ ମିଳିଥିଲା । ଏକ ପ୍ରଶ୍ନର ଉତ୍ତର ଦେଇ ଶ୍ରୀମତୀ ନାୟାର୍ କହିଥିଲେ ସମବେଦନା ଓ ସାନ୍ତ୍ୱାନା ଛଳରେ ଯେ, ବର୍ତ୍ତମାନ ଯେ ଅତି କୁତ୍ସିତ ଦେଖା ଯାଉଅଛି, ସେକଥା ସେ ମୁକ୍ତକଣ୍ଠରେ ସ୍ଵୀକର କରୁଛନ୍ତି, କିନ୍ତୁ ସେ ନିଶ୍ଚିତ ଯେ, ଯେତେବେଳେ ନିଶର ପ୍ରକୃତ ‘ବ୍ୟକ୍ତିତ୍ଵ’ ଫୁଟି ଉଠିବ, ତାହା ଡକ୍‍ଟର ନାୟାର୍‍ଙ୍କର ସୌନ୍ଦର୍ଯ୍ୟ ବୃଦ୍ଧି ଦିଗରେ ଏକ ଉଲ୍ଲେଖଯୋଗ୍ୟ ପଦକ୍ଷେପ ଭାବରେ ପରିଗଣିତ ହୋଇପାରିବ । ଏହି ଉକ୍ତି ଡକ୍ଟର ନାୟାର୍‍ଙ୍କ ମନରେ ଆଶାର ଆଲୋକ ସଞ୍ଚାର କରେ । ଶ୍ରୀମତୀ ନାୟାର୍ ପୁଣି କହନ୍ତି, ନିଶ ଏକ ସମୟସାପେକ୍ଷ ପ୍ରକ୍ରିୟା; ଠିକ୍ ଯେପରି ଯେକୌଣସି ଭଲ ଫଳ ପାଇବାକୁ ହେଲେ ଧୈର୍ଯ୍ୟର ପ୍ରୟୋଜନ, ଏଠାରେ ମଧ୍ୟ ସେହିପରି । ଏ ସମ୍ପର୍କରେ ତାଙ୍କର ପ୍ରାକ୍‍ବିବାହ ଜୀବନର ଏକ ଘଟଣା ଉଦ୍ଧାରକରି ସେ କହିଲେ ଯେ ନିଶ କିପରି କଷ୍ଟସାଧ୍ୟ ତାହା ସେ ଆପଣା ସାନ ଭାଇଠାରେ ଦେଖିଛନ୍ତି । ସେ ଆରସି ପାଖରେ ବସି ନିଶ ଚର୍ଚ୍ଚା କରୁଥିବ ଏବଂ ଗଲାଅଇଲା ଲୋକଙ୍କୁ ପଚାରୁଥିବ ଠିକ୍ ହେଲା କି ନାହିଁ-। ଡକ୍ଟର ନାୟାର୍ ତାଙ୍କର ଓଡ଼ିଆ ବନ୍ଧୁଙ୍କର ଭକ୍ତି ଉଦ୍ଧାରକରି କହିଲେ ଯେ ନିଶ ଅଳସୁଆମାନଙ୍କ ପାଇଁ ନୁହେଁ । ସେ କହିଲେ, ‘ପ୍ରିୟେ, ତମେ ଜାଣିଛ କି ନାହିଁ କେଜାଣି, ଆମର ଏହି ଦେଶ ଭାରତବର୍ଷରେ, ରାଜଧାନୀ ଦିଲ୍ଲୀ ଏବଂ ଏକ ରାଜ୍ୟ ଅଛି । ସେଠି ଏକ ପ୍ରବଚନ ଚଳେ, ଯାହାର ସହର ମାଲାୟାଲାମ୍ ଅନୁବାଦ ହେଉଛି । ହାତ ଅଳସୁଆ ହେଲେ ନିଶ ବଙ୍କା ହୁଏ, ଯାହାକି ସେଦିନ ମୋର ସହକର୍ମୀ ଶ୍ରୀ ମହାପାତ୍ର ମୋତେ କହିଥିଲେ ।” ନିଶ ଯେ କେବଳ ମନୋବଳ ଲୋଡ଼େ ନାହିଁ, ପ୍ରଚୁର ପେଶୀୟ ଶ୍ରମ ମଧ୍ୟ ଲୋଡ଼େ, ତାହା ପ୍ରବଚନରୁ ଅନୁମେୟ ।

 

କିନ୍ତୁ ଏହି ଅର୍ଦ୍ଧ ବିକଶିତ ନିଶ କେବଳ ଶ୍ରୀମତୀ ନାୟାରଙ୍କୁ ବାଦ୍ ଦେଲେ ଆଉ କାହାରି ସହାନୁଭୂତି ହାସଲ କରିପାରି ନ ଥିଲା । ନିଶ ଉପରେ ସବୁରକର୍ମ ପରୀକ୍ଷା ଏକ ପ୍ରାକ୍ ବିଶ୍ଵବିଦ୍ୟାଳୟରେ ଶିକ୍ଷାର୍ଥୀ ଅତି ସହଜରେ, ବିନା ମନ୍ତବ୍ୟରେ କରିପାରେ । କିନ୍ତୁ ଏକ ସମ୍ମାନିତ ସରକାରୀ ଅଫିସର ପକ୍ଷରେ ନାନା ଅସୁବିଧା ରହିଛି ବୋଲି ‘ଠିକ୍ ଅଛି’ କହିଲାବେଳେ ଡକ୍ଟର ନାୟାର୍ ଅନୁମାନ କରି ପାରି ନ ଥିଲେ । ଅବଶ୍ୟ କଟୁମନ୍ତବ୍ୟ କିଛି ନୁହେଁ । ଯେକୌଣସି କଟୁକ୍ତିକୁ ମନୁଷ୍ୟ ମନୋବଳ ସାହାଯ୍ୟରେ ହଜମ୍ କରିପାରେ । ଜଣେ ସହକର୍ମୀଙ୍କୁ ‘ଦାବନ୍’ ଦେଇ ଡକ୍ଟର ନାୟାର୍ କହିଥିଲେ, ଏଠିକାର ଅଧିକାର । ଏଠି ପ୍ରତ୍ୟେକଙ୍କର ନିଶ ରଖିବାର ହକ୍ ଅତୁଟ, ଅହସ୍ତକ୍ଷେପିତ । ତମେ ତା କରିସାରିଛ, ମୁଁ କରୁଛି । ଫରକ ଏତିକି । ତମେ ବିଗିଡ଼ି ଯାଉଛି କିଆଁ-?” ଏଥିରେ ସହକର୍ମୀ କେବଳ ଚୁପ୍ ହୋଇଗଲେ ନାହିଁ, “ମୁଁ ତୁଚ୍ଛା ଟାପରା କରୁଥିଲି ଡକ୍ଟର ସା’ବ୍, ଆପଣ ଭିନ୍ନ ରକମ ଭାବିଥିଲେ ମୁଁ ଦୁଃଖିତ ଏବଂ କ୍ଷମା ଚାହୁଁଛି ଇତ୍ୟାଦି କହି ସାକୁଲେଇ ହୋଇଥିଲେ । ସରକାରୀ ଚାକିରିଆଙ୍କୁ ସଂବିଧାନ ଦେଖାଇଲେ ସେ ମୁହଁମାଡ଼ି ପଡ଼ିବେ ।

 

ବାସ୍ତବ ଅସୁବିଧା ଘଟିଲା କେବଳ ସାମନା ଫାଟକ ପାଖରେ, ଯେଉଁଠାରେ କି ପରିଚୟପତ୍ରମାନ ଯାଞ୍ଚ୍‍ ହୁଏ । ଏଠି ନୂଆ ହୋଇ ବଦଳ ହୋଇ ଆସିଥିବ । ଏକ ସିକ୍ୟୁରିଟି ଗାର୍ଡ ସବୁ ଅସୁବିଧାର ମୂଳ । ଏ ବ୍ୟକ୍ତି ନିଶ – ବିକାଶର ଏପରି ଏକ ସ୍ତରରେ ଆସି କର୍ମରେ ବାହାଲ୍ ହେଲା, ଯେତେବେଳେ କି ଇତିହାସ ଆଗେଇ ଯାଇଛି । ସେ ଡକ୍ଟର ନାୟର୍‍ଙ୍କର ପରିଚୟପତ୍ର ମାଗିଲା କିନ୍ତୁ ଡକ୍ଟର ନାୟାର୍ ଯେ ତାହା ମଧ୍ୟସ୍ଥିତ ଫଟୋର ଅସଲ ମନୁଷ୍ୟ, ତାହା ବିଶ୍ଵାସ କଲାନାହିଁ । ସେ କହିଲା ଯେ ଏହି ପରିଚୟପତ୍ରରେ ଡକ୍ଟର ନାୟାରଙ୍କର ଚିହ୍ନ ଲେଖାଅଛି, ଠିକ୍ ନାକର ବାଁ କଡ଼ ପୂଡ଼ା ତଳେ ଏକ କଳାଯାଇ । କେବଳ ସିକ୍ୟୁରିଟି ଅଫିସର୍ ଆସି ହସ୍ତକ୍ଷେପ କରିବାରୁ ସେଦିନ ଏହି ଲଜ୍ଜାକର ପରିସ୍ଥିତିରୁ ମୁକ୍ତି ମିଳିଲା । ଏହି ଘଟଣା ଶିକ୍ଷା ବିଭାଗର ଅନେକ ଈର୍ଷାନ୍ଵିତ ସହକର୍ମୀଙ୍କ ମଧ୍ୟରେ ଏକ ହସକଥା ହୋଇ ବହୁଦିନ ରହିଥିଲା ଏବଂ ସେକଥା ସେମାନେ ଡକ୍ଟର ନାୟାର୍‍ଙ୍କଠାରୁ ଗୋପନ ରଖି ନ ଥିଲା । ଦୁଇ ଚାରିଥର ଏପରି ଘଟଣା ଅନ୍ୟାନ୍ୟ ସ୍ଥାନରେ ଘଟିବାପରେ ନିଜର ପରିଚୟପତ୍ରସ୍ଥିତି ଫଟୋଟା ଆଧୁନିକ ଅବସ୍ଥା ମୁତାବକ କରାଇବାକୁ ଡକ୍ଟର ନାୟାର୍ ଆବେଦନ କଲେ ।

 

କିନ୍ତୁ ଆପଣାର ପୂର୍ବ ଅଭିଜ୍ଞତା ଉପରେ ଆସ୍ଥାବାନ୍ ପୃଥିବୀରେ ଏପରି କେତେକ ମନୁଷ୍ୟ ଅଛନ୍ତି ଯେଉଁମାନେ କି ପରିବର୍ତ୍ତନକୁ ସହଜରେ ସ୍ଵୀକାର କରିପାରନ୍ତି ନାହିଁ । ନିଜର ଏକ ଅନ୍ତରଙ୍ଗ ବନ୍ଧୁକୁ ହଠାତ୍ ବହୁଦିନ ପରେ ସମାନ ବସ୍‍ରେ ଯାଉଥିବାର ଆବିଷ୍କାର କରି ଡକ୍‍ଟର ନାୟାର୍ ଠିକ୍ ଏହିପରି ଏକ ବ୍ୟକ୍ତିର ହାବୁଡ଼ରେ ପଡ଼ିଲେ । ଡକ୍‍ଟର ନାୟାର୍ ଡାକିଲେ, କିନ୍ତୁ ସେ ବୋକାଙ୍କ ପରି ଆଖି ମିଟି ମିଟି କରିବାରେ ଲାଗିଲା । ଡକ୍‍ଟର ନାୟାର୍ ଆଗେଇ ଗଲେ । ଶେଷୋକ୍ତ ବ୍ୟକ୍ତିର କାନ୍ଧରେ ସଜୋରେ ହାତ ବାଡ଼େଇ କହିଲେ ‘ମୁଁ ଶଙ୍କରନ୍‍କୁଟ୍ଟି ।’ ବନ୍ଧୁ ତଥାପି ଆଖି ମିଟି ମିଟି କରୁଥାନ୍ତି । ଡକ୍‍ଟର ନାୟାର୍ ବସ୍‍ର ଅନ୍ୟମାନଙ୍କୁ ଚମକାଇ ବଡ଼ ପାଟିରେ କହିଲେ ‘ଆରେ ମୋର ଶଳାଟି ଆବେ ଆର୍ଥର୍, ତୁ ମତେ ଚିହ୍ନି ପାରୁନୁ, ତୋର ଏଡ଼େ ଉଗୁରି ହଇରେ ? ଆର୍ଥର୍ ଉଇଲିଅମ୍‍ସ୍ ବଡ଼ କାକୁସ୍ତ ଭାବେ ଉଠି କରମର୍ଦ୍ଦନ କଲେ । ସେ କହିଲେ, ‘ଶଙ୍କରନ୍ ଉତ୍ତର ଭାରତକୁ ଆସି ତୁ ଏତେ ବଦଳି ଯାଇଛୁ ଯେ ମୁଁ ଚିହ୍ନି ପାରିଲିନି । “କହତ କି କି ପରିବର୍ତ୍ତନ ହୋଇଛି ?” ପଚାରିଲେ ଡକ୍ଟର ନାୟାର୍ । ଆର୍ଥର୍ ଉଇଲିଅମ୍‍ସ୍ କିଛିକ୍ଷଣ ଭାବିଲେ । ପରେ କହିଲେ, “ତୋର ବର୍ଣ୍ଣ, ନା ନା, ସ୍ୱାସ୍ଥ୍ୟ, ନା ନା, ହଁ ନିଶ !” ‘କରେକ୍‍ଟ୍ ! !’ ଡକ୍ଟର ନାୟାର୍ ବଧେଇ ଦେଲେ ।

 

ଆର୍ଥର ଉଇଲିୟମ୍‍ସ୍ ଚିହ୍ନିଲେ । ବାକୀମାନେ ତାହା ବି କଲେନାହିଁ । କୌଣସି ବନ୍ଧୁଙ୍କୁ ହାତ ହଲେଇ ଡାକିଲେ ସେ ଉତ୍ତର ଦିଅନ୍ତି ନାହିଁ । ଥରେ ଜଣେ ପରିଚିତା ଭଦ୍ରମହିଳାଙ୍କୁ ଚାହିଁ ଡକ୍ଟର ନାୟାର୍ ହସିଥିଲେ – ଯାହା ଫଳରେ ମହିଳାଟି ରାଗିଯାଇ ଏପରି ଏକ ଦୃଷ୍ଟି ତାଙ୍କ ଉପରକୁ ନିକ୍ଷେପ କଲେ ଯାହା ପୁରାକାଳରେ ସତୀମାନେ ସ୍ଵାମୀଙ୍କ ଅନୁପସ୍ଥିତିରେ ଅନଧିକାର ପ୍ରବେଶକାରୀ ଲମ୍ପଟମାନଙ୍କୁ ଦେଉଥିବେ ଏବଂ ଆଜିକାଲି ଠାଏ ଠାଏ ପୌରାଣିକ ଚଳଚ୍ଚିତ୍ରରେ ଦେଖିବାକୁ ମିଳେ । ତାଙ୍କ ପାଖକୁ ଯାଇ ଆପଣାର ପରିଚୟ ଦେବା ପୂର୍ବରୁ ପାଖ ଆଖର ଲୋକମାନେ ମାତି ଯିବେ ଏବଂ ତାଙ୍କ ଉପରେ ନିସ୍ତୁକ ମାଡ଼ ଚଢ଼େଇଇବେ, ଏହି ଭୟରେ ଡକ୍ଟର ନାୟାର୍ ମୁହଁପୋତି ବାଟ ଦେଖିଲା ।

 

ଅସୁବିଧା ଅଧିକ ହୁଏ ଯେତେବେଳେ ନିଶ ଅଛି ବୋଲି ମନେ ନ ଥାଏ ଏବଂ ଡକ୍ଟର ନାୟାର୍ କିଛି କୁଆଡ଼ୁ ନ ହୋଇଥିବା ପରି ଆପଣା କାମ କରି ଯାଉଥାନ୍ତି । ଯାହା ହେଲା ଅନ୍ୟ ଏକ ଅଫିସ୍‍ରୁ ଜରୁରୀ କାଗଜପତ୍ର ଧରି ଆଲୋଚନା କରିବାକୁ ଆସିଥିବା ଜଣେ ଅଫିସର୍‍ଙ୍କ ବେଳକୁ । ସେ ଡକ୍ଟର ନାୟାର୍‍ଙ୍କୁ ଫୋନ୍ କରି, ସମୟ ପୂର୍ବରୁ ନିର୍ଦ୍ଧାରିତକରି ଆସିଥିଲେ । ପଶି ଆସିଲାମାତ୍ରେ ‘ମୁଁ ଦୁଃଖିତ’ କହି ସେ ଚାଲିଗଲେ । ଘଣ୍ଟାକ ପରେ ଟେଲିଫୋନ୍ ଯୋଗେ ଡକ୍ଟର ନାୟାର୍‍ଙ୍କୁ ନାନାପ୍ରକାର କଥା ଶୁଣିବାକୁ ପଡ଼ିଲା । ଡକ୍ଟର ନାୟାର୍ କହିଲେ “ମୁଁ ଥିଲି” ସମ୍ପୃକ୍ତ ଅଫିସର କହିଲେ “ମୁଁ ଭଲ ରକମ ଦେଖିଛି, ଆଉ କିଏ” । “ନା, ମୁଁ” । ଡକ୍ଟର ନାୟାର୍ ଜିଦ୍‍କଲେ ମୁଁ – ମୁଁ – କିନ୍ତୁ ମୁଁ ନିଶ ରଖିଛି । ନିଶ-ହ୍ୟାଲୋ-ନିଶ-ୟେମ୍ ଫର୍ ମାଡ୍ରାସ୍, ୟୁଫର୍ ଉସ୍‍ମାନିଆ, ୟେସ୍‍ଫର୍ ସୀମାଚଲମ୍ ... ନିଶ ।”

 

ଅଖିଳଭାରତ ନିଶ ମହାସେମିନାର୍ ତରଫରୁ ମଧ୍ୟ ଆଲୋଚନା ସମାଲୋଚନା ଏବଂ କଟୁ-ତିକ୍ତ-କ୍ଷାର -ରୁଷ ମନ୍ତବ୍ୟ ମିଳେ । ଆଜି ‘ସରୁକର’ ବୋଲି କୁହାଗଲା, କାଲି, ରାୟ ହେଲା ମୋଟା-ଗଲା ଫେର୍ ସପ୍ତାହେ । କିଏ କହୁଛି ‘ସ୍ଵିଧାକର’, କିଏ କହୁଛି ଏଇଠି ଏଇ ଜାଗାରେ ଟିକିଏ ବଙ୍କାକର ଦେଖିବା କେମିତି ଦଶୁଚି, ସମବେତ ବିଚାର ଛଡ଼ା ଜଣେ ଜଣେ ଆସନ୍ତି । ଅମୁକ ଆପଣଙ୍କୁ ଦେଖି ପାରେନାହିଁ, ଏଣୁନିଶର/ଆପଣଙ୍କର ନିନ୍ଦୁକ ଏବଂ ନିଶ ଉପରେ ଆପଣଙ୍କର ହାଲି ଆଗ୍ରହ ନେଇ ସେ ଅପପ୍ରଚାର ଚଳାଇଛି ଯେ “ବୁଢ଼ାଦିନେ ଶଳାର (କ୍ଷମା କରିବେ) ରସିକତା ଉଛୁଳୁଛି ।” ଏଥକୁ ଯାହା ଆପଣଙ୍କର ବିଚାର । କିଏ କହୁଛି ଅମୁକେଇ ଲୋକ ତମୁକେଇ କଥା କହୁଥିଲା । କିଏ କହୁଛି ଆପଣଙ୍କ ନାଆଁରେ ବେନାମୀ ଚିଠି ପଡ଼ିଲାଣି: ଗୋଟିକର ସାରାଂଶ ହେଉଛି ଡକ୍ଟର୍ ନାୟାର୍ ନୂଆ ଟାଇପିଷ୍ଟ୍‍ ଝିଅଟି ଉପରେ ଆଖି ରଖିଛନ୍ତି । ୟାର ଲେଖକ ସମ୍ଭବ ତାହାର ପ୍ରେମିକ, ଯାହାରକି ନିଶ ନାହିଁ-ଇତ୍ୟାଦି ଇତ୍ୟାଦି ।

 

ଘରେ ଡକ୍ଟର ନାୟାରଙ୍କ ପିଲାମାନେ ଟଣା ଟଣି କରିବାକୁ ଏକ ଖୋରାକ୍ ପାଇଲେ । ବୋଲିବା ବାହୁଲ୍ୟ, ଏହା ସବୁବେଳେ ଆରାମପ୍ରଦ ହେଉ ନ ଥିଲା । ଡକ୍ଟର ନାୟାର୍‍ଙ୍କର ବଡ଼ଭାଇ ଯେତେବେଳେ ଦିଲ୍ଲୀ ଆସିଲେ, ପ୍ଲାଟ୍‍ଫର୍ମରେ ଡକ୍ଟର ନାୟାର୍ ତାଙ୍କୁ ଭେଟିବାକୁ ଯାଇଥିଲେ । ଆର୍ଥର୍ ଉଇଲିଅମ୍‍ଙ୍କ ଘଟଣା ଏଠାରେ ପୁନରାବୃତ୍ତି ହେଲା । କିନ୍ତୁ ଭାଇ ସ୍ତମ୍ଭିତ ହୋଇଗଲେ । କୋଚିନ୍‍ରେ ଡକ୍ଟର ନାୟାର୍ କହୁଥିଲେ ଯେ ଯାହାର ନିଶ ଅଛି ସେ ବୋକା – କାରଣ ସେ ଆଧୁନିକ ବିଜ୍ଞାନର ଆରାମପ୍ରଦ ଆବିଷ୍କାର ସେଫ୍‍ଟିରେଜର୍‍କୁ ଭଲରୂପେ ବ୍ୟବହାର କରୁନାହିଁ ଏବଂ ତାହାର ସ୍ଥାନ ଷୋଡ଼ଶ ଶତାବ୍ଦୀ ସେପଟେ, ଯେତେବେଳେ ସେଫ୍‍ଟି – ରେଜର୍ ନ ଥିଲା । ଏହି ଘଟଣା ଡକ୍ଟର ନାୟାର୍‍ଙ୍କୁ ସ୍ମରଣ କରାଇ ଦିଆଯାଇଥିଲା ।

 

ସମସ୍ତ ତଥ୍ୟ ଜାଣି ଶ୍ରୀମତୀ ନାୟାର୍ କହିଲେ, ଏସବୁ ଅସୁବିଧା ସତ୍ତ୍ୱେ ଡକ୍ଟର ନାୟାର୍‍ଙ୍କର ବ୍ୟକ୍ତିତ୍ଵରେ ଅତି ମନୋହର ପରିବର୍ତ୍ତନ ଆସିଅଛି । ସେ କହିଲେ, ତାଙ୍କ ସ୍ଵପ୍ନ ସଫଳ ହୋଇଛି ଏବଂ ନିନ୍ଦୁକମାନେ ଚୂଲିକି ଯାଆନ୍ତୁ । ପୁଣିଥରେ ପଚରା ଯିବାରୁ ସେ ମାନିଲେ ଯେ ଅବଶ୍ୟ ନିଶ ଯେତେ ସୁନ୍ଦର ଦେଖାଯିବା ଉଚିତ, ଡକ୍ଟର ନାୟାର୍‍ଙ୍କ ମୁହଁରେ ସେତେଟା ସୁନ୍ଦର ଦେଖାଯାଉ ନାହିଁ, କିନ୍ତୁ ପୂର୍ବାପେକ୍ଷା ଯେ ସୁନ୍ଦରତର ହୋଇଛି, ଏଥିରେ ସନ୍ଦେହ ନାହିଁ । ଏହାର ଠିକ୍ ଓଲଟା ମତ ଦେଲେ ଡକ୍‍ଟର ନାୟାର୍‍ଙ୍କ ସୁନ୍ଦରୀ ଶାଳୀ । ସେ କହିଲେ, ପୂର୍ବରୁ ଡକ୍‍ଟର ନାୟାର୍‍ଙ୍କ ମୁହଁ ଦେଖିବାକୁ କୁତ୍ସିତ ଥିଲା: ବର୍ତ୍ତମାନ ତାହା ବିଭତ୍ସ ।

 

ପରିବର୍ତ୍ତନ ଆସିବା ବେଶ୍ କଠିନ କିନ୍ତୁ ଥରେ ଆସିଗଲେ ତାହା ବସାବାନ୍ଧି ରହିଯାଏ । ହଲ୍‍ ଚଲ୍ ହେବାର ଉପାୟ ନ ଥାଏ । ଡକ୍‍ଟର ନାୟାର୍ ଆରିସି ସାମନାରେ ଠିଆହୋଇ ଭାବିଲେ; ସ୍ଵଧର୍ମେ ନିଧନଃ ଶ୍ରେୟଃ, ପରଧର୍ମ ଭୟାବହଃ । ଯିଏ ଯାହା, ଠିକ୍ ସେଇଥିରେ ଯଦି ସେ ଅସନ୍ତୁଷ୍ଟ ହେଲା, ତାହାହେଲେ ତାକୁ ନାନା ଦୁର୍ବିପାକ ଭୋଗ କରିବାକୁ ହେବ । ନିଶ ଖିଅର ହୋଇଯିବା ସକାଶେ ଯେଉଁ ଚିନ୍ତା ଡକ୍‍ଟର ନାୟାର୍‍ଙ୍କ ମନରେ ଆସିଥିଲା, ତାହା କ୍ଷଣିକ ଉଦୟ ହୋଇ ନିଭିଗଲା । ସେ ଭାବିଲେ, ୟେ ପୁଣି ପରିବର୍ତ୍ତନ । ବନ୍ଧୁମାନେ କହିବେ କ’ଣ; ନିଶଥିବା ଅବସ୍ଥାରେ ଯେଉଁମାନଙ୍କ ସହିତ ପରିଚୟ ହୋଇଛି, ସେମାନେ ଆଉ ଚିହ୍ନି ପାରିବେ ନାହିଁ, ପୁଣିଥରେ ବଦଳାଇବାକୁ ପଡ଼ିବ ପରିଚୟପତ୍ର; ପୁଣି ଥରେ ହୁଏତ ବେନାମୀ ଚିଠିର ଶିକାର ହେବାକୁ ପଡ଼ିବ । ନାଃ । ନା, ଥାଉ ।

 

ନିଶ ରହିବ । ଆମରଣ ।

Image

 

ଜାତୀୟ ବଦଭ୍ୟାସ

 

ସ୍ଵାଧୀନତା ପ୍ରାପ୍ତି ପରେ ଆମ ଦେଶର ଜାତୀୟ ପୋଷାକ ବେକଚିପା କୋଟ୍ ଏବଂ ଜାତୀୟ ଚଢ଼େଇ ମୟୂର, ଶୁଣାଯାଏ ନାନା ବାଦବିବାଦ ପରେ, ସ୍ଥିରିକୃତ ହୋଇଛନ୍ତି । ବଟୁବାବୁଙ୍କ ପରି ଓଡ଼ିଆମାନେ ପ୍ରଥମେ ପ୍ରଥମେ କାବା ହୋଇଗଲେ । ବଟୁବାବୁ କହିଲେ, ଏମିତି ଗୋଟାଏ କିମ୍ଭୂତକିମାକାର ଅପରୁବ ଜିନିଷ ଥିଲା କୁଆଡ଼େ ? ଏମିତିକା ପାଲାବାଲାଙ୍କ ବାଗିଆଂଭେଶ ପିନ୍ଧି ଭଦ୍ରଲୋକର ଛୁଆ ଦାଣ୍ଡରେ ଚାଲିବ ନା କ’ଣ ? ଆଉ, ବଟୁବାବୁ କହିଲେ, ଇୟେ ବା ଜାତୀୟ ପୋଷାକ ହେଲା କେମିତି । ଜାତି ତ ହେଲେ ବଟୁବାବୁ, ଯେ କି କିଛି ହାଟୁଆ ପାଟୁଆ ନୁହଁନ୍ତି, ଛତିଶ ପାଟକରେ ରଜା, ଯାହାକୁ କହନ୍ତିନି । ଆଉ ତାଙ୍କ ବାପ ଅଜା, କହିଲାପରି ଚଉଦ ପୁରୁଷରେ ଏମିତି ପୋଷାକ କାହିଁ ଦେଖା ନ ଥିଲା କି ଶୁଣା ନ ଥିଲା ।

 

ବଟୁବାବୁ ନାନା ଗୁଜବ ଶୁଣିଛନ୍ତି । ଗୁଜବରେ କାନ ଦେବା ଭଳି ଲୋକ ବଟୁବାବୁ ନୁହଁନ୍ତି । ଗୁଜବ କେବଳ ଶତ୍ରୁକୁ ସାହାଯ୍ୟ କରେ । ତେବେ ଶୁଣାଯାଏ କୁଆଡ଼େ ଜଣେ ଭାରତୀୟ ରାଜା ଏକ ବିଳାସୀ ନିଶାମସଗୁଲ୍ ମୁହୂର୍ତ୍ତରେ ତାଙ୍କର ଲମ୍ବା ସେର୍‍ୱାନୀଟି କଟାଇ ପକାଇଥିଲେ । ସେହିଦିନଠାରୁ ଏହି ‘ରାଜପୁତ୍ର କୋଟ’ର ଉତ୍ପତ୍ତି । ସେହି ଆମର କୋଟି କୋଟି ଜନତାର ପ୍ରତିନିଧି-। କିଏ କହୁଚି ୟେ ଶାସକ ଗୋଷ୍ଠୀଙ୍କର ଅଞ୍ଚଳର ପୋଷାକ, ଅତଏବ । କିଏ କହୁଛି ଆମ ଦେଶର ଲୋକେ ଭଲ ରକମ ‘କଣ୍ଠ ଲେଙ୍ଗୁଟି’ ବାନ୍ଧି ଜାଣି ନାହାଁନ୍ତି, ଏଥିପାଇଁ ବଡ଼ ବଡ଼ ଆନ୍ତର୍ଜାତିକ ଭୋଜିମାନଙ୍କରେ ଲୋକହସା ହେଉଛନ୍ତି, ଅତଏବ ବେକଚିପା ।

 

ସେଇ ଅବସ୍ଥା ଚଢ଼େଇକି ନେଇ । ମୟୂର କାହିଁକି ? କିଏ କହିଲାଣି ମୟୂର ସିଂହାସନ, କିଏ କହୁଚି ମୟୂରଭଞ୍ଜ ମହାରାଜା, କିଏ କହୁଚି ଆମର ଜଣେ ବିରାଟ ଜନନେତାଙ୍କର ମୟୂର ପ୍ରତି ଦୁର୍ବଳତା, କିଏ କହୁଚି ଜଣେ କ୍ଷମତାଶାଳୀ ପାର୍ଟି – ଚାବୁକ୍‍ଙ୍କର ସ୍ଵର୍ଗୀୟ । ପିଉସୀନାନୀ ତାଙ୍କୁ ପିଲାକାଳେ ଆଦରରେ ‘ଲାଣ୍ଡିମୟୂର’ ଡାକୁଥିଲେ । ଏ ସବୁକୁ ବଟୁବାବୁବିଶ୍ଵାସ କରି ନାହାନ୍ତି ଯଦିଓ ।

 

କେଉଁ ଅଗନା ଅଗନି ବନସ୍ତରେ ଏଯାକେ ଲୁଚିଛପି ରହିଥିଲା ଯେଉଁ ମୟୂର, ସେ ଆଜି ତା’ର ପର୍ଦାନସୀନ୍ ଅବସ୍ଥାରୁ ମୁକ୍ତି ପାଇଛି । ଆଗେ କେବଳ କାବ୍ୟରେ ପଢ଼ିବାକୁ ମିଳୁଥିଲା ଯେ ମୟୂର ନାଚେ । କେତେବେଳେ ? ମେଘ ଘଡ଼ ଘଡ଼ ଯେତେବେଳେ, ଅଥବା କେଉଁ ମହାବୀର ଘୋର – ଘର୍ଘର – ନିନାଦ ସହକାରେ ଆପଣା ରଥ ଚଳାଇ ନିଅନ୍ତି ଯେତେବେଳେ ବା କେଉଁ ମହାଧନୀ ସୌଦାଗର ତାହାର ଓଜନଦାର ଲୁହା କବାଟ ସଜୋରେ ବନ୍ଦ କରିଦିଏ । ଏସବୁ ସମୟରେ କୁଆଡ଼େ ମୟୂର କେଉଁଠି ଥାଏ, ବାହାରି ଆସି ଜଙ୍ଗଲରେ ଗୋଟିଏ ଖୋଲା ଜାଗା ଦେଖି ଠିଆ ହୋଇ ଯାଏ ଏବଂ ସୁନ୍ଦର ପୁଚ୍ଛ ବିସ୍ତାର କରି ନାଚେ । ନାଚିଲାବେଳେ ସେ କେଡ଼େ ସୁନ୍ଦର ଦେଖାଯାଏ, ତାହାର ପ୍ରତ୍ୟକ୍ଷଦର୍ଶୀ ବିବରଣ ଆଜିକାଲି କମ୍ ଲୋକ ଦେଇପାରିବେ । ମୟୂରର ନାଚ କେବଳ ‘କଳା ଲାଗି କଳା’ ହୋଇଥିବାର ଅନୁମାନ । କାହିଁକି ନା, ହାତତାଳି ପାଇବା ଭଳି ନିର୍ଦୋଷ ଉଦ୍ଦେଶ୍ୟ ମଧ୍ୟ ତହିଁରେ ନାହିଁ । ଆଉ ‘ଭାବ’ ? ‘ହେଇ ବର୍ଷା ହେବ’ ବ୍ୟତୀତ ଆଉ କିଛି ନୁହେଁ ଏବଂ ବର୍ଷା ଆସିଲାଣି; ଏ କଥା ମୟୂର ନ ନାଚିଲେ ବି ଜଙ୍ଗଲରେ ବାଘ ଭାଲୁଏ ଜାଣିପାରିବେ ବୋଲି ଆଶା କରାଯାଏ ।

 

ବଟୁବାବୁ ଚମ ଆଖିରେ ମୟୂର ଦେଖି ନାହାନ୍ତି । ଖାଲି ଚିତ୍ରପଟରେ ଯାହା । ବଟୁବାବୁ ଶୁଣିବାକୁ ପାଇଲେ, ମୟୂର ମାରିବା ମନା । ସରକାରୀ ଆଦେଶ । ବଟୁବାବୁ କହିଲେ ସରକାର କାହିଁକି ଧରି ନେଉଛନ୍ତି ଯେ ଆମେ ଖାଲି ମୟୂର ମାରିବାକୁ ଅନେଇ ବସିଛୁ ? ଆମେ ତ କିଛି ହେଲେ ମାରୁନା । ହଁ ଯେବେ ସାଗୁଆତି ଲାଗି ଖାସି ମାରିବା କଥା କିଏ କହେ । ତେବେ ସେତ ସୁନାମିଆଁ କରେ । ଆଉ ସୁନାମିଆଁ ବି ମୟୂର ମାରିବା କଥା ଚିନ୍ତା କରିନି କେବେ । ତେବେ ଆଉ କେହି ଥାଇପାରେ, ଯା ଲାଗି ସରକାର ଆଦେଶ ଦେଇଛନ୍ତି । ବେଶ୍ ଭଲ ହେଲା, ସୁନ୍ଦରିଆ ଜୀବଟିଏ, ବଞ୍ଚି ରହୁ ।

ବଟୁବାବୁଙ୍କ କଥା ଭିନେ, ଦେଶର ବୁଦ୍ଧିଜୀବୀମାନଙ୍କ କଥା ଭିନେ । ସେମାନେ ଜାଣନ୍ତି ସୁସ୍ଥ ଜାତୀୟ-ଜୀବନ ସକାଶେ ଏସବୁ ଦରକାର । ବଟୁବାବୁ କିଛି ବୁଝିପାରନ୍ତି ନାହିଁ । ଦେଶର ବଟୁବାବୁମାନଙ୍କୁ କିଛି ବୁଝାଇବାର ଦୁଷ୍କର ହେଲାଣି । ସେମାନେ କହିଲେ, ଦେଶରେ ଏତେ ନେତା ଥାଉଁ ଥାଉଁ ଏଇ ତିନିରଙ୍ଗିଆ ଗାନ୍ଧୀନେତଟାକୁ ଯାଉଣୁ ଆସୁଣୁ ନମସ୍କାର କରିବାକୁ ହବ ? ମହାପୁରୁଷ ଅଗରାମାଳିଆଙ୍କର ଲାଲ୍, ନାରଙ୍ଗ ଓ ନେଳୀ ରଙ୍ଗର ଯେଉଁ ପତାକା ତାଙ୍କର ଭୈରବୀମୁଣ୍ଡିଆ ମଠ ଉପରେ ଉଡ଼ୁ ଥାଏ, ସେଇଟି ତ ଅକ୍ଲେଶରେ ବଛା ହୋଇ ପାରିଥାନ୍ତା, କାହିଁକିନା, ତହିଁରେ ଲେଖାଅଛି ‘ଗାନ୍ଧିହନ୍ତା ମମ ବୈରୀ’ । ଦେଶର ବଟୁବାବୁମାନେ ବୁଝି ପାରନ୍ତି ନାହିଁ ଯେ ଦେଶର ଜ୍ଞାନୀ ଗୁଣୀ ନେତାମାନେ ବିଚାର ଆଲୋଚନା କରି, ନାନା ତତ୍ତ୍ଵ ଘଣ୍ଟି ଏ ନେତଟିକି ଥୟ କରିଛନ୍ତି, ତା ପରେ ଆଉ କଥା ଥାଏ ?

ସେଇମିତି ମିରଜେଇ କୁର୍ତ୍ତା, ପଞ୍ଜାବୀ, ସେରୱାନୀ, ଫତେଇ, ଚଦର ଆଦି ଭିତରୁ ବାଛି ବେକଚିପା କୋଟ; ଶାଗୁଣା, ଶଙ୍ଖଚିଲ ଭଦଭଦଳିଆ, ଗୋବରା ଆଦି ଚଢ଼େଇମାନଙ୍କରୁ ବାଛି ମୟୂର ।

ପୃଥିବୀରେ ସର୍ବପ୍ରଥମେ ଯାହା ମଥାରୁ କଥାଟା ବାହାରିଥିଲା, ସେ ହେଉଛି ମନୁଆ ତନ୍ତୀ । ମନୁଆଁ ତନ୍ତୀ କିଛି ଯେ ସେ ଲୋକ ନୁହେଁ । ସେ ଖାସ୍ କଲିକତା ମହାନଗରୀର ନାଗରିକ-। ତାହାର ମୂଲ୍ୟବାନ୍ ଭୋଟ୍ ଦ୍ଵାରା ସ୍ଵର୍ଗତ ବିଧାନ ରାୟ ଅତୀତରେ ନିର୍ବାଚିତ ହୋଇଥିଲେ । ତା ସଙ୍ଗେ ଆଖ ପାଖ ଅଞ୍ଚଳର କେହି ତୁଳନୀୟ ନୁହଁନ୍ତି । ଏମାନଙ୍କ ଭୋଟ୍ କିଛି ନୁହଁ । ଏମାନଙ୍କ ଭୋଟରେ ଖାଲି ସ୍ଵାଧୀନ ସଭ୍ୟ କମ୍ଭୁମଳିକମାନେ ଆସନ୍ତି । ସେହି ମନୁଆ ତନ୍ତୀ କଥାଟା କହିଥିଲା ଆଗେ । ସୁତରାଂ ସେହି ପ୍ରକୃତ ଆବିଷ୍କାରକ । କିନ୍ତୁ ବାଜୀ ସବୁ ଆବିଷ୍କାରକଙ୍କ ପରି, ତା ନାଆଁଟି ବି କେଉଁଠି ଲୁଚି ଛପି ରହିଗଲା । ନାଁ ହେଲା ଶ୍ରୀ ଗଜଧର ସାହୁଙ୍କର । ଛପା କାଗଜରେ ମନୁଆଁର ନାଁ ନାହିଁ । ଛାପ କାଗଜ ଆସିଲାବେଳକୁ ମନୁଆଁ କଲିକତାରେ । ଘରୁ ହାଡ଼ିଆ ଯେବେ ଚିଠି ବରଗି ଥିଲା, ତହିଁରେ ଛପା କାଗଜ ଖଣ୍ଡିକ ଥିଲା । ମନୁଆଁ ଖୋଲି ପଢ଼ିଲା, ପାଠୁଆ ଲୋକଙ୍କୁ ପଢ଼ାଇ, ବୁଝିଲା – ଇୟେତ ବିଲ୍‍କୁଲ୍ ...

 

–ନିବେଦନ–

 

ମାନନୀୟ ମହାଶୟ,

 

ଦେଶର ଜାତୀୟ ପୋଷାକ, ଜାତୀୟ ପକ୍ଷୀ ଆଦି ସ୍ଥିର ହୋଇଥିବା କଥା ଆପଣମାନେ ଜାଣନ୍ତି ! କିନ୍ତୁ ଦୁଃଖର ବିଷୟ, ଏ ଯାକେ ଜାତୀୟ ବଦଭ୍ୟାସ ସ୍ଥିର ହୋଇପାରି ନାହିଁ । ଏହା ଫଳରେ ଜାତୀୟ ଐକ୍ୟ ଆସିବାରେ ଅସୁବିଧା ହେଉଅଛି । ବିହାରୀମାନେ ଖଇନି ଖାଆନ୍ତି । ଓଡ଼ିଆଏ ଗୁଣ୍ଡି, ମାନ୍ଦ୍ରାଜିଏ ପିଙ୍କା, ବଙ୍ଗାଳିଏ ନାସ ଏହିପରି ନଈକେ ବାଙ୍କ୍ ଦେଶକେ ଫାଙ୍କ୍ । ଏପରି ସ୍ଥଳେ ଐକ୍ୟ କିପରି ଆସିବ ?

 

କୌଣସି ଦେଶର ବଦଭ୍ୟାସ ସମାନ ହୋଇଥିଲେ କେତେ ସହଜରେ ଜାତୀୟ ଐକ୍ୟ ଆଣି ହୁଏ, ସେ କଥା କାହାରିକି ବୁଝାଇ କହିବା ଦରକାର ହେବନାହିଁ । ଇଏ ତାକୁ ଧୂଆଁ ପତ୍ର ଖଣ୍ଡିଏ ଦେଲାବେଳକୁ ଯଦି ୟାକୁ ନାସ ଟିପେ ଦିଏ ତାହା କେବଳ ସେହି କୋକିଶିଆଳି ଓ ବଗ ଉପାଖ୍ୟାନ ମାର୍କା ବନ୍ଧୁତା ସୃଷ୍ଟି କରିବ । ସ୍ମରଣ ରଖିବା କଥା ଯେ ଅନ୍ୟାନ୍ୟ ସୁସଭ୍ୟ, ଉନ୍ନତ ଦେଶରେ ଲୋକମାନଙ୍କର ବଦଭ୍ୟାସମାନ ସମାନ ହୋଇଥିବାରୁ ସେମାନଙ୍କର ଜାତୀୟ-ଜୀବନ ସମୃଦ୍ଧିଶାଳୀ ହୋଇ ପାରିଛି । ଜଣେ ସାହାବ ଆଉ ଜଣେ ସାହାବକୁ ଦେଖିଲା ମାତ୍ରେ ସିଗାରେଟ୍ ଖଣ୍ଡିଏ ବଢ଼େଇ ଦିଏ । ଏହା ଫଳରେ ପ୍ରଥମ ସାହାବ ଦ୍ଵିତୀୟ ସାହାବର ସ୍ନେହ ସୌହାର୍ଦ୍ଦ୍ୟ ପାଇବାକୁ ହକ୍‍ଦାର ହୁଏ । ଆମ ଦେଶରେ ଏହି ଅବସ୍ଥା ଆସିବାକୁ ହୁଏତ ସମୟ ଲାଗିବ । ତେବେ ସେ ଦିଗରେ ଆମର ସକ୍ରିୟ ଓ ସଚେତନ ଚେଷ୍ଟା ରହିଥିବା ସ୍ପୃହଣୀୟ ।

 

ଏହି ଉଦ୍ଦେଶ୍ୟରେ ‘ଅକାଳପଡ଼ା’ ଗ୍ରାମ ଏବଂ ଆଖପାଖ ମୌଜାର ଭଦ୍ରବ୍ୟକ୍ତିମାନେ ଶ୍ରୀ ଗଜଧର ସାହୁଙ୍କ ସଭାପତିତ୍ଵରେ, ଶ୍ରୀ ଗଜଧର ସାହୁଙ୍କର ଦାଣ୍ଡ ବାରଣ୍ଡା ଉପରେ ଏକ ବିରାଟ ସାଧାରଣ ସଭାରେ ଏକତ୍ରିତ ହୋଇଥିଲେ । ସେମାନେ ଯେଉଁସବୁ ପ୍ରସ୍ତାବ ବିଚାର ଆଲୋଚନା କରି ପାସ୍ କରିଥିଲେ, ଆପଣମାନଙ୍କ ସୁବିଚାରାର୍ଥେ ସେସବୁ ନିମ୍ନରେ ଦିଆ ହେଉଛି ।

 

ଜାତୀୟ ବଦଭ୍ୟାସ ମହାସମ୍ମେଳନର ଆଡ୍‍ହକ୍ କମିଟି ନିକଟ ଭବିଷ୍ୟତରେ ଅକାଳପଡ଼ା ହାଇସ୍କୁଲ ହତାରେ ଏକ ପ୍ରାଦେଶିକ ସ୍ତରର ସଭା ଡକାଇବା ସ୍ଥିର ହୋଇଛି । ଏଥିଲାଗି ସଭ୍ୟ ଚାନ୍ଦା ଟ୩ଙ୍କା ଏବଂ ପ୍ରତିନିଧି ଚାନ୍ଦା ଟ୧୫ଙ୍କା ନିମ୍ନ ସ୍ଵାକ୍ଷରକାରୀଙ୍କ ନିକଟକୁ ତୁରନ୍ତ ପଠାଇ ଏହି ମହାକାର୍ଯ୍ୟରେ ନିଜର ସହଯୋଗ ଦାନ କରନ୍ତୁ । ଏହି ସଭାରେ ଏକ ସ୍ଵାକ୍ଷର ସଂଗ୍ରହ କାର୍ଯ୍ୟକ୍ରମ ଲାଗି ପ୍ରସ୍ତାବ ପାସ୍ ହେବ । ଯେଉଁମାନେ ସ୍ଵାକ୍ଷର ସଂଗ୍ରାହକ ହେବାକୁ ଚାହାନ୍ତି ସେମାନେ ନିଜ ନାମ ସଭାପତି, ଜାତୀୟ ବଦଭ୍ୟାସ ମହାସମ୍ମେଳନ, ଅକାଳପଡ଼ା, ଜିଲେ କଟକଙ୍କ ଠିକଣାରେ ଜଣାଇ ଦେବେ ।

 

ପ୍ରସ୍ତାନ ତାଲିକା

 

ଏହି ସଭା ଜାତୀୟ ବଦଭ୍ୟାସର ପ୍ରାଧାନ୍ୟ କଳ୍ପେ ସର୍ବସମ୍ମତିକ୍ରମେ ନିମ୍ନ ପ୍ରସ୍ତାବମାନ ଗ୍ରହଣ କରିଅଛି ।

 

୧.

ଏଥିପ୍ରତି ସରକାରଙ୍କର ଦୃଷ୍ଟି ଆକର୍ଷିତ ହେଉ ।

୨.

ଏଥିଲାଗି ଜନମତ ସଂଗୃହୀତ ହେଉ ।

୩.

ଆଞ୍ଚଳିକ ବଦଭ୍ୟାସମାନଙ୍କର ଏକ ତାଲିକା ପ୍ରସ୍ତୁତ ହେଉ ।

୪.

ଏକ ପୂର୍ବ ନିର୍ଦ୍ଧାରିତ ବୈଜ୍ଞାନିକ ରୀତିରେ ପଚରା ଓଚରା କାର୍ଯ୍ୟକ୍ରମ ନିଆ ହେଉ ।

୫.

ପ୍ରତ୍ୟେକ ବଦଭ୍ୟାସର ପ୍ରତିନିଧି ନିର୍ବାଚିତ କରି, ସେମାନଙ୍କ ଉପସ୍ଥିତିରେ ବ୍ୟାପକ ପ୍ରାପ୍ତବୟସ୍କ ଗଣଭୋଟ, ଜାତୀୟ ସ୍ତରରେ ସଂଗୃହୀତ ହେଉ । ଏହି ଗଣତାନ୍ତ୍ରିକ ରୀତିରେ ନିର୍ବାଚିତ ବଦଭ୍ୟାସକୁ ସସମ୍ମାନେ ଗ୍ରହଣ କରି ତାହାର ସମ୍ୟକ୍ ବ୍ୟବହାର ଲାଗି ଦେଶବାସୀଙ୍କୁ ଉଦ୍‍ବୁଦ୍ଧ କରାହେଉ ।

 

ଯେତେବେଳେ ମନୁଆଁ ତନ୍ତୀ କଲିକତାରେ ତା’ର ଟିଣଛାତଟି ତଳେ ବସି ଛପା କାଗଜ ଖଣ୍ଡିକ ନିଠେଇ ପଢ଼ୁଥିଲା, ସେତେବେଳକୁ ମହାନଦୀ ପୋଲ ତଳେ ଅନେକ ପାଣି ବୋହି ଗଲାଣି-। ଜାତୀୟ ବଦଭ୍ୟାସ ପ୍ରଶ୍ନ ସେତେବେଳକୁ ମନୁଆ ତନ୍ତୀର କଳ୍ପନାରୁ ବହୁତ, ବହୁତ ଦୂରକୁ ଆଗେଇ ଗଲାଣି । ମନୁଆ ତନ୍ତୀ ଯେବେ ଗଜିବାବୁଙ୍କୁ କଲିକତା ଝୋଟକଳ କଥାରୁ ଏ ଆଡ଼କୁ ଟାଣିଥିଲା, ସେ ଜାଣି ନ ଥିଲା ଯେ କଥା ଏତେ ଦୂରକୁ ଆଗେଇବ । ସେ ଖାଲି କହିଥିଲା ଯେ ସେଠେଇ ଏତେ ରକମର ନିଶା ଯେ ଦୋସ୍ତି ଜମେ ନାହିଁ । ସେ କହିଥିଲା ଯେ ବାବୁ ଯେପରି ତାଙ୍କର କଲମ ଜୋରରେ ସବୁ ନିଶାଯାକ ଏକ୍ କରିଦିଅନ୍ତି । ମନୁଆଁ କ’ଣ ଜାଣିଥିଲା ଯେ କଥା ଏତେ ଦୂର ଯିବ ! ମନୁଆ ଛାପା କାଗଜ ଖଣ୍ଡିକ ପଢ଼ୁଥିଲା କେବଳ । ବଦଭ୍ୟାସ ସେତେବେଳକୁ ଆଉ ଅକାଳପଡ଼ା ବା ପାଖଆଖ ମୌଜାରେ ସୀମାବଦ୍ଧ ନାହିଁ । ବଦଭ୍ୟାସ ସେତେବେଳକୁ ଦିଗେ ଦିଗେ ଖେଦି ଗଲାଣି ।

 

‘ପ୍ରଶ୍ନମାଳା’ ଧରି ଓଠରଙ୍ଗା ସୁନ୍ଦରୀମାନେ ଥଳି ଝୁଲେଇ ଗ୍ରାମେ ଗ୍ରାମେ, ନଗରେ ବୁଲିଲେଣି, ନିଶମାନ ବାଗେଇ ଚକ୍ ଚକ୍ ପୋଷାକ ପିନ୍ଧା ବାବୁମାନେ ଛକ ମୁଣ୍ଡମାନଙ୍କରେ ଗୋଡ଼ ଫରକଟେଇ ଠିଆ ହେଲେଣି, କେତେ ଆଲୋଚନା, କେତେ ବିବେଚନା, କେତେ ଭାବନା, କେତେ ଶୋଚନା, ଭଳିକି ଭଳି ପ୍ରବନ୍ଧମାନ କାଗଜମାନଙ୍କରେ ଛପା ଚାଲିଛି । ଗୋଟିଏ ସ୍ଵତନ୍ତ୍ର ଅଫିସ୍ ଖୋଲିଗଲାଣି । ସେଠି ବିଶ୍ଳେଷଣ ଚାଲିଛି । ମନୁଆଁ ପଢ଼ିଲାବେଳକୁ ରାଜଧାନୀର ନିଆଁ ଗିଳା ମଇଦାନ୍‍ରେ ବଡ଼ ବଡ଼ ନେତାମାନେ ଭାଷଣ ଦେବାର ମସୁଧା ଚାଲିଛି ।

 

ମୟୂର ବେଳକୁ, ବେକଚିପା କୋଟ ବେଳକୁ, କୌଣସି ଆନ୍ଦୋଳନ କଥା କେହି ଶୁଣି ନ ଥିଲେ । କିନ୍ତୁ ବଦଭ୍ୟାସ ତ ଯେ ସେ ଜିନିଷ ନୁହେଁ । ଏତେବେଳକୁ ଦେଶବ୍ୟାପୀ ଆନ୍ଦୋଳନ ଭୟଙ୍କର ରୂପରେ ଦେଖାଦେଲା । ବଦଭ୍ୟାସ ଯେ ମଣିଷର ନିଜର ସମ୍ପତ୍ତି ! ବଦଭ୍ୟାସ ଯେ ତା’ର ପରିଚୟ, ତା ନିଜର ସଂସ୍କାର, ତା’ର ଅତି ଆପଣାର ଚିଜ । ତାହା ଉପରେ ଗଣତନ୍ତ୍ର ଚଳାଇବା କିଛି ଖେଳଘର କଥା ନୁହେଁ । ମୋ ବଦଭ୍ୟାସ ମତେ ବଡ଼, ତୋ’ ବଦଭ୍ୟାସ ତତେ ବଡ଼, ଏଥିରେ ଫେର୍‍ ଅଦଳ ବଦଳ ଗୋଟାଏ କ’ଣ ? ଏଥିରେ ଫେର୍‍ ଗଣତନ୍ତ୍ର କାହିଁକି ? ବେକଚିପା କୋଟ୍‍ କଥା କହିଲ ଆମେ ମାନିଲୁ । ମୟୂର କଥା କହିଲ, ମାନିଗଲୁ । ଯଦିଓ ଆମର ଢେର୍‍ ଢେର୍‍ ଚଢ଼େଇ ଥିଲେ । ତାହା ବୋଲି ମୋର ଏଇ ଦାନ୍ତଘଷା ଗୁଡ଼ାଖୁ ଉପରେ ତମର ନଜର ।

 

ଶୁଣାଗଲା, ହୁକ୍‍କା ହେଉଛି ମୁସଲମାନୀ ନିଶା । ଉଗ୍ର ହିନ୍ଦୁ ଅନୁଷ୍ଠାନମାନ ଗର୍ଜି ଉଠିଲେ – ହୁକ୍‍କାକୁ ଜାତୀୟ ବଦଭ୍ୟାସ ତାଲିକାରୁ ବାଦ୍ ଦିଆ ହେଉ । ହୁକ୍‍କା ହେଉଛି ଶତ୍ରୁର ଏଜେଣ୍ଟ୍ । ମୁସଲମାନ୍‍ମାନେ ଚିତ୍କାର କଲେ–ଆମେ ଭାରତୀୟ – ଆଗେ ଭାରତ, ପରେ ଇସ୍‍ଲାମ । ହୁକ୍‍କାକୁ ନେବାକୁଇ ପଡ଼ିବ । ସେମିତି ନସ୍ୟ ବିରୁଦ୍ଧରେ, ଗୁଣ୍ଡି ବିରୁଦ୍ଧରେ ଗୁଡ଼ାଖୁ ବିରୁଦ୍ଧରେ; ପିକା, ବିଡ଼ି, ସିଗାରେଟ୍‍, ଅଫିମ, ଗଞ୍ଜେଇ ପ୍ରତ୍ୟେକ ଛୋଟବଡ଼ ଦ୍ରବ୍ୟ ବିରୁଦ୍ଧରେ ଆନ୍ଦୋଳନ ଚାଲିଲା ।

 

ସାରା ଦେଶରେ ‘ପାନ ଗୁଆ ଗ୍ରୁପ୍’, ‘ଗଞ୍ଜେଇ ଅଫିମ ଗ୍ରୁପ୍’ ‘ଧୂଆଁପତ୍ର ଗ୍ରୁପ୍’ ଆଦି ପରସ୍ପର କନ୍ଦଳ ତୁମୁଳ ତର୍କ, ଆଲୋଚନା ଓ ବିତଣ୍ଡାରେ ମାତିଲେ । ପାନ ବିଡ଼ିର ମହତ ବୁଝାଇବାକୁ ଯାଇ ଜଣେ କର୍ମକର୍ତ୍ତ କହିଲେ,

 

“ପାନ ବିଡ଼ି ନୁହେଁ ଛୋଟିଆ ନିଶା

ଜଣା ପଡ଼େ ନାହିଁ ଟାଣେ ପଇସା ।”

 

ସେହିପରି ଗଞ୍ଜେଇ ମାହାତ୍ମ୍ୟରୁ ଉଦ୍ଧାର କରି ଭାରତୀୟ ସାଧୁସମାଜର ଜଣେ ବିଶିଷ୍ଟ ପ୍ରତିନିଧି ଏକ ସଭାରେ କହିଲେ–

 

“ବଂ ବଂ ବଂ ବଂ କୈଳାସ କେ ରାଜା

ଦମ୍ ଲଗା ଯା–

ନିତାଇ ଆବ୍‍ଧୁତ୍‍–ମାରେ ସୋଠା ଭାଗେ ଭୂତ୍ ।

ଉତ୍ତରା ଖଣ୍ଡକା ଋଷି

ଗାଁ ଜା ଖା’କେ ଖୁସି

ଜିସ୍‍କା ଗାଁ ଜା

ଉସ୍‍କା ଖୁସି ॥

ପ୍ରେମ୍ – ପ୍ରେ’ମ୍ – ପ୍ରେ’ମ୍ ... ॥”

 

ତା ଛଡ଼ା ଇତିହାସର ନଥିପତ୍ର ଘାଣ୍ଟି କେଉଁ ବଦଭ୍ୟାସ ମେକ୍‍ସିକୋରେ ଜନ୍ମ ନେଇଥିଲା, ଅତଏବ ଭାରତ ଲାଗି ଅଯୋଗ୍ୟ, କିଏ ବୈଦିକ ଯୁଗରେ ଥିଲା, ବର୍ତ୍ତମାନ ମୃତ, ଏ ନେଇ ସୁଚିନ୍ତିତ ତଥ୍ୟମାନ ପ୍ରକାଶିତ ହେଲା ।

 

ଅର୍ଥାତ୍ ମନୁଆ ତନ୍ତୀ ପଢ଼ିଲାବେଳକୁ ତୁମୁଳ କାଣ୍ଡ ଘଟି ଗଲାଣି । ଘଡ଼ିକେ ଛୁଟିଲାଣି ଘୋଡ଼ା । ଦିଗେ ଦିଗେ ରଟିଲାଣି କଥା । ଦଳେ ଲେକ ପୁଣି ମଥାରେ ହାତ ଦେଇ ବସିଲେଣି । କିଏ କହୁଚି ଆମର ବଦଭ୍ୟାସକୁ କେହି ସମ୍ମାନ ଦେବାକୁ ନାହାନ୍ତି । କିଏ କହୁଚି ବଦଭ୍ୟାସରେ ଆମ ରାଜ୍ୟ ଅନ୍ୟାନ୍ୟମାନଙ୍କ ତୁଳନାରେ ପଛେଇ ରହିଛି । ହେଇ ବୁଡ଼ିଗଲା, ହେଇ ସରିଗଲା, ଗଲା ଗଲା ଶତାବ୍ଦୀ ଶତାବ୍ଦୀ ପୁରୁଣା ଐତିହ୍ୟ ଆମର । ଲୋକ ଅଭ୍ୟାସ ବଦଳାନ୍ତୁ,ଲୋକେ ବଦଭ୍ୟାସ ଅଭ୍ୟାସ କରନ୍ତୁ । ବଦଭ୍ୟାସଚେତନାରେ ଉଦ୍‍ବୁଦ୍ଧ ହୁଅନ୍ତୁ ପିଲାକାଳୁ । ନଇଲେ କେହିଁପଚାରିବେ ନାହିଁ “ଶାସକ ଗୋଷ୍ଠୀର ଅବହେଳା-ସୃଷ୍ଟିର ଅବମାନନା...ଇତ୍ୟାଦି ଇତ୍ୟାଦି ।

 

ମନୁଆଁ ସିନା ପାନ, ଗୁଆ, ଗୁଡ଼ାଖୁ, ଗୁଣ୍ଡି, ବିଡ଼ି, ଖଇନିର ନିବେଦନ କରିଥିଲା, ସେ କାହୁଁ ଜାଣିବ ବଦଭ୍ୟାସ ପୁଣି ଏତେ ରକମର, ତାକୁ ଥୟ କରିବାକୁ ଏତେ ଝକମାରି ? ମନୁଆଁକୁ ଜଣା ନ ଥିଲା । ବଟୁ ବାବୁଙ୍କୁ ବି ଜଣା ନଥିଲା । ତେବେ ଦେଶର ବୁଦ୍ଧିଜୀବୀମାନେ, ଯେଉଁମାନେ ଖାସ୍ ଅଡ଼ୁଆ ସୂତାର ଖିଅ ଖୋଜି ବୁଲିବା ପେଶା କରିଛନ୍ତି, ସେମାନେ ବୁଝିଲେ । ସେମାନେ ଜାଣିଲେ, ୟେ କିଛି ଚଢ଼େଇ ନୁହେଁ କି ପୋଷାକ ନୁହେଁ ଏ ସୂତା ଅସଲ ଅଡ଼ୁଆ ।

 

ଚାଲନ୍ତୁ ବଦଭ୍ୟାସ ମହାସମ୍ମେଳନ ଆଡ଼ହକ୍ କମିଟିର ହିସାବ କିତାବ କାର୍ଯ୍ୟାଳୟକୁ । ସେଠୁ ଗୋଟିଏ ଭାତ ଚିପି ଦେଖନ୍ତୁ । ସେଠିକର ପାଞ୍ଚ ମିନିଟ ନେଇ ନଖ ଉପରେ ଥୋଇ ନିଠେଇ ଦେଖନ୍ତୁ । ବୁଝିପାରିବେ ଏ ସୂତା କେତେ ଗଣ୍ଠି, କେତେ ଅଡ଼ୁଆ । ଏହି କାର୍ଯ୍ୟାଳୟରେ ଦେଶବ୍ୟାପୀ ଗଣଭୋଟ୍‍ର ପୂର୍ବ ବିଧି ଚାଲିଛି । ଏଠାରେ ପ୍ରଶ୍ନମାଳାର ବିଶ୍ଳେଷଣ ହେଉଛି । ପ୍ରଶ୍ନରେ ଅଛି “ଆପଣଙ୍କର ବଦଭ୍ୟାସ ସବୁ କ’ଣ ?” ଏହାର ଉତ୍ତରରେ ଆସିଛି ବିଭିନ୍ନ କଥା ଭିନ୍ନ ଭିନ୍ନ ଲୋକଙ୍କ ମୁହଁରୁ । ଏଥିରେ ‘ମଦ ଖାଇବା’ ବି ରହିଛି, ‘ଦାନ୍ତ ଘଷିବା’ ଅଛି, ‘ପରଚର୍ଚ୍ଚା କରିବା, ଏବଂ ଏପରିକି ‘ସବୁବେଳେ ଝିଅଙ୍କ ଆଡ଼କୁ ବଲବଲ କରି ଚାହିଁବା’ ମଧ୍ୟ ରହିଛି ! କିପରି ଏମାନଙ୍କୁ ଏକାଠି ପ୍ରକାର ଭୁକ୍ତ କରାହେବ, ବିଦେଶରୁ ଆସିଥିବା ସୁଦକ୍ଷ ବିଶେଷଜ୍ଞ ତାହା ସ୍ଥିର କରିବେ ।

 

ଏତିକିରେ ଅଡ଼ୁଆ ଛିଡ଼ି ଯାଉନାହିଁ । କିଏ କହୁଚି ମୋ ବଦଭ୍ୟାସର ନମ୍ବର କେତେ ଜଣେଇ ଦିଅନ୍ତୁ, ମୁଁ ଅମୁକଙ୍କର ଭଣଜାର ସାଙ୍ଗ; କିଏ କହୁଚି, ମୋରଟା ଟିକେ ବଢ଼େଇବାର ଚେଷ୍ଟା କର, ମୁଁ ଅମୁକ ନିଜେ । ବେପାରିଏ ଚାନ୍ଦା ଭେଦା କରି ହିସାବ ଅଫିସ୍‍ର କିରାଣିମାନଙ୍କୁ ଚାହାପାନ ଦେଇଛନ୍ତି । ଜଣେ ପରିସଂଖ୍ୟକ ପାଇଲେଣି ଟିଣ ଟିଣ ଉତ୍କଷ୍ଟ ଗୁଡ଼ାଖୁ, କିଏ ନେଲାଣି ବିଦେଶୀ ସିଗାରେଟ୍‍, ନାନା ବର୍ଣ୍ଣର ବୋତଲ, ନାନା ରକମର ଉପଢୌକନରେ ଜାଗାଟି ଭରିଗଲାଣି । ଦୁଇ ଚାରିଟା ଭଲ ଚିଲମ ହୁକାନଳୀ ଓ ସିଗାରେଟ୍‍ କେଶ୍‍ ହଜିଛି ବୋଲି ଚହଳ ପଡ଼ିଗଲାଣି । ବେଲିବା ବହୁଲ୍ୟ, ହିସାବ କିତାବ ଅଫିସ୍‍ରେ ବଦଭ୍ୟାସ ଏବଂ ବଦଭ୍ୟାସୀମାନଙ୍କର ସଂଖ୍ୟା କ୍ରମବର୍ଦ୍ଧିଷ୍ଣୁ । ଏଣେ ଫୁଲୁଫୁଲେରି, କଣ୍ଠଲେଙ୍ଗୁଟି, ମଇଁଷି ଗୋଡ଼ ପରି ଚିକ୍‍କଣ ଟେରିଲିନ୍‍ ପୁରାପେଣ୍ଟ ଓ ମହୁମାଛି ଫେଣା ପରି ଜାଲି ଜାମାମାନ ପିନ୍ଧି ଛୋକରା ବାବୁମାନେ ଦିନ ରାତି ବକର ବକର ବକି ହଉଛନ୍ତି ନିଜ ନିଜର କମ୍ପାନୀ ତରଫରୁ । ଭଳିକି ଭଳି ଗାଡ଼ିମାନ ସେଠି ଜମା ହେଇଛନ୍ତି । କାହାରିକି ତର ନାହିଁ ।

 

ମନୁଆଁ, ବଟୁବାବୁ, କି ଏପରିକି ଗଜିବାକୁ କୁଆଡ଼ୁ ବୁଝିବେ ଜାତୀୟ ବଦଭ୍ୟାସ ହେବାର ବ୍ୟବସାୟ ଗୌରବ, କୁଆଡ଼ୁ ବୁଝିବେ ଏହା ଫଳରେ ନିକିତି କିପରି ଓଲଟ ପାଲଟ ହେବ, ସେ କୁଆଡ଼ୁ ବୁଝିବେ ଜାତୀୟ ବଦଭ୍ୟାସ ହୋଇଯିବା ମାତ୍ରେ ବିଜ୍ଞାପନ ଏବଂ ସରବରାହ ସବୁ ସରକାର ନେଇଯିବେ, ବଜାର ବଢ଼ିବ, ବଜାର ଦର ବଢ଼ିବ ? ସେମାନଙ୍କ ବୁଝିବା ଚିଜ ୟେ ନୁହେଁ । ସେଥିଲାଗି ସେମାନେ ଜାଣି ନ ଥିଲେ ଯେ କଥା ମୋଡ଼ ଫେରାଇବ । ଏତେ ମୋଡ଼ ଫେରାଇବ ଯେ ସେମାନେ ଭବିପାରି ନ ଥିବେ ଯେ, ପାଠପଢ଼ୁଆ ଲୋକଙ୍କର ବୁଦ୍ଧି ବଳରେ ହାତୀ ଘୋଡ଼ା ହୁଏ, କଳାକୁ ଧଳା କରିବାର ଭେଳିକି ତିଆରି ହୁଏ ।

 

ତା ନ ହେଲେ, କିଏ ଜାଣିଥିଲା ଯେ ଏତେ ଗୁଡ଼ାଏ ଆନ୍ଦୋଳନ, ଏତେ ଲୋକଙ୍କର ଉଗୁରି ରୋଜଗାର, ଏତେ ଗର୍ଜନ ତର୍ଜନ, ଖାଲି ଗୋଟିଏ କଥାରେ କୁଆଡ଼େ ଡୁବି ଯିବ ? କିଏ କଳିଥିଲା ଯେ ମଞ୍ଜି ଏତେ ଭିତରେ ଅଛି, ଏତେ ସେଣାରେ ପାଣି ଉଠିପାରେ ! ଏତେ କଥା ଯେବେ କାହାକୁ ଜଣା ଥାଆନ୍ତା, କାଦୁଅ ଭିତରକୁ ଭଲା ପଶିଥାନ୍ତା କିଏ ? ଏତେ ଓଲଟ ପାଲଟ, ଓଲମ୍ ବିଲମ୍ କ’ଣ କେବେ କାହାର କଳ୍ପନାରେ ଥାଇ ପାରେ ?

 

କିନ୍ତୁ କଥାଯାକ ଓଲଟି ପଡ଼ିଲା ଅନେକ ଡ଼େରିରେ, ଯେତେବେଳେ ସର୍ବ ସମ୍ମତିକ୍ରମେ ନିର୍ବାଚିତ, ନିର୍ଦ୍ଦଳୀୟ, ନିରପେକ୍ଷ ସଭାପତି ମହୋଦୟ, ଶ୍ରୀଳ ଶ୍ରୀଯୁକ୍ତ ମହମ୍ମଦ ଚୁଗୁଲି, ପ୍ରାକ୍ତନ ପେସ୍କାର, କତଲ୍‍ଗଡ୍‍ ହାଇକୋର୍ଟ, ଗୁରୁଗମ୍ଭୀର ସ୍ଵରରେ ଆପଣାର ଅଭିଭାଷଣ ଆରମ୍ଭ କଲେ । ସେତେବେଳେ ଯାଇ ଚେତା ପଶିଲା ।

 

ସେତେବେଳକୁ ଜାତୀୟ ସ୍ତରରେ ସଭା ବସିଛି ଖୋଦ୍ ରାଜଧାନୀର ନିଆଁ ଗିଳା ମଇଦାନରେ । ସେତେବେଳକୁ ମନୁଆଁ ମାନେ, ବଟୁବାବୁମାନେ ଗଜିବାବୁମାନେ ହାଁ କରି ବିଭିନ୍ନ ବଦଭ୍ୟାସର ସୁଗୁଣଗାନ ତିନିଦିନ ଧରି ଶୁଣି ଆସିଲେଣି । ସର୍ବସମ୍ମତିକ୍ରମେ ସ୍ଥିର ହୋଇଛି ଯେ ଶ୍ରୀ ଚୁଗୁଲି ଯେଉଁ ରାୟ ଦେବେ, ଜାତୀୟ ମହାସମ୍ମେଳନ ତାକୁ ଗ୍ରହଣ କରିବ, ଯେ ଆଉ ଝଗଡ଼ା ହେବ ନାହିଁ । କେବଳ ସରକାରଙ୍କୁ ‘ନିବେଦନ କରା ହେବ । ନିଜ ନିଜ ଦଳ ତରଫରୁ ବଦଭ୍ୟାସର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ସମସ୍ତେ । ସେହି ସେହି ବଦଭ୍ୟାସର ଭାରତୀୟ ସଂସ୍କୃତି ସଙ୍ଗେ ସମ୍ପର୍କ, ଆନ୍ତର୍ଜାତିକ ରାଜନୀତି ଓ ବ୍ୟବସାୟ କ୍ଷେତ୍ରରେ ମୂଲ୍ୟାଙ୍କନ ନେଇ ପୂର୍ବ ପ୍ରସ୍ତୁତ ଭାଷଣମାନ ଶୁଣି ଶୁଣି ଲୋକେ ମନ୍ତ୍ରମୁଗ୍‍ଧବତ୍‍ ତୁଲେଇ ଆସିଲେଣି ।

 

ଶ୍ରୀ ଚୁଗୁଲି ଆରମ୍ଭ କଲେ । ବନ୍ଧୁଗଣ ! ଆଜି ସଭାରେ ନାନା ହିସାବ, ନାନା ତଥ୍ୟ ସମ୍ବଳିତ ସୁଚିନ୍ତିତ ବକ୍ତୃତାମାନ ଶୁଣାଗଲା ଏବଂ ଆପଣମାନଙ୍କ ତରଫରୁ ଆଜିକାର ସୁବକ୍ତାମାନଙ୍କୁ ଧନ୍ୟବାଦ ଜଣାଇବାକୁ ମୋତେ ଅନୁମତି ଦିଅନ୍ତୁ । (କରତାଳି)

 

ବିଭିନ୍ନ ମାଦକ ଦ୍ରବ୍ୟର ଦ୍ରବ୍ୟଗୁଣ ସାମାଜିକ ଇତିହାସ ମନୋବୈଜ୍ଞାନିକ ତାତ୍ପର୍ଯ୍ୟ, ଧର୍ମ ଏବଂ ପ୍ରାଦେଶିକ ସଂସ୍କାର ବିଷୟରେ ଏତେ କଥା ମୁଁ ନିଜେ ଜାଣିବାର ସୁଯୋଗ ଏହି ପ୍ରଥମ ପାଇଲି, ଯଦିଓ ଏହି ସଭାରେ ଆଲୋଚିତ ସମସ୍ତ ମାଦକଦ୍ରବ୍ୟ ମୁଁ ଅମଳ କରିଅଛି । (କରତାଳି)

 

ବେଶି କିଛି କହି ମୁଁ ଆପଣମାନଙ୍କ ସମୟ ନଷ୍ଟ କରିବାକୁ ଯିବି ନାହିଁ । ମୁଁ କେବଳ ଗୋଟିଏ କଥା କହିବାକୁ ଏଠି ଠିଆ ହୋଇଛି । ସେଇ କଥାଟି ଶୁଣିବା ଲାଗି ଆପଣମାନଙ୍କର ଆଗ୍ରହ କଥା ମୁଁ ଜାଣେ ଏବଂ ସେଥିଲାଗି ମୁଁ ନିଜର ଏବଂ ମୋ ସ୍ତ୍ରୀ ପିଲାଙ୍କ ତରଫରୁ କୃତଜ୍ଞତା ଜଣାଉଛି । ମୁଁ କେବଳ ଗୋଟିଏ କଥା କହିବାକୁ ଆଜି ଠିଆ ହୋଇଛି ଏବଂ ସେତିକି କହି ବନ୍ଦ କରିବି । (କରତାଳି)

 

ସେହି ଗୋଟିକ କଥା ହେଉଛି, ଏହି ସମସ୍ୟାର ସମାଧାନ ଅନ୍ୟଠାରେ ରହିଛି । ସମସ୍ୟାଟି ହେଲା, ଏପରି ଏକ ବଦଭ୍ୟାସର ନାମ କହିବାକୁ ହେବ, ଯାହାକି ଘରେ ଘରେ, ଗ୍ରାମେ ଗ୍ରାମେ, ନଗରେ ନଗରେ, ପ୍ରଦେଶେ ପ୍ରଦେଶେ, ଆବାଳବୃଦ୍ଧବନିତା, ଜାତିଧର୍ମନିର୍ବିଶେଷରେ ଭାରତୀୟ ମାତ୍ରକେ ରହିଥିବ । ଏହା ଗୋଟିଏ ଅଭ୍ୟାସ ହୋଇଥିବ ଏବଂ ଏହା ‘ବଦ୍’ ବୋଲି ସମସ୍ତେ ସ୍ଵୀକାର କରୁଥିବେ ।

 

ମୁଁ କେବଳ ଗୋଟିଏ କଥା କହିବି ଏବଂ ସେ କଥାଟି ହେଉଛି, ବଦଭ୍ୟାସ କେବଳ ମାଦକ ଦ୍ରବ୍ୟ ଉପରେ ନିହିତ ନାହିଁ । କେତେ ବଦଭ୍ୟାସ ଆମର ଏହି ସଂସ୍କାର ଧନୀ ଭାରତରେ ବିରାଜମାନ । ସବୁ ଚିନ୍ତାକରି ଏବଂ ବିଶେଷ କରି ଜାତୀୟ ବଦଭ୍ୟାସ ଆନ୍ଦୋଳନର ପରିପ୍ରେକ୍ଷୀରେ ବିଚାର କରି ମୁଁ ଦେଖିଲି, ମାଦକଦ୍ରବ୍ୟ କେବଳ ଆଂଶିକ ଭାବରେ ହିଁ ବଦଭ୍ୟାସର ପ୍ରତିନିଧିତ୍ଵ କରିପାରିବ ।

 

ଆଜିର ବକ୍ତବ୍ୟରେ ମୁଁ କେବଳ ଇସାରାଟିଏ ଉଦାହରଣଟିଏ ପେଶ୍ କରୁଛି । ଏହା ଯେବେ ଆପଣଙ୍କର ବିଚାରଧାରାରେ ପରିବର୍ତ୍ତନ ଆଣେ ମୋର ଶ୍ରମ ସାର୍ଥକ ହେବ । ଜାତୀୟ ବଦଭ୍ୟାସ ଭାବରେ ଭାଙ୍ଗ, ଗଞ୍ଜେଇ, ଅଫିମ ଆଦିକି ବାଦ ଦେଇ ଦିଅନ୍ତୁ ବିଲ୍‍କୁଲ୍ । ତା ହେଲେ କ’ଣ ବଦଭ୍ୟାସ ରହୁନାହି ? ରହୁଛି । କ’ଣ ରହୁଛି ? ଧରିନିଅନ୍ତୁ ଆମର ଜାତୀୟ ବଦଭ୍ୟାସ ହେଉଛି ‘ଘୁଷ୍’ । ଏହା ତଳେ ଘୁଷ୍ ନେବା, ଘୁଷ୍ ଦେବା, ଘୁଷ୍‍କୁ ନିନ୍ଦା, ସମାଲୋଚନା ବା ପ୍ରଶଂସା କରିବା ସବୁ ସାମିଲ୍ । ସେତେବେଳେ ନିଶ୍ଚୟ ଏତେଗୁଡ଼େ କନ୍ଦଳ ସୃଷ୍ଟି ହେବନାହିଁ । ଏହି ଦୃଷ୍ଟିରୁ ପରଚର୍ଚ୍ଚା, ପରଶ୍ରୀକାତରତା; କାପୁରୁଷତା ଆଦି ଉଜ୍ଜଳ ଏବଂ ସୁନ୍ଦର ସମ୍ଭାବନାରେ ଆମ ଦେଶ ଭରପୁର ।

 

ଜାତୀୟ ବଦଭ୍ୟାସ ଆନ୍ଦୋଳନର ଉଦ୍ୟୋକ୍ତା ମାନଙ୍କର ଉଦ୍ୟମ ପ୍ରଶଂସନୀୟ । ମୁଁ କେବଳ ଗୋଟିଏ କଥା କହିବି, ଗୋଟିଏ ଅନୁରୋଧ କରିବି । କଥାଟି ହେଉଛି, ସେମାନେ ପୁନର୍ବିଚାର କରନ୍ତୁ । ବିଚାରର ଚରମ ପରିଣତି ଉପରେ ଅଧିକ ଜୋର ନ ଦେଇ ସେମାନେ ସମାଧାନ ଆଡ଼କୁ କ୍ଷିପ୍ରଗତିରେ ଅଗ୍ରସର ହୁଅନ୍ତି । ମୋର ବିଶ୍ଵାସ, ବର୍ତ୍ତମାନ ଅବସ୍ଥାର ଉନ୍ନତି ଅବଶ୍ୟମ୍ଭାବୀ । ମୋ ତରଫରୁ, ମୋର ପରିବାର ତରଫରୁ ମୁଁ ଆପଣମାନଙ୍କୁ, ଗଜଧରବାବୁ ଓ ଅନ୍ୟାନ୍ୟ ଉଦ୍ୟୋକ୍ତାମାନଙ୍କୁ ଧନ୍ୟବାଦ ଜଣାଇ ଆଜିକାର ସଭା ସାଙ୍ଗ କରୁଛି ।“ଜୟହିନ୍ଦ୍”

Image

 

କେବଳ ପ୍ରାପ୍ତବୟସ୍କଙ୍କପାଇଁ

 

ଏ ଲେଖାଟି କେବଳ ପ୍ରାପ୍ତବୟସ୍କ ଲାଗି । ଅର୍ଥାତ୍ ପିଲାଛୁଆଙ୍କୁ ଏ ଘରୁ ଆଗ ବାହାର ଆଡ଼େ ଆଡ଼େଇ ଦିଅନ୍ତୁ । ତା ପରେ ‘ଡଗର’ ଟିକ ଖୋଲି ବସନ୍ତୁ କାଇଦାମାଫିକ୍ । ଆପଣ, ଆଉଘରେ ୧୮ବର୍ଷ ଓ ତଦୁର୍ଦ୍ଧ୍ଵ ଭୋଟରମାନେ ପଢ଼ି ସାରିଲେ ଏଇ କେଇଟି ପୃଷ୍ଠା ଛୁରି, ବ୍ଲେଡ୍ ଅଭାବେ ନଖ ଦନ୍ତଦ୍ୱାରା ଚିହ୍ନ କରି ତେବେ ଯାଇ ଶାନ୍ତି ଲଭିବେ । ଯେବେ ୧୭ବର୍ଷ ବୟସରେ କେହି ୟାକୁ ଦେଖି ପକାଏ, ଆରେ ବାପରେ ବାପ୍ ! ଆଉ ଅବସ୍ଥା ରହିବଟିକି ? ପାଠକ ଆପଣେ-! ଆପଣ ବି ଡୁବିବେ ଅଧୀନ ବି ଡୁବିବ, ବିଲ୍‍କୁଲ୍ ନିର୍ଦ୍ଦୋଷ ସମ୍ପାଦକ ହଜୁରେ ବି ଡୁବିବେ । ଥରେ ଡୁବି ସାରିଲା ପରେ ଛୋଟ କିଏ, ବଡ଼ କିଏ; ଜାଗା କ’ଣ ଅଜାଗା କ’ଣ, ଦଉଚି କିଏ, ନଉଚି କିଏ ଆଦିର ବିଚାରଣା ନ ଥିବ ।

 

ମୋ କଥା ମନେ ରଖିବେ । ନିଆଁକୁ ନେଇ ନବଜ କରିବେ ନାହିଁ । ଆଗରୁ କହି ରଖୁଚି, ଅସଲି ପ୍ରାପ୍ତବୟସ୍କଲୋକ ଇୟାକୁ ପଢ଼ିବେ । ନଚେତ୍ ଫଳ ଓଲଟା ହବ । ଅର୍ଥାତ୍ ଯୋଉଁ ଜାଗାରେ ହସିବା କଥା’ ସେ ଜାଗାରେ କାନ୍ଦ କରୁଣ ରସ ଜାଗାରେ ବୀରରସ, ବିଭତ୍ସ ରସ ସ୍ଥାନରେ ଶୃଙ୍ଗାର ଆଦିର ଆବିର୍ଭାବ ହେବ । ଓଲଟା ଫଳ ହେଲେ କିଛି କଥା ନଥିଲା ଲେଖାଟି ଲାଗି । ଓଲଟାଗୁଡ଼ାକ ବି ମିଶିମାଶି ମୋଟ୍‍ ବୀରରସ, ମୋଟ୍‍ ହାସ୍ୟରସ ଇତ୍ୟାଦି ସମାନ ରହିଥାନ୍ତେ । କିନ୍ତୁ ଫଳଗୁଡ଼ାକ ଯେ ଖାଲି ଏଇ ଲେଖାଠି ସରି ଯିବ ନାହିଁ । ସେ ଯେ ସଂସାର ଉପରେ ପଡ଼ିବ । ଏହି ଓଳିଆରୁ ଗଜାଙ୍କ ଉପରେ ପଡ଼ିବ ।

 

ମୁଁ ବଡ଼ ଦୁଃଖିତ ଯେ ଆପଣଙ୍କ ମନରେ “କିପରି ପଡ଼ିବ ?” ଏହି ପ୍ରଶ୍ନଟି ଉଦୟ ହୋଇଛି । ମୁଁ ଦୁଃଖର ସହିତ ବୁଝାଇବାକୁ ବାଧ୍ୟ ହେଲି । କଥାଟା ସରଳ । କଥାଟା ହେଉଛି, ଯେଉଁ କଥା ୧୮ବର୍ଷିଆଙ୍କ ଲାଗି, ତାକୁ ଯେବେ ବାର ତେର ବର୍ଷିଆ ପଡ଼େ, ସେ ହୋଇଯିବ ୧୮ ବର୍ଷର । ଅନୁପାତ ମୁତାବକ କେହି କେହି ୨୨ ବା ୨୩ ବି ହେବା ବିଚିତ୍ର ନୁହେଁ । ଏହା ଅକାଳ ବାର୍ଦ୍ଧକ୍ୟର ମୂଳ ସୂଚନା । ଏଣେ ଏତେ ଜଲଦି ଜଲଦି ଛୁଆମାନେ ବଡ଼ ହୋଇଗଲେ ଆମକୁ ମାନିବେ ନାହିଁ । ତେଣୁ ସଦାବେଳେ ତାଙ୍କୁ ମନେ କରାଇ ଦେବାକୁ ହେବ ଯେ ସେମାନେ ଛୋଟ, ସେମାନେ ଢେର ଢେର କଥା ବୁଝିପାରନ୍ତି ନାହିଁ, କଥା କଥାକେ ଆମକୁ ନ ପଚାରିଲେ ସେମାନେ ରସାତଳକୁ ଚାଲିଯିବେ । ସେମାନଙ୍କପାଇଁ ବହି ଲେଖି ବଡ଼ମାନେ ବଡ଼ଲୋକ ହେବେ, ସେମାନେ ଯାହା କୁହନ୍ତୁ ଭୁଲ୍ କହି ବଡ଼ ବଡ଼ିଆଏ ନାନା ଆନ୍ଦୋଳନ ଦବାଇ ରଖିପାରିବେ, ତାଙ୍କ ଉପରେ କଟକଣା ଜାରୀ କରି କରି, ବେତ ବୁଲେଇ ବୁଲେଇ ମାଷ୍ଟ୍ରିଆମାନେ ଆପଣାର ସବୁ ଆଘାତ, ଅପାରଗତା ଭୁଲି ବଡ଼ପଣ ଜାହିର କରିପାରିବେ । ଏହି ହେଲା ଅସଲ ସ୍ୱାସ୍ଥ୍ୟକର ସାମାଜିକ ବ୍ୟବସ୍ଥା । ଆଉ ଗାଲ-ଚିପିଲେ-ଦୁଧ ବାହାରିବା ଛୁଆ ଯେବେ ନାନା ପାଠ ବତେଇବାକୁ ବସନ୍ତି, ଧରିତ୍ରୀ ଉଚ୍ଛନ୍ନ ଯିବ ନାହିଁକି ? “କିପରି ପଡ଼ିବ ?” ବଡ଼ ଆଶ୍ଚର୍ଯ୍ୟ ପ୍ରଶ୍ନ କିନ୍ତୁ ଉଦୟ ହେଲା ଆପଣଙ୍କ ମନାକାଶରେ !

 

ସେଇଥିଲାଗି ଧରି ନିଆ ଯାଇଛି, ଯେଉଁ କଥା ପ୍ରାପ୍ତବୟସ୍କଙ୍କ ପାଇଁ, ସେ ସବୁ ପ୍ରାପ୍ତବୟସ୍କଙ୍କ ପାଇଁ । ନା ନା, ଏଥିରେ ଆଉ ଆପଣ ଥତମତ କରିବେ ନାହିଁ । ମାନି ନିଅନ୍ତୁ । ମାନି ନେବାଟା ଭଲ ବୁଦ୍ଧି । ମାନିନେଲେ ଆଉ ଝଞ୍ଜଟ ନଥାଏ । ସୁନାପିଲା ହେଉଛି ସେଇ ଯେ ସମସ୍ତଙ୍କୁ ମାନି, ମନେଇ ଚଳିପାରେ । ପ୍ରାପ୍ତବୟସ୍କଙ୍କ ପାଇଁ ସବୁ ରସରସିଆ, ମଜେଦାର ଜିନିଷ ଭଗବାନ୍ ସୃଷ୍ଟି କରିଛନ୍ତି କି ବୋଲି ଯେଉଁ ପିଲାମାନେ ହଲ୍ଲା କରିବେ, ତାଙ୍କୁ ଦିଟା କପୁର ମିଠେଇ ଧରେଇ ଦେଇ କହନ୍ତୁ ଥୟ ଧର, ଦିନ ଆସୁଛି ।

 

କପୁରମିଠେଇ କଥାରୁ ମନେପଡ଼ିଲା, ଲଲିପପ୍, ଚକୋଲେଟ୍‍, ଲେମନ୍‍ଚୁସ ପ୍ରଭୃତି ପଦାର୍ଥର ଟିଣରେ କାହିଁକି ‘କେବଳ ଅପ୍ରାପ୍ତବୟସ୍କଙ୍କ ପାଇଁ’ ଲେଖା ହେଉନାହିଁ, ସେ କ୍ଷେତ୍ରରେ ‘ଏ’ ସାଟିଫିକେଟ୍‍ ସ୍ଥାନରେ କାହିଁକି ‘ସି’ ସାଟିଫିକେଟ୍‍ ପ୍ରବର୍ତ୍ତିତ ହୋଇନାହିଁ, ଏ ନେଇ ଜଣେ ବନ୍ଧୁ ଚିନ୍ତିତ । ସେ କହନ୍ତି, ମାନିଲି, ସବୁ କଥାର ସମୟ ଅଛି । ଋତୁ ଆୱେ, ତବ୍ ଫଲ୍ ହୋୱେ । ଛୁଆମାନେ ସବୁ କଥାକୁ ଠିକ୍ ଅର୍ଥରେ ନେବେ ନାହିଁ, ମାନୁଛି, ଯଦିଓ କେବଳ ବୟଃପ୍ରାପ୍ତ ହେଲେ ଯେବେ ଲୋକେ ଠିକ୍ ଅର୍ଥରେ ନେଉଥାନ୍ତେ ସବୁକଥାକୁ, ତେବେ ତ ପୃଥିବୀରେ ଦୁଃଖର ଅବକାଶ ନଥିଲା । କାରଣ ପୃଥିବୀରେ ସବୁ ଦୁଃଖର ପ୍ରକୃତ ଜନକ କେବଳ ପ୍ରାପ୍ତବୟସ୍କ ଲୋକେ । ବୟଃପ୍ରାପ୍ତି ନହେଲେ ଦୁଃଖ ସୃଷ୍ଟି କରିବାର ଯୋଗ୍ୟତା ହୁଏନା । ହେଲା ଏବେ ତମକଥା । କିନ୍ତୁ ସମାଜ ବ୍ୟବସ୍ଥା କରୁ, ଅମୁକେଇ ଅମୁକେଇ ଜିନିଷ ପ୍ରାପ୍ତବୟସ୍କଙ୍କର, ସମୁକେଇ ସମୁକେଇ କଥା ଅପ୍ରାପ୍ତ ବୟସ୍କଙ୍କର ତା ନାଇଁ ହଠାତ୍ ଶୂନ୍ୟରୁ ‘ପ୍ରାପ୍ତବୟସ୍କ ପାଇଁ’ ! ତମେ ତ ଯାହା ଇଚ୍ଛା ତାହା କଲ । ମନ କଲେ ଲଲିପପ୍ ଚୁଚୁମିଲ, ମନକଲେ ନିଶଉଠା ପାଠ ବି ପଢ଼ିଲେ । ସେ ହଲପ୍ କରି କହିଲେ, ସେ ନିଜ ଆଖିରେ ଦେଖିଛନ୍ତି ଜଣେ ପଞ୍ଚାଶବର୍ଷିଆ ଫିଲିମ୍ ହିରୋ ହାଫ୍‍ପ୍ୟାଣ୍ଟ୍‍ ପିନ୍ଧି ଫୁଟ୍‍ବଲ ପଡ଼ିଆରେ ଇସ୍କୁଲ୍ ପିଲା ପାର୍ଟ କରିବାର । ଭିନେ ଭାନେ ହେଲ, ବନ୍ଧ ବାଡ଼ ପଡ଼ିଲା, ତମ କିଆରୀ ୟେ, ତା କିଆରୀ ସେ । ତା ନାଇଁ ତେମେ ଖେଦି ଆସୁଥିବ, ସେ ମୁହଁ ମାଡ଼ି ପଡ଼ିଥିବ, ଇଏ କୁଠିକା ନ୍ୟାୟ ?

 

କିନ୍ତୁ ବନ୍ଧୁ ବର, ଦୁନିଆଁର ରୀତି ୟେ । ତେମେ ଆମେ କ’ଣ କରିପାରିବା ? ଆଜି ତମେ ମତେ ପଚାରିବ, ମୁଁ କାଲି ଆଉ ପାଁଜଣଙ୍କୁ ପଚାରିବି, ଆମେ ପଚରା ପଚରି ହେଉଥିବା, ଦୁନିଆଁ ଛାଁ ଦୁନିଆଁ ଚାଲିଥିବ । ଏଠି ସେ କଥା ପଡ଼ିନାହିଁ, ଆମେ ସଜାଡ଼ିବାକୁ କିଏ ? କିନ୍ତୁ କଥାଟିଏ କହୁଚି, ଶୁଣିବ ଯଦି ଶୁଣ ତମେ ବି, ପାଠକ ଆପଣେ, ଟିକେ ସ୍ୟାଡକୁ ଘୁଞ୍ଚି ବସିବେ, ବନ୍ଧୁଙ୍କ ଲାଗି ଜାଗା କରି ଦିଅନ୍ତୁ ।

 

ଦେଶରେ ନିର୍ବାଚନୀ ଧୂଆଁ ଉଠିଲାଣି । ୟେ ବି ଏକ ପ୍ରାପ୍ତବୟସ୍କ କସରତ୍ କିନା । ଏଠିକା ବାତାବରଣକୁ ଟିକେ ଲକ୍ଷ୍ୟ ରଖିଥିବେ । ବେଳ ଆସିଲାଣି ନିଜକୁଚମର୍ଦ୍ଦନ, ନିଜ ଡିଣ୍ଡିମପିଟଣ ସ୍ତମ୍ଭନ, ଉଚାଟନ ବଶୀକରଣର ହଟଚମଟ ଦେଖାଇବାର । ନିଲଠ, କପଟ ଶଠ; ଆଗଚଲା, ପଛପେଲା, ପରଗାଈଦୁହାଁ, ବଇଠିପିଲାମାନଙ୍କର ପାଳକ ପଡ଼ିଲା । ହୋ ହୋ ଧୋ ଧୋ କର୍ମବୀରମାନେ, ଏଘର ମାଉସୀ ସେଘର ପିଉସୀ ପ୍ରତିନିଧିମାନେ, ୟା ପୁତୁରା ତା ଭଣଜା ବାନରସେନାଏ; କାନ୍ତାରୁ, ନେନ୍ତାରୁ ମଣିଷମାରୁମାନଙ୍କର ମାତିବାର ବେଳ ଅଇଲାଣି । ଟାଉଟରିଆ, ଘରଭଙ୍ଗା, ବିଲହଗା, ସବୁନାଟର ଗୋବର୍ଦ୍ଧନ, ନଟବର–ଗୁଳୁଚି ନାଗରମାନଙ୍କର ମୁରୁକିହସା ଦିଶିଲାଣି । ବାରଦୁଆର ଶୁଣ୍ଢପିଣ୍ଡା ବୁଲିବାର ଠୁଣ ଠୁଣ ପାନପାତ୍ର ନିଃଶେଷ କରିବାର, ଫୁସୁ ଫୁସୁ ଗୃହ୍ୟଭାଷଣର, ୟା ନାଁ’ରେ ତା ନାଁ’ରେ ଗାଇବୁଲିବାର ପ୍ରାପ୍ତବୟସ୍କ ଖେଳସବୁ ଖେଳା ହେଲାଣି । ଝମଝମ ବାଜିଲାଣି କଳା କଳା ପ୍ରାପ୍ତବୟସ୍କ ଟଙ୍କାଥଳି, ଖସ୍ ଖସ୍ ଖସିଲାଣି ପ୍ରାପ୍ତବୟସ୍କ ନୋଟ୍‍ବିଡ଼ା । ଅମଡ଼ାବାଟରେ ଲାଗିଲାଣି ପୁଷ୍ପକଯାନରେ ଭିଡ଼, ଅବାଟ ବାଟରେ ଚାଲିଲେଣି ମାଳ ମାଳ ହାୱ୍ୱାଗାଡ଼ି, ଅଦିନ ଘାଟରେ ଲାଗିଲାଣି ସାଧବ ପୁଅର ବୋଇତମାନ । କାନ୍ଥ ବାଡ଼ମାନ ଡାକି ଡାକି ଦେଖାଇଲେଣି ଅଙ୍ଗେ ଅଙ୍ଗେ ଚିତା । ତ୍ରିଭୁବନ ପ୍ରକମ୍ପିତ କରି ଦୁବୋଧ୍ୟ ଶବ୍ଦରେ ଭଡ଼ାକରା ଯାନବାହାନ ଭିତରୁ ଭଡ଼ାକରା ପ୍ରଚାରକମାନେ କାହା କାହାର ନାମଗୁଣ କରି ନଗରପରିକ୍ରମାରେ ବାହାରିଲେଣି । ଏ ଖେଳ କେବଳ ପ୍ରାପ୍ତବୟସ୍କଙ୍କର, ପ୍ରାପ୍ତବୟସ୍କ ସକାଶେ, ପ୍ରାପ୍ତବୟସ୍କଙ୍କ ଦ୍ଵାରା ଅନୁଷ୍ଠିତ ।

 

ଏ ରୂପ କିନ୍ତୁ ସେତେବେଳେ ନଥିଲା, ଯେବ କଥା ପଡ଼ିଛି । ସେତେବେଳେ ମୁଁ ବି ଜନ୍ମ ହୋଇନାହିଁ ପ୍ରାପ୍ତବୟସ୍କ ସଂସାରରେ । ଆମେ ଖାଲି ଶୁଣିବା କଥା । ସେତେବେଳେ ଏହି ଛକ ଓ ଷ୍ଟାମ୍ପ୍ ସଚିତ୍ର ବ୍ୟବସ୍ଥାଟି ନଥିଲା । ସେତେବେଳାର ନିର୍ବାଚନୀ ଦୁନିଆଁ ରଙ୍ଗରଙ୍ଗେଲି । ଅର୍ଥାତ ଖାଲି ଅମୁକ ରଙ୍ଗର ବାକ୍‍ସରେ ଅମୁକଚନ୍ଦ୍ରଙ୍କୁ ଭୋଟ୍‍ ଦେବା କଥା । ସେତେବେଳର ନିର୍ବାଚନୀ ଶୋଭାଯାତ୍ରାରେ ତିନିଦଳ ଥିଲେ । ଦଳେ କହିବେ ‘ଶ୍ରୀ ଅମୁକଙ୍କୁ’, ଆଉ ଦଳେ ‘ଅମୁକରଙ୍ଗର ବାକ୍‍ସରେ’ ଏବଂ ଶେଷ ଦଳଟି ଜୋର ଗଳାରେ ‘ଭୋଟ୍‍ ଦିଅନ୍ତୁ’ । ଏହି ପଦ୍ଧତିରେ ମୁର୍ଖାତମୁର୍ଖ ଭାରତୀୟ ଜନଗଣଙ୍କୁ ଶ୍ଵେତଦ୍ଵୀପର ଶାସକଗଣ ଗଣତନ୍ତ୍ରରେ ତାଲିମ୍ ଦେଉଥିଲେ ।

 

ତେବେ ଏ ଖେଳରେ ଅପ୍ରାପ୍ତବୟସ୍କମାନେ ମଧ୍ୟ ଅଂଶଗ୍ରହଣ କରୁଥିଲେ । ଆଜିର କଢି କାଲିର ଫୁଲ । ତାଲିମ୍ ସମସ୍ତଙ୍କର ଲୋଡ଼ାଥିଲା । ଗଣତନ୍ତ୍ରର ଏଇଟା ହିଁ ଚମତ୍କାର ବ୍ୟବସ୍ଥା । ପ୍ରାପ୍ତବୟସ୍କମାନେ ଭୋଟ ଦେବେ । ବାକୀମାନେ ଭୋଟ ଦିଆଇବେ । ହଲାଗୁଲା କରିବେ ।

 

ଜଣେ ‘ବାବୁ ଶ୍ରୀ–’ଙ୍କର ପ୍ରଚାରପଦ୍ଧତି କଥା ବୟସ୍କମାନଙ୍କୁ ମୁଖରୁ ଶୁଣାଯାଏ । ‘ବାବୁଶ୍ରୀ–’ ସ୍ଵାୟତ୍ତଶାସନର ପ୍ରାର୍ଥୀ । ଟଙ୍କା ଅପର୍ଯ୍ୟାପ୍ତ , କିନ୍ତୁ ଟଙ୍କା ସେ ଭୋଟ୍‍ ପାଇବାର ଅମୋଘ ଅସ୍ତ୍ର, ଏହି ତତ୍ତ୍ଵଟି ବାବୁଙ୍କୁ ଜଣାନାହିଁ । ବାବୁ ବିଚାରୁଥିଲେ, ଲୋକଙ୍କ ଆଗରେ ଗୋଡ଼ ଭାଙ୍ଗି ଠିଆ ହୋଇ ନେହୁରା ମିନତି କଲେ ଚଟାପଟ ଭୋଟଗୁଡ଼ାକ ତାଙ୍କର କମଳାଲେମ୍ବୁ ରଙ୍ଗ ବାକ୍‍ସରେ ଢୁକିଯିବେ ଏବଂ ସେ ବି ଦିଲ୍ଲୀକା ଲଡ଼ୁ ଭୋଜନ କରି ପାରିବେ ? ଯେଉଁଥିଲାଗି ଏତେ କଥା । ହାୟ ! ଏ ଭୁଲ୍ ଆଜିସୁଦ୍ଧା କେତେକ ପୋଷଣ କରନ୍ତି । ସେମାନେ ‘ଯୋ ନେହିଁ ଖାତା’ ଦଳରେ ପସ୍ତେଇବେ ଚିରକାଳ ।

 

ଘୋର ଘର୍ଘର ନିନାଦ ପୂର୍ବକ ଯେଉଁ ସବୁ କଳା ରଙ୍ଗର ମୋଟର ଗାଡ଼ି ବାଛୁରିପରି ବେଁ ବେଁ ବୋବାନ୍ତି, ତାହା ହିଁ ସେ କାଳର ଅଭିଜାତ ଯାନ ଥିଲା । ସେହିପରି ଏକ ମୋଟର ଗାଡ଼ି ଆରୋହଣ କରି ବାବୁଶ୍ରୀ –ବାହାରିଲେ ନିର୍ବାଚନ ପ୍ରଚାର କରି । ଏହି କେତେଦିନ ଖିଆ ନାହିଁ ପିଆ ନାହିଁ, ଖରା ନାହିଁ କି ବରଷା ନାହିଁ, ବାବୁ ଚାଲିଛନ୍ତି । କୋମଳତନୁ ଗଲାଣି ଶୁକୁଟି ମୁକୁଟି, ଛେନାପରି ଶ୍ଵେତ ମୁଖମଣ୍ଡଳଟି ହେଲାଣି ପାନ୍ତୁଆ ପରି ଲାଲ୍ ଓ ରସାଳ, ତଥାପି ମହାକାର୍ଯ୍ୟେ ଅଗ୍ରସର ହୋଇଛୁରେ ମନ କ୍ଳାନ୍ତି କ’ଣ, ଅବସାଦ କାହିଁ ? ଏହି ନୀତି ଧରି ବାବୁଶ୍ରୀ ଚାଲିଛନ୍ତି ।

 

ସାଙ୍ଗରେ ବିଶ୍ଵସ୍ତ ଡ୍ରାଇଭର । ମୋଟରରେ ଚାଲିଛନ୍ତି ଦଳେ ପାଲାବାଲା, ଜଣେ ନାଗରାଦାର୍‍, ଜଣେ ଢୋଲିଆ, ଜଣେ ମହୁରିଆ । ଗାଡ଼ି ଯେତେବେଳେ ତାହାର ଅନଭ୍ୟସ୍ତ ରାସ୍ତାରେ ନାଚିକୁଦି ଏଣିକି ଟଳି ତେଣିକି ଢଳି ଆଗେଇ ଚାଲୁଥାଏ, ତାଳେ ତାଲେ ନାନା ବାଦ୍ୟଯନ୍ତ୍ରର ଝଙ୍କାର ମଧ୍ୟ ବାବୁଙ୍କ ମନରେ ଅବସାଦ ହରଣ କରି ଲାଗିଥାନ୍ତି । ମଝିରେ ମଝିରେ ଗୋରୁଟାଏ ଜୁଟିଗଲେ ଡ୍ରାଇଭର ସୁଯୋଗ ପାଇ ନିଜର ଡାହାଣହାତ ପଦାକୁ କାଢ଼ି ରବର ବଲଟିକି ଚିପି ଚିପି ‘ପୁଆଁ’ ପୁଆଁ’ କରୁଥାଏ । ତାହା ବି ଯଥେଷ୍ଟ ନ ହେଲେ ତାହାର ଅମୋଘ ବାଛୁରୀ ନିନାଦିନୀ ହର୍ଣ୍ଣଟିକ ଚିପିଦିଏ । ଅନେକ ସମୟରେ ତାହା ମଧ୍ୟ ଗାଉଁଲି ଜୀବଜନ୍ତୁମାନଙ୍କୁ ଏହି ଅଜବ ହାୱାଗାଡ଼ିର ବିପଜ୍ଜନକ ଉପସ୍ଥିତି ସମ୍ବଦ୍ଧରେ ଆଶାନୁରୂପ ଭାବେ ସଚେତନ କରିପାରେ ନାହିଁ । କେତେକ ରୋମନ୍ଥନରତ ଗୋରୁ ଅତି ନିଷ୍ପୃହ ଭାବରେ ବାବୁଶ୍ରୀଙ୍କର ଜାତିଆ ମୋଟର ଗାଡ଼ିଟି ଆଡ଼କୁ ସାମନା ସାମନି ଅନାଇ ପୁଣି ମୁହଁ ଫେରାଇ ନିଅନ୍ତି, ଯେପରିକି ସେମାନେ ଭାବୁଛନ୍ତି ‘ଯା’ ହୋ–କେତେ ଛେପରି ହେଉଛ ! ସେତେବେଳେ ଡ୍ରାଇଭର ଗାଡ଼ିରୁ ଓହ୍ଲାଇ ହୋ ହୋ କରି ସେମାନଙ୍କୁ ରାସ୍ତାରୁ ହଟାଇ ତେବେ ଯାଇଁ ଆଗେଇ ଯାଏ । ଇଏବି ହାତେ ମାପି ଚାଖଣ୍ଡେ ଚାଲିବାର ତାଲିମ୍ ବୋଲିବାକୁ ହେବ ।

 

ଜୀବନରେ ପ୍ରଥମ ଲାଗି ଏପରି ଏକ ଅଭୁତ ବଳଦହୀନ କେରଞ୍ଚ ଗାଡ଼ି ଦେଖି କୌତୁହଳୀ ଅପ୍ରାପ୍ତବୟସ୍କ ପିଲାମାନେ ଉଦ୍‍ଗତ ଧୂଳି ପ୍ରତି ବେଖାତିର କରି ପଲ ପଲ ଦଳ ହୋଇ ଧାଇଁଛନ୍ତି ଗାଡ଼ି ପଛେ ପଛେ । ବେଳେ ବେଳେ ସେମାନେ ଗାଡ଼ିକୁ ଟପି ଯାଉଁଛନ୍ତି, ବେଳେ ବେଳେ ଗାଡ଼ି ସେମାନଙ୍କୁ ଟପି ଯାଉଛି । ଡ୍ରାଇଭର ବାପୁଡ଼ା ୟାଡ଼କୁ ଚାହୁଁଛି । ଏକୁ କେଞ୍ଚେ, ତାକୁ ବିଧେ ଥୋଉଛି ପୁଣି ହୁଟ୍‍ ହୁଟ୍‍ ହଟ୍‍ ହଟ୍‍ କରି ଆଗେଇ ନେଉଛି । ଭିଡ଼ ବଢ଼ୁଛି । ଧୂଳିପଟଳ ଆକାଶ ଆଚ୍ଛନ୍ନ କଲାଣି ।

 

ଗାଆଁ ମୁଣ୍ଡରେ ଗାଡ଼ି ରହିଲା, ଦିନ ଦିପ୍ରହର । ଗାଡ଼ିରୁ ବାହାରିଲେ ନାଗରାଦାର୍‍, ଢୋଲିଆ ଓ ମହୁରିଆ । ପ୍ରଥମେ ନାଗରା ଏକ ତାଳରେ ପରେ ପରେ ଢୋଲ ଅନ୍ୟ ଏକ ତାଳରେ ଏବଂ ଏ ଦୁଇ ତାଳଠାରୁ ସ୍ଵତନ୍ତ୍ରଭାବେ ମହୁରୀ ବାଜିଲେ । ଲୋକ ଜମିବେ । ଲୋକଙ୍କର ଦେଖା ନାଇଁ । ସମସ୍ତେ ଯାଉଛନ୍ତି ବାହାରି ବିଲକୁ । ଗାଁ’ ରେ ପିଲେ, ମାଇପେ । ମାଇପେ ଆଗକାଳେ ହଠାତ୍ କେଉଁ କେରଞ୍ଚ ଗାଡ଼ି ସଙ୍ଗେ ଯେତେ ଆସିଥିଲେ, ଆହୁରି ସେତିକି ଜମା ହେଲେ ।

 

ତେଣିକି ପାଲାବାଲା । ଖୋଳ କରତାଳ ବାଜିଲା । ହରିବୋଲ ପଡ଼ିଲା । ଟିକେ ଅଣ୍ଟାଦୋହଲା ନାଚ ବି ‘ତାକଧିନାକଡ ତାକଡ଼ ତାକଡ଼’ ତାଳରେ ହୋଇଗଲା । ବାବୁଶ୍ରୀଙ୍କର ସ୍ଵରଚିତ ଏକ ନିଜ ବନ୍ଦନା ବି ବୋଲାଗଲା–କିଏ ଶୁଣୁ ନଶୁଣୁ , ବୁଝୁ ନବୁଝୁ । ଶେଷରେ ଗାହାଣ କହିଲେ ସେହି ବାବା ସତ୍ୟନାରାୟଣ ଆମ ବାବୁଙ୍କର ମନସ୍କାମ ପୂରଣ କରନ୍ତୁ ଆନନ୍ଦେ ଏକବାର ହରି ହରିବୋଲ ।’

 

ବାବୁ ବାହାରିଲେ । ପଛେ ପଛେ ଡ୍ରାଇଭର । ତା ହାତରେ କମଳା ଝୁଡ଼ି । କମଳା ଲେମ୍ବୁ ବଣ୍ଟା ହେଲା । ସବୁ ପିଲା ଗୋଟିଏ ଗୋଟିଏ ଧରିଲେ ଧରାପଡ଼ା ହୋଇ । ଗୋଟିକ ପରେ ଆଉ ଗୋଟିଏ ଝୁଡ଼ି ବାହାରିଲା । ଏହି ପର୍ଯ୍ୟନ୍ତ ବାବୁଙ୍କ ଭାଷଣର ଉପକ୍ରମଣିକା ।

 

ବାବୁଶ୍ରୀ– କଣ୍ଠ ଝାଡ଼ି । ସୁଟ୍‍ ପକେଟରେ ହାତପୁରାଇ ତେର୍ଚ୍ଛେଇ ହୋଇ ଠିଆହେଲେ । ତା’ ପରେ କହିଲେ, ଆହମ୍ ପିଲାମାନେ ! ତୁମ୍ଭେମାନେ ଏହି କମଳା ଲେମ୍ବୁକୁ ଖାଇବ, ଏବଂ ଏହାର ଚୋପା ତୁମର ବାପା ମା’ଙ୍କୁ ଦେବ ଏବଂ କହିବ ଯେ ସେମାନେ ଏହି ରଙ୍ଗର ବାକସରେ ଭୋଟ ଦେବେ ।” ଏତିକିରେ ଅଭିଭାଷଣ ଶେଷ ହେଲା । ବାବୁ ଗାଡ଼ିରେ ବସିଲେ । ବାକୀମାନେ ବସି ସାରିଥିଲେ । ପୁଣି ଆଉ କେଉଁ ଗାଁ ।

 

ଏହି ପଦ୍ଧତିରେ ଯେଉଁ ତାଲିମ୍ ମିଳିଥିଲା, ଆଜିବ ତାହା ଫୁଟି ବାହାରିବାରେ ବୈଚିତ୍ର୍ୟ କ’ଣ ? ଆଜି ମଧ୍ୟ ଅପ୍ରାପ୍ତବୟସ୍କମାନଙ୍କର ଦାନ କିଛି କମ୍ ନୁହେଁ । ଜଣେ ପାର୍ଥୀଙ୍କର ଷୋଡ଼ଷୀ କନ୍ୟା କୁଆଡ଼େ ରିକ୍‍ସାରେ ଭୋଟରମାନଙ୍କୁ ବୁଥ୍ ପାଖୁ ନେଇ ଯାଉଥିଲେ । ନେଉ ନେଉ ସେ ନିଜର କୋମଳ ପରଶଟି ଭାଗ୍ୟବନ୍ତଭୋଟରମାନଙ୍କୁ ଦାନ କରି ହାତ ଧରି ମଧୁର ହାସ୍ୟ ସହ ବୀଣା ନିନ୍ଦିତ କଣ୍ଠରେ କହିଲେ,ଏଇ ଶୁଣମ ! ତମେ ଭୋଟଟା ବାପାଙ୍କୁ ଦବ, ହେଲା ?” ଏହାପରେ କ’ଣ କେଉଁ ପ୍ରତିଜ୍ଞା, କେଉଁ ପୂର୍ବ ଶପଥ କାମ କରିପାରେ ? ସେ ଜଣକ କନ୍ୟା ହେବା କିଛି ଜରୁରୀ ନୁହଁ । ତମେ କନ୍ୟା ଭଡ଼ା କରିପାରେ । ଟଙ୍କା ଦେଇ କନ୍ୟା ବା ଭଡ଼ା କରିବ କ୍ୟାଁ । ସେହି ଟଙ୍କାଟି ଭୋଟର୍‍ ହାତରେ ନ ହେଲା, ତାଙ୍କ ଗାଁ ମୁଖିଆ ହାତରେ ହେଲା ଏବେ । ତମେ ସେଥିରୁ କି ପାଇବ ? ଭୋଟ୍‍ ପାଇଲେ ହେଲା ।

 

କିନ୍ତୁ ଅସଲ କଥା ଅନ୍ୟ । ନିର୍ବାଚନକୁ ତା ବାଟରେ ଛାଡ଼ି ଦିଅନ୍ତୁ । ଅସଲ କଥା ହେଉଛି ପ୍ରାପ୍ତବୟସ୍କ କିଏ– ତା’ ପାଇଁ କ’ଣ କ’ଣ ଏବଂ କିପରି ସଂରକ୍ଷଣ ହେବ ? କେତେ ଦୂର ସଂରକ୍ଷଣ ହେବ ?

 

ପ୍ରାପ୍ତବୟସ୍କର ସଂଜ୍ଞା ସ୍ଥଳ ଭେଦରେ, ସ୍ଥାନକାଳ ପାତ୍ର ଭେଦରେ ଭିନ୍ନ, ଏକଥା ଭୁଲିଗଲେ ଚଳିବ ନାହିଁ । ଧର୍ଷଣ ମାମଲା ସଂକ୍ରାନ୍ତୀୟ ବ୍ୟାପାରରେ Age of consent କଥା ଆଇନରେ ଅଛି । ୟେ ବି ଇତିହାସ ସଙ୍ଗେ ତାଳରଖି ବଢ଼ିଛି । ଉପନ୍ୟାସମାନ ଦେଖନ୍ତୁ । ନାୟିକାମାନଙ୍କର ବୟସ ଦିନେ ବାର ତେର ଥିଲା, ଏଇଲା, ଷୋଡ଼ଶୀ କନ୍ୟା ନିହାତି ପିଲାଟେ । ଅଷ୍ଟମ ନବମ ଶ୍ରେଣୀର ଛାତ୍ର ଦିନେ ନାୟକ ହେବାର ସୁଯୋଗ ପାଉଥିଲା । ଚାଳିଶି ବର୍ଷରେ ସାଧାରଣ ତମେ ଆମେ ନିଜକୁ ବୁଢ଼ା କହିବାରେ ଅଭ୍ୟସ୍ତ ହେଉ, ପଞ୍ଚାଶ ବର୍ଷର ନେତା Young blood ଭାବରେ କ୍ଷମତାକୁ ଆସେ । ସିନେମା ଦେଖିବାଲାଗି କେବଳ କଲେଜ ଛାତ୍ର ହେଲେଇ ପ୍ରାପ୍ତବୟସ୍କ । ଶାସକ ହେବାଲାଗି ପକ୍ଵକେଶ ଦନ୍ତଂଗଳିତଂ ଜାତଂ ତୁଣ୍ଡଂ ଅବସ୍ଥା ବି ନିଅଣ୍ଟ ! ବୟସ କୋଉଯାକେ ଯିବ ? ସତର ବର୍ଷର ପୁଅପିଲା ଅତି ନଗଣ୍ୟ ଏକ ସ୍କୁଲ ବା କଲେଜ ଛାତ୍ର, ସେହି ବୟସର ଝିଅପିଲାଟି ଜଣେ ଭଦ୍ରମହିଳା !

 

ଯେଉଁମାନଙ୍କ ଲାଗି କେବଳ ଯୌନ ସଂକ୍ରାନ୍ତ ବ୍ୟାପାର ନିଷିଦ୍ଧ, ସେହି ଅପ୍ରାପ୍ତବୟସ୍କଙ୍କ କଥା ନିଅନ୍ତୁ । ସିନେମା ଓ ବହିପତ୍ରରେ ଏସବୁର କାରବାର ଖୁବ୍ ହୁଏ କିନା । ‘ଏ’ ସାଟିଫିକେଟର ଛବି ଆସିଥିବା ବେଳେ ସିନେମାର ଟିକଟଘର ସାମାନାରେ ପ୍ରାପ୍ତବୟସ୍କ ହେବାର ବ୍ୟାକୁଳତା ନେଇ ଦଳେ ମନୁଷ୍ୟଶାବଳ ଠିଆ ହୋଇଥିବାର ଦେଖାଯାଏ । ବୁଢ଼ାମାନେ ଆଗରୁ କିଛି କିଛି କାଟି ରଖିଥାନ୍ତି; ଯାହାକି, ଏପରିକି ପ୍ରାପ୍ତବୟସ୍କମାନଙ୍କୁ ବି ଘାଏଲ୍ କରିବାର ସମ୍ଭାବନା । ଅପ୍ରାପ୍ତବୟସ୍କ ଘୃତଘଟମାନଙ୍କୁ ତ ଏହି ଶିଖି ଶିଖା ପାଖରେ ରଖିଲେ ଘୋର, ଘୋର ବିଡ଼ମ୍ବନା ।

 

କିନ୍ତୁ ସମସ୍ୟାଟି ଏତେ ସହଜ ନୁହେଁ । ସମସ୍ୟାଟି ହେଲା, ‘ପ୍ରମାଣ କର ଯେ ତମେ ପ୍ରାପ୍ତବୟସ୍କ’ । ହାଇରେ କପାଳ ! ଚିରକାଳ ଅଫିସ୍ ରିକ୍ରିଏସନ୍ କ୍ଳବ୍‍ର ବାର୍ଷିକ ଅନୁଷ୍ଠାନମାନଙ୍କର ‘ଫୁଲୁରା’ ‘ମନ୍ଦାର’, ‘ସୀତା’ ଆଦି ଗୁରୁତ୍ଵପୂର୍ଣ୍ଣ ନାରୀପଟରେ ଓହ୍ଲାଉଥିବା ଶ୍ରୀ ଶିବ କିଙ୍କର ସାହୁ, ବଡବାବୁଙ୍କର ଅବସ୍ଥା କଳ୍ପନା କରନ୍ତୁ । ‘ଆପଣଙ୍କୁ ଦେଖିଲେ ହାଇସ୍କୁଲ ଛୁଆପରି ଲାଗେ’ ଏହି ପଦିକ ତାଙ୍କୁ ସବୁକାଳେ ଆନନ୍ଦ ଦେଇଛି, ଏବଂ ସେ ମନ୍ଦ ହସି ନିଜର ସ୍ନୋ ମଖା ମାଖୁନା ମୁହଁରେ ହ ଦେଇ କୃତ୍ରିମ ଧିକ୍‍କାର ଦେଇ କଥକକୁ କହନ୍ତି ‘ଆପଣଙ୍କର ଯୋଉ କଥା ! କିନ୍ତୁ ଖାସ୍ ଏଇଥିଲାଗି ଯେ ସେ ‘ଉଲ୍‍ଫତ୍ ବନୀ ଆଫ୍‍ସାନା’ ନାମକ ରସ ରସିଆ ଛବିଟି ତାଙ୍କର ସ୍ତ୍ରୀ ଓ ଶ୍ୟାଳିକାଙ୍କୁ ଦେଖାଇ ପାରିବେ ନାହିଁ, ଏହା କ’ଣ କେବେ କଳ୍ପନା କରିପାରିଥିଲେ ? କଟା ଘାଆରେ ଚୂନ ଲଗାଇ ଏଣେ ତାଙ୍କରି ଆଖି ଆଗରେ ପଡ଼ିଶା ଘରର ନବମ ଶ୍ରେଣୀରେ ପାଠରତ ଓଳିଆରୁ ଗଜାଟି ନିଶରେ ପେନ୍‍ସିଲ ଘଷି, ଡେଙ୍ଗା ପାଦ ପକାଇ ସିନେମା ହଲ୍ ଆଡ଼କୁ ଆଗେଇ ଚାଲିଛି– କାରଣ ଝରକା ସେପଟର ମାପକାଠିରେ ସେ ପ୍ରାପ୍ତବୟସ୍କ !

 

ଏଣେ ‘ଉଲ୍‍ଫତ୍ ବନୀ ଅଫ୍‍ସାନ’ ଛବିର ସୁନ୍ଦରୀ ନାୟିକା ନିଜେ ଅପ୍ରାପ୍ତ ବୟସ୍କା । ଆଉ ସେହି ଛବିର ଅଉଲ ଅଉଲ ଦୃଶ୍ୟସବୁ ଖୁଲ୍ଲମ୍‍ଖୁଲ୍ଲା ସିନେମା ଘରର ବାରଣ୍ଡାରେ କାଚ ଝରକା ଭିତରୁ ‘ବାଘ ନ ଦେଖିଲେ ବିଲେଇ ଦେଖ’ ମାର୍କା ସନ୍ତୋଷ ଯୋଗାଇ ରକ୍ଷା ହୋଇଛନ୍ତି ଏବଂ ସେହି ସବୁ ପିଇ ଚାଲିଛନ୍ତି କେତେକ ଅଜାତ ଶୁଶ୍ରୁ, ନିଷିଦ୍ଧ ଫଳର ଆନନ୍ଦ ନେଇ । ତା ଛଡ଼ା ସହରର, ଗଳି କନ୍ଦି ବୁଲିଛି ଯେଉଁ ଡିବି ଡିବି ଚାଙ୍ଗୁବାଦ୍ୟ ପରିଶୋଭିତ ବିଜ୍ଞାପନର ତ୍ରିଭୁଜ ଗାଡ଼ି, ତହିଁରେ ବି ସେହି ନିଷିଦ୍ଧ ଫଳମାନଙ୍କର ଶଙ୍ଖନାଦ, ଯାହାଲାଗି ଏତେକଥା ଯାହାଲାଗି ଝୁରିମରେ ଏତେ ବିଫଳ ପ୍ରୟାସ । ଠିକ୍ ସେହି ବ୍ୟାପାର ବହିରେବି । କେବଳ ପ୍ରାପ୍ତବୟସ୍କଙ୍କ ପାଇଁ ଉଦ୍ଦିଷ୍ଟ Lolitaର ନାୟିକା ଖେଦ୍ ଜଣେ ଦ୍ଵାଦଶୀ କନ୍ୟା ଏବଂ ପ୍ରାପ୍ତବୟସ୍କ ମାର୍କା ବହିମାନ ଲୁଚାଇ ପଢ଼ିବାର ଚୋରାଫଳ ଯେ ନ ଚାଖିଲା, ତାହାର ଜୀବନ ହିଁ ବୃଥା ।

 

ଗୋଟିଏ ଜାଗାରେ ଦଳେ ଲୋକ ଡଙ୍ଗାରେ ପାରି ହେଉଥିଲେ । ତାଙ୍କ ଭିତରେ ଗୋଟିଏ ପାଗଳା ବି ବସିଲା ଆସି । ଲୋକଙ୍କ ଭିତରୁ ଜଣେ କହିଲା ‘ହେ, ସଭିଏଁ ହୁସିଆରି ବଇଥିବ–ବାଇଆଟା ଡଙ୍ଗା ହଲେଇବ ମନେକଲେ ।’ ଏଯାକେ ପାଗଳର ଡଙ୍ଗା ହଲେଇବା କଥା ମନେ ନଥିଲା । ଏତିକି ଶୁଣି ସେ ବି ଉତ୍ସାହିତ ହୋଇ ଦେଲା ହଲେଇ । ଗୁଳ୍‍ଗାଳ୍ ସବୁ ନଈ ପାଣିରେ ପଡ଼ିଲେ ।

 

ଅପ୍ରାପ୍ତବୟସ୍କର କାଳେ ମନେ ନରହିବ ତା ଲାଗି କ’ଣ ସବୁ ମନ୍ଦ ସେଇଥିଲାଗି ଏ ସାମାଜିକ ବ୍ୟବସ୍ଥା । ତେବେ ଏ ସବୁର ଫଳାଫଳ କ’ଣ, କାର୍ଯ୍ୟକାରିତା କେତେଦୂର, ସେକଥା ଅନ୍ୟ । ଆପଣ କ’ଣ ପଞ୍ଜିକାର ବିଜ୍ଞାପନମାନ ବ୍ଲେଡ୍‍ରେ କାଟି ଉଡ଼ାଇ ଦେବେ– (“ମାଜିକ୍ ରୁମାଲ–ସ୍ତ୍ରୀ ହେଉ ପୁରୁଷ ହେଉ, ବସ୍ କହିଲେ ବସିବ, ଉଠ୍ କହିଲେ ଉଠିବ” ପରସ୍ପର ଗାଢ଼ ଆଲିଙ୍ଗନ ରତ ଯୁଗଳ ଛବି ସମେତ) ? ନା ମନାକରିବେ ମଥୁରାମଙ୍ଗଳ, ନା ଉପେନ୍ଦ୍ର ଭଞ୍ଜ, ନା କୋଣାର୍କର କାରୁଶିଳ୍ପ ? ନା ପତ୍ରପତ୍ରିକା ଯହିଁରେ ଦୃତ ଯୌବନ ଫେରିପାଇବାର ନାନା ଔଷଧର ବିଜ୍ଞାପନ, ଅନେକ ସମୟରେ ସଚିତ୍ର ! ଯିବେ କୁଆଡ଼େ ? ଅଣ୍ଟିନିଆଁ ଯେ ଗଣ୍ଠିରେ ! ଆଉ ଏହି “ଛୋଟ ପରିବାର = ସୁଖୀ ପରିବାର” ମାର୍କା ପରିବାର ନିୟୋଜନ ପୋଷ୍ଟର ତକ ?

 

ଆମଠୁଁ ଅଧିକ ବାଇ ଭାଇ ପାକିସ୍ତାନ । ଏଠିକା ଖବରକାଗଜରେ ବିଦେଶୀ ଛବିର ବିଜ୍ଞାପନରେ ତୁମ୍ବନ ନିଷିଦ୍ଧ । ବାକୀସବୁ ଠିକ୍ ଥାଇ ବିଦେଶୀ ଯୁଗଳମୂର୍ତ୍ତୀଙ୍କର ଚୁମ୍ବନରତ ଛବିରୁ ଉଷ୍ଠାଧର ଅଞ୍ଚଳ ନିଷ୍ଠୁର କଇଁଚି ଦ୍ଵାରା କଟାଯାଇ ସେ ସ୍ଥାନରେ ଏକ ‘ଠ’ ବର୍ତ୍ତୂଳ ଶୂନ୍ୟତା ବିରାଜମାନ କରେ ! ହାୟରେ ଅପ୍ରାପ୍ତବୟସ୍କ ବୁଦ୍ଧିବୃତ୍ତି ! ଏତିକି ଅନୁମାନ କରିପାରେନା ସେ ?

 

ନା । ଯଦି ସତରେ ପାଳନ କରିବା ଏହି ପ୍ରାପ୍ତବୟସ୍କ ନୀତି, ମୋ ବନ୍ଧୁଙ୍କ କଥାହିଁ ଠିକ୍ । ଆପଣ ଠିକ୍ କହିଛନ୍ତି ବନ୍ଧୁବର–ସେହି ପତ୍ରିକାରେ ଗରମ ଗରମ ମସ୍ଳାଦାର୍‍ ଗପସବୁ ଥିବ, ତା’ର ଗୋଟିଏ କୋଣରେ ପିଲାଙ୍କ ଲାଗି ବିଭାଗଟିଏ (‘ଅମୁକଭାଇ, ମୋର ବୟସ ଷୋଳ ବର୍ଷରୁ କମ୍’...) ଏବଂ ସେଥିରେ ଖାଲି “ଆମ୍ଭର ଉତ୍କଳମାତା ସଂସାରେ ସାର ଧନରେ ଭଳି କେତେକ ଅତି ସାଧାରଣ ଉକ୍ତି, ବା ଗ୍ରୀଷ୍ମାବକାଶ ଯାଅନ ନେଇ ଉପଦେଶ ବା ରାଜାରାଣୀ, ଭୂତ ପ୍ରେତ, ନେତାଙ୍କ ଜୀବନ ଓ ଧନ୍ଦା ପରି ଖୋରାକ ଥିବ ୟେ ଠିକ ନୁହେଁ । ଅପ୍ରାପ୍ତବୟସ୍କର ଧାରଣା ହେବ, ୟେ କେବଳ ଭଣ୍ଡିବା କଥା । ତାହେଲେ କୌତୁହଳ ଆହୁରି ବଢ଼ିବ । ଦିଅଁ ଗଢ଼ୁ ଗଢ଼ୁ ମାଙ୍କଡ଼ ।

 

ଏଣିକି ପିଲାଙ୍କୁ ଡାକନ୍ତୁ ପାଠକ ଆପଣେ । ଆପଣ ଯାଆନ୍ତୁ ବନ୍ଧୁବର । ଆପଣ କପେ ଚାହା ଖାଆନ୍ତୁ ପାଠକେ, କ୍ଳାନ୍ତ ହୋଇ ପଡ଼ିବେଣି । ମୋପାଇଁ ବି ଦେଇ ପାରନ୍ତି । ପିଲାମାନେ, ଆସ ବସ । ତମରି କଥା ଏଇଲେ ଏଠି ପଡିଥିଲା । ମୁଁ ଗୋଟିଏ ଗପ କହୁଥିଲି ଯାହା ତମେ ବୁଝିବ ନାହିଁ । ବର୍ତ୍ତମାନ ମୁଁ ‘ବୁଢ଼ିମା କାହାଣୀ ପେଟରା’ ବହିରୁ ଗୋଟିଏ ଅସଲ କାହାଣୀ କହିବି । ଗୋଲ ହୋଇ ବସ । ସେଇଠୁ ଶୁଣ ପିଲାମାନେ... ।

Image